You are here
Home > ଅଧିକ ଖବର > ପୁଅ ଚିନ୍ତାରେ ନବ

ପୁଅ ଚିନ୍ତାରେ ନବ

ସବୁବେଳେ ନବ ବାବୁ ଚିନ୍ତାରେ । ଅଶୀ ଦଶକରେ ଚିନ୍ତା କଲେ କିପରି ଛାତ୍ର
ଆନେ୍ଦାଳନ ପାଣିଚିଆ ହେବ । ୨୦୦୭ରେ ଚିନ୍ତା କଲେ ଚାଷୀ ଆନେ୍ଦାଳନ ଭଣ୍ଡୁର କରି  ହୀରାକୁଦରୁ ବେଦାନ୍ତ କିପରି ପାଣି ନେବ । ଆଉ ବିଧାନସଭାରେ ଚିନ୍ତା କଲେ କାମନା ବାସନାର କଥା, ଦେଖିଲେ ୟୁ ଟ୍ୟୁବରେ ଭାଇରାଲ ଭିଡିଓ । ଏସବୁ ପରେ  ଏବେ ନବଙ୍କୁ ଘାରିଛି ନେଷ୍ଟ ଜେନେରେସନର ଚିନ୍ତା । କଳେବଳେ କୌଶଳେ ପୁଅକୁ ବିଧାୟକ କରିବାକୁ କାଳେ ମୁଣ୍ଡ ଖଟେଇଛନ୍ତି ନବ ବାବୁ ।
ଝାରସୁଗୁଡା: କଂଗ୍ରେସର ଏକୋଇରବଳା ବିଶିକେଶନ ଝାରସୁଗୁଡା ବିଧାୟକ ନବ ଦାସ । ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ସାରା ରାଜ୍ୟରେ ଚିତ୍ପଟାଙ୍ଗ ମାରିଥିିବା ବେଳେ ଝାରସୁଗୁଡା ଜିଲ୍ଲାରେ ଦଳର ଟେକ ରଖିଥିେଲେ ନବ  । କେବଳ ଝାରସୁଗୁଡା ନୁହେଁ ବ୍ରଜରାଜନଗରର ବିଜେପି ଗଡରେ ମଧ୍ୟ ନବ ଦେଖାଇଛନ୍ତି ହାତର କମାଲ ।  ଜିଲ୍ଲାର ୯ରୁ ୮ଟି ଜିଲ୍ଲା ପରିଷଦ ଜୋନ ହାସଲ କରି ନିଜର ଦବଦବା ଦେଖାଇଛନ୍ତି ନବ ବାବୁ । ଜିଲ୍ଲାର ୫ଟି ଯାକ ବ୍ଲକରେ ମଧ୍ୟ କଂଗ୍ରେସ ଉଡାଇଛି ବିଜୟ ବାନା  । ଝାରସୁଗୁଡା ଜିଲ୍ଲାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଫୁ’ କରି ଦେଇଥିବା ନବ ବାବୁ ଏବେ ସେ ନିଜ ପୁଅ ବିଶାଳଙ୍କୁ ରାଜନୀତିକୁ ଆଣିବା ପାଇଁ ଗୋଟି ଚଳାଇଲେଣିି । ଆଗରୁ ଭାଇ ରାଜକିଶୋର ଦାସଙ୍କ ଲାଗି ସମ୍ବଲପୁର ବିଧାନସଭା ଆସନ ଲାଗି ଫୁଲ ତୟାର କରି ସାରିଲେଣି । ଏମିତି ତ ଆଗରୁ ଭିଣୋଇ ଆନନ୍ଦ ଜେନା ସମ୍ବଲପୁର ପୌରାଧ୍ୟକ୍ଷ ହୋଇଛନ୍ତି । ତେବେ ନବ ଦାସ ଜାଣନ୍ତି ତାଙ୍କ ଲାଗି ସମ୍ବଲପୁର ବିଧାନସଭା ଆସନ ସୁରକ୍ଷିତ ନୁହେଁ । ସେଥିପାଇଁ ପୁଅ ବିଶାଲଙ୍କୁ ଝାରସୁଗୁଡା ଆସନରୁ ଲଢାଇ ନିଜେ ବ୍ରଜରାଜନଗର ଆସନରୁ ଭାଗ୍ୟ ପରୀକ୍ଷା କରିବାକୁ ମନସ୍ଥ କଲେଣି ।
