You are here
Home > ଅଧିକ ଖବର > ନଟୁ-କେଦାର ଫିକ୍ସିଂ

ନଟୁ-କେଦାର ଫିକ୍ସିଂ

ଭୁବନେଶ୍ୱର, (ଅମ୍ବୁଜ ବିଶୋଇ): ଓଡିଶା ରାଜନୀତିରେ ଏବେ ପିପିଲି ନିର୍ବାଚନ ମଣ୍ଡଳୀକୁ ନେଇ ଜୋରଦାର ଚର୍ଚ୍ଚା । ରାଜନୀତିର ମଇଦାନରେ ଦୁଇ ପାରମ୍ପରିକ ଶତ୍ରୁ ସମୟର ସ୍ରୋତରେ ଭାସି ଯାଇ ପାଲଟି ଯାଇଛନ୍ତି ବନ୍ଧୁ । ରାଜନୀତିରେ ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବା ଲାଗି ମହାରଥୀଙ୍କ ସହ ହାତ ମିଶାଇଛନ୍ତି କଂଗ୍ରେସର କେଦାର ସାମନ୍ତରାୟ । ନିକଟରେ ନଟୁ-କେଦାରଙ୍କ କୋଳାକୋଳିକୁ ନେଇ ସଚିବାଳୟରେ ବେଶ ଚର୍ଚ୍ଚା ହୋଇଥିଲା । କାରଣ ପିପିଲି ବ୍ଲକ ଅଧ୍ୟକ୍ଷ ପଦକୁ ନେଇ୧୯୮୪ ମସିହାରୁ ପ୍ରଦୀପ ମହାରଥୀ ଓ କେଦାର ଓରଫ ଯୁଧିଷ୍ଠିର ସାମନ୍ତରାୟଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା । ଏହି ବିବାଦ ପିପିଲିରେ ଅନେକ ମୁଣ୍ଡ ଗଡାଇଛି । ରକ୍ତାକ୍ତ ସଂଘର୍ଷରେ ଆହତ ହୋଇଛନ୍ତି ଅନେକ । ଗୁଳି ଫୁଟିଛି ଆଉ ବୋମା ବି ପଡିଛି । ଆଉ ଏହି ୩୩ ବର୍ଷର ଲଢେଇରୁ ପିପିଲି ପାଇଛି ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀର ମାନ୍ୟତା । ରାଜଧାନୀର ଉପକଣ୍ଠରେ ଥିବା ପିପିଲିି ନିର୍ବାଚନ ମଣ୍ଡଳୀକୁ ବିକାଶ ଯେତିକି ଛୁଇଁ ପାରିନି, ତା’ ଠାରୁ ଅଧିକ ନାଁ କମେଇଛି ଗଣ୍ଡଗୋଳ ଓ ବିଶୃଙ୍ଖଳା ପାଇଁ । ସାମାଜିକ ପ୍ରଦୂଷଣକୁ ନେଇ ଏଠାକାର  ଭୋଟର ବ୍ୟତିବ୍ୟସ୍ତ । ନଟୁ-କେଦାରଙ୍କ ଠାରୁ ମୁହଁ ଫେରାଇବାକୁ ଚିନ୍ତା କରୁଛନ୍ତି  ପିପିଲି-ଡେଲାଙ୍ଗ ଭୋଟର । ଆଉ ଏତିକିବେଳେ ଦୁଇ ନେତାଙ୍କ ବିକଳ୍ପ ଭାବେ ପିପିଲି ବାସୀଙ୍କ ଆଗରେ ଉଭା ହୋଇଛି ବିଜେପି ।
ପିପିଲିକୁ ଅକ୍ତିଆର କରିବା ପାଇଁ ଗୋଟି ଚଳାଇଛି ଭାରତୀୟ ଜନତା ପାର୍ଟି । କଂଗ୍ରେସର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ଆଶ୍ରିତ ଓରଫ ରିଙ୍କୁ ପଟ୍ଟନାୟକଙ୍କୁ କୋଳେଇ ନେଇଛି ବିଜେପି । ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଆସନରେ ୫୫ ହଜାର ଭୋଟ ହାତେଇଥିବା ବିଜେପି ୨୦୧୯ରେ ପିପିଲି ଅକ୍ତିଆର କରିବା ଲକ୍ଷ୍ୟରେ । ମାତ୍ର ଆରମ୍ଭରୁ ହିଁ ଝୁଣ୍ଟିଛି ଦଳ । ରାଜ୍ୟ ବିଜେପିର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କ୍ଷମତା ରାଜନୀତିରେ ପିପିଲିରୁ ହିଁ କ୍ୟାରିଅର ଆରମ୍ଭ କରିବାକୁ ଆଗ୍ରହୀ । ହେଲେ ଲେଖାଶ୍ରୀଙ୍କ ରେସରେ ରୋକ ଲଗାଇଛନ୍ତି ବିଜେପିରେ ସାମିଲ ହୋଇଥିବା ଆଶ୍ରିତ ପଟ୍ଟନାୟକ । କଂଗ୍ରେସ ସଂଗଠନର ସିନ୍ଧୁକରେ ହାତ ମାରି ରିଙ୍କୁଙ୍କ ଜରିଆରେ ପିପିଲି ହାତେଇବାକୁ ପ୍ଲାନ କରୁଥିବା ବିଜେପିରେ ଘରେ ନପଶୁଣୁ ଚାଳ ବାଜଲାଣି । ଦଳରେ ଦେଖାଦେଇଛି ଅନ୍ତଦ୍ୱର୍ନ୍ଦ୍ୱ । ରିଙ୍କୁଙ୍କୁ ଚେକ୍ ଦେଇଛନ୍ତି ବିକାଶ ପଟ୍ଟନାୟକ । ବିକାଶ ହେଉଛନ୍ତି ପୂର୍ବତନ ବିଧାୟକ ରାମଚନ୍ଦ୍ର ପଟ୍ଟନାୟକଙ୍କର ନାତି । ୧୯୫୭ରୁ ୧୯୬୧ ଯାଏଁ ସ୍ୱାଧୀନ ବିଧାୟକ ଓ ୧୯୬୧ରୁ ୧୯୬୭ ଯାଏଁ କଂଗ୍ରେସ ଟିକେଟରୁ ଲଢି ବିଧାୟକ ହୋଇଥିଲେ ରାମଚନ୍ଦ୍ର ପଟ୍ଟନାୟକ । ଡେଲାଙ୍ଗ ବ୍ଲକରେ ଏବେ ବି ରହିଛି ପଟ୍ଟନାୟକ ପରିବାରର ଦବ୍ଦବା । ତେଣୁ ରାମଚନ୍ଦ୍ରଙ୍କ ପରେ ପଟ୍ଟନାୟକ ପରିବାରରୁ ରାଜନୀତିକୁ ଲମ୍ଫ ଦେଇଛନ୍ତି ନାତି ବିକାଶ ପଟ୍ଟନାୟକ । କ୍ରୀଡା ସଂଗଠକ ଭାବେ ବେଶ ଜଣାଶୁଣା ବିକାଶ ୨୦୦୩ରୁ ବିଜେପି ସହ ଜଡିତ । ନିର୍ବାଚନ ଲଢିବା ପାଇଁ ରିୟଲ ଇଷ୍ଟେଟ୍ କାରବାର କରୁଥିବା ବିକାଶଙ୍କ ପାଖରେ ଅର୍ଥର ଅଭାବ ନାହିଁ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ସହ ସମ୍ପର୍କ ଥିବାରୁ ବିକାଶ ୨୦୧୯ରେ ବିଜେପି ଟିକେଟରେ ପିପିଲିରୁ ଲଢିବା ଲାଗି ଅଣ୍ଟା ଭିଡିଲେଣି । ସେପଟେ ପିସିସି ସଭାପତିଙ୍କ ଘନିଷ୍ଠ ରିଙ୍କୁ କଂଗ୍ରେସ ଛାଡିବା ପରେ ଏବେ ପୁଲ୍ ମୁଡରେ । ନିଜର ସ୍ୱଭାବ ଓ ଆଚରଣ ସହ ମିଠା କଥା କହି ଲୋକଙ୍କ ମନ ଜିଣିିବାରେ ମାହିର ରିଙ୍କୁ, ପିପିଲିରେ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା । ରିଙ୍କୁ ଓ ବିକାଶ ଦୁହେଁ ଏବେ ବିଜେପି କ୍ୟାମ୍ପରେ ଥିବାରୁ କାହାକୁ ଟିକେଟ୍ ମିଳିବ ତାହା କହିବା ମୁସ୍କିଲ । ମାତ୍ର ଏକଥା ସ୍ପଷ୍ଟ ଯେ ପିପିଲିରେ ନଟୁ-କେଦାରଙ୍କ ହିଂସାତ୍ମକ ରାଜନୀତିର ବିକଳ୍ପ ଭାବେ ଉଭା ହୋଇଥିବା ବିଜେପିର ଦୁଇ ଟିକେଟ ଆଶାୟୀ ପରସ୍ପର ବିରୋଧରେ ନିର୍ବାଚନ ଲଢିବା ଏକ ପ୍ରକାର ଥୟ ।
ଏତିକିବେଳେ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିକୁ ପରାଜିତ କରିଥିବା କେଦାର ସାମନ୍ତରାୟ ଏବେ କୁହାଳିଆ ବିଧାୟକ ପ୍ରଦୀପ ମହାରଥୀଙ୍କ ଶରଣାପନ୍ନ । ହିଂସାତ୍ମକ ରାଜନୀତିରେ ବିଶ୍ୱାସ ରଖିଥିବା ଏହି ଦୁଇ ନେତା ପିପିଲିରେ ବିଜେପିକୁ ପୂରାଇ ନଦେବାକୁ କାନ୍ଧ ମିଳାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ONA

Leave a Reply

Top