You are here
Home > ଲାଇଫ୍ ଷ୍ଟାଇଲ୍ > ପେଟ ଯନ୍ତ୍ରଣା

ପେଟ ଯନ୍ତ୍ରଣା

କଥାରେ ଅଛି ପେଟ ପାଇଁ ସବୁ ନାଟ । ଖାଦ୍ୟରୁ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଶର୍କରା, ପ୍ରୋଟିନ୍, ଭିଟାମିନ୍ ଓ ଧାତବ ପଦାର୍ଥ ପାକସ୍ଥଳୀ ଏବଂ କ୍ଷୁଦ୍ରନ୍ତ୍ରରୁ ହଜମ ପ୍ରକ୍ରିୟା ପରେ ରକ୍ତକୁ ଯାଏ । ଶରୀରର ବିଭିନ୍ନ ଅଙ୍ଗ ରକ୍ତରୁ ସେମାନଙ୍କ ପୁଷ୍ଟିସାର ସଂଗ୍ରହ କରନ୍ତି । ଏହାର ଅଭାବରେ ହୃତପିଣ୍ଡ, ମସ୍ତିଷ୍କ, ବୃକକ୍୍ ଓ ଲିଭର ଇତ୍ୟାଦି ସେମାନଙ୍କର କାର୍ଯ୍ୟ ସୂଚାରୁ ରୂପେ କରିପାରିବେ ନାହିଁ । ପେଟ ଭିତରେ କୌଣସି ବ୍ୟତିକ୍ରମ ଘଟିଲେ ଯନ୍ତ୍ରଣା ହୁଏ । ଏହାକୁ ସଠିକ ନିରୂପଣ କରି ଔଷଧ ସେବନ କଲେ କଷ୍ଟ ଲାଘବ ହୁଏ ।
ଯନ୍ତ୍ରଣା କି ରୂପ ନିଏ?
♦   ପେଟରେ ଅତ୍ୟଧିକ ଯନ୍ତ୍ରଣା ସହିତ ବାନ୍ତି ହେଲେ, ଦରଜ ହୋଇ କୌଣସି ସ୍ଥାନ ଫୁଲି ଯାଇଥିଲେ ଓ ୧୦୦ଡିଗ୍ରୀରୁ ଅଧିକ ଜ୍ୱର ଥିଲେ, ଅନ୍ତଃନଳୀ ଅବରୋଧ କିମ୍ବା ଆପେଣ୍ଡିସାଇଟିସ୍୍ ହୋଇଥିବାର ସନେ୍ଦହ ହୁଏ । ଅଲଟ୍ରାସାଉଣ୍ଡ ଓ ରକ୍ତ ପରୀକ୍ଷା କରି ନିଦାନ ସ୍ଥିର ହୁଏ । ଏଥିପାଇଁ ଜରୁରୀ ଚିକିତ୍ସାର ଆବଶ୍ୟକ ରହିଛି । ଡେରି ନକରି ଡାକ୍ତରଙ୍କ ପରାମର୍ଶ କରିବା ଉଚିତ । ଏହି ଅବସ୍ଥାରେ ପେଟ ଫୁଲି ଟାଣ ହୋଇଯାଏ । ରୋଗୀ କଷ୍ଟ ଅନୁଭବ କରେ । ଶଲ୍ୟ ଚିକିତ୍ସକଙ୍କର ପରାମର୍ଶ ଏକାନ୍ତ ଆବଶ୍ୟକ ।
♦    ଆପେଣ୍ଡିସାଇଟିସ୍ ହୋଇଥିଲେ ନାହି ଚାରି ପାଖରେ ପ୍ରବଳ ବିନ୍ଧା ହୁଏ, ପେଟର ଡାହାଣ ପାଖ ଦରଜ ହୋଇଯାଏ । ଚିପିଲେ କଷ୍ଟ ଲାଗେ । ଜ୍ୱର ଓ ବାନ୍ତି ଲାଗେ ।  ଖାଇବାକୁ ଇଚ୍ଛା ହୁଏ ନାହିଁ । ତୁରନ୍ତ ଅସ୍ତ୍ର ଚିକିତ୍ସାର ଆବଶ୍ୟକ ପଡେ । ନଚେତ ଏହା ଫାଟି ପେଟରେ ସବୁ ଆଡକୁ ଖେଳିଯାଏ, ଗୁରୁତର ଅବସ୍ଥା ସୃଷ୍ଟି କରେ ।
