You are here
Home > ଅଧିକ ଖବର > ନବୀନଙ୍କ ଇଶାରା

ନବୀନଙ୍କ ଇଶାରା

ମୁହଁ ଖୋଲିଲେ  ବିଜେପି ବିଧାୟକ । ମୋହର ମାରିଲେ ମଖ୍ୟମନ୍ତ୍ରୀ । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁକୁ ନିର୍ମାଣକୁ ନେଇ ଏମିତି ଏବେ ଚର୍ଚ୍ଚା । ପୋଲ ନିର୍ମାଣକୁ ନେଇ ନିଜ ଦଳର ପ୍ରଧାନମନ୍ତ୍ରୀଙ୍କୁ ବାର ବାର ସମାଲୋଚନା କରୁଛନ୍ତି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ । ପୋଲକୁ ପ୍ରସଙ୍ଗ କରି କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଟେଣ୍ଡର ପକ୍ରିୟା ଆରମ୍ଭ ପରେ ନବୀନଙ୍କ ଚିଠି ଲେଖା ଗୋଟିଏ ଗୁଳିରେ ଦୁଇ ଶୀକାର ବୋଲି କୁହାଯାଉଛି । ଏପରି କରି କୁଆଡେ ନବୀନ ଦିଲ୍ଲୀପଙ୍କ ଲାଗି ନିଜ ଦ୍ୱାର ଖୋଲା ବୋଲି ସୂଚନା ଦେଇଛନ୍ତି । ଏହା ସହ ପୋଲ ହେବାକୁ ବିଜେଡି ଚାହୁଁଛି ବୋଲି ବାର୍ତ୍ତା ଦେଇଛନ୍ତି ।
ଭୁବନେଶ୍ୱର, (ସାହସ ବୁ୍ୟରୋ): ବେଶ କିଛି ଦିନ ହେବ ରାଜ୍ୟ ରାଜନିତୀରେ  ଚର୍ଚ୍ଚାରେ ରାଉରକେଲା ବିଜେପି ବିଧାୟକ ଦିଲ୍ଲୀପ ରାୟ । ଆଉ ରାଉରକେଲା ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦ୍ୱିତୀୟ ସେତୁ । ହେଲେ ଏବେ ଏହି ଚର୍ଚାକୁ ଆଉ ପାଦେ ଆଗକୁ ନେଇଛି ମୁଖ୍ୟମନ୍ତ୍ରୀଙ୍କ ଚିଠି ।  ବ୍ରାହ୍ଣଣୀରେ ପୋଲ ନିର୍ମାଣରେ ବିଳମ୍ବ ନେଇ ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟ ବାର ବାର କେନ୍ଦ୍ରକୁ ଦୋଷ ଦେଉଛନ୍ତି । ଏମିତିକି ନିଜ  ଦଳର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର କେନ୍ଦ୍ରୀୟ ନେତାମାନଙ୍କୁ କଡ଼ା ସମାଲୋଚନା କରୁଛନ୍ତି ।ଏହା ଏବେ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର କାରଣ ହୋଇଛି । ଆଉ ଏହି ଚର୍ଚ୍ଚାକୁ ଆଉ ପାଦେ ଆଗକୁ ନେଇଛି ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପୋଲ ନିର୍ମାଣ ନେଇ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଚିଠି ଲେଖିବ । ନବୀନଙ୍କ ଚିଠିକୁ ନେଇ ବିରୋଧୀ ଦଳରେ ଥିବା ବିଧାୟକ  ଦିଲ୍ଲୀପ ରାୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ଆଉ ସେପଟେ ବିଜେପି ନବୀନଙ୍କ ଚିଠି ଲେଖାରୁ ରାଜନିତୀର ଗନ୍ଧ ବାରି ସମାଲୋଚନା କରିବା ଘଟଣାକୁ ନେଇ ଭୁବନେଶ୍ୱରରୁ ରାଉରକେଲା ଯାଏ ଆଲୋଚନା ଚାଲିଛି  । ଖବର ଦିଲ୍ଲୀରେ ପହଁଚିଛି ।
