You are here
Home > ଅଧିକ ଖବର > ନବଙ୍କ ଗତି କୁଆଡ଼େ?

ନବଙ୍କ ଗତି କୁଆଡ଼େ?

ଝାରସୁଗୁଡା: ରାଜନୀତିରେ କେତେବେଳେ କ’ଣ ଘଟିବ ତାହା ଉପରେ ଭବିଷ୍ୟବାଣୀ କରିବା ମୁସ୍କିଲ । ତଥାପି ରାଜନୀତିରେ ଯେ ସବୁଦିନ ପାଇଁ କେହି କାହାର ମିତ୍ର ବା କେହି କାହାର ଶତ୍ରୁ ନୁହାନ୍ତି ତାହା କୁହାଯାଇପାରେ । ଝାରସୁଗୁଡାରେ ଇଣ୍ଡିଆନ୍ ଅଏଲର ବୃହତ ଟର୍ମିନାଲ ଉଦଘାଟନ ଉତ୍ସବରେ ଝାରସୁଗୁଡା ବିଧାୟକ ନବ ଦାସ ଯୋଗ ଦେବା ପରେ ଏମିତି ଚର୍ଚ୍ଚା ଏବେ ଝାରସୁଗୁଡାରେ ଜୋର ଧରିଛି । ଏମିତିବି ବିଗତ କିଛି ଦିନରୁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଝାରସୁଗୁଡା କଂଗ୍ରେସ ବିଧାୟକ ନବ ଦାସ । ଏପରିକି ନିଜ ବିରୋଧୀଙ୍କ ପାଖଲୋକ ହେବାକୁ କୌଣସି ବି ମୌକା ଛାଡନ୍ତିନି । ବିଜେଡିର କିଛି ବରିଷ୍ଠ, ନେତାଙ୍କୁ ପ୍ରଶଂସକ ବନାଇ ପାରିଛନ୍ତି । ତାଙ୍କର ବାକ୍ ଚାତୁରୀରେ ସେ କେତେବେଳେ କାହାକୁ ପ୍ରଶଂସା କରିବେ ଓ ତା ପଛରେ କଣ ରହିଛି ବଳିଷ୍ଠ ଯୁକ୍ତି ତାକୁ ମଧ୍ୟ ଦର୍ଶାଇ ସମସ୍ତଙ୍କ ବିଶ୍ୱାସର ପାତ୍ର ହେବାକୁ ସୁଯୋଗ ସୃଷ୍ଟି କରନ୍ତି । ଗତ ମଙ୍ଗଳବାର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାରସୁଗୁଡା ଗସ୍ତରେ ଯାଇଥିଲେ । ଝାରସୁଗୁଡାରେ ଇଣ୍ଡିଆନ୍ ଅଏଲର ବୃହତ ଟର୍ମିନାଲ ଉଦଘାଟନ ଅବସରରେ ମଞ୍ଚରେ ବସିଥିଲେ । ଧର୍ମେନ୍ଦ୍ରଙ୍କ ସହ ଉପସ୍ଥିତ ଥିଲେ ବିଜେଡି ସାଂସଦ ପ୍ରଭାସ ସିଂ, କଂଗ୍ରେସ ବିଧାୟକ ନବଦ ।ସ, ବିଜେପି ବିଧାୟିକା ରାଧାରାଣୀ ପଣ୍ଡା । ଅଏଲ ଟର୍ମିନାଲ ଉଦଘାଟନ ସମାରୋହରେ ସବୁଠୁ ଅଧିକ ରୋଚକ ରହିଥିଲା ବିଧାୟକ ନବ ଦାସଙ୍କ ଦ୍ୱାରା ଧର୍ମେନ୍ଦ୍ରଙ୍କୁ ପ୍ରଶଂସା । ପ୍ରଶଂସା ଏପରି ଥିଲା ଯେ ନବ ବାବୁ କହୁ କହୁ କହିଦେଲେ ମୋଦିଜୀଙ୍କୁ କିଛି କହିବା ପୂର୍ବରୁ ଧର୍ମେନ୍ଦ୍ରଙ୍କୁ କହିବା କଥା । ସେ ହେଉଛନ୍ତି ଜଣେ ଏପରି ନେତା ଯିଏ କେବଳ ଉନ୍ନୟନ କଥା ଚିନ୍ତା କରନ୍ତି, ଯିଏ ଚିନ୍ତା କରୁଥିବା ଯୋଜନାକୁ କାର୍ଯ୍ୟକାରୀ କରନ୍ତି । ଏପରି କହୁ କହୁ ଅନେକ ଦାବି ରଖିଲେ ସତେ ଯେପରି ଧର୍ମେନ୍ଦ୍ର ପୂରଣ କରିବେ । ନବ ବାବୁ ଆଉ ଗୋଟିଏ ପାଦ ଆଗକୁ ଯାଇ ତାଙ୍କ ନେତୃତ୍ୱାଧୀନ କଂଗ୍ରେସର ମହିଳା ସଭାନେତ୍ରୀଙ୍କ ଜରିଆରେ ଧର୍ମେନ୍ଦ୍ରଙ୍କୁ ଉପଢ଼ୌକନ ମଧ୍ୟ ଦେଇଥିଲେ । ଇଏତ ଗଲା ନବ ବାବୁଙ୍କ କଥା । ନବ ବାବୁଙ୍କ ଭାଷଣରେ ଉଲ୍ଲସିତ ହୋଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନପ୍ରତିନିଧିଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇ ସେମାନଙ୍କ ଆଟାଚି ବୋହିବେ ବୋଲି କହିଥିଲେ । ବିଧାନସଭା ଚାଲିଥିବା ସତ୍ତେ୍ୱ ନବ ବାବୁ ବିଧାନସଭାରେ ନ ରହି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଲେ । ଉତ୍ସବକୁ ସଫଳ କରିବାକୁ କାଳେ ନିଜ ଲୋକଙ୍କୁ ଆଗୁଆ ପଠାଇ ନିଜେ ସଭାମଞ୍ଚରେ ଅତିଥୀ ହୋଇ ବସିଲେ । ଏହାକୁ ନେଇ ଚର୍ଚ୍ଚା ଯେତିକି ତା ଠୁ ବେଶୀ ଚର୍ଚ୍ଚା ନବ ଦାସଙ୍କ ଭାଷଣକୁ ନେଇ । କେନ୍ଦ୍ରରେ କଂଗ୍ରେସ- ବିଜେପି ଭିତିରି ସଂପର୍କ ସମସ୍ତଙ୍କୁ ଜଣା । କଂଗ୍ରେସ ମୁକ୍ତ ଭାରତ ଆହ୍ୱାନ ଦେଇଛି ବିଜେପି । ଓଡିଶାରେ ବି ବିଜେପିର କଂଗ୍ରେସ ପ୍ରତି ସେଇ ସମାନ ଆଭିମୁଖ୍ୟ ରହିଛି । ହେଲେ ଏସବୁ ସତ୍ତେ୍ୱ ନିଜ ଦଳର ଏଜେଣ୍ଡାକୁ ଭୁଲି କଂଗ୍ରେସ ବିଧାୟକ ନବ ବାବୁ ଯେପରି ବିଜେପିକୁ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଶଂସା କଲେ ତାହା ଝାରସୁଗୁଡାର ପୁରୁଖା କଂଗ୍ରେସ ନେତା ଓ କର୍ମୀଙ୍କ ମନରେ ଆଘାତ ଦେଇଥିବା ଚର୍ଚ୍ଚା ହେଉଛି । ଏମିତି ବି କୁହାଯାଉଛି ନବ ବାବୁ କାଳେ କଂଗ୍ରେସକୁ ବାଏ ବାଏ କରିବାର ଏହା ହେଉଛି ପୂର୍ବ ସୂଚନା । ଏମିତିବି ଝାରସୁଗୁଡା ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସହ ନବ ବାବୁଙ୍କ ଭଲ ରାଜନୈତିକ ସଂପର୍କ ରହିଛି । କେବଳ ସେତିକି ନୁହେଁ ବିଧାନସଭାରେ ଏମଏସପି ସଂପର୍କରେ ଆଲୋଚନା ବେଳେ ଏଥିରେ ଭାଗ ନେଇଥିବା କଂଗ୍ରେସର ବିଧାୟକ ମାନେ ରାଜ୍ୟ ସରକାରଙ୍କୁ ଯେତିକି ସାମଲୋଚନା କଲେ ତା ଠୁ ଢେର ଅଧିକ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ । ହେଲେ ବିଧାୟକ ନବ ଦାସ ଗୃହରେ ଆଲୋଚନାରେ ଭାଗ ନେଇ କେନ୍ଦ୍ରକୁ କମ୍ ରାଜ୍ୟ ସରକାରଙ୍କୁ ବେଶୀ ସମାଲୋଚନା କଲେ । ନବ ବାବୁଙ୍କ ଏପରି ଆଚରଣକୁ ନେଇ ଭୁବନେଶ୍ୱରରୁ ରାଜଧାନୀ ଯାଏ ଚାଲିଛି ଚର୍ଚ୍ଚା । ନବ ବାବୁ କଂଗ୍ରେସକୁ ଧୋକ୍କା ଦେବାକୁ ଏମିତି ଯୋଜନା କରୁ ନାହାନ୍ତି ତ ।

ONA

Leave a Reply

Top