♦     ପେଟକୁ ଅସ୍ତ୍ର ଚିକିତ୍ସା ଦ୍ୱାରା ଖୋଲିବା ପରେ ପାକସ୍ଥଳୀ କିମ୍ବା ଅନ୍ତରେ ଥିବା ଘା’, ଡିମ୍ବାଶୟ ବୃଦ୍ଧି, ଜରାୟୁ ବ୍ୟତୀତ ଅନ୍ୟ ସ୍ଥାନରେ ଗର୍ଭ କିମ୍ବା କୌଣସି ଅନାବିଷ୍କୃତ କ୍ୟାନସର ପେଟରେ ଥିବାର ପ୍ରମାଣ ମିଳେ ।
♦  ମଝିରେ ମଝିରେ ଅଳ୍ପ ପରିମାଣରେ ପେଟର ଉପର ଭାଗରେ ବିନ୍ଧା ହେଲେ ତାହା ଆଣ୍ଟାସିଡ୍ ଖାଇବା ଦ୍ୱାରା ଉପଶମ ହେଲେ ପାକସ୍ଥଳୀରେ ଘା’ ହୋଇଥିବାର ସନେ୍ଦହ ହୁଏ । ପେଟ ବ୍ୟଥା ପେଟର ଡାହାଣ ପଟେ ଓ ଉପର ଅଂଶରେ ପଞ୍ଜରା ପାଖରେ ଥରକୁ ଥର ହେଲେ, ୧୦୦ ଡିଗ୍ରୀରୁ ଜ୍ୱର ଅଧିକ ହେଲେ ପିତ୍ତକୋଷ ପ୍ରଦାହ କିମ୍ବା ପିତ୍ତକୋଷରେ ପଥର ଥାଇପାରେ । ଅଲଟ୍ରାସାଉଣ୍ଡ ସ୍କାନିଂ କରି ରୋଗ ନିରୂପଣ କରାଯାଏ ।
♦    ଜ୍ୱର ନଥାଇ କେବଳ ମୃଦୁ ଯନ୍ତ୍ରଣା ହେଲେ, ଓଜନ ହ୍ରାସ ହେଲେ(୧୦ସପ୍ତାହ ମଧ୍ୟରେ ୪-୫ କେଜି ଓଜନ କମିଲେ), ୪୦ ବର୍ଷରୁ ବୟସ ଅଧିକ ହୋଇଥିଲେ, ପାକସ୍ଥଳୀ କିମ୍ବା ଉପର ଅନ୍ତଃନଳୀରେ କ୍ୟାନସର ହୋଇଥିବାର ସନେ୍ଦହ କରାଯାଏ ।
♦    ପାକସ୍ଥଳୀ ବହୁଦିନ ଘା’ଥାଇ ଉପଯୁକ୍ତ ଚିକିତ୍ସା ନକଲେ କ୍ୟାନସର ହେବାର ସମ୍ଭାବନା ଥାଏ । ସବୁ ଘା କ୍ୟାନସର ହୁଏ ନାହିଁ । ଏପରିକି ଉପର ପେଟରେ ଯନ୍ତ୍ରଣା ନହୋଇ ଏହି କ୍ୟାନସର ଲିଭର, ଫୁସଫୁସ ଓ ଅସ୍ଥି ମଧ୍ୟକୁ ପ୍ରବେଶ କରି ଲକ୍ଷଣ ପ୍ରକାଶ କରେ । ଏହାର ଲକ୍ଷଣ ହେଉଛି ଭୋକ ନହେବା, ଖାଦ୍ୟ ହଜମ ନହେବା, ଖାଇଲେ ବାନ୍ତି ଲାଗିବା ଇତ୍ୟାଦି । ଏହାକୁ ଅବହେଳା କଲେ, ଶେଷ ଅବସ୍ଥାରେ ଉପର ପେଟରେ ଅସହ୍ୟ ଯନ୍ତ୍ରଣା ହୁଏ । ଅନେକ ଥର ବାନ୍ତି ହୁଏ, ଓଜନ ହ୍ରାସ ହୁଏ । ରକ୍ତ ବାନ୍ତି ହୁଏ ଓ କଳା ଝାଡା ହୁଏ । ରକ୍ତଶୂନ୍ୟତା ହୁଏ । ଏହାର ପରିମାଣ ଭୟାବହ । ତେଣୁ ଖାଦ୍ୟ ହଜମର ବ୍ୟତିକ୍ରମ ହେଲେ ଡାକ୍ତରଙ୍କର ପରାମର୍ଶ କରି ଏଣ୍ଡୋସ୍କୋପି ଏ ବେରିଅମ୍୍ ଏକ୍ସରେ କରାଇନେବା ଉଚିତ । ଏଣ୍ଡୋସ୍କୋପି ସମୟରେ ପାକସ୍ଥଳୀରେ ହୋଇଥିବା ଘା’ରୁ ସାମାନ୍ୟ ମାଂସ କାଢି କୋଷଗୁଡିକର ପରୀକ୍ଷା କଲେ କ୍ୟାନସର ରୋଗ ନିରୂପଣ ହୁଏ ।
