You are here
Home > ଏକ୍ସକ୍ଲୁସିଭ୍ > ନିର୍ଣ୍ଣାୟକ ମୋଡରେ ବିଦ୍ରୋହ

ନିର୍ଣ୍ଣାୟକ ମୋଡରେ ବିଦ୍ରୋହ

ଭୁବନେଶ୍ୱର: ଦୀର୍ଘଦିନ ଧରି ଦଳରେ ଅଣଦେଖା ହୋଇ ରହିଥିବା ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏବେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ପାଇଁ ମାର୍ଗପ୍ରଶସ୍ତ କରୁଛି । ବିଜେଡିର ‘କ୍ଷମତାକେନ୍ଦ୍ର’ଙ୍କୁ ସିଧା ଟାର୍ଗେଟ୍ କରି ସେ ଦଳର ସୁପ୍ରିମୋଙ୍କ ସଙ୍ଗେ ନିର୍ଣ୍ଣାୟକ ଲଢ଼େଇ କରୁଛନ୍ତି ବୋଲି ରାଜନୀତି ସମୀକ୍ଷକ ମତ ଦେଇଛନ୍ତି । ତେବେ ସାଧାରଣ ନିର୍ବାଚନ ପାଇଁ ଆଉ ପ୍ରାୟ ଦୁଇବର୍ଷ ଥିବା ବେଳେ ବୈଜୟନ୍ତ କାହିଁକି ଏପରି ଆଭିମୁଖ୍ୟ ପୋଷଣ କଲେ, କାହାର ଇଙ୍ଗିତରେ ସେ ଏଭଳି କରୁଛନ୍ତି ଓ କ’ଣ ତାଙ୍କର ଉଦ୍ଦେଶ୍ୟ ତାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଉଠିବା ସ୍ୱାଭାବିକ । ବିଜେଡିର ସାଂଗଠନିକ ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟରେ ଏବେ ତୃତୀୟ ମହଲାର ଜଣେ ଅଣଓଡ଼ିଆ ଅଫିସରଙ୍କ ପୂର୍ଣ୍ଣ ନିୟନ୍ତ୍ରଣ ଥିବାରୁ ‘ବିଲେଇ ବେକରେ ପ୍ରଥମେ ଘଣ୍ଟି ବାନ୍ଧିବ କିଏ’ ସେହି ନ୍ୟାୟରେ ବୈଜୟନ୍ତ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିବା ସମୀକ୍ଷକମାନେ ମତ ଦେଇଛନ୍ତି । କିଛି ହାତଗଣତି ନେତାଙ୍କ ମାଧ୍ୟମରେ ଏହି ଅଣଓଡ଼ିଆ ଅଫିସର୍ ଜଣକ ଏବେ ଦଳକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିଥିବାରୁ ବିଜେଡିର ବହୁ ବରିଷ୍ଠ ନେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଛି । ଆଉ ସେମାନଙ୍କର ପୁଞ୍ଜିଭୂତ ଅସନ୍ତୋଷ ଓ ସେମାନଙ୍କୁ ଏକ ବିକଳ୍ପ ରାଜନୀତିକ ମଂଚ ଦେବା ପାଇଁ ବୈଜୟନ୍ତ ଏବେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି କୁହାଯାଉଛି । ବୈଜୟନ୍ତ କେବଳ ଏହି କ୍ଷମତାକେନ୍ଦ୍ରଙ୍କ ସହ ନୁହନ୍ତି ବରଂ ଏବେ ଦଳର ସୁପ୍ରିମୋଙ୍କ ସହ ଲଢ଼େଇ ପାଇଁ ମଧ୍ୟ ତୟାର୍ ହୋଇଯାଇଛନ୍ତି ।