You are here
Home > ଏକ୍ସକ୍ଲୁସିଭ୍ > ପପୁ ଡରୁଛନ୍ତି ?

ପପୁ ଡରୁଛନ୍ତି ?

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସକୁ ନେଇ ଘମାସନ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଏବେ ଟାର୍ଗେଟରେ । ଆଗରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲେ । କିନ୍ତୁ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅଧିକାରୀଙ୍କୁ ଟାର୍ଗେଟ କରୁଛନ୍ତି, ଆଉ ନିଜ ସଚିବଙ୍କୁ ମଧ୍ୟ କାମରେ ଲଗାଇ ଦେଇଛନ୍ତି । ଆଉ ବୈଜୟନ୍ତଙ୍କ ସହ ତାଳ ମିଳାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେବେ ଧର୍ମେନ୍ଦ୍ର ତ ବିରୋଧୀ ବିଜେପିର ନେତା । ହେଲେ ବୈଜୟନ୍ତ ଓରଫ ଜୟ ତ ବିଜେଡିର ସାଂସଦ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା କିଛି କମ କଥା ନୁହେଁ । କାରଣ ରାଜନୀତିରେ ରୁଚି ରଖିଥିବା ପ୍ରତି ଓଡିଶାବାସୀ ଜାଣନ୍ତି ଯେ ପାଣ୍ଡିଆନଙ୍କର ବିଜୁ ଜନତା ଦଳ ଉପରେ କି ପ୍ରଭାବ ରହିଛି । ଟିକେଟ ବଣ୍ଟନ ଠାରୁ ନେଇ ମନ୍ତ୍ରିମଣ୍ଡଳ ଗଠନରେ ଯେ ପାଣ୍ଡିଆନଙ୍କର ପ୍ରମୁଖ ଭୂମିକା ରହିଛି ଏକଥା କାହାକୁ ଅଛପା ନୁହେଁ । ତେବେ ନିଶ୍ଚିନ୍ତକୋଇଲରେ ପାଣିଟାଙ୍କି ଉଦଘାଟନ କରିବା ଆଳରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଜୟ । ହେଲେ ମୁଖ୍ୟମନ୍ତ୍ରୀ ଜୟଙ୍କ ଉପରେ ଆକ୍ସନ ନେବା ସ୍ଥିତିରେ ନାହାନ୍ତି ।
ଅନ୍ୟପକ୍ଷରେ ପୂର୍ବରୁ ବିଜେଡି ସାଂସଦ ତଥାଗତ ସତପଥୀ ଓ ଭର୍ତ୍ତୃହରି ମହତାବଙ୍କୁ ସ୍ପଷ୍ଟୀକରଣ ମାଗିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ଜୟଙ୍କୁ ସ୍ପଷ୍ଟୀକରଣ ମାଗିବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ? କଂଗ୍ରେସ ସହ ମେଣ୍ଟ କରିବାକୁ ଭର୍ତ୍ତୃହରି କହିବା ପରେ ନବୀନ ସାଂସଦ ମହତାବଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଥିଲେ । ସେହିପରି ଦେବୀପ୍ରସାଦ ମିଶ୍ରଙ୍କୁ ଚୋର ଆକ୍ଷେପ କରିିବାରୁ ସାଂସଦ ତଥାଗତ ସତପଥୀଙ୍କୁ ନବୀନ ସ୍ପଷ୍ଟୀକରଣ ମାଗିଥିଲେ । ଉଭୟ ତଥାଗତ ଓ ଭର୍ତ୍ତୃହରି ଟାଣୁଆ ସାଂସଦ । ଏପରିକି ଉଭୟ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ପୁଅ । ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପୁଅ ତଥାଗତ ଯଦିଓ ନବୀନଙ୍କୁ ସମାଲୋଚନା କରିନଥିଲେ, କିନ୍ତୁ ଦେବୀ ମିଶ୍ର ପାଣ୍ଡିଆନଙ୍କର ବିଶ୍ୱସ୍ତ ହୋଇଥିବାରୁ ତଥାଗତଙ୍କୁ ସ୍ପଷ୍ଟୀକରଣ ମଗାଗଲା ବୋଲି ଚର୍ଚ୍ଚା ହେଲା । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ଭର୍ତ୍ତୃହରିଙ୍କୁ ସ୍ପଷ୍ଟୀକରଣ ମାଗିବା ଆଳରେ ଜୁନିଅର ନେତାଙ୍କ ଦ୍ୱାରା ନବୀନ ନିଜର ହାକିମାତି ଦେଖାଇଥିଲେ । କିନ୍ତୁ ଜୟଙ୍କ ବେଳକୁ ନବୀନ ଓରଫ ପପୁ କ’ଣ ପାଇଁ ଡରୁଛନ୍ତି? ନବୀନଙ୍କୁ ଚ୍ୟାଲେଞ୍ଜ କଲେ ବୋଲି ତ ପୂର୍ବତନ ସାଂସଦ ତଥା ବିଜେଡିର ମାର୍ଗଦର୍ଶକ ପ୍ୟାରୀମୋହନ ମହାପାତ୍ରଙ୍କୁ ଦଳରୁ ବିଦା ହେଲେ । କ’ଣ ମିଡିଆ ହାଉସର ମାଲିକ ହୋଇଥିବାରୁ ଜୟଙ୍କୁ ଡରୁଛନ୍ତି ବିଜେଡି ସୁପ୍ରିମୋ । ସେମିତି ଦେଖିଲେ ବି ସାଂସଦ ତଥାଗତଙ୍କ ମାଲିକାନାରେ ରହିଛି ଦୈନିକ ଖବର କାଗଜ ଧରିତ୍ରୀ ଏବଂ ଭର୍ତ୍ତୃହରିଙ୍କ ପାଖରେ ଅଛି ପ୍ରଜାତନ୍ତ୍ର ପରି ଓଡିଆ ଖବର କାଗଜ । ଆଉ ସ୍ୱର୍ଗତ ପ୍ୟାରୀବାବୁ ବିଜେଡିରୁ ତଡା ଖାଇଲା ବେଳକୁ ଓଡିଆ ଖବର କାଗଜ ‘ଖବର’କୁ ନିୟନ୍ତ୍ରଣ କରୁଥିଲେ । ବୋଧହୁଏ ନବୀନ ଜାଣନ୍ତି ଧରିତ୍ରୀ, ପ୍ରଜାତନ୍ତ୍ର ଏବଂ ଖବରକୁ ଜୟ ପଣ୍ଡାଙ୍କ ପରିବାରର ମାଲିକାନାରେ ଥିବା ଓଟିଭି ସହ ତୁଳନା କରାଯାଇନପାରେ । ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ହୋଇପାରନ୍ତି, ମାତ୍ର ଜୟଙ୍କ ଶିଳ୍ପ ସାମ୍ରାଜ୍ୟ ଓଡିଶା ସାରା ବ୍ୟାପ୍ତ । ଆର୍ଥିକ ଓ ପ୍ରଚାର ପ୍ରସାର ଦୃଷ୍ଟିରୁ ଜୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତାଳ ଦେବାରେ ସକ୍ଷମ । ସେଥିପାଇଁ ବୋଧହୁଏ ଖବର କାଗଜର ମାଲିକ ତଥା ସାଂସଦଙ୍କୁ ସ୍ପଷ୍ଟୀକରଣ ମାଗିଥିବା ନବୀନ ଟିଭି ମାଲିକ ଜୟଙ୍କ ବେଳକୁ ହାତେ ମାପି ଚାଖେଣ୍ଡ ଚାଲୁଛନ୍ତି ।
ନିଜର ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ଜୟ ଟାର୍ଗେଟ କରିବା ପରେ ମଧ୍ୟ ନବୀନ କହୁଛନ୍ତି, ଯେତେବେଳେ କୌଣସି ପ୍ରସଙ୍ଗ ନଥାଏ, ସେମାନେ ମୋ ଅଫିସକୁ ଟାର୍ଗେଟ କରିଥାନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିବା ପରେ ସୋସିଆଲ ମିଡିଆରେ ଜୟ ପୁଣି ବିଷୋଦଗାର କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପାଖରେ କ’ଣ ପ୍ରସଙ୍ଗ ନଥିଲା, ତା ସତ୍ତେ୍ୱ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ କାହିଁକି ଟାର୍ଗେଟ କରିଥିଲେ? ଏଥିରୁ ସ୍ପଷ୍ଟ ଜଣା ପଡୁଛି, ନିର୍ବାଚନୀ ବର୍ଷରେ ଜୟଙ୍କ ଦେହରେ ହାତ ମାରିବାକୁ ଡରୁଛନ୍ତି ବିଜେଡି ସୁପ୍ରିମୋ ପପୁ?
ନିଜ ଦଳର ସାଂସଦମାନଙ୍କୁ ସାବାଡ କରିବାରେ ନବୀନ ହେଳା କରନ୍ତି ନାହିଁ । ଆକ୍ସନ ନେବାବେଳେ ଟ୍ରାକ୍ ରେକର୍ଡ ମଧ୍ୟ ଦେଖନ୍ତି ନାହିଁ । ସେ ପୂୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ହୁଅନ୍ତୁ କି ଦଳର ଚାଣକ୍ୟ । କିନ୍ତୁ ଅମାନିଆ ବିଜେଡି ସାଂସଦ ଯଦି ଟିଭି ଚ୍ୟାନେଲର ମାଲିକ ହୁଅନ୍ତି, ତେବେ ଆକ୍ସନ ନେବାରେ ନବୀନ କୁନ୍ଥୁକୁନ୍ଥୁ ହୁଅନ୍ତି କାହିଁକି?

ONA

Leave a Reply

Top