You are here
Home > ଅଧିକ ଖବର > ନବୀନଙ୍କ ଶାସନରେ ବିରୋଧୀ ନେତା ଲୀନ

ନବୀନଙ୍କ ଶାସନରେ ବିରୋଧୀ ନେତା ଲୀନ

ଭୁବନେଶ୍ୱର: ଡିସେମ୍ବର ୨୬, ୧୯୯୭ । ପିତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଜନତା ଦଳ ଗଠନ କଲେ ନବୀନ ପଟ୍ଟନାୟକ । ସେ ସମୟରେ କଂଗ୍ରେସ ଶାସନ ଚାଲିଥାଏ । ତେଣୁ ବିରୋଧୀ ଦଳ ଭାବେ ବିଜେଡିରୁ ପ୍ରଥମେ ରାମକୃଷ୍ଣ ପଟ୍ଟନାୟକ ଓ ପରେ ପ୍ରଫୁଲ୍ଲ ସାମଲ ହୋଇଥିଲେ ବିରୋଧୀ ଦଳ ନେତା । ହେଲେ ୨୦୦୦ ମସିହାରେ ବିଜେଡି କ୍ଷମତାକୁ ଆସିଲା । ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଶାସନ ଆରମ୍ଭ କଲେ । ସେବେଠାରୁ କଂଗ୍ରେସ ପତନର ମଞ୍ଜି ବୁଣା ହେଲା । ବିଜେପି ସହ ବିଜେଡି ମେଣ୍ଟ କରି ବିରୋଧୀ କଂଗ୍ରେସ ଦଳର ନବୀନ ସାମ୍ନା କଲେ ବିଧାନସଭାରେ । ନବୀନଙ୍କ ୧୭ବର୍ଷ ଶାସନରେ କେବଳ କଂଗ୍ରେସ ହି ରହିଛି ପ୍ରମୁଖ ବିରୋଧୀ ଦଳରେ । ଲଗାତର ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ସାମ୍ନା କରିଛନ୍ତି ୬ଟି ବିରୋଧୀ ଦଳ ନେତାଙ୍କୁ । ହେଲେ ନବୀନଙ୍କ ଶାସନ କାଳରେ ଯିଏ ବି ବିରୋଧୀ ଦଳ ନେତା ହୋଇଛନ୍ତି, ତାଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଲାଗିଛି ।
ନବୀନ ପ୍ରଥମ ଥର ଶାସନ କରିବା ସମୟରେ ବିରୋଧୀ ଦଳ ଥିଲେ ନୟାଗଡ ଜିଲ୍ଲା ରଣପୁରର ଟାଣୁଆ କଂଗ୍ରେସ ନେତା ରମାକାନ୍ତ ମିଶ୍ର । ୪ବର୍ଷ ପାଇଁ ବେଶ୍ ନବୀନଙ୍କ ବାହିନୀକୁ ପ୍ରତିହିତ କରିବାରେ ରମାକାନ୍ତ ସଫଳ ହେଲେ । କାରଣ ସେ ସମୟରେ କଂଗ୍ରେସର ବିଧାୟକ ସଂଖ୍ୟା ଥିଲେ ୨୬ । ହେଲେ ୨୦୦୪ରେ ରଣପୁରରୁ ପରାଜିତ ହେବା ପରେ ରମାକାନ୍ତ ଆଉ ରାଜନୀତିକୁ ଫେରି ନାହାନ୍ତି ରମାକାନ୍ତ । ଶୁଣା ଯାଉଥିଲା, ଭୁବନେଶ୍ୱର ମହର୍ଷି କଲେଜର ଛାତ୍ରସଂସଦ ସଭାପତି ଥିବା ତାଙ୍କ ପୁଅ ବିଭୁ ମିଶ୍ର ରାଜନୈତିକ ମଇଦାନକୁ ଓହ୍ଲାଇବେ । ହେଲେ ତାହା ହେଲାନି । ଏବେ ଲାଗୁଛି ଯେପରି ରମାକାନ୍ତ ମିଶ୍ରଙ୍କ ପରିବାର ରାଜନୀତିରୁ ଲୀନ ହୋଇଗଲେ ।
୨୦୦୪ରେ ଆରମ୍ଭ ହେଲା ନବୀନଙ୍କ ଦ୍ୱିତୀୟ ଇନିଙ୍ଗସ୍ । ବଢିଲା କଂଗ୍ରେସର ବିଧାୟକ ସଂଖ୍ୟା । ୩୮ବିଧାୟକଙ୍କୁ ନେଇ ବିରୋଧୀ ଦଳ ନେତା ହେଲେ ୩ ଥରର ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ । ଏହି ସମୟରେ ବିଜେପି ସହ ମେଣ୍ଟ ସରକାର ଥିବା ସତ୍ତ୍ୱେ, ଜାନକୀ ବାଣରେ ଘାଇଲା ହୋଇ ପଡୁଥିଲେ ନବୀନ । କାରଣ ତଥ୍ୟ ଓ ଓଡିଶାର ରାଜନୈତିକ ପାଣିପାଗକୁ ଜାନକୀ ବାବୁଙ୍କ ଠାରୁ ଭଲ ଭାବେ କେହି ଜାଣି ନଥିଲେ । ନବୀନ ବି ଓଡିଶା ଓ ରାଜନୀତିକୁ ନୂଆ । ୪ ବର୍ଷରୁ ଅଧିକ ସମୟ ଯାଏ ଜାନକୀଙ୍କ ସାମ୍ନା କରିବାକୁ ପଡିଲା ନବୀନଙ୍କୁ । ହେଲେ କଂଗ୍ରେସର ଚିରାଚରିତ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁ ବିଦା ହୋଇଥିଲେ ହେଭିୱେଟ୍ କଂଗ୍ରେସିଆ ଜାନକୀ ବାବୁ । ଆଉ ଚାରି ମାସ ପାଇଁ ବିରୋଧୀ ଦଳ ନେତା ହୋଇଥିଲେ ରାୟଗଡା କଂଗ୍ରେସର ଟାଣୁଆ ଆଦିବାସୀ ନେତା ରାମଚନ୍ଦ୍ର ଉଲାକା । ତେବେ ୨୦୦୪ରୁ ୨୦୦୯ ଭିତରେ ଥିବା ଦୁଇ ଜଣ ବିରୋଧୀ ଦଳ ନେତା ଜାନକୀବଲ୍ଲଭ ପଟ୍ଟନାୟକ ଓ ରାମଚନ୍ଦ୍ର ଉଲାକା ପ୍ରତ୍ୟକ୍ଷ ରାଜନୀତିରୁ ଲୀନ ହୋଇଗଲେ । ଉଲାକା ବାବୁ ୨୦୦୯ ନିର୍ବାଚନରେ ପରାଜିତ ହେବାର କିଛି ବର୍ଷ ପରେ ଇହଲୀଳା ତ୍ୟାଗ କଲେ । ଆଉ ଜାନକୀ ବାବୁଙ୍କୁ ତ ହାଇକାମଣ୍ଡ ୨୦୦୯ ନିର୍ବାଚନରେ ଲଢିବାକୁ ସୁଯୋଗ ଦେଲେନି । ଖାଲି ଥଇଥାନ କରିବା ପାଇଁ ଜାନକୀଙ୍କୁ ଆସାମ ରାଜ୍ୟପାଳ କରି ପ୍ରତ୍ୟକ୍ଷ ରାଜନୀତିରୁ ଦୂର ରଖିଲେ । ଶେଷରେ ୨୦୧୪ରେ ରାଜ୍ୟପାଳ କାର୍ଯ୍ୟକାଳ ସରିବା ପରେ ପରେ ହି ଜାନକୀ ବାବୁଙ୍କ ଦେହାନ୍ତ ହେଲା ।
୨୦୦୯ ନିର୍ବାଚନରେ କଂଗ୍ରେସକୁ ପୁଣି ମିଳିଲା ୨୬ ବିଧାୟକ । ବିରୋଧୀ ଦଳ ନେତା ହେଲେ ନର୍ଲା ବିଧାୟକ ଭୂପିନ୍ଦର ସିଂ । ୫ ବର୍ଷ ଯାଏ ନବୀନଙ୍କ ରାଜନୈତିକ ଓ ପାରିବାରିକ ଅସ୍ତିତ୍ୱକୁ ବିଧାନସଭାରେ ଭୂପିନ୍ଦର ସଂହାର କଲେ । ହେଲେ ୨୦୧୪ ନିର୍ବାଚନ ବିଜ୍ଞପ୍ତ ପ୍ରକାଶ ପାଇବା ପରେ ବିରୋଧୀ ଶିବିର ଛାଡି ବିଜେଡିରେ ଯୋଗ ଦେଇଥିଲେ ଭୂପିନ୍ଦର । ଆଶା ରଖିଥିଲେ ଯେ ବଡ ପଦ ପାଇବେ । ହେଲେ ରାଜ୍ୟସଭା ଉପ-ନିର୍ବାଚନରେ ୨ବର୍ଷ ପାଇଁ ସଂସଦର ଉପର ଗୃହକୁ ପଠାଇ ଭୂପିନ୍ଦରଙ୍କୁ ଲଲିପପ୍ ଦେଲେ ନବୀନ । କିଛି ଦିନ ତଳେ ଭୂପିନ୍ଦର ହାଉସିଂବୋର୍ଡ ଅଧ୍ୟକ୍ଷ ହେଲେ ସତ! ହେଲେ ଦିନେ ଟାଣୁଆ ବିରୋଧୀ ଦଳ ନେତା ଥିବା ଭୂପିନ୍ଦର ଏବେ କେବଳ ନବୀନଙ୍କ ଇସାରାରେ ଦଳୀୟ କାମ କରୁଛନ୍ତି । ଯାହା ତାଙ୍କୁ ଯେ କେବଳ କଳାହାଣ୍ଡି