You are here
Home > ଏକ୍ସକ୍ଲୁସିଭ୍ > ନାଁକୁ ମନ୍ତ୍ରୀ

ନାଁକୁ ମନ୍ତ୍ରୀ

ଭୁବନେଶ୍ୱର,(ସମ୍ବ୍ରିତା ମହାନ୍ତି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ୭ ମେ’,୨୦୧୭ରେ ହୋଇଥିଲା । ଅନେକ ଯୁବମନ୍ତ୍ରୀ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଲେ । ଆଉ ନୂଆ ଚେହେରା ନବୀନଙ୍କ ଟିମ୍ରେ ସାମିଲ ହୋଇଥିଲେ । ହେଲେ ଗାଦି ଛାଡିଥିବା ୨ ଯୁବ ବିଧାୟକ ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମାଙ୍କ ପରି ମନ୍ତ୍ରୀଙ୍କୁ ଏବେବି ସେମାନଙ୍କ ବିଭାଗ ଝୁରୁଛି । ଅରୁଣ ପଞ୍ଚାୟତିରାଜ ମନ୍ତ୍ରୀ ଥିବା ବେଳେ, ସଞ୍ଜୟ ଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ଏବେ ପଞ୍ଚାୟତିରାଜ ବିଭାଗ ପ୍ରଦୀପ ମହାରଥୀ ପାଇଥିବାବେଳେ ଖାଦ୍ୟ ଯୋଗଣ ବିଭାଗ ଯାଇଛି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପାଖକୁ । ତେବେ ଅରୁଣ ଓ ସଞ୍ଜୟ ପ୍ରାୟ ୩ ବର୍ଷ ସଂପୃକ୍ତ ବିଭାଗ ସହ ଜଡିତ ଥିଲେ । ଯେଉଁଥିପାଇଁ ବିଭାଗର ଅଡୁଆ ସୂତାର ଖିଅ କେଉଁଠି ଅଛି ସେ ସଂପର୍କରେ ସେମାନଙ୍କୁ ଭଲ ଭାବରେ ଜଣା । ଅନ୍ୟପଟେ ଅଭିଜ୍ଞତା ଥିବା ସତ୍ତେ୍ୱ, ମହାରଥୀ ଓ ସୂର୍ଯ୍ୟ ଆନ୍ନା ହଇରାଣ ହେଉଛନ୍ତି । କାରଣ ୨୦୧୯ ନିର୍ବାଚନ ପାଇଁ ବର୍ଷେ ବାକି ଅଛି । ଗୋଟାଏପଟେ ବିଭାଗ ଭିତରକୁ ଯାଇ କାମ କରିବା କଥା ତ ଅନ୍ୟପଟେ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ, ପେଶି ହୋଇ ଯାଉଛନ୍ତି ଏହି ୨ଭେଟେରାନ ମନ୍ତ୍ରୀ ।
ନିଜ ଅସହାୟତା ସାଧାରଣରେ ପ୍ରକାଶ କରି ପକାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ୧ଜାନୁଆରି ୨୦୧୮ରେ ଯେତେବେଳେ ସଚିବାଳୟରେ ପହଞ୍ଚିଲେ ସୂର୍ଯ୍ୟ, ପାହାଚ ତଳେ ଠିଆ ହୋଇଥାନ୍ତି ବିଧାୟକ ଅରୁଣ ଓ ସଞ୍ଜୟ । ଏମାନଙ୍କ ସହ କିଛି ବିଜେଡି କର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ବି ଉପସ୍ଥିତ ଥିଲେ । ପରସ୍ପରକୁ ନୂତନ ଇଂରାଜୀ ବର୍ଷର ଅଭିନନ୍ଦନ ଦେବା ଆଳରେ ଅରୁଣ ଗୁଗଲି ପକାଇଲେ । ଅରୁଣ କୁଆଡେ ସୂର୍ଯ୍ୟଙ୍କୁ କହିଲେ ଯେ ସଞ୍ଜୟଙ୍କ ଠାରୁ ବିଭାଗ ଛଡାଇ ନେବା ପରେ ଆଉ କି ନୂତନ ବର୍ଷର ଶୁଭେଚ୍ଛା । ପୋଖତ ସୂର୍ଯ୍ୟଙ୍କୁ ହଠାତ୍ ଏକଥା ଶୁଭି ନଥିଲା । ଯେଉଁଥିପାଇଁ ସମାନ କଥା ଦୋହରାଇଲେ ସଞ୍ଜୟ । ଅବିଭକ୍ତ ପୁରୀ ଜିଲ୍ଲାର ୨ଯୁବ ବିଧାୟକଙ୍କ ଚପଳତା ବୁଝି ପାରିଲେ ଗଞ୍ଜାମର ଜୁନିୟର ଟାଇଗର ସୂର୍ଯ୍ୟ ଆନ୍ନା । ସେ ବି ମଧ୍ୟ ବାଉନ୍ସ ବୋଲିଂ କଲେ । ଶୁଣିବାକୁ ମିଳିଛି, ସୂର୍ଯ୍ୟ ନିଜ କ୍ଷୋଭ ପ୍ରକାଶ କରି କହିଲେ ଯେ ସେ କେବଳ ନାଁକୁ ମନ୍ତ୍ରୀ । ଖାଦ୍ୟ ଯୋଗାଣ ବିଭାଗ ଚାଲିଛି ସଞ୍ଜୟଙ୍କ ଇସାରାରେ । ଯେଉଁଥିପାଇଁ ସେ ସଞ୍ଜୟଙ୍କ ପରାମର୍ଶ ନେଇ ବିଭାଗୀୟ ନିଷ୍ପତ୍ତି ନେଉଛନ୍ତି । ଅବଶ୍ୟ ଏହା ପରେ ୩ଜଣ ଜୋର ଜୋର ହସିଲେ । ହେଲେ ସୂର୍ଯ୍ୟଙ୍କ ଥଟ୍ଟାମଜାରେ ପରୋକ୍ଷ ଭାବରେ ଯେ ଟାର୍ଗେଟ ରହିଛି ସେ କଥା ବୁଝି ପାରିଲେ ବ୍ରହ୍ମଗିରି ବିଧାୟକ ଦାସବର୍ମା ।
ସେପଟେ ଆଇଏଏସ ଏବଂ ଓଏଏସ ଅଫିସରଙ୍କୁ ନେଇ ପଞ୍ଚାୟତିରାଜ ବିଭାଗକୁ ଅରୁଣ ଏପରି ଗଢି ତୋଳିଛନ୍ତି ଯେ ମହାରଥୀ ବାବୁ ଆଗେଇବାକୁ ଶକ୍ତି ହିଁ ଜୁଟାଇ ପାରୁ ନାହାନ୍ତି । ଯଦିଓ ଆରମ୍ଭରୁ ମହାରଥୀ ବିଭିନ୍ନ ବ୍ଲକରେ ଚଢାଉ କରି ଅଫିସରଙ୍କୁ ଡରାଇ ଧମକାଇ ଲାଇନକୁ ଆଣିବାକୁ ଚେଷ୍ଟା କଲେ, ହେଲେ ବିଭାଗର ଅସଲ ଚାବି ରହିଲା ସଚିବଙ୍କ ପାଖରେ । ଏପରିକି ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ଅଧିକାରୀଙ୍କ ବଦଳି ହେଉଥିଲା ମହାରଥୀଙ୍କ ଅଗୋଚରରେ । ଯେଉଁଥିପାଇଁ କୁହାଳିଆ ମନ୍ତ୍ରୀ ମହାରଥୀ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିବା ଶୁଣିବାକୁ ମିଳିଥିଲା । ତେବେ ଏସବୁ ପଛରେ କରିତକର୍ମା ଅରୁଣ ସାହୁଙ୍କ ଭୂମିକା ରହିଛି ବୋଲି ମହାରଥୀ ବୁଝିଗଲେ । ଯଦିଓ ଅରୁଣ ଥିଲେ ରାଷ୍ଟ୍ରମନ୍ତ୍ରୀ; କିନ୍ତୁ ଲୋକମାନଙ୍କୁ ମନରେଗାରେ କିପରି ଅଧିକ କାମ ମିଳିବ ସେ କଳା ତାଙ୍କୁ ଜଣା ଥିଲା । ହେଲେ କ୍ୟାବିନେଟ୍ ମନ୍ତ୍ରୀ ମହାରଥୀ ୬ଥରର ବିଧାୟକ ହୋଇଥିଲେ ମଧ୍ୟ ପଞ୍ଚାୟତିରାଜ ବିଭାଗକୁ ଲୋକାଭିମୁଖୀ କରିବାରେ ସଫଳ ହୋଇ ପାରୁନାହାନ୍ତି । ତା’ସାଙ୍ଗକୁ ଦାମୋଦର ରାଉତ କ୍ୟାବିନେଟରୁ ବହିଷ୍କୃତ ହେବା ପରେ କୃଷି ବିଭାଗ ମଧ୍ୟ ମହାରଥୀଙ୍କ ଅଧୀନକୁ ଆସିଛି । ଅବଶ୍ୟ ଚଷା ପୁଅ କହି ନିଜକୁ ସଫଳ କୃଷିମନ୍ତ୍ରୀ ଭାବେ ପ୍ରତିପାଦନ କରିବାକୁ ଚେଷ୍ଟା କରୁଛନ୍ତି ମହାରଥୀ; ହେଲେ ଚାଷୀ ଆତ୍ମହତ୍ୟା, କୃଷକ ଆନ୍ଦୋଳନ ମହାରଥୀଙ୍କୁ ଘାଇଲା କରି ପକାଉଛି । ସେପଟେ ଭୋଟ ସାଉଁଟିବାର ବିଭାଗ ପଞ୍ଚାୟତିରାଜ ବିଭାଗ ମଧ୍ୟ ମହାରଥୀଙ୍କ ନିୟନ୍ତ୍ରଣକୁ ଆସୁନାହିଁ । ଶୁଣିବାକୁ ମିଳିଛି, ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଅଫିସରଙ୍କ ମାଧ୍ୟମରେ ଅରୁଣଙ୍କ ପରି ଯୁବ ବିଧାୟକଙ୍କୁ ପଞ୍ଚାୟତିରାଜ ବିଭାଗର କାମ ତଦାରଖ କରିବା ପାଇଁ ଭିତିରିଆ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଗୋଟାଏ ପଟେ ଚାଷୀ ଆତ୍ମହତ୍ୟା ତ ଅନ୍ୟପଟେ କାମ ନପାଇ ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ହଜାର ହଜାର ପରିବାର । ଲାଗୁଛି ଚାଷୀ ଓ ଶ୍ରମିକ ପରିବାର ଯେମିତି ବିଜେଡି ଠାରୁ ମୁହଁ ଫେରାଇ ନେବେ ।
ତେବେ ମନ୍ତ୍ରୀ ପଦ ଛାଡିବା ପରେ ବି ଅରୁଣ-ସଞ୍ଜୟ ବିଭାଗୀୟ କାମ ବୁଝିଥିବାରୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ବିରୋଧୀ । ଏହାକୁ ଫଣ୍ଡ କଲେକସନ୍ର ଫର୍ମୁଲା ବୋଲି ସେମାନେ ଆଖ୍ୟା ଦେଇଛନ୍ତି । ଯେହେତୁ ୩ବର୍ଷର ଲମ୍ବା ସମୟ ଧରି ବିଭାଗ ସମ୍ଭାଳୁଥିଲେ, ସେମାନେ କମ୍ପାନୀ, ମିଲର୍ସ ଓ ଠିକାଦାରଙ୍କ ସହ ବେଶ୍ ଭଲ ଭାବେ ପରିଚିତ । ଦଳୀୟ ପାଣ୍ଠି ସଂଗ୍ରହ କରିବା କଳା ପୁରୁଣା ମନ୍ତ୍ରୀଙ୍କୁ ଜଣା । ସେପଟେ ବିମୁଦ୍ରୀକରଣରେ ବିଜୁ ଜନତା ଦଳ ଯେଉଁ କ୍ଷତି ସହିଛି, ତାହାକୁ ଅତି ଶୀଘ୍ର ଭରଣା ନକଲେ ୨୦୧୯ ନିର୍ବାଚନ ପ୍ରଭାବିତ ହେବାର ବି ଆଶଙ୍କା ରହିଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତ ପଞ୍ଚାୟତ ନିର୍ବାଚନ । ତେବେ ଯାହା ବି ହେଉ ସୂର୍ଯ୍ୟ-ମହାରଥୀ କିନ୍ତୁ ଭିଡକୁ ନୁହନ୍ତି ବୋଲି ଚର୍ଚ୍ଚା!

ONA

Leave a Reply

Top