ଗତ ୨୦୧୪ ନିର୍ବାଚନ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି କିଶୋର ପଟେଲଙ୍କୁ ବ୍ରଜରାଜନଗର ପ୍ରାର୍ଥୀ କରିଥିଲା କଂଗ୍ରେସ । ସେବେଠାରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସଂଗଠନକୁ ସମ୍ଭାଳୁଛନ୍ତି ପଟେଲ ସାହେବ । ହେଲେ ଏଭିତରେ ଝାରସୁଗୁଡା ବିଧାୟକ ନବ ଦାସ ଧୀରେ ଧୀରେ ସଂଗଠନ ସୁଧାରିବା ଆଳରେ ବ୍ରଜରାଜ ନଗର କଂଗ୍ରେସ କର୍ମୀଙ୍କୁ ନିଜ ଆଡକୁ ଟାଣିଲେଣି । ଏଥିସହ ଦଳର ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କିଶୋରଙ୍କୁ କୋଣଠେସା କରିବାକୁ ଉଦ୍ୟମ କରିଛନ୍ତି । ଗତ ଗୁରୁବାର ଝାରସୁଗୁଡାରେ ସାମ୍ବାଦିକ ସମ୍ମିଳନୀରେ ଲଖନପୁର ବ୍ଲକ ଅଧ୍ୟକ୍ଷାା ଓ ବ୍ଲକ କଂଗ୍ରେସ ନେତୃବୃନ୍ଦଙ୍କ ଗହଣରେ ବିଧାୟକ ଏକ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଲଖନପୁରରେ କରିବାକୁ ଦାବି କରି ଏମସିଏଲ୍ ଏଥିପାଇଁ ଅର୍ଥ ଦେଉ ବୋଲି ଗଳା ଫଟାଇ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା କିଶୋର ପଟେଲଙ୍କ ଦେଖା ନଥିଲା । ସେହିଦିନ ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଭୀମ ସାଗରରେ ସୃଷ୍ଟ ଅଚଳାବସ୍ଥାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ବିକ୍ଷୋଭ ସମାବେଶରେ ମଧ୍ୟ କିଶୋର ପଟେଲ ଉପସ୍ଥିତ ନଥିଲେ । ଏମିତି ତ ବନ୍ଧୁମାନଙ୍କୁ ବ୍ୟାକଷ୍ଟାବିଂ କରିବାରେ ନବ ବାବୁ ସିଦ୍ଧହସ୍ତ । ୧୯୮୦ର ଛାତ୍ର ଆନେ୍ଦାଳନ ବେଳେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଖବର ଦେଇ ଛାତ୍ର ଆନେ୍ଦାଳନକୁ ପାଣିଚିଆ କରି ଦେଇଥିବାର ସୁନାମ ରହିଛି ନବ ବାବୁଙ୍କ ନାମରେ । ଆଉ ଏବେ ନବଙ୍କ ଟାର୍ଗେଟରେ ନିଜ ଦଳର କିଶୋର ପଟେଲ । ହଠାତ୍ ଝାରସୁଗୁଡା ନବନିର୍ମାଣ ସ୍ଲୋଗାନରୁ ଓହରି ନବ ଦାସ ବ୍ରଜରାଜନଗର ଓ ଲଖନପୁରର ବିକାଶ କଥାକୁ ପ୍ରସଙ୍ଗ କରିବାରୁ ସେ ନିଜ ପୁଅ ବିକାଶକୁ ରାଜନୀତିକୁ ଆଣିବା ପାଇଁ କେତେ ବ୍ୟଗ୍ର ତାହା ବୁଝାପଡୁଛି ।
ବିଧାୟକ ନବ କୁଆଡେ ଏବେଠୁ ଅଷ୍ଟ୍ରେଲିଆ ଫେରନ୍ତା ପୁଅ ବିଶାଳଙ୍କୁ ଆଗାମୀ ନିର୍ବାଚନରେ ବ୍ରଜରାଜନଗରକୁ ପ୍ରାର୍ଥୀ କରିବା ପାଇଁ ରଣନୀତି କରୁଛନ୍ତି । ବ୍ୟବସାୟୀରୁ ରାଜନେତା ସାଜିଥିବା ନବ ଦାସ ଝାରସୁଗୁଡାରୁ କ୍ରମାଗତ ୨ଥର ବିଧାୟକ ହେବା ପରେ ତାଙ୍କ ରାଜନୀତି ଆମ୍ବିସନ୍ ବହୁମାତ୍ରାରେ ବୃଦ୍ଧି ପାଇଛି । ଏଥିପାଇଁ ନବ ଅତି