You are here
Home > ଅଧିକ ଖବର > ଦେଶ ଛାଡ଼ିବେ ଶ୍ରୀସନ୍ଥ

ଦେଶ ଛାଡ଼ିବେ ଶ୍ରୀସନ୍ଥ

ଉପସ୍ଥାପନା: ସମ୍ବ୍ରିତା ମହାନ୍ତି

୨୦୧୩ ମସିହା ଇଣ୍ଡିଆନ ପ୍ରିମିୟର ଲିଗ୍ ସଂସ୍କରଣରେ ରାଜସ୍ଥାନ ରୟାଲସ୍ ପାଇଁ ଖେଳୁଥିବା ଅର୍ନ୍ତଜାତୀୟ କ୍ରିକେଟ ଖେଳାଳି ସନ୍ଥକୁମାରନ ଶ୍ରୀସନ୍ଥଙ୍କ ସମେତ ୩ଜଣ ଖେଳାଳିଙ୍କ ବିରୋଧରେ ଉଠିଲା ସ୍ପଷ୍ଟ ଫିକସିଂ ଅଭିଯୋଗ । ଯେଉଁଥି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶୀସନ୍ଥଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦ କରିଥିଲା । ଏହାର ୨ବର୍ଷ ପରେ ଅର୍ଥାତ୍ ୨୦୧୫ ମସିହାରେ ଦିଲ୍ଲୀର ଏକ କୋର୍ଟ ଏମାନଙ୍କ ବିରୋଧରେ ଲାଗିଥିବା ଷ୍ପଟ ଫିକସିଂ ର୍ଚାର୍ଜକୁ ରଦ୍ଦ କଲା । ହେଲେ ବିସିସିଆଇ ଆଜୀବନ ବାସନ୍ଦ ଉଠାଇଲା ନାହିଁ ।
ଏନେଇ କେରଳ ହାଇକୋର୍ଟରେ ଆବେଦନ କଲେ ଶ୍ରୀସନ୍ଥ । ତେବେ ଅନେକ ଦିଗକୁ ତର୍ଜମା କରି ବାସନ୍ଦ ଆଦେଶ ହଟାଇବ ନାହିଁ ବୋଲି କେରଳ ହାଇକୋର୍ଟଙ୍କୁ ଜଣାଇଲା ବିସିସିଆଇ । ହେଲେ ଅନେକ ଯୁକ୍ତି ଓ ପ୍ରମାଣକୁ ଭିତ୍ତି କରି ଚଳିତ ମାସ କେରଳ ହାଇକୋର୍ଟ ଶ୍ରୀସନ୍ଥଙ୍କ ଉପରୁ କ୍ରିକେଟରୁ ଆଜୀବନ ବାସନ୍ଦ ଦଣ୍ଡାଦେଶ ଉଠାଇଲେ । କେରଳ ହାଇକୋର୍ଟର ବିଚାରପତି ମହମ୍ମଦ ମୁସ୍ତାକ୍ ଚଳିତ ମାସ ୭ତାରିଖରେ ବିସିସିଆଇର ସବୁ ଅଭିଯୋଗକୁ ଖଣ୍ଡନ କରି ଆଜୀବନ ବାସନ୍ଦ ଉପରେ ଅଙ୍କୁଶ ଲାଗଇଲେ । ହେଲେ ବିସିସିଆଇ  ଶ୍ରୀସନ୍ଥଙ୍କ ବିରୋଧରେ ପୁର୍ନବାର କୋର୍ଟକୁ ଯିବା ପାଇଁ ନିଷ୍ପତ୍ତି ନେଇଛି ।
ଅନ୍ୟପଟେ ବିସିସିଆଇ ଉପରେ ଶ୍ରୀସନ୍ଥ ଖପ୍ପା । ଯେଉଁ ବିସିସିଆଇ ଶ୍ରୀସନ୍ଥଙ୍କୁ କ୍ରିକେଟରୁ ଦୂରେଇବାକୁ ନିର୍ଣ୍ଣୟ ନେଇଥିଲା, ତାକୁ ଏବେ ଅଲବିଦା କହିବା ପାଇଁ ମନସ୍ଥ କରିଛନ୍ତି ଶ୍ରୀସନ୍ଥ । ତାଙ୍କୁ ନୋ ଅବଜେକସନ୍ ସାର୍ଟଫିିକେଟ୍ (ଏନଓସି) ପ୍ରଦାନ କରିବା ପାଇଁ କେରଳ ହାଇକୋର୍ଟଙ୍କ ପାଖରେ ଫେରାଦ୍ ହୋଇଛନ୍ତି । ପ୍ରଥମେ କେହି କିଛି ବୁଝି ପାରିଲେ ନାହିଁ । ପରେ ଜଣା ପଡିଲା ଯେ ସେହି ଏନଓସି ହେଉଛି ଭାରତ ଛାଡି ବାହାର ଦେଶର ପ୍ରତିନିଧିତ୍ୱ କରିବା ପାଇଁ । ସ୍କଟଲାଣ୍ଡର ଗ୍ଲେନରୋଥସ୍ କ୍ରିକେଟ କ୍ଲବ ପାଇଁ ଖେଳିବାକୁ ମନ ବଳାଇଛନ୍ତି ଶ୍ରୀସନ୍ଥ । କାରଣ ସେ ଭଲ ଭାବେ ଜାଣିଛନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଭାରତୀୟ ଦଳକୁ ଫେରିବା କାଠିକର ପାଠ । ପୁଣି ବିସିସିଆଇ ବି ତାଙ୍କ ବିପକ୍ଷରେ ଠିଆ ହୋଇଛି । ହେଲେ ରକ୍ତରୁ କ୍ରିକେଟକୁ ବି ଅଲବିଦା କହିବା ସହଜ ନୁହେଁ! ଏହି ସ୍ଥତିରେ ବିଦେଶରେ କ୍ରିକେଟ ଖେଳର ସ୍ପିରିଟ୍ ରକ୍ଷା କରିବା ଲକ୍ଷ୍ୟରେ ବୋଧେ ଶ୍ରୀସନ୍ଥ ଗତି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ONA

Leave a Reply

Top