You are here
Home > ଅଧିକ ଖବର > ନେତ୍ରୀଙ୍କ ନଖରାମି

ନେତ୍ରୀଙ୍କ ନଖରାମି

ରାଜନୀତି ନିଶାରେ ମତୁଆଲା ହୋଇ ଅଭିନେତ୍ରୀରୁ ପାଲଟିଥିଲେ ନେତ୍ରୀ । ଦଳର କିଛି ମୁଣ୍ଡିଆଳଙ୍କୁ ବଶ କରି ବେଶ ଗୁରୁତ୍ୱ ବି ପାଇଲେ । ପୁରୁଣା କର୍ମୀଙ୍କୁ ପଛରେ ପକାଇ ଯୁବ ବାହିନୀରେ ଚୌକି ହାତେଇବାରେ ସଫଳ ହେଲେ । କାନ୍ଥ ବାଡରେ ଛାଇଗଲା ତାଙ୍କ ପୋଷ୍ଟର । ହେଲେ ଏବେ ତାଙ୍କର କିଛି ଆଚରଣ ପଦାରେ ପଡିଛି ଯାହା କି ଦଳ ପାଇଁ ଅଡୁଆ ସୃଷ୍ଟି କରିଛି । ଦଳର ହ୍ୱାଟସ ଆପ୍୍ ଗ୍ରୁପରେ ଅଶ୍ଳୀଳ ଫଟୋ ଛାଡି ଏବେ ଅଡୁଆରେ ପଡିଛନ୍ତି ସେହି ସେଲିବ୍ରିଟି ।
ଭୁବନେଶ୍ୱର : ବିଜୁ ଜନତା ଦଳରେ ଦିନକୁ ଦିନ ସିନେ ତାରକାଙ୍କ କ୍ରେଜ ବଢିବାରେ ଲାଗିଛି । ଓଲିଉଡ୍ ତାରକା ସିଦ୍ଧାନ୍ତ ମହାପାତ୍ର ଦୁଇ ଦୁଇ ଥର ବିଜେଡି ଟିକେଟରେ ଲୋକସଭା ସଦସ୍ୟ, ଅନୁଭବ ମହାନ୍ତି ରାଜ୍ୟସଭା ସଦସ୍ୟ ଓ ଆକାଶ ଦାସନାୟକ ବିଧାୟକ ହେବା ପରେ ସିନେ ଦୁନିଆରେ ପଲିଟିକାଲ କ୍ରେଜ ବି ବଢିଛି । ଏଭିତରେ ଅନେକ ସିନେ ତାରକା କେଉଁ ନା କେଉଁ ରାଜନୈତିକ ଦଳର ସଦସ୍ୟ କିମ୍ବା ଷ୍ଟାର କମ୍ପାନର । କିଛି ନେତା ତ ଦଳରେ ମର୍ଯ୍ୟାଦାପୂର୍ଣ୍ଣ ପଦ ବି ପାଇଲେଣି । ହେଲେ ଜଣେ ଓଡିଆ ସିରିଏଲ୍ ହିରୋଇନ୍ ଏବେ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି । କିଛି ଦିନ ତଳେ ସଂପୃକ୍ତ ଅଭିନେତ୍ରୀଙ୍କୁ ବିଜୁ ଯୁବ ଜନତା ଦଳରେ ମିଳିଛି ଏକ ପ୍ରମୁଖ ପଦ । ବିଜେଡିର ଧାରଣା ଓ ପ୍ରତିବାଦ ସଭାରେ ବି ଏହି ମ୍ୟାଡାମ୍ଙ୍କୁ ସକ୍ରିୟ ଭାବେ ଦେଖିବାକୁ ମିଳୁଛି । ଯୁବ ବିଜେଡିରେ ଥାଇ ବି ନିଜ ଆଡୁ ଅନେକ ଦଳୀୟ କାର୍ଯ୍ୟକ୍ରମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ଏହି ଅଭିନେତ୍ରୀ କମ୍ ଯୁବ ନେତ୍ରୀ । ସଂପୃକ୍ତ ନେତ୍ରୀ ବିଜୁ ଜନତା ଦଳର ଏକ ହ୍ୱାଟସଆପ୍ ଗ୍ରୁପରେ ଜଣେ ଅଜଣା ମହିଳାଙ୍କ ନଗ୍ନ ଫଟୋ ପୋଷ୍ଟ କରିଥିବା ଖବର ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଏହି ଗ୍ରୁପରେ ବିଜେଡିର ଅନ୍ୟ ସଦସ୍ୟ ଥିଲେ ଯେଉଁମାନେ ବୁଝି ପାରିଲେନି କି ମ୍ୟାଡାମଙ୍କ ଏ କି ରୂପ!
୧୧ ଅକ୍ଟୋବର, ୨୦୧୭ । ରାତି ୧୨.୩୬ । ହଠାତ୍ ବିଜୁ ଜନତା ଦଳର ଏକ ହ୍ୱାଟସଆପ୍ ଗ୍ରୁପରେ ଜଣେ ମହିଳାଙ୍କ ଅର୍ଦ୍ଧନଗ୍ନ ଫଟୋ ପୋଷ୍ଟ ହେଲା । ଫଟୋରେ ଥିବା ମହିଳାଙ୍କୁ କେହି ଚିହ୍ନି ନଥିଲେ । ହେଲେ ଏହି ଫଟୋ କିଏ ପଠାଇଛି ବୋଲି ଗ୍ରୁପରେ କୌତୂହଳ ସୃଷ୍ଟି ହେଲା । ନମ୍ବର ଯାଂଚ କରିବାରୁ ଜଣା ପଡିଲା ଯେ ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ଯୁବ ନେତ୍ରୀଙ୍କ ଏହା କାରନାମା । କେହି ଯଦି ଭୁଲରେ ଅଶ୍ଳୀଳ ଫଟୋ କି ଭିଡିଓ ପୋଷ୍ଟ କରନ୍ତି, ତୁରନ୍ତ କ୍ଷମା ପ୍ରାର୍ଥନା କରିବାର ସୌଜନ୍ୟ ରହିଛି । ଅବଶ୍ୟ ଏହି ମ୍ୟାଡାମ ବି କ୍ଷମା ମାଗିଥିଲେ । ହେଲେ ତା ପରଦିନ ଅପରାହ୍୍ଣ ୪.୪୫ରେ । ଏହା କେମିତି ହେଲା ଜାଣି ପାରିଲେନି କହି ମ୍ୟାଡାମ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ଫଟୋ ପୋଷ୍ଟ ସମୟରୁ କ୍ଷମା ମାଗିବା ଭିତରେ ଯେଉଁ ୧୬ ଘଣ୍ଟା ବିତିଗଲା, ସେ ଭିତରେ ଏହି ଖବର ଚାରିଆଡେ ବ୍ୟାପିଗଲା । ଏପରି ସେହି ଫଟୋର ସ୍କ୍ରିନସଟ୍ ବି ଭାଇରାଲ୍ ହୋଇଗଲା । ତେବେ ଏହି ସ୍କ୍ରିନସଟ୍ ସତ ନା ଟ୍ୟାମ୍ପରିଂ ହୋଇଛି, ତାହାର ସତ୍ୟତା ପଦାକୁ ଆସିନି । କାରଣ ସୋସିଆଲ ମିଡିଆ ଏପରି ପ୍ଲାଟଫର୍ମ ଯେଉଁଠି କେହି ବି ସହଜରେ ଅନ୍ୟ ଜଣଙ୍କୁ ଫସାଇ ବଦନାମ କରି ପାରିବ!