ସନ୍ତର୍ପଣରେ ନିଜ ପୁଅକୁ ରାଜନୀତିକୁ ଆଣିବାକୁ ଚିନ୍ତା କରି ସାରିଛନ୍ତି । ତେଣୁ ସେ ନିଜେ ବ୍ରଜରାଜନଗରରୁ ଲଢ଼ି ପୁଅ ବିଶାଳଙ୍କୁ ଝାରସୁଗୁଡାରୁ ଲଢ଼ାଇବା ଯୋଜନା କରୁଥିବା କୁହାଯାଉଛି । ଏପରିକି ନବ ବରଗଡ ଲୋକସଭା ଆସନ ଉପରେ ମଧ୍ୟ ନଜର ରଖିଛନ୍ତି । କିନ୍ତୁ ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି କଂଗ୍ରେସର ସାଂଗଠନିକ ଶକ୍ତି ହ୍ରାସ । ତେଣୁ ସେ ଆସନ୍ତା ନିର୍ବାଚନ ପୂର୍ବରୁ ଦଳବଦଳ କରିବାକୁ ଚିନ୍ତା କରୁଛନ୍ତି । ଏହାର ପୂର୍ବ ସୂଚନା ସେ ଦେଇ ସାରିଛନ୍ତି ତାଙ୍କ ଦ୍ୱାରା ଲଗା ଯାଉଥିବା ବ୍ୟାନର ଓ ହୋଡିଂ ମାଧ୍ୟମରେ । କାରଣ ନିକଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବ ଦାସଙ୍କ ଫଟୋ ଥିବା ବ୍ୟାନର ଟଙ୍ଗା ଯାଇଥିବା ବେଳେ ସେଥିରେ ଜିଲ୍ଲା କଂଗ୍ରେସ କିମ୍ବା ହାତ ଚିହ୍ନ ନଥିଲା । ତେଣୁ ଦଳବଦଳ ନେଇ ସଂଶୟରେ ରହିଥିବା ନବ ଦାସ ନିଜ ରାଜନୈତିକ କ୍ୟାରିୟର ଅପେକ୍ଷା ପୁଅର କ୍ୟାରିୟର ପାଇଁ ଅଧିକ ଚିନ୍ତିତ ଅଛନ୍ତି । ସେଥିପାଇଁ ଅନେକ କାର୍ଯ୍ୟକ୍ରମରେ ସେ ପୁଅକୁ ସାଙ୍ଗରେ ନେଉଥିବା ବେଳେ କିଛି ସ୍ଥାନକୁ ବିଶାଳଙ୍କୁ ଏକୁଟିଆ ଛାଡୁଛନ୍ତି । ଉଭୟ ବିଜେଡି ଓ ବିଜେପି ନେତୃତ୍ୱଙ୍କ ସହ ନିଜ ପୁଅର ରାଜନୈତିକ କ୍ୟାରିୟର ପାଇଁ ନବ ବାର୍ଗେନିଂ କରୁଥିବା ବେଳେ କଂଗ୍ରେସ ନେତାଙ୍କଠୁ ଦୂରେଇବାକୁ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ତେଣୁ ବ୍ରଜରାଜନଗରରୁ ଆସନ୍ତା ନିର୍ବାଚନରେ ଠିଆ ହେବାକୁ ଆଶା ବାନ୍ଧିଥିବା କିଶୋର ପଟେଲ ଚିନ୍ତାରେ ପଡିଲେଣି  ।
ଅନ୍ୟପକ୍ଷରେ ନବଙ୍କ ସହ ଘନିଷ୍ଠତା ଥିବା ବିଜେପି ବିଧାୟକ ରାଧାରାଣୀ ପଣ୍ଡା ଓ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏ ମଧ୍ୟ ଚିନ୍ତାରେ  । କାରଣ ନବଙ୍କ ଅର୍ଥ ବଳ ଆଗରେ ଏମାନେ ସମସ୍ତେ ଫେଲ ମାରିବା ସୁନିଶ୍ଚିତ । ତେଣୁ ଚାଲାକ୍ ନବ ଆସନ୍ତା ନିର୍ବାଚନରେ ଯେନତେନ ପ୍ରକାରେଣ ନିଜ ପୁଅକୁ ରାଜନୀତିକୁ ଆଣିବେ । ଆଉ ଏପରିସ୍ଥିତିରେ ନବଙ୍କ ସାଥୀରେ ଥିବା କଂଗ୍ରେସରେ ନେତାମାନେ ନିଜ କ୍ୟାରିୟରକୁ ନେଇ ପ୍ରମାଦ ଗଣୁଛନ୍ତି ।

ONA

Leave a Reply

Top