You are here
Home > ଏକ୍ସକ୍ଲୁସିଭ୍ > ନାଁକୁ ନେଇ କେଁ!

ନାଁକୁ ନେଇ କେଁ!

ଛାତ୍ର ଓ ଯୁବର ବୟସ ଢେର ଗଡିଗଲାଣି । ଗାଡିରେ ଲାଗିଥିବା ନାଲିବତି ବି କଢା ସରିଲାଣି । ପାୱାର କରିଡରରେ ସବୁ ସ୍ୱାଦ ଚାଖି ସାରିଲେଣି । ହେଲେ ମନରୁ କ୍ଷମତା ମୋହ ଛାଡୁନି । ସେଥିଲାଗି ଦଳର ଯୁବ ଓ ଛାତ୍ର ସଂଗଠନକୁ ନିଜ ନିଜ ଅକ୍ତିଆରରେ ରଖିବାକୁ ପ୍ରୟାସ ଚଳାଇଛନ୍ତି ବିଜେଡିର ଦୁଇ ପୂର୍ବତନ ମନ୍ତ୍ରୀ । ନିଜ ନିଜ ଅନୁଗତଙ୍କ ଦ୍ୱାରା ଛାତ୍ର ଓ ଯୁବ ସଂଗଠନରେ ନିଜ ପତିଆରା ରଖିବାକୁ ଚଳାଇଛନ୍ତି ଗୋଟି । ଆଉ ଖାସ ଏଥିପାଇଁ ଦଳର କାର୍ଯ୍ୟକ୍ରମ ଲାଗି ନବୀନଙ୍କ ନାଁରେ ଯୋଡିହୋଇଥିବା ନାଁ ବି ବଦଳାଇବାକୁ ପଛାଇ ନାହାନ୍ତି ଏମାନେ….
ଭୁବନେଶ୍ୱର,: ଏପ୍ରିଲ ୧୪, ୨୦୧୭ । ବିଜୁ ଜନତା ଦଳର ଦୁଇ ଛାମୁଆ ସଂଗଠନ ଛାତ୍ର ଓ ଯୁବର ନୂଆ ଟିମ୍ ଗଠନ କଲେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କ ବଦଳରେ ଅମରେଶ ପତ୍ରୀଙ୍କୁ ଯୁବ ବିଜେଡି ସଭାପତି କରାଗଲା । ସେହିପରି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ସ୍ଥାନରେ ଛାତ୍ର ସଂଗଠନର ମଙ୍ଗ ଧରିଲେ ରାଣାପ୍ରତାପ ପାତ୍ର । ରାଣା ହେଲେ ବିସିଜେଡିର ରାଜ୍ୟ ସଭାପତି । ହେଲେ ଏହି ଦୁଇ ସଂଗଠନର ଦାୟିତ୍ୱରେ ରହିଲେ ଦୁଇ ପୂର୍ବତନ ମନ୍ତ୍ରୀ । ଦଳର ଯୁବ ବ୍ୟାପାର ବିଧାୟକ ସଂଜୟ ଦାସବର୍ମାଙ୍କ ଜିମାରେ ରହିବା ସହ ଛାତ୍ର ସଂଗଠନର ଡୋର ଧରିଲେ ବିଧାୟକ ଅରୁଣ ସାହୁ । ଆଉ ସେବେଠାରୁ ଯାହା ଜଣା ପଡୁଥିଲା ନୂଆ ଯୁବ ସଭାପତି ଅମରେଶଙ୍କୁ ନେଇ ସଂଜୟ ଖୁସି ନଥିଲେ । ଅମରେଶଙ୍କ ପତ୍ତା କଟ୍ କରିବାକୁ ସେତେବେଳେ ଯୋଜନା ହୋଇଥିଲା ବୋଲି ଚର୍ଚ୍ଚା ବି ହେଲା । ସଭାପତି ପଦରୁ ଅମରେଶଙ୍କୁ ବିଦା କରିବା ପାଇଁ ମଧ୍ୟ ବ୍ଲୁ ପ୍ରିଣ୍ଟ ହୋଇଥିଲା ବୋଲି କୁହାଗଲା । ଯେଉଁଥିପାଇଁ ନୂଆ ଟିମ ଘୋଷଣାର ୧୫ ଦିନ ପରେ ଯୁବ କମିଟିର ରୂପରେଖ ଆଶ୍ଚର୍ଯ୍ୟଜନକ ଭାବେ ବଦଳିଗଲା । ରାଜ୍ୟ ଯୁବ ବିଜେଡି ସଭାପତି ଭାବେ ଅମରେଶଙ୍କ ନାଁକୁ ବଦଳାଇ ରାତାରାତି ତାଙ୍କୁ କରାଗଲା ଭୁବନେଶ୍ୱର ସଂଯୋଜକ । ସେ ସମୟରେ ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେଲା । ଦଳ ଅଡୁଆରେ ପଡିଲା । ସ୍ଥିତି ଏମିତି ହେଲା ଯେ, ନବୀନଙ୍କୁ ପୁଣିଥରେ ମୁହଁ ଖୋଲିବାକୁ ପଡିଲା । ବିଜେଡି ଅଫିସରେ ନବୀନଙ୍କ ପଞ୍ଚାୟତ ସମୀକ୍ଷା ସମୟରେ ଯୁବ କମିଟିକୁ ନେଇ ଦ୍ୱନ୍ଦ୍ୱ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ଏଥିସହ ପୁଣି ଥରେ ଯୁବ ବିଜେଡି ସଭାପତି ପଦକୁ ଫେରିଲେ ଅମରେଶ । ସେ ସମୟରେ ଚର୍ଚ୍ଚା ହେଲା ଯେ ସଂଜୟଙ୍କ ଷଡଯନ୍ତ୍ର ଭଣ୍ଡୁର ହେଲା ।
ଏବେ ପୁଣି ଥରେ ଦଳର ଯୁବ ସଂଗଠନରେ ଆଉ ଏକ ବିବାଦ ଥିବା ଚର୍ଚ୍ଚା ପଦାକୁ ଆସିଛି । ଏଥର ନେତୃତ୍ୱକୁ ନେଇ ନୁହେଁ, ଦଳର ଏକ କାର୍ଯ୍ୟକ୍ରମର ନାଁକୁ ନେଇ । କିଛି ଦିନ ତଳେ ଦଳ ପକ୍ଷରୁ ଏକ ବିରାଟ ସଂପର୍କ ଅଭିଯାନ ପାଇଁ ଯୋଜନା କରାଗଲା । ଯୁବ ଓ ଛାତ୍ର ସଂଗଠନ ବ୍ୟାନରେ ଏହି କାର୍ଯ୍ୟକ୍ରମ କରିବାକୁ ରୂପରେଖ ତିଆରି ବି ହେଲା । ହେଲେ କାର୍ଯ୍ୟକ୍ରମର ନାଁକୁ ନେଇ କୁଆଡେ ଦେଖାଗଲା ବିଳମ୍ବ । ଆରମ୍ଭରୁ କାର୍ଯ୍ୟକ୍ରମର ନାଁ ଓଡିଶା ଓ ନବୀନଙ୍କ ନାଁରେ ଯୋଡି ରଖାଯାଇଥିଲା “ୟୁଥ୍ ଓଡିଶା ନବୀନ ଓଡିଶା” । ଯାହାର ସଂଯୋଜକ ଥିଲେ ଅଭିନେତା ତଥା ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତି । ନଭେମ୍ବର ୧୨ ତାରିଖରୁ ତିନି ମାସ ଯାଏ ଏହି ଅଭିଯାନ ଗାଁ ଗାଁରେ ହୋଇଥାନ୍ତା ବୋଲି ସ୍ଥିର ହୋଇଥିଲା । ଯେଉଁଥିରେ ଉଭୟ ଛାତ୍ର ଓ ଯୁବ ବିଜେଡି ଏକାଠି କାମ କରିବେ । ହେଲେ “ୟୁଥ୍ ଓଡିଶା ନବୀନ ଓଡିଶା” ନାଁକୁ ନେଇ ଏପରି ବିବାଦ ଉପୁଜିଲା ଯେ ଅଭିଯାନ ଆରମ୍ଭରେ ବିଳମ୍ବ ହେଲା । ଶେଷରେ ନୂଆ ନାଁ ସ୍ଥିର ହେବା ପରେ ନଭେମ୍ବର ୧୬ ରେ ଯୁବ ଓ ଛାତ୍ର ବିଜେଡି ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯାନର ଔପଚାରିକ ଘୋଷଣା କଲେ । ପୂର୍ବ ନାଁ ବଦଳାଯାଇ କାର୍ଯ୍ୟକ୍ରମର ନାଁ ରଖାଗଲା “ଯୁବ ଛାତ୍ର ସଂପର୍କ ଅଭିଯାନ” । ଯାହା ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବୋଲି ଘୋଷଣା ହୋଇଛି । ବାକି ସବୁ ପ୍ଲାନିଂ ସମାନ ।
“ୟୁଥ୍ ଓଡିଶା ନବୀନ ଓଡିଶା” ନାଁ କାହିଁକି ବଦଳିଲା ବୋଲି ବିଜେଡିରେ ଚର୍ଚ୍ଚା ଚାଲିଛି । ଶୁଣିବାକୁ ମିଳିଛି, ଏହି ନାଁକୁ ଛାତ୍ର ବିଜେଡି ବିରୋଧ କଲା । କାରଣ ଏଥିରେ କେବଳ ୟୁଥ୍ ବା ଯୁବର ନାଁ ଥିଲା । ମିଳିତ କାର୍ଯ୍ୟକ୍ରମରେ ଛାତ୍ର ନାଁ ନ ରହିବାକୁ ଏହି ଛାମୁଆ ସଂଗଠନ ହଜମ କରି ପାରିଲାନି । ଦଳର କିଛି ଛାତ୍ର ନେତା ନାଁ ପରିବର୍ତ୍ତନ ନେଇ ଜିଦ୍ ଧରି ବସିଲେ । ଖବର ମିଳିଛି ଯେ ଏପରି ଘଟଣା ପଛରେ କୁଆଡେ ୟୁଥ ବିଜେଡିର ମୁଖିଆ ବିଧାୟକ ସଂଜୟ ଦାସବର୍ମାଙ୍କର ହାତ ରହିଛି । କାଳେ ୟୁଥ ନାଁ କାର୍ଯ୍ୟକ୍ରମ ହେଲେ ଅମରେଶଙ୍କୁ ଅଧିକ ମାଇଲେଜ୍ ମିଳିଯିବ ସେଥିଲାଗି ନାଁ ପରିବର୍ତ୍ତନ ଲାଗି ହୋଇଥିବା ଦାବିକୁ ଉସକାଇଥିଲେ ସଞ୍ଜୟ । କାରଣ ଛାତ୍ର ବିଜେଡି ସଭାପତି ରାଣା ହେଉଛନ୍ତି ସଂଜୟଙ୍କ ଅନୁଗତ ।
ବିଜେଡିର ଭିତିରିଆ ମହଲରୁ ମିଳିଥିବା ସୂଚନା ଆଧାରରେ କୁଆଡେ ଯୁବ ସଭାପତି ପଦ ଛାଡିବାକୁ ରାଜି ନଥିଲେ ସଂଜୟ । କାରଣ ମନ୍ତ୍ରୀ ପଦ ଯିବା ପରେ ଯୁବ ସଭାପତି ପଦରେ ରହିବାକୁ ତାଙ୍କର ଯୋଜନା ଥିଲା । ସେପଟେ ତାଙ୍କ ଅତି ବିଶ୍ୱସ୍ତ ରାଣାଙ୍କୁ ଛାତ୍ର ସଭାପତି କରି ଉଭୟ ଗୋଷ୍ଠୀର ନିୟନ୍ତ୍ରଣ ନିଜ ହାତରେ ରଖିଥାନ୍ତେ । ହେଲେ ଦୀର୍ଘ ଦିନରୁ ଛାତ୍ର ସଭାପତି ପଦ ପାଇଁ ଦାବିଦାର ଥିବା ବିଧାୟକ ଅରୁଣ ସାହୁଙ୍କ ବିଶ୍ୱସ୍ତ ଅମରେଶ ଅବା କିପରି ଶାନ୍ତ ହେବେ? ସେଥି ପାଇଁ ବାଧ୍ୟ ହୋଇ ପଦ ଛାଡିଲେ ସଞ୍ଜୟ । ହେଲେ ଚାଲ୍ କରି ଯୁବ ବ୍ୟାପାର ନିଜ ପାଖରେ ରଖିଲେ । ସଂଜୟଙ୍କ ଏପରି ଭିତିରଆ ବାଣ ମରା ସଂପର୍କରେ କୁଆଡେ ଅମରେଶ ସବୁ ଜାଣି ସାରିଛନ୍ତି ବୋଲି କୁହାଯାଉଛି । କାହିଁକି ନା ଅମରେଶ ଅରୁଣଙ୍କ କ୍ୟାମ୍ପର ହୋଇଥିବାରୁ ସେ ବି କିଛି କମ ନୁହଁନ୍ତି । ଏମିତିବି ଅରୁଣଙ୍କ ହାତ ତାଙ୍କ ମୁଣ୍ଡରେ ରହିଛି । ଆଉ ତାକୁ ଆଖିରେ ରଖି ଅମରେଶ ନିଜର ଅନୁଗତମାନଙ୍କୁ ଧରି ସଂଗଠନରେ ନିଜର ପ୍ରଭାବ ବିସ୍ତାର କରିବା ସହ ରାଜନୈତିକ ଓ ସାଂଗଠନିକ ସ୍ତରରେ ଶକ୍ତିଶାଳୀ ହେବା ପାଇଁ ବାଟ ଖୋଜି ଚାଲିଛନ୍ତି । ତେବେ ବିଧାୟକ ଅରୁଣ ସାହୁ ବିଭିନ୍ନ ବିବାଦରେ ଫସିବା ଅମରେଶଙ୍କ ଲାଗି କିଛିଟା ଅଡୁଆ ହେଉଛି । କିଛି ଦିନ ହେବ ବିବାଦ ଅରୁଣଙ୍କ ପିଛା ଛାଡୁନି । ଭୁବନେଶ୍ୱର ବମିଖାଲ ଫ୍ଲାଏ ଓଭରବ୍ରିଜ ଭୁଶୁଡିବା ଘଟଣା ପରେ ଠିକା ସଂସ୍ଥା ପଣ୍ଡା ଇନଫ୍ରା ସହ ଅରୁଣଙ୍କ ଲିଙ୍କ୍ ଅଭିଯୋଗ ହେଉ ବା ଠକ ଡାକ୍ତର ମୋତିଲାଲ ଗୌଡଙ୍କ ସହ ତାଙ୍କ ଫଟୋ ଭାଇରାଲ ପରେ ଏବେ ଅରୁଣ କିଛିଟା ବ୍ୟାକ ଫୁଟରେ ଅଛନ୍ତି । ଆଉ ଏହା ହିଁ ଅମରେଶଙ୍କ ଲାଗି ସମସ୍ୟା ହେଉଛି । ସିଏ ଯାହା ହେଉନା କାହିଁକି “ୟୁଥ୍ ଓଡିଶା ନବୀନ ଓଡିଶା”ନାଁ ବଦଳି ଏବେ “ଯୁବ ଛାତ୍ର ସଂପର୍କ ଅଭିଯାନ” ନାଁରେ ବିଜେଡି କାର୍ଯ୍ୟକ୍ରମ କରିବାକୁ ଯାଉଛି । ତେବେ ଏଥିର ପୁଣି କେଁ ବାହାରୁଛି କି ନାହିଁ ତାହା କାର୍ଯ୍ୟକ୍ରମ ହେଲେ ଜଣା ପଡିବ ।

ONA

Leave a Reply

Top