ରାଜନୀତିରୁ ନୁହେଁ, ବରଂ ପ୍ରତ୍ୟକ୍ଷ ନିର୍ବାଚନ ରାଜନୀତିରୁ ଆଉଟ୍ କରିଛି । ଭୂପିନ୍ଦରଙ୍କ ସ୍ଥାନରେ ତତ୍କାଳୀନ ଟିଟିଲାଗଡ଼ ବିଧାୟକ ସୁରେନ୍ଦ୍ର ସିଂ ଭୋଇ ୨ ମାସ ବିରୋଧୀ ଦଳ ନେତା ହେବାର ମଜ୍ଜା ପାଇଲେ ସତ, ହେଲେ ୨୦୧୪ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଲେ ।
ସେହିପରି ୨୦୧୪ ନିର୍ବାଚନରେ ମାତ୍ର ୧୬ବିଧାୟକ ଥିବା ସତ୍ତ୍ୱେ, ପ୍ରମୁଖ ବିରୋଧୀ ଦଳ ହେଲା କଂଗ୍ରେସ । ବଲାଙ୍ଗୀର ବିଧାନସଭାର ଭେଟେରାନ୍ ବିଧାୟକ ନରସିଂହ ମିଶ୍ର ବିରୋଧୀ ଦଳ ନେତା ହେଲେ । ତେବେ ୨୦୧୪ ପର ଠାରୁ କଂଗ୍ରେସର ଦଳୀୟ କନ୍ଦଳ ଉଗ୍ର ରୂପ ନେଇଛି । ଗତ ଅଗଷ୍ଟ ମାସରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ହୋଇ ବିଧାୟକ ସଂଖ୍ୟା ୧୫ ହୋଇଛି । ସୁବଳଙ୍କ ପତ୍ନୀ ବି କଂଗ୍ରେସ ଛାଡି ବିଜେଡିରେ ମିଶିଲେ । ଏଯାଏ ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସକୁ ପ୍ରାର୍ଥୀ ବି ମିଳିନି । ଆଉ ଯେପରି ପ୍ରଦେଶ କଂଗ୍ରେସ ସଭାପତି ପଦକୁ ନେଇ ଟଣାଟଣି ଚାଲିଛି, କିଛି ବିଧାୟକ କଂଗ୍ରେସ ଛାଡିବା ବି ଅସମ୍ଭବ ନୁହେଁ । ଏପରି ହେଲେ ଓଡିଶାରେ ବିରୋଧୀ ଦଳର ମାନ୍ୟତା ବି ହରାଇବ କଂଗ୍ରେସ । ସେପଟେ ନରସିଂହ ମଧ୍ୟ କହି ସାରିଛନ୍ତି ଯେ ୨୦୧୯ ନିର୍ବାଚନ ଲଢିବେନି । କାରଣ ତାଙ୍କ ବୟସ ୭୯ ହୋଇଯାଇଥିବ । ଏହି ପରିଣତ ବୟସରେ ପ୍ରତିନିଧିତ୍ୱ କରିବା ଠିକ୍ ହେବନି ବୋଲି ନରସିଂହଙ୍କ ମତ । ତେଣୁ ବର୍ତ୍ତମାନର ବିରୋଧୀ ଦଳ ନେତାଙ୍କ ରାଜନୈତିକ କ୍ୟାରିୟର ୨୦୧୯ରେ ଲୀନ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ନବୀନ ବାବୁଙ୍କ ପିତା ବିଜୁ ପଟ୍ଟନାୟକ ୧୪ ବର୍ଷ ବିରୋଧୀ ଦଳ ନେତା ଆସନରେ ରହିଲେ । ହେଲେ ପୁଅ ନବୀନ କେବେ ବି ବିରୋଧୀ ଦଳ ନେତା ହେବାର ମଜା ଚାଖି ନାହାନ୍ତି । ହେଲେ ଓଡିଶାର ରାଜନୈତିକ ପାଣିପାଗ ଯେପରି ବଦଳୁଛି  ବିରୋଧୀ ବିଜେପି ମଜଭୁତ ହେଉଛି । ଦେଖାଯାଉ, ୨୦୧୯ କିଏ ବିରୋଧୀ ଦଳ ନେତା ହେବ । ଆଉ କମୁଥିବା ନବୀନ ପତିଆରାରେ ବି କଣ ବିରୋଧୀ ଦଳ ନେତା ରାଜନୈତିକ ଲୀନ ହେବେ, ନା ନବୀନ ପଟ୍ଟନାୟକ ନିଜେ ବିରୋଧୀ ଦଳ ନେତା ହେବେ ତାହା ୨୦୧୯ରେ ସ୍ପଷ୍ଟ ହୋଇଯିବ ।

ONA

Leave a Reply

Top