You are here
Home > ଲାଟେଷ୍ଟ > ନିର୍ବାଚନୀ ହିଂସା: ୨ ମୃତ, ୧୩ ଆହତ

ନିର୍ବାଚନୀ ହିଂସା: ୨ ମୃତ, ୧୩ ଆହତ

ପ୍ରତିବାଦରେ ବିଜେପିର କଟକ ଡିସିପି ଅଫିସ ଘେରାଉ
ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି । ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନୀ ହିଂସା ଘଟି ୨ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୧୩ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାକ୍ରମରେ ଆଜି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ବ୍ରାହ୍ମଣ ସାହି ପଞ୍ଚାୟତରେଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତୁ୍ୟ ଘଟିଛି । ସେହିପରି ୧୦ଜଣ ଆହତ ହୋଇଛନ୍ତି । ମୃତ ସରପଞ୍ଚ ପ୍ରାର୍ଥୀ ହେଲେ ବୁଲୁ ପ୍ରଧାନ । ଆହତଙ୍କ ମଧ୍ୟରୁ ୮ ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଓ ଅନ୍ୟ ୨ଜଣ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି କୋଦଳା ଥାନା ମର୍ଦକୋଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୨ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ପିତାମ୍ବର ସ୍ୱାଇଁ । ଅନ୍ୟଏକ ଘଟଣାକ୍ରମରେ କଳାହାଣ୍ଡି ଜିଲ୍ଲା ଥୁଆମୂଳା ରାମପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ମୂରଲୀଧର ନାଏକ ଆହତ ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ଦୁବୃର୍ତ୍ତମାନେ ତାଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଯାଜପୁର ଜିଲ୍ଲାରେ ମଧ୍ୟ ହିଂସାକାଣ୍ଡ ଘଟିଥିବା ଜଣାପଡିଛି । ଜିଲ୍ଲାର କୋରେଇ ବ୍ଲକ ପଛିକୋଟ ପଞ୍ଚାୟତର ୧୬ ନମ୍ବର ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ୍ ହୋଇଛି । ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀ ଭୋଟଦାନ କେନ୍ଦ୍ରକୁ ପ୍ରବେଶ କରିବାକୁ ନେଇ ଗଣ୍ଡଗୋଲ ହୋଇଥିଲା । ସ୍ଥିତିକୁ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସକୁ ବାଧ୍ୟ ହୋଇ ଲାଠି ଚାଳନା କରିବାକୁ ପଡିଥିଲା । ସେହିପରି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କଙ୍ଗାମୁଣ୍ଟା ପଞ୍ଚାୟତ ସିମୁଳିପାଟଣାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁର ୧୪ ନମ୍ବର ବୁଥରେ ପୋଲିଂ ଅଧିକାରୀ ପକ୍ଷପାତିତା କରୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଲ ଓ ହାତାହାତୀ ହୋଇଥିଲା । ଫଳରେ ଉତ୍ତେଜନା ପ୍ରକାଶ ପାଇବାରୁ କିଛି ସମୟ ପାଇଁ ମତଦାନକୁ ରୋକିବାକୁ ପଡିଥିଲା । ଘଟଣା ସ୍ଥଳରେ ଏଡିଏମ ଓ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଭୋଟ ଗ୍ରହଣ ହୋଇଥିଲା ।
ସେପଟେ ରାଜ୍ୟରେ ବୃଦ୍ଧି ପାଇଥିବା ନିର୍ବାଚନୀ ହିଂସା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ କଟକ ଡିଜି ଅଫିସ ଘେରାଉ କରାଯାଇଛି । ଘେରାଉ ବେଳେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତିି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜେପି ନେତା ସମୀର ଦେଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଡିଜିପି ଅଫିସ ଘେରାଉ କରିଥିଲେ । ସମୀର କହିଛନ୍ତି, ତୃତୀୟ ମହଲାର ନିର୍ଦେଶରେ ଜିଲ୍ଲା ପ୍ରଶାସନ ଓ ପୋଲିସ ଆତଙ୍କ ସୃଷ୍ଟି କରୁଛନ୍ତି । ଆମେ ଜିତୁ ଥିବାରୁ ଆକ୍ରୋଶ ମୂଳକ ଭାବେ ବିଜେପି କର୍ମୀ ଓ ନେତାଙ୍କୁ ବାଡୋଉଛନ୍ତି, କେସ୍ ଦେଉଛନ୍ତି ଓ ଘର ଲୁଟ କରୁଛନ୍ତି । ଏହାର ପ୍ରତିବାଦରେ ଆଜି ଆମେ ଡିଜିପି ଅଫିସ୍ ଘେରାଉ କରିବାକୁ ଆସି ସତର୍କ କରାଇ ଦେଇଛୁ । ଏହା କେବଳ ଟ୍ରେଲର ଥିଲା, ଆଗକୁ ପ୍ରତିବାଦକୁ ଆହୁରି ତୀବ୍ର କରାଯିବ । ୨୦୧୯ରେ ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଯାଉଛି । ଜିଲ୍ଲା ଓ ପୋଲିସ ପ୍ରଶାସନ ଏବେଠାରୁ ସତର୍କ ହୋଇଯିବା ଉଚିତ । ଆମେ ଘେରାଉ କରିବୁ ବୋଲି ଆଗରୁ ଡିଜିପିଙ୍କୁ କହିଥିଲୁ । ହେଲେ ସେ ଆମକୁ ଦେଖା ନ ଦେଇ ଲୁଚିଲେ । ଯେଉଁ ବିଜେଡି କର୍ମୀ ଗଣ୍ଡଗୋଳ କରିଛନ୍ତି ସେମାନଙ୍କୁ ଗିରଫ କରି ନିଜେ ନିରପେକ୍ଷ ରହିବାକୁ ଆମେ ପୋଲିସକୁ ସତର୍କ କରାଇ ଦେଉଛୁ । ନ ହେେଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ । ସେଥିପାଇଁ ଖୋଦ ଡିଜି ଓ ତାଙ୍କ ଅଫିସ ଦାୟୀ ରହିବ ।

ONA

Leave a Reply

Top