You are here
Home > ଲାଟେଷ୍ଟ > ପ୍ରତାପ ଯିବେ ରାଜ୍ୟସଭା, ପ୍ରଦୀପ ହେବେ ବାଚସ୍ପତି

ପ୍ରତାପ ଯିବେ ରାଜ୍ୟସଭା, ପ୍ରଦୀପ ହେବେ ବାଚସ୍ପତି

ଭୁବନେଶ୍ୱର: ରାଜ୍ୟସଭାର ଗୋଟିଏ ଆସନ ଓ ବାଚସ୍ପତି ପଦ ପାଇଁ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ପଦବୀ ପାଇଁ ନାମ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପ୍ରତାପ ଦେବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହେବେ । ସେହିପରି ପ୍ରଦୀପ ଅମାତ  ଓଡ଼ିଶାର ନୂଆ ବାଚସ୍ପତି ହେବା ନେଇ ନବୀନ ଘୋଷଣା କରିଛନ୍ତି  ।
  ପୂର୍ବତନ ସାଂସଦ ବିଷ୍ଣୁ ଦାସ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିଯୁକ୍ତ ହେବା ପରେ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ  । ଏହାପରେ ଆସନଟି ଖାଲି ପଡିଥିଲା । ସଂଖ୍ୟା ଦୃଷ୍ଟିରୁ ଏହି ଆସନଟି ବିଜେଡି ଦଳକୁ ଯିବ  । ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ନେଇ ଚର୍ଚ୍ଚା ଖୁବ ଜୋର ଧରିଥିଲା । ତେବେ ଗୀତା ରାଜନୀତିକୁ ଆସିବାକୁ ଚାହୁଁ ନାହାନ୍ତି ବୋଲି ନବୀନ ସ୍ପଷ୍ଟ କରିଥିଲେ  । ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶାର ଖାଲିଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ୮ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବା ସହ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ମେ ୧୫ ରହିଛି । ୨୫ରେ ରାଜ୍ୟ ସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବ  ।
  ସେପଟେ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳରେ ପୂର୍ବତନ ଅର୍ଥ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଦୀପ ଅମାତ ନିଜର ପଦ ହରାଇଥିଲେ । କିନ୍ତୁ ତାଙ୍କ ପାଇଁ ଏବେ ଖୁସିର ଖବର  । କାରଣ ସେ ବିଧାନସଭାର ବାଚସ୍ପତି ହେବାକୁ ଯାଉଛନ୍ତି । ନିକଟରେ  ବାଚସ୍ପତି ପଦରୁ ନିରଞ୍ଜନ ପୂଜାରୀ ଇସ୍ତଫା ଦେବା ପରେ ନୂତନ ମନ୍ତ୍ରୀ ମଣ୍ଡଳରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ଥାନ ଦେଇଥିଲେ । ସେ ଶିଳ୍ପ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି  । ତେବେ ତାଙ୍କ ପରେ ବାଚସ୍ପତି ପଦ ଖାଲି ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ, ବିଧାନସଭାର ନୂତନ ବାଚସ୍ପତି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୬ ତାରିଖ ଦିନ ୩ଟାରେ ବାଚସ୍ପତି ନିର୍ବାଚନ ହେବା ନେଇ ଗତକାଲି ସୂଚନା ଦେଇଛନ୍ତି ରାଜ୍ୟପାଳ ଡ.ଏସ୍ସି ଜମିର । ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ଥିବା ସଦସ୍ୟମାନଙ୍କୁ ଠିକ୍ ସମୟରେ ବିଧାନସଭା ସଚିବ ଜଣାଇବେ ।

ONA

Leave a Reply

Top