♦     ତଳ ପେଟରେ ବାରମ୍ବାର ବିନ୍ଧା ହେଲେ, ବୟସ ୪୦ରୁ ଅଧିକ ହୋଇଥିଲେ, ଝାଡାରେ ରକ୍ତ ପଡିଲେ ଓ ଅସ୍ୱାଭାବିକ ଝାଡା ହେଲେ ବୃହଯନ୍ତ୍ରରେ କ୍ୟାନସର ହୋଇଥିବାର ସନେ୍ଦହ ହୁଏ ।
♦  ପେଟରେ ତଳ ଭାଗରେ ବିନ୍ଧା ହେଲେ, ବେଶୀ ଥର ଝାଡା ହେଲେ, ଜ୍ୱର ରହିଲେ, ଝାଡାରେ ରକ୍ତ, ପୂଜ ଓ ନାଳ ଥିଲେ ବୃହଯନ୍ତ୍ର ପ୍ରଦାହ ହୋଇଥାଏ । ଅଧିକ ଥର ପରିସ୍ରା ହୋଇ ପରିସ୍ରା ପୋଡା ହେଉଥିଲେ ପରିସ୍ରା ଇନଫେକସନ୍୍ ହୋଇଥାଏ ।
♦    ଯନ୍ତ୍ରଣା ସହିତ ଜ୍ୱର ଥିଲେ କିଡନୀ କିମ୍ବା ପରିସ୍ରା ନଳରେ ପଥର ଥିବାର ସନେ୍ଦହ ହୁଏ । ଅଲଟ୍ରାସାଉଣ୍ଡ କିମ୍ବା ଏକ୍ସରେ ଦ୍ୱାରା ପଥର ଥିବାର ସ୍ଥାନ ନିରୂପଣ ହୁଏ ।
♦    ଜ୍ୱର ସହିତ ତଳପେଟ ଦରଜ ହୋଇ ବିନ୍ଧା ହେଲେ ପରିସ୍ରା ପ୍ରଦାହ କୁହାଯାଏ । ବୃକକ୍, ପରିସ୍ରା ନଳୀ ଓ ପରିସ୍ରା ଥଳୀରେ ସୁସ୍ଥଲୋକର କୌଣସି ଜୀବାଣୁ ନଥାନ୍ତି । ରକ୍ତରେ ଥିବା ଜୀବାଣୁ କିଡନୀକୁ ଆସି ପ୍ରଦାହ ସୃଷ୍ଟି କରନ୍ତି । ଫଳରେ ପିଠିରେ ଅଣ୍ଟା ଉପରକୁ ଦରଜ ହୋଇ ବିନ୍ଧା ହୁଏ । ୧୦୪ ଡିଗ୍ରୀରୁ ଅଧିକ ଜ୍ୱର ହୁଏ । ମ୍ୟାଲେରିଆ ପରି କମ୍ପ ହୁଏ, ଥଣ୍ଡା ଲାଗେ । ମୁଣ୍ଡ ବୁଲାଇ ବାନ୍ତି ଲାଗେ । ପରିସ୍ରା କରିବାକୁ କଷ୍ଟ ହୁଏ । ପରିସ୍ରା ବହଳିଆ ରକ୍ତମିଶା ହୁଏ । ଏହା ମହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ । ଡାକ୍ତରଙ୍କ ପରାମର୍ଶରେ ଉପଯୁକ୍ତ ଆଣ୍ଟିବାୟୋଟିକ୍ ବ୍ୟବହାର କଲେ ୨୪-୪୮ ଘଣ୍ଟା ମଧ୍ୟରେ ଉପଶମ ମିଳେ । ବିଶ୍ରାମ ନେଇ ଅଧିକ ପାଣି ପିଇବା ଆବଶ୍ୟକ ।

ONA

Leave a Reply

Top