You are here
Home > ବିଜିନେସ୍ > ତୈଳ,ଗ୍ୟାସ କ୍ଷେତ୍ରରେ ରୁଷ୍‌ ସହ ଚୁକ୍ତିନାମା

ତୈଳ,ଗ୍ୟାସ କ୍ଷେତ୍ରରେ ରୁଷ୍‌ ସହ ଚୁକ୍ତିନାମା

ଗୋଆ : ଅଷ୍ଟମ ବ୍ରିକ୍ସ ଶିଖର ସମ୍ମିଳନୀ ତଥା ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିବା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିମାନ ବନ୍ଦରରୁ ଭାରତ ପକ୍ଷରୁ ସ୍ୱାଗତ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ପ୍ରଧାନମନ୍ତ୍ରୀ ଓ ରୁଷିଆର ରାଷ୍ଟ୍ରପତି ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନାରେ ଭାରତର ପ୍ରତିନିଧିତ୍ୱ କରିବା ସହ ତୈଳ ଓ ଗ୍ୟାସ କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତିରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାକ୍ଷର କରିଥିଲେ । ଭାରତ ରୁଷିଆ ଦ୍ୱିପାକ୍ଷିକ ଆଲୋଚନାରେ ଭାରତ ପକ୍ଷର ସଦସ୍ୟ ଭାବେ ଭାରତ ଓ ରୁଷିଆ ମିଳିତ ସହଯୋଗରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଚାଲୁଥିବା କାର୍ଯ୍ୟର ସ୍ଥିତି ସମ୍ପର୍କରେ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ ରୁଷ୍‌ ତୈଳ କ୍ଷେତ୍ରରେ ଭନକର୍ନେଫ୍‌ଟର ୨୩.୯ ପ୍ରତିଶତ ଓ ଟାସ-ଯୁରାଖର ୨୯.୯ ପ୍ରତିଶତ ଭାରତର ରାଷ୍ଟ୍ରାୟତ୍ତ ତୈଳ ଉଦ୍ୟୋଗ ଆଇଓସିଏଲ ଓ ଓଆଇଏଲ୍‌ ଦ୍ୱାରା ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି । ଏହା ସହ ଓନଜିସି ବିଦେଶ ଲିମିଟେଡ଼ ଦ୍ୱାରା ରୋସନେଫ୍ଟ ଓଏଲ କମ୍ପାନୀର ୧୧ ପ୍ରତିଶତ ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟ ଚାଲିଛି । ଭାରତ ଓ ରୁଷିଆ ଉଭୟ ଦେଶର କ୍ୟାବିନେଟ ଏହି ପ୍ରକଳ୍ପ ପାଇଁ ମଞ୍ଜୁରୀ ଦେଇ ସାରିଛନ୍ତି । ଅକ୍ଟୋବର ୨୦୧୬ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସମ୍ଭାବନା ଥିବା ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ । ଦ୍ୱିପାକ୍ଷିକ ଶିଖର ବୈଠକରେ ଶ୍ରୀ ପ୍ରଧାନ ଭାରତର ପ୍ରତିନିଧି ଭାବରେ ୨୦୧୭-୧୮ ବର୍ଷ ପାଇଁ ଭାରତ-ରୁଷିଆ ଗ୍ୟାସ ଓ ତୈଳ ସହଯୋଗ ଚୁକ୍ତିକୁ ନିଜେ ସ୍ୱାକ୍ଷର କରିଥିଲେ । ରୁଷ୍‌ ତରଫରୁ ସେଠାକାର ଶକ୍ତି ମନ୍ତ୍ରୀ ଆଲେକ୍‌ଜାଣ୍ଡାର ନୋଭାକ ସ୍ୱାକ୍ଷର କରିଥିଲେ । ଏହାଛଡ଼ା ତୈଳ ଓ ଗ୍ୟାସ କ୍ଷେତ୍ରରେ ଆଉ ଦୁଇଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ରୁଷିଆରୁ ଭାରତ ଓ ଅନ୍ୟ ଦେଶକୁ ଗ୍ୟାସ ପାଇପଲାଇନ ପ୍ରକଳ୍ପ ଅନୁଧ୍ୟାନ କରିବା, ଭାରତ ଓ ରୁଷ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଶିକ୍ଷା ଓ ତାଲିମ ପାଇଁ ଓଏନଜିସି ବିଦେଶ ଓ ରୋନସେପ୍ଟ ତୈଳ କମ୍ପାନୀ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ତୈଳ ଓ ଗ୍ୟାସ କ୍ଷେତ୍ରରେ ଉଭୟ ଦେଶ ଆହୁରି ସହଯୋଗ କରିବା ସହ ମିଳିତ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଉଭୟ ଦେଶ ଏହି ଦ୍ୱିପାକ୍ଷିକ ବୈଠକରେ ସହମତି ପ୍ରକାଶ କରିଥିଲେ ।

ONA

Leave a Reply

Top