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୪ ସାଧାରଣ ନିର୍ବାଚନ ପରଠାରୁ ପ୍ରାୟତଃ ଦଳର ସାଂଗଠନିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ଅଣଦେଖା ହୋଇ ରହିଥିବା ବୈଜୟନ୍ତଙ୍କୁ ଚେକ୍ ଦେବା ପାଇଁ ପ୍ରଥମେ ତାଙ୍କର ବ୍ୟବସାୟିକ ଉଦ୍ୟୋଗ(ଖଣିକୁ ବନ୍ଦ) ଉପରେ ତୃତୀୟ ମହଲାର ଏହି ଅଫିସର୍ଙ୍କ କୋପଦୃଷ୍ଟି ପଡ଼ିଥିଲା । କୋର୍ଟଙ୍କ ଦ୍ୱାରସ୍ଥ ହୋଇ ବୈଜୟନ୍ତ ତାଙ୍କ ପାରିବାରିକ କମ୍ପାନୀର ମାଲିକାନାରେ ଥିବା ଏହି ଖଣିକୁ ପୁନଃ କାର୍ଯ୍ୟକ୍ଷମ କରିବାରେ ସକ୍ଷମ ହୋଇଥିଲେ । ଏହାସହିତ ସଂସଦୀୟ ମୁଖପାତ୍ର ପଦରୁ ବିତାଡ଼ିତ, ସାଂଗଠନିକ କାର୍ଯ୍ୟରେ ଅଣଦେଖା ଓ ବିଜେଡିର କିଛି ନେତାଙ୍କ ଇସାରାରେ ମାହାଙ୍ଗାରେ ଗତବର୍ଷ ତାଙ୍କ ଉପରେ ଅଣ୍ଡାମାଡ଼କୁ ନେଇ ରହିଥିବା ଅସନ୍ତୋଷକୁ ବୈଜୟନ୍ତ ବିଭିନ୍ନ ସମୟରେ ଟ୍ୱିଟ ମାଧ୍ୟମରେ ଦଳୀୟ ଲାଇନ୍ରୁ ଉଦ୍ଧ୍ୱର୍କୁ ଉଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରର ଅନେକ ନିଷ୍ପତ୍ତିକୁ ଖୋଲା ସମର୍ଥନ କରୁ ଆସୁଛନ୍ତି । ଏହା ସହିତ ବିଜେଡି ପ୍ରତିଷ୍ଠା ଦିବସ ବେଳେ ଏକ ଜାତୀୟ ଟିଭି ଚ୍ୟାନେଲକୁ ବିଜେଡି ସୁପ୍ରିମୋ ଦେଇଥିବା ସାକ୍ଷାତକାରରେ ଉଦ୍ଦେଶ୍ୟମୂଳକ ଭାବେ ବୈଜୟନ୍ତଙ୍କୁ ଟାର୍ଗେଟ୍ କରାଯିବା ତଥା ଏହି ପ୍ରାୟୋଜିତ ସାକ୍ଷାତକାରରେ ସୁପ୍ରିମୋଙ୍କ ମୁହଁରେ ବୈଜୟନ୍ତଙ୍କୁ କାଠଗଡ଼ାରେ ଛିଡ଼ା କରାଇବାର ମଧ୍ୟ ପୂର୍ଣ୍ଣ ପ୍ରୟାସ ହୋଇଥିଲା । ଏସବୁ ମଧ୍ୟ ଏହି ଅଣଓଡ଼ିଆ ଅଫିସର୍ଙ୍କ ଇଙ୍ଗିତରେ ହୋଇଥିବା କୁହାଯାଉଛି । ଆଉ ଏସବୁ ମଧ୍ୟରେ ଦଳରେ ଅଣନିଶ୍ୱାସୀ ହୋଇ ପଡ଼ିଥିବା ବୈଜୟନ୍ତ ନିଜର ମାଲିକାନାରେ ଥିବା ଟିଭି ଚ୍ୟାନେଲର ୨୦ବର୍ଷ ପୂର୍ତ୍ତିି ଉତ୍ସବ ନୂଆଦିଲ୍ଲୀରେ ପାଳନ ବେଳେ ହିଁ ବିଜେଡି ସହ ନିର୍ଣ୍ଣାୟକ ଲଢ଼ିବା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କଠାରୁ ସବୁଜ ସଙ୍କେତ ପାଇଥିଲେ । ଏହା ପରେ ହିଁ ବୈଜୟନ୍ତ ନିଶ୍ଚନ୍ତକୋଇଲି ବ୍ଲକ୍ର ବୁହୋଳାଠାରେ ସାଂସଦ ପାଣ୍ଠିରେ ନିର୍ମିତ ହୋଇଥିବା ପାଣିଟାଙ୍କି ଉଦ୍ଘାଟନ କରିବା ଆଳରେ ତୃତୀୟ ମହଲା ସହ ନିର୍ଣ୍ଣାୟକ ଲଢ଼େଇ ନିମନ୍ତେ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଥିଲେ । ଆଉ ବୈଜୟନ୍ତଙ୍କ ପ୍ରଥମ ଚାଲ୍ରେ ବିଜେଡି ଫସିଯାଇଥିଲା । ବିକାଶମୂଳକ କାର୍ଯ୍ୟରେ ତାଙ୍କୁ ବିରୋଧ ହେଉ ବୋଲି ବୈଜୟନ୍ତ ମଧ୍ୟ ଚାହୁଁଥିଲେ, ଯାହାକୁ ସେ ଇସ୍ୟୁ କରି ସାଧାରଣରେ ନିଜ ପାଇଁ ସହାନୁଭୂତି ଓ ସମର୍ଥନ ଯୋଗାଡ଼ କରିବା ଲକ୍ଷ୍ୟରେ ଥିଲେ । ତେବେ ବିଳମ୍ବରେ ହେଲେ ବି ବିଜେଡି ତାଙ୍କର ଚାଲ୍କୁ ବୁଝି ପରବର୍ତ୍ତୀ ସମୟରେ ବୈଜୟନ୍ତଙ୍କୁ ପ୍ରକଳ୍ପ ଉଦ୍ଘାଟନ କାର୍ଯ୍ୟରେ ସିଧା ବିରୋଧ କରିବା କାର୍ଯ୍ୟରୁ ଦୂରେଇ ରହିଥିଲା । କିନ୍ତୁ ବୈଜୟନ୍ତ ନିଜର ଉଦ୍ଦେଶ୍ୟ ପୂରଣ ପାଇଁ ମଧ୍ୟ ଗଣମାଧ୍ୟମରେ ଏହି ଅଣଓଡ଼ିଆ ଅଫିସର୍ଙ୍କ ପାଇଁ ବିଜୁବାବୁଙ୍କ ‘ମାଡ଼ତତ୍ତ୍ୱ’ ଫର୍ମୂଲା ଓ ସ୍ଥାନୀୟ ବିଧାୟକ ତାଙ୍କଠାରୁ ୫୦ହଜାର କମ୍ ଭୋଟ୍ ପାଇଥିବା କଥା ସ୍ମରଣ କରାଇ ଦେଇଥିଲେ । ଆଉ ତା’ପରେ ବିଜେଡି ମୁଖପାତ୍ର ମଧ୍ୟ ବୈଜୟନ୍ତ ଏବେ ବିଜେପି ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଭାଷା କହୁଛନ୍ତି ଓ ବିଜେଡିର ଦ୍ୱାର ତାଙ୍କ ପାଇଁ ଭବିଷ୍ୟତରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ବୋଲି ସ୍ପଷ୍ଟ ଇସାରା ଦେଇଥିଲେ । ଏହାର ଜବାବରେ ନିଜେ ଟ୍ୱିଟର୍ରେ କହିଥିଲେ ଯେ “ଦଳୀୟ ଶୃଙ୍ଖଳାରୁ ସେ ଦୂରେଇ ଯାଇଛନ୍ତି ବୋଲି କିଛି ଲୋକ ତାଙ୍କୁ ଚିତ୍ରଣ କରିବାକୁ ଚାହୁଁଛନ୍ତି । ମାହାଙ୍ଗାରେ ସେ କ’ଣ ଆଇନଶୃଙ୍ଖଳା ଉଲ୍ଲଘଂନ ପରିସ୍ଥିତି ସୃଷ୍ଟି କରିଥିଲେ, ନା ତାଙ୍କର ଦାୟିତ୍ୱ ଠିକ୍ ଭାବେ ତୁଲାଇ ନାହାନ୍ତି । ସେ ଯାହା କହିଛନ୍ତି ତାହା କ’ଣ ସତ ନୁହେଁ । ପ୍ରତି ପିଲା ବି ଜାଣନ୍ତି ସତ କ’ଣ? ଆଉ ନିଜକୁ ବୋକା ବନାଇବା ନାହିଁ । ଏ ପବ୍ଲିକ ହୈ, ସବ୍ ଜାନ୍ତା ହୈ ।” ଗୁରୁବାର ବିଳମ୍ବିତ ରାତ୍ରିରେ ବୈଜୟନ୍ତଙ୍କର ଏହି ଟିପ୍ପଣୀ ଉପରେ ଶୁକ୍ରବାର ସକାଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ଦେଇ ‘ବୈଜୟନ୍ତ ଯେ ଏବେ ଦଳରେ ଅଲୋଡ଼ା ନେତା’ ତା’ର ସ୍ପଷ୍ଟ ଇସାରା ଦେଇଛନ୍ତି । ଯେଉଁମାନଙ୍କ ପାଖରେ କିଛି ଇସ୍ୟୁ ନଥିଲେ ସେମାନେ ତାଙ୍କର ଅଫିସ୍କୁ(ସିଏମ୍ଓ) ଟାର୍ଗେଟ୍ କରିଥାନ୍ତି । ଏଥିରେ କିଛି ନୂତନତ୍ୱ ନଥାଏ । ସେ ବିକାଶ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ଓ ଏଭଳି କଥା ପାଇଁ ତାଙ୍କ ପାଖରେ ସମୟ ନାହିଁ । ଓଡ଼ିଶାବାସୀ ତାଙ୍କୁ ଓ ତାଙ୍କର କାମ ପ୍ରତି ସଚେତନ ଅଛନ୍ତି ବୋଲି କହିଥିଲେ । ବୈଜୟନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ନବୀନ ମଧ୍ୟ ଉପଯୁକ୍ତ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ନବୀନଙ୍କ ଏହି ଟିପ୍ପଣୀର ଘଣ୍ଟାଏ ନ ପୂରୁଣୁ ବୈଜୟନ୍ତ ଟିଟ୍ୱର ମାଧ୍ୟମରେ ସିଧା ନବୀନଙ୍କୁ ମୁହଁତୋଡ୍ ଜବାବ ଦେଇଛନ୍ତି । “ ଦୁର୍ନୀତିଗ୍ରସ୍ତ ଅଫିସର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ବେଳେ ବିଜୁବାବୁଙ୍କ ପାଖରେ କ’ଣ କିଛି ଇସ୍ୟୁ ନଥିଲା । ଯଦି କିଛି ଇସ୍ୟୁ ନଥିଲା ତା’ହେଲେ ମାହାଙ୍ଗାରେ କାହିଁକି ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲା । ସେ କ’ଣ ମାହାଙ୍ଗାରେ ବିଶୃଙ୍ଖଳା କରିଥିଲେ । ଶାନ୍ତିପୂର୍ଣ୍ଣ ଭାବେ ନିଜ ଦାୟିତ୍ୱ ତୁଲାଇ ନଥିଲେ କି? ଏସବୁ ତାଙ୍କୁ ମର୍ମାହତ କରିଛି ଓ ଏବେ ବି ସେ ଘଟଣାର ଅନୁଧ୍ୟାନ ପାଇଁ ତାଙ୍କ ନେତା(ନବୀନ)ଙ୍କୁ ଅନୁରୋଧ କରୁଛନ୍ତି ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।
ବୈଜୟନ୍ତ ତୃତୀୟ ମହଲାର ଅଣଓଡ଼ିଆ ଅଫିସର୍ ଓ ଦଳର ସୁପ୍ରିମୋଙ୍କୁ ଆକ୍ଷେପ କରି ଏଭଳି ଟିପ୍ପଣୀ ଦେଉଥିବାବେଳେ ନିଜର ରାଜନୈତିକ ସଚିବଙ୍କ ମାଧ୍ୟମରେ ସିଧା ତୃତୀୟ ମହଲାର ଏହି ଅଫିସର୍(କ୍ଷମତାକେନ୍ଦ୍ର)ଙ୍କୁ କଡ଼ା ସମାଲୋଚନା କରାଇବାରେ ଲାଗିଛନ୍ତି । ନବୀନ ଯେଭଳି ସବୁକିଛି କାର୍ଯ୍ୟ ନିଜର ଏହି ଅଣଓଡ଼ିଆ ଅଫିସର୍ଙ୍କ ମାଧ୍ୟମରେ କରୁଛନ୍ତି ଓ ଦଳର ନେତାମାନଙ୍କୁ ସେହି ଅଫିସର୍ଙ୍କ ମାଧ୍ୟମରେ ନିୟନ୍ତ୍ରଣ କରାଉଛନ୍ତି ଠିକ୍ ସେହି ଢଙ୍ଗରେ ବୈଜୟନ୍ତ ନିଜର ରାଜନୈତିକ ସଚିବଙ୍କ ମାଧ୍ୟମରେ ସମ୍ପୃକ୍ତ ଅଫିସର୍ଙ୍କୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଏହା ସହିତ ନିଜର ଟିଭି ଚ୍ୟାନେଲ ମାଧ୍ୟମରେ ବୈଜୟନ୍ତ ଏବେ ଏହି କ୍ଷମତାକେନ୍ଦ୍ରଙ୍କ ବିବାଦୀୟ ଭୂମିକାକୁ ଉଜାଗର କରାଇବାର କୌଣସି ସୁଯୋଗ ହାତଛଡ଼ା ମଧ୍ୟ କରୁନାହାନ୍ତି । କୁହାଯାଉଛି ବୈଜୟନ୍ତ ଜାଣିଶୁଣି ଏଭଳି ଟିପ୍ପଣୀ ଦେଉଛନ୍ତି । ଯାହାଫଳରେ ଦଳରେ ଅଣଦେଖା ହୋଇ ରହିଥିବା ନେତାମାନେ ଆଗକୁ ଆସି ସମ୍ପୃକ୍ତ କ୍ଷମତାକେନ୍ଦ୍ରଙ୍କ କାର୍ଯ୍ୟଶୈଳୀକୁ ବିରୋଧ କରିବାର ସାହସ ଜୁଟାଇ ପାରିବେ । ଏବେ ରାଜ୍ୟରେ ବିଜେପି ନିଜର କଳେବର ବୃଦ୍ଧି କରିବା ସହ ବିଜେଡିର ବିକଳ୍ପ ହେବା ପାଇଁ ଉଦ୍ୟମ କରୁଥିବାରୁ ବୈଜୟନ୍ତ ମଧ୍ୟ ଏଭଳି ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ବିଜେଡିରେ ଅସହାୟ ଅବସ୍ଥାରେ ଥିବା କିଛି ନେତା ମଧ୍ୟ ଏବେ ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଏପର୍ଯ୍ୟନ୍ତ ଗଣମାଧ୍ୟମରେ ଏହି କ୍ଷମତାକେନ୍ଦ୍ରଙ୍କୁ ବିଜେଡିର କୌଣସି ନେତା କହିବାର ସାହସ ଜୁଟାଇ ପାରୁନଥିଲେ । ଡାକ୍ତର ଦାମୋଦର ରାଉତ ଏଭଳି କହିବାର ସାହସ ଜୁଟାଇଥିଲେ ଓ ସେଥିପାଇଁ ତାଙ୍କୁ ଏବେ ଉଭୟ ଦଳର ଉପସଭାପତି ଓ ମନ୍ତ୍ରୀପଦରୁ ବହିଷ୍କୃତ ହେବାକୁ ପଡ଼ିଛି । ବୈଜୟନ୍ତ ମଧ୍ୟ ଚାହୁଁଛନ୍ତି ଯେ ସେ ବିଜେଡିରେ ରହି ଏହି ଅଣଓଡ଼ିଆ ଅଫିସର୍ଙ୍କ ଦ୍ୱାରା ଦଳ କିଭଳି ପରିଚାଳିତ ହେଉଛି ତାକୁ ଲୋକଲୋଚନକୁ ଆଣିବା ପାଇଁ । ଯଦିଓ ସମସ୍ତେ ଜାଣନ୍ତି କିନ୍ତୁ ସର୍ବସମ୍ମୁଖରେ ଏନେଇ କହିବାର ସାହସ ବିଜେଡିରେ କେହି କରନ୍ତି ନାହିଁ । କିନ୍ତୁ ବୈଜୟନ୍ତ ଏବେ ଏହି ଅଣଓଡ଼ିଆ ଅଫିସର୍ ଦଳରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭଳି ଯେଉଁ ଗତିବିଧି କରୁଛନ୍ତି ତାକୁ ପଦାରେ ପକାଇବା ରଣନୀତିରେ ରହିଛନ୍ତି । କୁହାଯାଉଛି ବିଜେପି ରାଜ୍ୟରେ ନିଜର ସଂଗଠନର କଳେବର ବୃଦ୍ଧି ପାଇଁ ଏବେ ବିଜେଡିକୁ ଅସ୍ଥିର କରାଇବାକୁ ଲକ୍ଷ୍ୟ ରଖିଛି । ବୈଜୟନ୍ତଙ୍କୁ ମୋହରା କରି ବିଜେଡିରେ ଅସନ୍ତୁଷ୍ଟ ଥିବା ନେତାଙ୍କୁ ବିଜେପି ନିଜଆଡ଼କୁ ନେବାକୁ ଉଦ୍ୟମ କରୁଛି । ଯଦି ଏଭଳି ସ୍ଥିତିରେ ବୈଜୟନ୍ତଙ୍କ ପ୍ରତି ନବୀନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ତାହା ବିଜେଡିକୁ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି । କାରଣ ବିଜେଡିରେ ଏବେ ବିରୋଧର ସ୍ୱର ତୀବ୍ର ହେବାରେ ଲାଗିଲାଣି । ରମାରଞ୍ଜନ ବଳିୟାରସିଂହ ଖୁଲମ୍ଖୁଲା ଏହି ତାମିଲବାବୁଙ୍କର ବିଜେଡିରେ ଭୂମିକାକୁ କାଠଗଡ଼ାରେ ଛିଡ଼ା କରାଇ ଦଳ ଛାଡ଼ିଥିବାବେଳେ ବିଜେପିକୁ ଏହା ସୁହାଇବାରେ ଲାଗିଛି । ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ ଏସବୁ କାରଣରୁ ବୈଜୟନ୍ତଙ୍କୁ ଦଳରୁ ବହିଷ୍କାର କରିବାକୁ କ୍ଷମତାକେନ୍ଦ୍ର ଯୋଜନା କରୁଛନ୍ତି । ତେବେ କେଉଁ ଢଙ୍ଗରେ ବୈଜୟନ୍ତଙ୍କୁ ବିଜେଡିରୁ ବିଦା କଲେ ସେ ଦଳରେ ସହାନୁଭୂତି କିମ୍ବା ସମର୍ଥନ ପାଇବେ ନାହିଁ ଓ ଲୋକମାନେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ଆଡ଼କୁ ଅଙ୍ଗୁଳି ଉଠାଇବେ ନାହିଁ ତା’ର ବିଭିନ୍ନ ଦିଗକୁ ଏବେ ତର୍ଜମା କରାଯାଉଛି । ଅବଶ୍ୟ ଏସବୁ ଏବେ ବୈଜୟନ୍ତଙ୍କ ପାଇଁ କୌଣସି ଗୁରୁତ୍ୱ ବହନ କରୁନି । କାରଣ ବୈଜୟନ୍ତ ଏବେ ବିଜେଡି ତୁଳନାରେ ବିଜେପିରେ ନିଜକୁ ଅଧିକ ସୁରକ୍ଷିତ ମଣିବାରେ ଲାଗିଛନ୍ତି । କେବଳ ବିଜେଡି କେତେବେଳେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ସେ ସେହି ସୁଯୋଗ ଅପେକ୍ଷାରେ ରହିଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।

ONA

Leave a Reply

Top