You are here
Home > ଏକ୍ସକ୍ଲୁସିଭ୍ > ନିଜ ଗୋଡ଼ରେ କୁରାଢ଼ି ମାରୁଛନ୍ତି ନବୀନ

ନିଜ ଗୋଡ଼ରେ କୁରାଢ଼ି ମାରୁଛନ୍ତି ନବୀନ

ଭୁବନେଶ୍ୱର : ବିଜେପିକୁ ନ୍ୟୂନ କରିବା ଓ ନିଜକୁ ଲୋକପ୍ରିୟ ବୋଲି ଦର୍ଶାଇବା ପାଇଁ ବିଜେଡି ଯେଉଁ ଉଦ୍ୟମ ଚଳାଇଛି ସେଥିରେ ନିଜ ଭବିଷ୍ୟତ ପାଇଁ କବର ଖୋଳୁଛି ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ କଂଗ୍ରେସ ମୁକ୍ତ ଭାରତର ଯେଉଁ ସ୍ଳୋଗାନ ଦେଇଛନ୍ତି ତାକୁ ଏବେ ଅକ୍ଷର ଅକ୍ଷରରେ ପାଳନ କରିବା ପାଇଁ ଆଗେଇ ଆସିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଯେଉଁ ବାଟ ଧରିଛନ୍ତି ତାହା ଯଦି ସେ ବଜାୟ ରଖନ୍ତି ତେବେ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲା ଭଳି କଥା ହେବ ବୋଲି କୁହାଯାଉଛି । କଂଗ୍ରେସ ଯଦି ଓଡ଼ିଶାରେ ଦୁର୍ବଳ ହୋଇଯାଏ ଓ ସାଇନ୍ବୋର୍ଡ ଦଳ ଭାବେ ରହିଯାଏ ତାହା ହେଲେ ଏହା ବିଜେଡି ପାଇଁ ଘାତକ ସଦୃଶ ହେବ । ବିଜେପିକୁ ଏହା ଫାଇଦା ଦେବ । ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଲେ ଯାଇ ବିଜେଡି ଫାଇଦାରେ ରହିବ ନଚେତ୍ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଲେ ବିଜେପି ଲାଭବାନ ହେବ । ପୂର୍ବ ନିର୍ବାଚନରେ କଂଗ୍ରେସ ଯେଉଁ ସବୁ ସ୍ଥାନରେ ଅଧିକ ଭୋଟ୍ ପାଇଛି ସେଠାରେ ବିଜେଡି ହିଁ ଜିତିଛି । ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସ ଯଦି ଅଧିକ ଭୋଟ ନନେବ ତେବେ ସେ ଭୋଟ୍ ବିଜେପି ଆଡକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ ଆଖି ବୁଜି କଂଗ୍ରେସ ନେତାମାନଙ୍କୁ ନିଜ ଦଳକୁ ନେବାର ଯେଉଁ ପ୍ରତିଯୋଗିତା ନବୀନ ଆରମ୍ଭ କରିଛନ୍ତି ସେଥିରେ ସେ ହିଁ ଘାଟାରେ ପଡ଼ିବେ ବୋଲି ରାଜନୀତି ବିଶାରଦମାନେ ମତ ଦେଉଛନ୍ତି । କଂଗ୍ରେସ ଶକ୍ତିଶାଳୀ ହୋଇରହିଲେ ବିଜେଡି ତାହାର କ୍ଷମତାକୁ ବଜାୟ ରଖି ପାରିବ । ଏଣୁ କଂଗ୍ରେସକୁ ଦୁର୍ବଳ କରି ରଖିବା ପାଇଁ ଯେଉଁ ମନୋଭାବ ବିଜେଡି ପୋଷଣ କରିଛି ସେଥିରୁ ନହଟିଲେ ଭବିଷ୍ୟତ ପାଇଁ କାଳ ହେବ ବୋଲି ଆଲୋଚନା ହେଉଛି ।
-ହାତରୁ ଅଧିକ ନେତାଙ୍କୁ ସାମିଲ ପାଇଁ ବିଜେଡିର ଉଦ୍ୟମ
-ଆମଦାନୀ ନେତାଙ୍କ ପାଇଁ ସୃଷ୍ଟି ହେବ ଅନ୍ତଦ୍ୱର୍ନ୍ଦ୍ୱ
-କଂଗ୍ରେସ ସାଇନବୋର୍ଡ ପାର୍ଟି ପାଲଟିଲେ ବିଜେଡି ପାଇଁ କ୍ଷତି
-ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ ଫାଇଦା ମାରିବ ବିଜେପି
ନିକଟରେ ଗଞ୍ଜାମ ଜିଲ୍ଳାର ବହୁ ତୁଙ୍ଗ କଂଗ୍ରେସ ନେତାଙ୍କୁ ନବୀନ ବିଜେଡିରେ ସାମିଲ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା, ଭଗବାନ ଗନ୍ତାୟତ, ବ୍ରହ୍ମପୁର ମହାନଗର ନିଗମର ୧୧ ଜଣ କଂଗ୍ରେସ କର୍ପୋରେଟରଙ୍କଠାରୁ ଆରମ୍ଭ କରି ବହୁ ଛାମୁଆ ଓ ଆଗଧାଡ଼ିର ନେତା ଶଙ୍ଖ ଫୁଙ୍କିଛନ୍ତି । ବ୍ରହ୍ମପୁରରେ କଂଗ୍ରେସ ଏକପ୍ରକାର ନେତା ଶୂନ୍ୟ ହେଲା ଭଳି ଏକ ଧାରଣା ସୃଷ୍ଟି କରାଯାଇଛି । ଏହାଫଳରେ ଜିଲ୍ଲାରେ ସାଧାରଣ କଂଗ୍ରେସ କର୍ମୀଙ୍କ ମନରେ ହତାଶ୍ଭାବ ସୃଷ୍ଟି ହେବ । ସେମାନେ କେବଳ ଯେ ବିଜେଡି ମୁହାଁ ହେବେ ଏକଥା ଦଳୀୟ ନେତାମାନେ ଭାବିବା ଉଚିତ ନୁହେଁ । ସେହି କର୍ମୀମାନଙ୍କୁ ଯିଏ ମନାଇପାରିବ ସେ ନିଜ ଆଡକୁ ନେଇପାରିବ । ଗଞ୍ଜାମ ଭଳି ସ୍ଥିତି ଯଦି ବିଜେଡି ଅନ୍ୟ ଅଞ୍ଚଳରେ ବଜାୟ ରଖିବ ତାହେଲେ କଂଗ୍ରେସ ଏକ ପ୍ରକାର ଓଡ଼ିଶାରେ ସତକୁ ସତ ନାଁକୁ ମାତ୍ର ଦଳ ଭାବେ ରହିଯିବ । ବର୍ତ୍ତମାନ କଂଗ୍ରେସ ନେତାଙ୍କ ଭିତରେ ଯେଭଳି ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଛି ସେଥିରେ ବହୁ ତୁଙ୍ଗ ନେତା ଏବଂ ବିଶେଷକରି ରାଜ୍ୟସ୍ତରୀୟ ନେତାମାନେ ଯଦି ଛାଡ଼ି ଚାଲି ଯାଆନ୍ତି ଓ ସେମାନଙ୍କୁ ବିଭିନ୍ନ ଉପାୟରେ ନେବା ପାଇଁ ବିଜେପି ବି ଉଦ୍ୟମ ଜାରି ରଖେ ତାହେଲେ କଂଗ୍ରେସ ଅସ୍ତିତ୍ୱ ହରାଇବାକୁ ବେଶୀ ସମୟ ଲାଗିବ ନାହିଁ । କାରଣ ଇତିମଧ୍ୟରେ ଅନେକ ଜିଲ୍ଲା ସଭାପତି ଏବଂ ଗତଥରର ପ୍ରାର୍ଥୀ ହାତ ଛାଡ଼ି ସାରିଲେଣି । ଅଧିକାଂଶ ବିଜେଡିକୁ ହିଁ ଯାଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନର ଫଳାଫଳକ ବିଶ୍ଳେଷଣରୁ ଜଣାପଡିଛି ଦଳୀୟ ଭିତ୍ତିରେ ହେଉଥିବା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ଅଧିକ ଫାଇଦା ମିଳିଥିଲା । ଏ ଘଟଣା ବିଜେଡି ମୁଣ୍ଡରେ ଚଡ଼କ ପକାଇଥିଲା । ନିର୍ବାଚନରେ ଦଳର ବିଫଳତାକୁ ଦେଖି ବିଜେଡି ନେତାମାନେ କଂଗ୍ରେସ ଆଡକୁ ଦୋଷ ଠେଲି ଥିଲେ । ବିଜେଡି ନେତାମାନେ କହିଲେ କଂଗ୍ରେସ ଭୋଟ୍ ବିଜେପି ଆଡକୁ ଚାଲିଯିବାରୁ ସେମାନେ ଫାଇଦା ନେଲେ । ଏପରିକି ନିକଟରେ ଶେଷ ହୋଇଥିବା ବହୁଚର୍ଚ୍ଚିତ ବିଜେପୁର ଉପ ନିର୍ବାଚନ ଫଳାଫଳକୁ ଯଦି ଅନୁଧ୍ୟାନ କରାଯାଏ ସେଠାରେ ମଧ୍ୟ କଂଗ୍ରେସ ଭୋଟ୍ ବିଜେଡି ଆଡକୁ ଆସିବାରୁ ଏତେ ବିପୁଳ ବ୍ୟବଧାନରେ ଦଳ ଜିତିଲା । ନିଜେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ସ୍ୱୀକାର କରିଛନ୍ତି ଗାଈସିଲଟ୍ ବ୍ଲକ୍ର ଦଳୀୟ ଭୋଟ୍ ବିଜେଡି ଆଡକୁ ଚାଲିଗଲା । ଗାଈସିଲଟ୍ ବ୍ଲକ୍ର ଇତିହାସରୁ ଜଣାଯାଏ, ଯିଏ ଉକ୍ତ ଅଞ୍ଚଳରୁ ପ୍ରାର୍ଥୀ ହୋଇଥାଏ ସଂଖ୍ୟାଧିକ ଭୋଟ୍ ତାଙ୍କ ଆଡକୁ ଯାଏ । ପ୍ରାର୍ଥୀ ପ୍ରଣୟ ସାହୁ ଗାଈସିଲଟ୍ ବ୍ଲକ୍ର ବାସିନ୍ଦା ହୋଇଥିଲେ ବି ତାଙ୍କୁ ଏଥର ଅମାନତ ହରାଇବାକୁ ପଡ଼ିଲା । କଂଗ୍ରେସ ଭୋଟ୍ ଅନ୍ୟ ଦଳକୁ ଯିବାର ଏହି ଦୁଇଟି ନମୁନା ଯଥେଷ୍ଟ । ଉପ ନିର୍ବାଚନ ଥିବାରୁ ବିଜେଡିରୁ ସବୁ ମନ୍ତ୍ରୀ, ବିଧାୟକ ଓ ନେତାମାନେ ବିଜେପୁରରେ ଡେରା ପକାଇ ରହି ନିଜ ମଧ୍ୟରେ ପଞ୍ଚାୟତ ବାଣ୍ଟି ନେଇ କାର୍ଯ୍ୟ କରିବା ଦ୍ୱାରା ଫାଇଦା ପାଇଲେ । କିନ୍ତୁ ସାଧାରଣ ନିର୍ବାଚନ ହେଲେ ଏଭଳି ଜଗିବା ସମ୍ଭବ ହେବ ନାହିଁ । କାରଣ ଯେଉଁମାନେ ପ୍ରାର୍ଥୀ ହୋଇଥିବେ ନିଜ ନିର୍ବାଚନମଣ୍ଡଳୀ ଦାୟିତ୍ୱ ସମ୍ଭାଳିବା ସେମାନଙ୍କ ପାଇଁ କାଠିକର ପାଠ ହେବ । ଅନ୍ୟ କଥା ଚିନ୍ତା କରିବା ପାଇଁ ସମୟ ପାଇବ ନାହିଁ । ଦଳ ମଧ୍ୟ ସବୁ ନିର୍ବାଚନ ମଣ୍ଡଳୀକୁ ଗୁରୁତ୍ୱ ଦେବ । ଏକ୍ଷେତ୍ରରେ କଂଗ୍ରେସରୁ ଯଦି ଆଗଧାଡ଼ିର ନେତାମାନେ ଛାଡି ଚାଲିଯାଆନ୍ତି ତେବେ ସମଗ୍ର ରାଜ୍ୟରେ କଂଗ୍ରେସ କର୍ମୀଙ୍କ ଭିତରେ ହତାଶାଭାବ ସୃଷ୍ଟି ହେବ । ସେମାନେ ଅନୁଭବ କରିବେ ଯେ ତାଙ୍କ ଦଳ ଆଉ କ୍ଷମତାକୁ ଆସିବାର ସମ୍ଭାବନା ନାହିଁ । ତେଣୁ ସେମାନଙ୍କୁ ଯିଏ ଅଧିକ ମନାଇ ପାରିବ ନିଜ ପଟକୁ ନେଇଯିବ । ସାଧାରଣ ନିର୍ବାଚନ ହେଲେ ସମ୍ପୂର୍ଣ୍ଣ ଭାବରେ ଭାରତର ନିର୍ବାଚନ କମିଶନଙ୍କ ଅଧିନରେ ରାଜ୍ୟ ରହିବ । ପୋଲିସ ଓ ପ୍ରଶାସନ କମିଶନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିବେ । ଏପରିକି ନିର୍ବାଚନ କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ବାହାରର ଅଫିସରମାନେ ପର୍ଯ୍ୟବେକ୍ଷକ ହୋଇ ଆସିବେ । ଏବେ ଅଧିକାଂଶ ରାଜ୍ୟରେ ବିଜେପି ଶାସନ ରହିଛି । ଏଣୁ ସାଧାରଣ ନିର୍ବାଚନରେ ନିଜର ଅଫିସର ଓ ପୋଲିସକୁ ବ୍ୟବହାର କରିବା କଷ୍ଟକର ହୋଇପାରେ । ବିଜେପୁର ଉପନିର୍ବାଚନ ସମୟରେ ବିଜେପି ଅଭିଯୋଗକୁ ଭିତ୍ତି କରି ଭାରତର ନିର୍ବାଚନ କମିଶନର ଜିଲ୍ଲାପାଳ, ଏସ୍ ି ଓ ଅନ୍ୟ ପଦାଧିକାରୀ ବଦଳାଇଥିଲେ । ଏଣୁ ସାଧାରଣ ନିର୍ବାଚନରେ ନିର୍ବାଚନ ବିଜେଡି ପାଇଁ ଏଥର ସହଜ ହୋଇନପାରେ । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆସି ବାରମ୍ବାର ୧୨୦+ କଥା ଘୋଷଣା କରୁଛନ୍ତି । ଶାହାଙ୍କ ଫୋକସରେ ଏବେ ଓଡ଼ିଶା ରହିଛି । ଏସବୁ ଦୃଷ୍ଟିରୁ ବିଚାର କଲେ ଯଦି ବ୍ରହ୍ମ ୁର ଭଳି କଂଗ୍ରେସ ନେତାମାନଙ୍କୁ ବିଜେଡି ନେବାରେ ଲାଗିବ ତେବେ ନିଜ ପାଇଁ କ୍ଷତି ଘଟାଇବ ବୋଲି ଆଲୋଚନା ହେଉଛି । ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବା ରଖିବା ବିଜେଡି ପାଇଁ ସବୁଠାରୁ ବୁଦ୍ଧିମାନର କାର୍ଯ୍ୟ ହେବ । ଯେତେ ଅଧିକ ସଂଖ୍ୟାରେ କଂଗ୍ରେସ ଲୋକଙ୍କୁ ନିଜ ଦଳକୁ ନେବ ସେତିକି ତାଙ୍କ ପାଇଁ ସମସ୍ୟା ହେବ । କାରଣ ଯେଉଁମାନେ ଆସିବେ ସେମାନେ ଗୁରୁତ୍ୱ ବିସ୍ତାର କଲେ ଦଳର ମୂଳ ଲୋକମାନେ ଅସନ୍ତୁଷ୍ଟ ହେବେ । ଫଳରେ ଦଳ ଭିତରେ ଯେଉଁ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହେବ ତାହାର ପରିଣତି କ’ଣ ହେବ ତାହା ସ୍ପଷ୍ଟ । ଏଣୁ ମୋଦିଙ୍କ ସ୍ଲୋଗାନକୁ ନବୀନ କାର୍ଯ୍ୟକାରୀ କରିବାରେ ଯେପରି ଲାଗିଛନ୍ତି ସେଥିରେ ଓଡ଼ିଶା କ୍ଷେତ୍ରରେ ବିଜେପି ହିଁ ଫାଇଦା ପାଇବ ବୋଲି କୁହାଯାଉଛି ।

ONA

Leave a Reply

Top