ସିନେ ଜଗତରେ ଏପରି ଫଟୋ ସାଧାରଣ କଥା । ଗ୍ଲାମର ପାଇଁ ଯୁବତୀଙ୍କ ହଟ୍ ଫଟୋ ଉଠାଇ ମାର୍କେଟକୁ ଛାଡିଲେ, ତାହାର କ୍ରେଜ୍ ଅଧିକ । ଅବଶ୍ୟ ହିରୋଇନମାନେ ଏହି ଫଟୋ ସୁଟ୍ କରି ହିଁ ଗ୍ଲାମର ଦୁନିଆରେ ଏଣ୍ଟ୍ରି କରିଥାନ୍ତି । ତେବେ ରାଜନୈତିକ ଦୁନିଆରେ ଏହା ଗ୍ରହଣୀୟ ନୁହେଁ । ତେବେ ମ୍ୟାଡାମଙ୍କୁ ଦଳରେ ପ୍ରମୋଟ କରିବାରେ ଏକ ଗୋଷ୍ଠୀ ଲାଗିପଡିଛନ୍ତି । ସେପଟେ ଆଉ ଗୋଷ୍ଠୀ ତାଙ୍କ ଗୋଡ ଟାଣିବାରେ ଲାଗିଥିବା ଚର୍ଚ୍ଚା ହେଉଛି । ନେତ୍ରୀ ହୋଇ ବି ଅଭିନୟ ଦୁନିଆକୁ ଭୁଲି ପାରି ନାହାନ୍ତି ବୋଲି ଦଳ ଭିତରେ ମ୍ୟାଡାମ୍ଙ୍କ ଶତ୍ରୁ କଟାକ୍ଷ ଆରମ୍ଭ କଲେଣି । ଶୁଣିବାକୁ ମିଳିଛି, ଅଶ୍ଳୀଳ ଫଟୋପୋଷ୍ଟ ସ୍କ୍ରିନସଟ୍କୁ ଭାଇରାଲ୍ କରିବା ପଛରେ ସେମାନଙ୍କ ହି ହାତ ରହିଛି । କାରଣ ସେମାନେ ରାଜନୀତିରେ ମ୍ୟାଡାମଙ୍କ ପ୍ରବେଶକୁ ହଜମ କରି ପାରୁ ନାହାନ୍ତି । ଏହି ମ୍ୟାଡାମଙ୍କୁ ନେଇ ଯେତେ ବିବାଦ ଦଳୀୟ ନେତା ହିଁ କରୁଛନ୍ତି । ତାଙ୍କ ସ୍ୱାମୀ କୁଆଡେ ଏଟି ଚିଟଫଣ୍ଡ ଲିଙ୍କରେ ବାରମ୍ବାର ଜେରା ହୋଇଥିବା ଖବର ବି ବିଜେଡି ମହଲରୁ ପ୍ରକାଶ ପାଉଛି ।
ପୂର୍ବତନ ରାଜ୍ୟପାଳ ଏନ.ଡି.ତିୱାରୀଙ୍କ ମହିଳାଙ୍କ ସହ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ ତାଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିଥିିଲା । ସେହିପରି ଓଡିଶା ପ୍ରାଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ ନିଜ ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ଏସଏମଏସ୍ ପଠାଇ ଥାନାର ଚକ୍କର କାଟିଛନ୍ତି । ଅଶ୍ଳୀଳ ଭିଡିଓ ଭାଇରାଲ ହେବାରୁ ବିବାଦକୁ ଟାଣି ହୋଇଯାଇଛନ୍ତି ଭୁବନେଶ୍ୱର ମେୟର ଅନନ୍ତନାରାୟଣ ଜେନା । ବିଜେଡି ମାଆକୁ ସମ୍ମାନର ଡିଣ୍ଡିମ ପିଟୁଛି । ହେଲେ ଦଳର ନେତ୍ରୀମାନେ ଯେଉଁଠି ଅଜଣା ମହିଳାଙ୍କ ଅଶ୍ଳୀଳ ଫଟୋକୁ ସେୟାର କରୁଛନ୍ତି, ସେଠାରେ ପୁରୁଷ କର୍ମୀଙ୍କଠାରୁ କ’ଣ ଅବା ଆଶା କରାଯାଇପାରେ?

ONA

Leave a Reply

Top