You are here
Home > ପଲିଟିକ୍ସ > ତୁଣ୍ଡି ଛିଣ୍ଡେଇଲେ

ତୁଣ୍ଡି ଛିଣ୍ଡେଇଲେ

ପୁଣି ନିଜ ତୁଣ୍ଡରୁ ତୁଣ୍ଡି ଛିଣ୍ଡେଇଛନ୍ତି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । ପଞ୍ଚାୟତ ନିର୍ବାଚନରେ ଦାମ ବାବୁଙ୍କୁ ଷ୍ଟାର କ୍ୟାମ୍ପେନର କରି ବିଜେଡି ସୁପ୍ରିମୋ ତାଙ୍କ ମୁହଁରୁୁ ଟିକେ ତୁଣ୍ଡି ଢିଲା କରିଛନ୍ତି କି ନାହିଁ, ଦାମ ବାବୁ କାଳେ ପୂରା ତୁଣ୍ଡି ଛିଣ୍ଡେଇ ଡେଉଁଛନ୍ତି । ଆଙ୍ଗୁଠି ଦେଖାଇଲେ ବାହା ଗିଳିବା ପରି ଏବେ ମନ୍ତବ୍ୟ ଦେଲେଣି ।  ମହାନଦୀ ପ୍ରସଙ୍ଗରେ ଦଳରୁ ଅଲୋଡା ହୋଇ ଦିନେ ମୁଖ୍ୟମନ୍ତ୍ରୀଙ୍କୁ ଇଙ୍ଗିତ କରୁଥିବା ଦାମ ବାବୁ ଗଣତନ୍ତ୍ର ଦିବସ ଉତ୍ସବରେ ସିଧା ମୋଦିଙ୍କୁ କଡା ଭାଷାରେ କହିବାକୁ ନେଇ ସବୁଠି ଜୋର ଚର୍ଚ୍ଚା । କାଳେ ନବୀନଙ୍କୁ ଖୁସି କରିବା ପାଇଁ ଦାମ ବାବୁ ଏମିତି କଡା କରି ଦୁଇ ପଦ କହିଥିବା କୁହାଯାଉଛି ।
ଭୁବନେଶ୍ୱର: ନିଜ ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବେ ପୁଣି ଥରେ ଆସିଛନ୍ତି ବିତର୍କ ଭିତରକୁ । ବିଭିନ୍ନ ସମୟରେ ସେ ତୁଣ୍ଡ ଖୋଲି ଝଡ ସୃଷ୍ଟି କରିଛନ୍ତି । ଆଉ ଏବେ ସେ ନିଜର ତୁଣ୍ଡ ଖୋଲି ହଲଚଲ କରିଛନ୍ତି । ଏଥର ନିଜ ଦଳ ନେତା କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ନୁହେଁ ବରଂ ନବୀନଙ୍କୁ ଖୁସି କରିବା ଲାଗି ତୁଣ୍ଡ ଖୋଲିଛନ୍ତି । ଶାଳୀନତାର ସୀମା ଲଂଘି ଜନରାଜ୍ୟ ଦିବସ ଉତ୍ସବରେ ଅଭିଭାଷଣରେ ଦାମ ବାବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବାକୁ ଯାଇ ତାଙ୍କୁ ନିଜକୁ ସମାଲୋଚିତ ହେବାକୁ ପଡିଛି ।
 ଗଣତନ୍ତ୍ରର ଏକ ବଡ ପର୍ବ ସାଧାରଣତନ୍ତ୍ର ଦିବସ । ଏହି ଉତ୍ସବ ଦଳୀୟ ରାଜନୀତି ଠାରୁ ଢେର ଊଦ୍ଧ୍ୱର୍ରେ । ହେଲେ ଏହି ଉତ୍ସବରେ ଦାମ ବାବୁଙ୍କ ପରି ଜଣେ ବରିଷ୍ଠ ମନ୍ତ୍ରୀଙ୍କ ମନ୍ତବ୍ୟ ବିଜେଡି ଛବିରେ ଦାଗ ଲଗାଇଛି ।  ପୁରୀ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ର ମୋଦିଙ୍କୁ ମନ ଭରି ଗାଳି ଦେଇଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ତାହା ପୁଣି ମହାନଦୀ ପ୍ରସଙ୍ଗରେ । ରାଜନୀତିରେ ସମାଲୋଚନା କରିବା ପାଇଁ କାହାରିକୁ ମନା ନାହିଁ । କିନ୍ତୁ ଏକ ରାଜନୈତିକ ସଭାରେ ସେ ସମାଲୋଚନା କରିଥଲେ ଏହାକୁ କେହି ଆଙ୍ଗୁଳି ଦେଖାଇ ନଥାନ୍ତେ । କିନ୍ତୁ ଦାମ ବାବୁ ଯେଉଁଭଳି ଢଙ୍ଗରେ ଜିଲ୍ଲାସ୍ତରୀୟ ଜନରାଜ୍ୟ ଦିବସ ଉତ୍ସବରେ ସରକାରୀ ଅତିଥି ଭାବେ ଯୋଗ ଦେଇ ଭାଷଣ ରଖିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଯାହା ଦାମ ବାବୁଙ୍କ ଭଳି ଅଭିଜ୍ଞ ନେତାଙ୍କ ପାଟିରେ ଶୋଭାପାଏନି ବୋଲି ଚର୍ଚ୍ଚା । ଦାମ ବାବୁ ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ବାବଦରେ ମନ୍ତବ୍ୟ ରଖିଲେ ତାହା ଭିନ୍ନ କଥା ହେଲେ ଯେଉଁ ସ୍ଥାନରେ, ଯେଉଁ ଉତ୍ସବରେ ସେ ଏହା କହିଲେ ତାହା ଠିକ ନଥିଲା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଦାମ ବାବୁ ସ୍ଥାନ କାଳ ପାତ୍ର ଭୁଲି ଯାଇ କହିଥିଲେ ପ୍ରଧାନମନ୍ତ୍ରୀ ସାମ୍ବିଧାନିକ ବ୍ୟବସ୍ଥାରେ ବିରୋଧାଚରଣ କରିଛନ୍ତି ।  ସାଧାରଣତନ୍ତ୍ର ଦିବସରେ ସମ୍ବିଧାନ, ଦେଶପ୍ରେମ, ବଳିଦାନର ଗାଥା କୁହାଯାଇଥାଏ । ଦେଶ ଓ ରାଜ୍ୟ ପ୍ରଗତିର କଥା ବି ଆଲୋଚନା ହୁଏ । ହେଲେ ଦାମ ବାବୁ ଏସବୁ ଭୁଲି ସିଧା ପ୍ରଧାନମନ୍ତ୍ରୀଙ୍କୁ ରାଜନୈତିକ ଉଦେ୍ଦଶ୍ୟ ରଖି ନିଜ ଭାଷଣରେ ସମାଲୋଚନା କଲେ । ଏକଥା ଏବେ କେବଳ ରାଜ୍ୟରେ ନୁହେଁ ଜାତୀୟ ସ୍ତରରେ ବି ପହଞ୍ଚିଛି । ଜାତୀୟ ସ୍ତରରେ ଏପରି ଖବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚିତ କରିଛି । ସାଧାରଣତନ୍ତ୍ର ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କୁ ଦାମ ବାବୁ ରାଜନୈତିକ ଭାଷାରେ ଗାଳି କରିବାକୁ ନେଇ ଉଠିଛି ପ୍ରଶ୍ନ । ଦାମ ବାବୁଙ୍କ କହିବା ପଛରେ ନବୀନଙ୍କ ଇଙ୍ଗିତ ରହିଥିଲା କି ବୋଲି ମଧ୍ୟ ଆଲୋଚନା ଚାଲିଛି ।  ଯାହାକି ବିଜେଡି ଓ ନବୀନଙ୍କ ଭାବମୂର୍ତ୍ତି ପ୍ରତି ଅଙ୍ଗୁଳି ଉଠାଇବାକୁ ଖୋରାକ ଯୋଗାଇଛି ।
ଯେଉଁ ମହାନଦୀ ପ୍ରସଂଗରେ ଦାମ ବାବୁ ସିଧାସିଧା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସେଇ ପ୍ରସଙ୍ଗରେ ସେ ଉଭୟ ରାଜ୍ୟ ସରକାର ଓ ବିଜେଡିରେ ଅଲୋଡା ଥିଲେ । ମହାନଦୀ ପ୍ରସଂଗରେ ତୁଣ୍ଡ ଖୋଲିବାକୁ ତାଙ୍କୁ ସୁଯୋଗ ଦିଆଯାଉ ନଥିଲା । ଏମିତିିକି  ଭୁବନେଶ୍ୱରର ଇପିକଲ ଅଡିଟୋରିୟମରେ ବିଜେଡି ସଭାରେ ଦାମ ବାବୁଙ୍କୁ କହିବାକୁ ନ ଦେଇ ନିଜର କଡା ଆଭିମୁଖ୍ୟ ଦେଖାଇଥିଲେ ନବୀନ । ହେଲେ ଏସବୁକୁ କଣ ଦାମ କଣ ଭୁଲିଗଲେକି ବୋଲି ଅନେକ ପ୍ରଶ୍ନ କରୁଛନ୍ତି । ସେପଟେ ବିଜେଡିର କିଛି ନେତା ବି ଖୋଲାଖୋଲି କହୁଛନ୍ତି ଏହି ଗୁଣରୁ କୁଆଡେ ଦାମ ବାବୁଙ୍କୁ ପୂର୍ବରୁ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରୁ ଦୂରେଇ ରଖାଯାଇଥିଲା । ତଥାପି ଦାମ ବାବୁ ତାକୁ ହେଜିଲେ ନାହିଁ ।

ONA

Leave a Reply

Top