You are here
Home > ଅଧିକ ଖବର > ତରାଇଙ୍କ ସପୋର୍ଟରେ ଆଇଏଏସ

ତରାଇଙ୍କ ସପୋର୍ଟରେ ଆଇଏଏସ

ଭୁବନେଶ୍ୱର,(ସଞ୍ଜୟ ପ୍ରଧାନ): କେନ୍ଦ୍ରାପଡା ବିଧାୟକ କିଶୋର ତରାଇ ଏବେ ଜଣେ ଚର୍ଚ୍ଚିତ ନାଁ । ନିର୍ବାଚନୀ ଜାଲିଆତି ଅଭିଯୋଗରେ ଛନ୍ଦି ହୋଇ ପଡିଛନ୍ତି ତରାଇ ବାବୁ । ଦୁଇ-ଦୁଇ ଥରର ବିଜେଡି ବିଧାୟକ ତରାଇ ମହାଶୟଙ୍କୁ କାଁଭାଁ ଲୋକେ ଚିହ୍ନି ଥିବେ । ହେଲେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ଏକ ପରିଚିତ ଚେହେରା । ପ୍ରଥମେ ନିଜ ପତ୍ନୀ କବିତା ବେହେରା ଓରଫ ବବିତା ତରାଇଙ୍କୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା କରିବା ପାଇଁ ପେଣ୍ଠପାଳ ପଞ୍ଚାୟତର ଅନ୍ୟ ସମିତି ସଭ୍ୟା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ପ୍ରତ୍ୟାହର ନେଇ ଜାଲିଆତି କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଲା । ପଞ୍ଚାୟତ ନିର୍ବାଚନରେ କିଶୋରଙ୍କ ସ୍ତ୍ରୀଙ୍କର ଜାଲିଆତି ବିରୋଧରେ ସ୍ୱର ଉଠୁ ଉଠୁ ଆଳୁ ଖୋଳୁ ଖୋଳୁ ମହାଦେବ ପରି ତାଙ୍କ ସତ୍ୟପାଠକୁ ନେଇ ବିବାଦ ବି ମୁଣ୍ଡ ଟେକିଛି । ଖୋଦ କିଶୋର ଲଢିଥିବା ଦୁଇ ଦୁଇଟି ୨୦୦୪ ଓ ୨୦୧୪ ବିଧାନସଭା ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ଭିନ୍ନ ଭିନ୍ନ ନାଁ ।  
କିଶୋରଙ୍କ ପତ୍ନୀଙ୍କ ବିରୋଧରେ ନିର୍ବାଚନ ଲଢୁଥିବା ସମିତିସଭ୍ୟ ପ୍ରାର୍ଥୀମାନେ ଆଣିଲେ ସଙ୍ଗୀନ ଅଭିଯୋଗ । ଦସ୍ତଖତରେ ଜାଲିଆତି କରି ବିଧାୟକ ତରାଇ ଦୁଇ ଜଣ ଦଳିତ ମହିଳା ପ୍ରାର୍ଥୀଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିବା ଅଭିଯୋଗ ଉଠିଲା । କଂଗ୍ରେସ ରାଜ୍ୟ ନିର୍ବାଚନ କମିସନଙ୍କ ପାଖରେ ଫେରାଦ ହେଲା । କେନ୍ଦ୍ରାପଡାରେ ବିକ୍ଷୋଭ ହେଲା । ହେଲେ ଶାସକ ଦଳ ନିଦାବିଷ୍ଣୁ । ଥରେ ବି ବିଜୁ ଜନତା ଦଳର ପାୱାର କରିଡର କିଶୋରଙ୍କୁ କୈଫିୟତ ତଲବ କଲେ ନାହିଁ । ଓଲଟି କିଶୋରଙ୍କୁ ଦେଲେ ନିରବ ସମର୍ଥନ । ଏହା ପରେ ଦେଖା ଗଲା ଯେ କିଶୋର ନିଜେ ଦୁଇ ଦୁଇ ଥର ନିର୍ବାଚନ ଲଢିବା ପାଇଁ ଦାଖଲ କରିଥିବା ସତ୍ୟପାଠରେ ଭିନ୍ନ ଭିନ୍ନ ନାଁ ଦର୍ଶାଇଛନ୍ତି । ୨୦୧୪ ବିଧାନସଭା ନିର୍ବାଚନ ସତ୍ୟପାଠରେ ଡିପୋନେଣ୍ଟ ସ୍ଥାନରେ କିଶୋର ତରାଇ ବଦଳରେ ଲେନିନ୍ ନାୟକ ଦସ୍ତଖତ କରାଯାଇଛି । ହେଲେ ତଳେ ଦସ୍ତଖତ କିଶୋର ତରାଇଙ୍କ ରହିଛି । ଏହା ବିରୋଧରେ ବିଜେପି ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି । ହେଲେ ଏଠାରେ ବି ବିଜେଡି ନୀରବ ।
