You are here
Home > Breaking News > ପୁଣି ବିଜେଡିକୁ ଛାନିଆ କଲା ସିବିଆଇ: ବରିଷ୍ଠ ମନ୍ତ୍ରୀଙ୍କ ପୁଅକୁ ନୋଟିସ୍

ପୁଣି ବିଜେଡିକୁ ଛାନିଆ କଲା ସିବିଆଇ: ବରିଷ୍ଠ ମନ୍ତ୍ରୀଙ୍କ ପୁଅକୁ ନୋଟିସ୍

ଭୁବନେଶ୍ୱର: ଚିଟ୍ ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଏବେ ବିଜେଡି ସରକାରଙ୍କ ମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ପାଇଁ ବାଟ ପାଇଛି । ଇତି ମଧ୍ୟରେ ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କ ପୁଅଙ୍କ ଅଫିସକୁ ଯାଇ ସିବିଆଇ ରେଡ୍ କରିଛି । ତାଙ୍କୁ କାଗଜପତ୍ର ଧରି ଅଫିସକୁ ଆସିବା ପାଇଁ ସିବିଆଇ ନୋଟିସ ଜାରି କରିଥିବା କୁହାଯାଇଛି । ଦକ୍ଷିଣ ଓଡ଼ିଶାର ଏହି ବରିଷ୍ଠ ମନ୍ତ୍ରୀ ଏବେ ଅଡୁଆରେ । ମନ୍ତ୍ରୀଙ୍କୁ ନେଇ ବିଜେଡି ମଧ୍ୟ ସମସ୍ୟାରେ ପଡିବାକୁ ଯାଉଛି । ଏହି ଘଟଣା ଏବେ ଜୋରଦାର ଚର୍ଚ୍ଚା ହେଉଛି ।
ସିବିଆଇ ପୁଣି ସିସୋର ଓ ଅର୍ଥତତ୍ତ୍ୱ ମାମଲାକୁ ନେଇ ଘାଣ୍ଟିବା ଆରମ୍ଭ କରିଛି । ସି’ସୋର ମାମଲାରେ ଏହାର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ଡାକି ଦୁଇ ଥର ଜେରା କରି ସାରିବା ପରେ ଦୁଇ ଜଣ ଆଇଏସ୍ ଅଫିସରଙ୍କୁ ମଧ୍ୟ ଡାକିଛି । ପର୍ଯ୍ୟଟନ ବିଭାଗ ସହ ସି’ସୋରର ହୋଇଥିବା ଚୁକ୍ତିକୁ ଭିତ୍ତି କରି ତତ୍କାଳୀନ ସଚିବ ପରାଗ ଗୁପ୍ତା ଯେ କି ଏବେ କେନ୍ଦ୍ର ସରକାରଙ୍କ ଅଧୀନରେ ଅଛନ୍ତି ଏବଂ ତତ୍କାଳୀନ ପର୍ଯ୍ୟଟନ ନିର୍ଦ୍ଦେଶକ ଅବସରପ୍ରାପ୍ତ ଆଇଏସ୍ ଅଫିସର ସଂଗ୍ରାମ କେଶରୀ ରାୟଙ୍କୁ ନୋଟିସ୍ ଜାରି ହୋଇଛି । ଶ୍ରୀ ରାୟଙ୍କୁ ସିବିଆଇ ପଚରାଉଚରା କରି ସାରିଛି । ଶ୍ରୀ ଗୁପ୍ତାଙ୍କ ସଂପର୍କରେ କିଛି ଖବର ମିଳି ନାହିଁ । ଏହି ପ୍ରକ୍ରିୟା ଜାରି ରହିଥିଲାବେଳେ ଅର୍ଥତତ୍ତ୍ୱ ମାମଲାରେ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ପୁଅକୁ ଜେରା ପାଇଁ ଡକାଯାଇଛି । ଏହି ମନ୍ତ୍ରୀ ଜଣଙ୍କ ହେଉଛନ୍ତି ଦକ୍ଷିଣ ଓଡ଼ିଶାର ବୋଲି କୁହାଯାଉଛି । ତାଙ୍କ ପୁଅଙ୍କର ଆଇଟି ବ୍ୟବସାୟ ଅଛି । ତାଙ୍କ ଅଫିସରେ ଯେଉଁ ସବୁ କମ୍ପ୍ୟୁଟର ଲାଗିଛି ତାହା ଅର୍ଥତତ୍ତ୍ୱ ଅର୍ଥରେ କିଣା ଯାଇଥିବା ଅଭିଯୋଗ ଆସିଛି । ଏଣୁ ସିବିଆଇ ତାଙ୍କ ଅଫିସକୁ ଯାଇ ଚଢ଼ଉ କରି ଯାଞ୍ଚ କରିଛି । ଏଥିସହ କାଗଜପତ୍ର ଧରି ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସମନ କରାଯାଇଛି ।
ଏହି ଅର୍ଥତତ୍ତ୍ୱ ମାମଲାରେ ପୂର୍ବରୁ ଜେରା ସମ୍ମୁଖୀନ ହୋଇଥିବା ନୂଆପଲ୍ଲୀର ଜଣେ ବିଲଡରକୁ ସିବିଆଇ ଡାକି ଜେରା କରିଛି । ଜଣେ ହୋଟେଲ ମାଲିକ ମଧ୍ୟ ଜେରାର ସମ୍ମୁଖୀନ ହୋଇଛନ୍ତି । ବିଲଡର ଓ ହୋଟେଲ ମାଲିକଙ୍କୁ ସିବିଆଇ ପୁଣି ଥରେ ଡାକି ଜେରା କରିବା ଏବଂ କାଗଜପତ୍ର ମାଗିବା ଘଟଣାରେ ସେମାନଙ୍କ ପ୍ରତି ବିପଦ ବଢ଼ିଛି । ଗତ ଜୁନ୍ ୧୯ରେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଓ ଯୁଗ୍ମ ନିର୍ଦ୍ଦେଶକ ପଙ୍କଜ ଶ୍ରୀନିବାସ ଆସି ଏଠାରେ ଥିବା ସିବିଆଇ ଅଧିକାରୀ ଇଡି ଓ ଅନ୍ୟମାନଙ୍କ ସହ ଆଲୋଚନା କରି ଫେରିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ଆଇଏସ୍ ଅଫିସର ଏବେ ରାଜନେତାଙ୍କ ଆଡକୁ ହାତ ବଢ଼ାଇଛି ସିବିଆଇ । ବିଜେଡି ପାଖରେ ପହଞ୍ଚିବା ପାଇଁ ବାଟ ଖୋଜୁଛି ସିବିଆଇ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ବିଜେଡିର ସାଂସଦ, ବିଧାୟକ ଓ ନେତାଙ୍କୁ ସିବିଆଇ ଗିରଫ କରି ସାରିଛି । ଏବେ ଏହି ମାମଲାରେ ଅଧିକ ଲୋକଙ୍କୁ ଧରିବା ପାଇଁ ସିବିଆଇ ଜାଲ୍ ବିଛାଉଛି । ବିଶେଷ କରି କିଛି ମନ୍ତ୍ରୀଙ୍କୁ ଧରିବା ପାଇଁ ଟାର୍ଗେଟ ରଖାଯାଇଛି । କୁହାଯାଉଛି ନିର୍ବାଚନ ପୂର୍ବରୁ ସିବିଆଇ ଚିଟ୍ ଫଣ୍ଡ ମାମଲାରେ ବିଜେଡିକୁ ଘାଣ୍ଟିବ ବୋଲି ଏପରି ଉଦ୍ୟମ ଆରମ୍ଭ କରିଛି ।

ONA

Leave a Reply

Top