ଗତ କିଛି ଦିନ ହେଲା ବିଜେପିରେ ଆଉ ସେତେଟା ଗୁରୁତ୍ୱ ପାଉ ନାହାନ୍ତି ବିଜେପି ବିଧାୟକ ଦିଲ୍ଲୀପ ରାୟ । ଦଳୀୟ କାର୍ଯ୍ୟାଳୟରେ ବି ତାଙ୍କୁ ଆଉ ଦେଖିବାକୁ ମିଳୁନି । ଏମିତିକି ନିଜ ଦଳ,ଦଳର ନେତା ଓ ନିତୀକୁ ଖୋଲା ଖୋଲି ସମାଲୋଚନା କରିବା ସହ ନବୀନଙ୍କୁୁ ପ୍ରସଂଶା କରୁଛନ୍ତି ଦିଲ୍ଲୀପ ।  ତାଙ୍କର ଏପରି ଆଚରଣକୁ ନେଇ ସବୁଠି ଚର୍ଚ୍ଚା ଦିଲୀପ ଆଗକୁ ବିଜେଡିକୁ ଯିବେ । ଏତିକି ବେଳକୁ ଯେଉଁ ପ୍ରସଙ୍ଗକୁ ନେଇ ଦିଲ୍ଲୀପ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଛନ୍ତି ସେଇ ପ୍ରସଙ୍ଗକୁ ନେଇ ନବୀନ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଏପରି କରି ନବୀନ କୁଆଡେ ଦିଲ୍ଲୀପଙ୍କୁ କୋଳେଇ ନେବେ ବୋଲି ଇଶାରା କରିଛନ୍ତି ବୋଲି କୁହାଯାଉଛି ।
ବ୍ରାହ୍ମଣୀରେ ସେତୁ ନିର୍ମାଣ ନେଇ ବିଜେପି-ବିଜେଡି ମଧ୍ୟରେ ରାଜନୀତିକ ବିବାଦ ଦେଖାଦେଇଛି । ଦିଲ୍ଲୀପ ଏହି ପ୍ରସଙ୍ଗକୁ ନେଇ ନିଜ ଦଳ ସହ ଲଢ଼େଇ କରିବା ଆରମ୍ଭ କରିଦେଇଛନ୍ତି ।  ବିଜେପି ଯେତେବେଳେ କେନ୍ଦ୍ର ସରକାରଙ୍କ ତିନି ବର୍ଷ ପୂର୍ତ୍ତି ପାଳନ କରି ସଫଳତା ଗାଥା ଗାଇବାକୁ ଯାଉଛି, ସେ ସମୟରେ ଦିଲ୍ଲୀପ ନିଜ ସରକାରଙ୍କ ବିଫଳତାକୁ ପଦାରେ ପକାଇବା ଘଟଣାର ଗୁରୁତ୍ୱକୁ ଆହୁରି ବଢାଇ ଦେଇଛି । ହେଲେ କହିବା କଥା ହେଉଛି ଦଳ ଛାଡିବାକୁ ସୁଯୋଗ ଖୋଜୁଥିବା ଦିଲ୍ଲୀପ କୁଆଡେ ଜାଣିଶୁଣି ଏମିତି କରୁଛନ୍ତି ।
ଏହି ସମୟରେ ଏବେ ହଠାତ୍ ନବୀନ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ  ଚିଠି ଲେଖିବା ରାଜନୀତିକ ବାତାବରଣକୁ ଅଧିକ ଉଷ୍ମ କରିଛି  । ନବୀନ ତାଙ୍କ ଚିଠିରେ ଦ୍ୱିତୀୟ ପୋଲର ଆବଶ୍ୟକତା ବିଷୟରେ ଯୁକ୍ତି ଦର୍ଶାଇଛନ୍ତି । ବିଭାଗୀୟ ମନ୍ତ୍ରୀ ଭାବେ ଗଡ଼କରୀ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ସେତୁ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ନବୀନ ବର୍ତ୍ତମାନ ସମୟରେ ଚିଠି ଲେଖିବା ପଛରେ କୁହାଯାଉଛି, ବିଜେପି ଭିତରେ କଳିକୁ ଅଧିକ ତେଜିବା ପାଇଁ ଏପରି କରାଯାଇଛି । ଏହା ସହ ଦିଲ୍ଲୀପଙ୍କ ସମାଲୋଚନାକୁ ସମର୍ଥନ ଜଣାଇ ନବୀନ ପରୋକ୍ଷରେ ଦିଲ୍ଲୀପଙ୍କ ଲାଗି ତାଙ୍କ ଦଳର ବାଟ ଖୋଲା ବୋଲି ଇଶାର କରିଥାଇ ପାରନ୍ତି । ସେପଟେ ନବୀନଙ୍କୁ ଧନ୍ୟବାଦ ଜଣାଇ ଦିଲ୍ଲୀପ ବିଜେପି ନେତାଙ୍କ କଟା ଘାରେ ଚୂନ ମାରିବା ସହ ସେ ଦଳ ଛାଡିବାକୁ ପ୍ରସ୍ତୁତ ଥିବାବି ସୂଚାଇ ଦେଇଥିବା ଆଲୋଚନା ହେଉଛି ।  ନବୀନଙ୍କ କୁଆଡେ ଦ୍ୱିତୀୟ ଶୀକାର ହେଉଛି ନିଜର ବାହାଦୂରି ନେବା । ଏହାରି ଭିତରେ  ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଟେଣ୍ଡର ପ୍ରକ୍ରିୟା ଜୁନ ୫ରେ ଶେଷ ହେବା ଜାଣି କୁଆଡେ ଗଡକରୀଙ୍କୁ ଚିଠି ଲେଖି ମିଛ ବାହାବା ନେବାକୁ ସରକାର ବାହାରିଛନ୍ତି ବୋଲି ଚର୍ଚ୍ଚା । ବର୍ତ୍ତମାନ ବ୍ରାହ୍ମଣୀ ପୋଲ ନବୀନ ଓ ଦିଲ୍ଲୀପଙ୍କ ଭିତରେ ସଂପର୍କର ସେତୁ ପାଲଟିଥିବାନେଇ ଚାଲିଛି ଚର୍ଚ୍ଚା ।

ONA

Leave a Reply

Top