କିଚକ ବାହୁବଳେ ବିରାଟ ରାଜା
କିଶୋରଙ୍କ ପ୍ରତି ଏତେ ଅନୁକମ୍ପା କାହିଁକି? ଯେଉଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିର ଛିଟା ଯୋଗୁ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଅନୁଗତମାନଙ୍କୁ ଦଳରୁ ଜଣେ ପରେ ଜଣଙ୍କୁ ବିଦା କଲେ, ସେ କିଶୋରଙ୍କ ପାଇଁ ଏତେ ଦରଦ କାହିଁକି ଦେଖାଉଛନ୍ତି? ଏ ପ୍ରଶ୍ନର ଗୋଟାଏ ଉତ୍ତର । କିଶୋରଙ୍କ ଉପରେ ରହିଛି ରାଜ୍ୟ ପ୍ରାଶାସନିକ ପାୱାର କରିଡରର ଆଶୀର୍ବାଦ । ଶୁଣିବାକୁ ମିଳିଛି, ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ଅଣ-ଓଡିଆ ପ୍ରାଶାସନିକ ପରାମର୍ଶଦାତାଙ୍କ ପରିବାର ସହ କିଶୋରଙ୍କ ସଂପର୍କ ନିବିଡ । ଏହି ପ୍ରଶାସକ ସିନା ଅଣ-ଓଡିଆ, ହେଲେ ତାଙ୍କ ପତ୍ନୀ କିଶୋରଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇର ବାସିନ୍ଦା ବୋଲି ଶୁଣିବାକୁ ମିଳିଛି । ଅଣ-ଓଡିଆ ପ୍ରଶାସନିକ ଅଧିକାରୀଙ୍କ ପତ୍ନୀ ବି ଜଣେ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ  । ସେହି ମ୍ୟାଡାମ୍ ଓ କିଶୋରଙ୍କ ସନ୍ତାନ ମଧ୍ୟ ଭୁବନେଶ୍ୱରରେ ପଟିଆସ୍ଥିତ ଏକ ଇଂଲିସ ମିଡିୟମ ସ୍କୁଲରେ ପଢନ୍ତି । ମ୍ୟାଡାମଙ୍କ ଗାଁରେ କୁଆଡେ କିଶୋର ତରାଇ ବିକାଶର ସମସ୍ତ ମଞ୍ଜି ପୋତି ଦେଇଛନ୍ତି । ଯେଉଁଥିପାଇଁ ମ୍ୟାଡାମଙ୍କ ଭାଇଆଳୀ ପରି କିଶୋର । ଆଉ ଭଉଣୀ ବି ନିଜ ସ୍ୱାମୀଙ୍କ ପାଖରେ ଭାଇ ତରାଇଙ୍କ ପାଇଁ ଲବି କରିଥିବା ଶୁଣିବାକୁ ମିଳିଛି । ତାଙ୍କ ପ୍ରଶାସକ ସ୍ୱାମୀ ବିଜେଡି ମହଲରେ ଫିୟର ଫ୍ୟାକ୍ଟର । ଯେଉଁଥିପାଇଁ କୁଆଡେ କିଶୋରଙ୍କୁ ବିରୋଧ କରୁଥିବା କିଛି ବିଜେଡି ନେତା ବି ଚୁପ୍ ବସିଛନ୍ତି । ପରଦା ପଛରେ ବସି ସିନା ମନ୍ତ୍ରଣା କରୁଛନ୍ତି, ହେଲେ କିଶୋରଙ୍କ ପ୍ରାଶାସନିକ ଭିଣୋଇଙ୍କ ଭୟରେ ପରଦା ବାହାରକୁ ଆସୁ ନାହାନ୍ତି । ନବୀନଙ୍କ ପାଇଁ କିଶୋରଙ୍କ ପରି ଅନେକ ନେତା ଅଛନ୍ତି । ଯାହାକୁ ଚାହିଁବେ କେନ୍ଦ୍ରାପଡାରୁ ପ୍ରାର୍ଥୀ କରି ପାରିବେ! ହେଲେ ସମସ୍ତେ ଭଲ ଭାବେ ଜାଣନ୍ତି ଯେ ନବୀନ ବାବୁ ତାଙ୍କର ଏହି ବିଶ୍ୱସ୍ତ ପ୍ରାଶାସନିକ ସେନାପତିଙ୍କ ସୁପାରିଶକୁ ଅଗ୍ରାହ୍ୟ କରନ୍ତି ନାହିଁ । ଯାହା ହେଉ, ବିଜୁ ଅମଳର ଏତେ ନେତା ନବୀନଙ୍କ କଳା ଶିଖି ପାରିଲେନି । ହେଲେ କିଚକ ବାହୁବଳେ ବିରାଟ ରାଜାଙ୍କ ପରି ଆଇଏଏସ୍ ଅଧିକାରୀଙ୍କ ସପୋର୍ଟରେ କିଶୋର ବାବୁ ନବୀନଙ୍କ କୋପରୁ ବର୍ତ୍ତିୁଛନ୍ତି ।

ONA

Leave a Reply

Top