You are here
Home > ଅଧିକ ଖବର > ପୋଷ୍ଟର ବୟ ଧର୍ମେନ୍ଦ୍ର

ପୋଷ୍ଟର ବୟ ଧର୍ମେନ୍ଦ୍ର

ରାଜ୍ୟ ରାଜନୀତିରେ ପରିବର୍ତ୍ତନର ଆଭାସ ମିଳିଲାଣି । ୧୭ ବର୍ଷ ହେଲା ନିରଙ୍କୁଶ କ୍ଷମତା ଉପଭୋଗ କରୁଥିବା ବିଜେଡି ପାଇଁ ପଞ୍ଚାୟତ ନିର୍ବାଚନ ଫଳାଫଳ ବେଶ କିଛି ସଙ୍କେତ ଦେଇଛି । ଏଥିସହ ରାଜ୍ୟ ରାଜନୀତି ପୋଖରିରେ ପଦ୍ମ ଚେର ଭିତରକୁ ମାଡୁଥିବାରୁ ବିଜେପି ଏବେ ଉତ୍ସାହିତ । ବିଜେପିର ଏହି ସଫଳତା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତାଙ୍କ ଉପରେ ରାଜ୍ୟବାସୀଙ୍କ ଭରସା ବଢୁଥିବା ନିର୍ବାଚନୀ ଫଳାଫଳ ସୂଚେଇ ଦେଇଛି ।
ଭୁବନେଶ୍ୱର: ରାଜ୍ୟ ରାଜନୀତି କଡ ଲେଉଟାଉଛି । ଦୀର୍ଘ ୧୭ ବର୍ଷ ହେଲା ରାଜ୍ୟ ଶାସନ ଡୋର ଧରିଥିବା ବିଜୁ ଜନତା ଦଳ ଉପରୁ ଲୋକଙ୍କ ଆସ୍ଥା ଓ ଭରସା କମିଗଲାଣି । ବିଜେଡି ଲୋକପ୍ରିୟତାରେ ବି ଅଳନ୍ଧୁ ଲାଗିଲାଣି । ନବୀନଙ୍କ ଚେହେରା ମଳିନ ପଡିଯାଉଛି । ରାଜ୍ୟରୁ ଶାସନ କ୍ଷମତାରୁ ବିଜେଡିକୁ ହଟାଇବା ପାଇଁ ଅଣ୍ଟା ଭିଡିଛି ବିଜେପି । ଆଉ ପଞ୍ଚାୟତ ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଠେଲି ଦେଇ ବିଜେପି ନିଜ ମିଶନ ୨୦୧୯ ଆରମ୍ଭ କରିଛି । ସବୁ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ଓ ତାଙ୍କ ଷ୍ଟାର ପ୍ରଚାରକ ଜନତାଙ୍କ ମନ ଜିଣିବାରେ ସଫଳ ହେଉଥିଲେ । ନବୀନ ଓ ବିଜୁ ଜନତା ଦଳ ନାଁରେ ଅନେକ ନେତା ଭୋଟ ଗୋଟାଇବା ସହ ନିର୍ବାଚନ ଜିଣୁଥିଲେ । ଗଲା ୪ଟି ବିଧାନସଭା ନିର୍ବାଚନରେବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରି ଶାସନକ୍ଷମତା ନିଜ ଅକ୍ତିଆରରେ ରହିଥିଲା । ବିରୋଧୀ ଦଳ କଂଗ୍ରେସ ଓ ବିଜେପି ସଂଗଠନ ମଜଭୁତ ନଥିବା ବେଳେ ଏହାର ଫାଇଦା ମାରୁଥିଲା ବିଜେଡି । ହେଲେ ଏବେ ସେଥିରେ ପରିବର୍ତ୍ତନ ଦେଖାଦେଲାଣି । ରାଜ୍ୟରେ କଂଗ୍ରେସ ମୂଳପୋଛ ହେବା ସ୍ଥିତିକୁ ଚାଲି ଆସିଥିବା ବେଳେ ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ଉଭା ହୋଇଛି ବିଜେପି । ଚଳିତ ପଞ୍ଚାୟତ ନିର୍ବାଚନ ଫଳାଫଳ ଏହା କହୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ରାଜ୍ୟରେ ଦଳର ସ୍ଥିତି ମଜଭୁତ ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।
 ଏବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଜିଛନ୍ତି ଓଡ଼ିଶା ବିଜେପିର ଆଖି-କାନ । ପଞ୍ଚାୟତ ନିର୍ବାଚନରେ ଷ୍ଟାର ପ୍ରଚାରକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ତୋଫାନୀ ପ୍ରଚାର କରୁଛନ୍ତି । ରାଜ୍ୟରେ ବିଜେପି ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ଦିଲ୍ଲୀରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଧର୍ମେନ୍ଦ୍ର । ବର୍ଷ ତମାମ ଓଡିଶାରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା ଚଳାଇଛନ୍ତି ଧର୍ମେନ୍ଦ୍ର । ବିହାରରୁ ରାଜ୍ୟସଭାକୁ ଯାଇଛନ୍ତି ସେ । ହେଲେ ଓଡିଶା ପ୍ରତି ତାଙ୍କର ଦରଦ ରହିଛି । ସେକଥା ସେ ବିଭିନ୍ନ ସମୟରେ ପ୍ରମାଣିତ କରିଛନ୍ତି । ନିଜ ବିଭାଗର ଲୋକାଭିମୁଖୀ ଯୋଜନା ‘ଉଜ୍ଜ୍ୱଳା’ର ଶୁଭାରମ୍ଭ  ଓଡ଼ିଶାରୁ ଆରମ୍ଭ କଲେ ଧର୍ମେନ୍ଦ୍ର । ଛତିଶଗଡ ସହ ଓଡ଼ିଶାର ମହାନଦୀ ଜଳ ବିବାଦ ହେଉ କି ରାଜ୍ୟର ଏକାଧିକ ପ୍ରସଙ୍ଗକୁ ଜନସାଧାରଣଙ୍କ ନିକଟରେ ଧର୍ମେନ୍ଦ୍ର ପହଞ୍ଚାଇ ପାରିଛନ୍ତି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ ଜୁଏଲ ଓରାମ ଥିଲେ ମଧ୍ୟ ଓଡିଶା ବିଜେପି ଦାୟିତ୍ୱ ପାଇଁ କେନ୍ଦ୍ରୀୟ ନେତୃତ୍ୱ ଧର୍ମେନ୍ଦ୍ରଙ୍କ ଉପରେ ଅଧିକ ଭରସା କରୁଛନ୍ତି । ଆଉ ଆଗାମୀ ବିଧାନସଭା ନିର୍ବାଚନରେ ସେ ହିଁ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଏବେଠୁ ତାଙ୍କୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦଳ ପ୍ରୋଜେକ୍ଟ କରି ସରିଲାଣି । ଏପଟେ ଦୀର୍ଘଦିନ ଧରି ଶାସନ କ୍ଷମତାରେ ରହିବା ପରେ ବିଜେଡି ନେତା ଓ କର୍ମୀମାନେ ମନମୁଖୀ ହୋଇଗଲେଣି । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ସେମାନେ ଯାଉନାହାନ୍ତି । ଏଥିଯୋଗୁଁ ବିଜେଡି ଉପରୁ ଲୋକଙ୍କ ଭରସା ତୁଟୁଛି । ସେହିପରି କଂଗ୍ରେସରେ କନ୍ଦଳ ଯୋଗୁଁ ଦଳ ରାଜ୍ୟରେ ଦିନକୁ ଦିନ ରସାତଳଗାମୀ ହେଉଛି । କଂଗ୍ରେସକୁ ଓଡିଶାବାସୀ ଆଉ ବିରୋଧୀ ଦଳ ଭାବେ ମଧ୍ୟ ଦେଖିବାକୁ ଚାହୁଁନାହାନ୍ତି । ଯାହାର ଫାଇଦା ନେଇ ଧର୍ମେନ୍ଦ୍ର କେନ୍ଦ୍ରୀୟ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା ସହ ଦଳକୁ ବୁଥ ସ୍ତରରୁ ମଜଭୁତ କରିବା ପାଇଁ ଲାଗି ପଡିଛନ୍ତି । ଆଉ ରାଜ୍ୟରେ ବିଜେପି ପ୍ରତି ରାଜ୍ୟବାସୀଙ୍କ ଭଲ ପାଇବା ବଢ଼ିଛି । ପରିଣାମ ସ୍ୱରୂପ ଭୋଟର ବିଜେଡିଠୁ ମୁହଁ ଫେରାଇ ବିଜେପି ଆଡେ ମୁହାଁଇଛନ୍ତି । ଯେଉଁଥିପାଇଁ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରଥମ ସ୍ଥାନରେ ରହିଥିବା ବେଳେ କଂଗ୍ରେସକୁ ହଟାଇ ଦ୍ୱିତୀୟ ସ୍ଥାନକୁ ଉଠିଛି ବିଜେପି । ବିଜେଡିର ଭୋଟ ହାର କମି ନଥିବା କହି ବିଜେଡି ନେତାଏ ବାହାସ୍ଫୋଟ ମାରୁଥିବା ବେଳେ ଭିତରେ ଭିତରେ ବିଜେପିର କଳେବର ବୃଦ୍ଧିକୁ ନେଇ ପ୍ରମାଦ ଗଣିଲେଣି ।   

ONA

Leave a Reply

Top