You are here
Home > ଏକ୍ସକ୍ଲୁସିଭ୍ > ତଡା ଖାଇବେ

ତଡା ଖାଇବେ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ବିଜେଡି ମଧ୍ୟରେ ଛକାପଞ୍ଝା ଏବେ ନିର୍ଣ୍ଣାୟକ ମୋଡ଼ରେ ପହଂଚିଛି । କିନ୍ତୁ କେଉଁ ଆଧାରରେ ତାଙ୍କ ବିରୋଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତା’ର ବାଟ ବିଜେଡି ପାଉନି । ଯେଉଁଥିପାଇଁ ଗଣମାଧ୍ୟମରେ ବୈଜୟନ୍ତ ପ୍ରସଙ୍ଗକୁ ଚର୍ଚ୍ଚାରେ ରଖି ଚାପ ସୃଷ୍ଟି କରିବା ନିମନ୍ତେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀର ନେତାଙ୍କୁ ଆଣି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ପରେଡ୍ କରାଯାଉଛି । ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ‘ପ୍ଲଟ୍’ ପ୍ରସ୍ତୁତ କରାଯାଉଛି । ତଥାପି ଏହି କାର୍ଯ୍ୟାନୁଷ୍ଠାନ କାଳେ ଦଳ ପାଇଁ ବୁମେରାଂ ହେବ, ସେହି ଆଶଙ୍କାରେ ବିଜେଡି ଏବେ କେବଳ ସମୟ ଗଡ଼ାଇବାରେ ଲାଗିଛି ବୋଲି ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି ।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସାଂସଦ ବୈଜୟନ୍ତ ପଣ୍ଡା ଏପର୍ଯ୍ୟନ୍ତ ଦଳର ସୁପ୍ରିମୋଙ୍କ ପ୍ରତି ସିଧାସଳଖ କୌଣସି ଆକ୍ଷେପମୂଳକ ମନ୍ତବ୍ୟ ଦେଇନାହାନ୍ତି । କିମ୍ବା ତାଙ୍କର କାର୍ଯ୍ୟଶୈଳୀ ପ୍ରତି ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିନାହାନ୍ତି । ତୃତୀୟ ମହଲାର ଜଣେ ଅଣଓଡ଼ିଆ ଅଫିସର୍ଙ୍କୁ ଟାର୍ଗେଟ୍ କରି ଶ୍ରୀ ପଣ୍ଡା ପରୋକ୍ଷରେ ସୁପ୍ରିମୋଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ବିଜେଡିରେ ଅନେକ ନେତା ଏବେ ଶ୍ରୀ ପଣ୍ଡା ଉଠାଇଥିବା ପ୍ରସଙ୍ଗକୁ ସ୍ୱୀକାର କରୁଥିଲେ ମଧ୍ୟ ଖୋଲାଖୋଲି ଭାବେ କହିବା ପାଇଁ ସାହାସ କରିପାରୁନାହାନ୍ତି । କିନ୍ତୁ ଶ୍ରୀ ପଣ୍ଡା ମୁହଁ ଖୋଲିବା ପରେ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାର ସିଂହ, ନବୀନ ନନ୍ଦ ଓ ବୈଷ୍ଣବ ପରିଡ଼ାଙ୍କ ଭଳି ନେତାମାନେ ଦଳର ପରିଚାଳନା ଶୈଳୀ ଉପରେ ପ୍ରଶ୍ନ ଉଠାଇବାକୁ ସାହସ ଜୁଟାଇ ପାରିଥିଲେ । ଇତିମଧ୍ୟରେ ବିଜେପିରେ ସାମିଲ ହୋଇ ରମା ପରୋକ୍ଷରେ ବିଜେଡି ନିମନ୍ତେ ଏକ ସତର୍କ ଘଂଟି ବଜାଇସାରିଛନ୍ତି । ବିଜେଡିରେ ରାଜନୀତିକ କ୍ୟାରିୟରକୁ ଆଗେଇ ନେବାରେ ସମସ୍ୟା ଥିଲେ ବିକଳ୍ପ ଭାବେ ରାଜ୍ୟରେ ବିଜେପି ରହିଛି ବୋଲି ସେ ସନ୍ଦେଶ ଦେଇସାରିଛନ୍ତି । ଏସବୁ ଭିତରେ ଦଳ ଭିତରେ ଶ୍ରୀ ପଣ୍ଡା ଉଠାଇଥିବା ପ୍ରସଙ୍ଗ ଯଥାର୍ଥ ବୋଲି ଅନେକ ନେତାଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ଲାଗିରହିଛି । ଏହାଛଡ଼ା ସାଂସଦ ପାଣ୍ଠିର ଦୁରୂପଯୋଗକୁ ନେଇ କେନ୍ଦ୍ରାପଡ଼ା ବିଜେଡି ନେତାମାନେ ଯେଉଁ ଯୁକ୍ତି ରଖୁଛନ୍ତି ସେଥିରେ ବି ସତ୍ୟତା ରହୁନି । ଏସବୁ ଭିତରେ କିଛି ହାତଗଣତି ନେତାଙ୍କ ଇସାରାରେ ଯଦି ଶ୍ରୀ ପଣ୍ଡାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତାହା ଦଳ ପାଇଁ ଆଗାମୀ ଦିନରେ ଅଧିକ କ୍ଷତିକାରକ ହେବ ବୋଲି ବିଜେଡି ନେତୃତ୍ୱ ଆଶଙ୍କା କରୁଛି । ଶ୍ରୀ ପଣ୍ଡାଙ୍କୁ ଦଳ ଗତ ୩ବର୍ଷ ହେଲା ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରଖିଥିଲେ ମଧ୍ୟ ଏବେ ହଠାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହା ତାଙ୍କ ପାଇଁ ‘ବରଦାନ’ ଓ ବିଜେଡି ପାଇଁ କ୍ଷତି ସାବ୍ୟସ୍ତ ହୋଇପାରେ । ଶ୍ରୀ ପଣ୍ଡାଙ୍କ ହାତରେ ରାଜ୍ୟର ଏକ ବୃହତ୍ ଟିଭି ଚ୍ୟାନେଲ ରହିଥିବାରୁ ସେ ତା’ର ଫାଇଦା ଉଠାଇ ଲୋକଙ୍କ ନିକଟରେ ନିଜ ପାଇଁ ସହାନୁଭୂତି ସଂଗ୍ରହ କରିପାରିବାର ସମ୍ଭାବନା ବି ଅଧିକ ରହିଛି । ଶ୍ରୀ ପଣ୍ଡା ଓ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ମଧ୍ୟରେ ସମ୍ପର୍କ ଆଉ ଲୁଚାଛପା ନାହିଁ । କିନ୍ତୁ ଏହାକୁ ପ୍ରମାଣିତ କରିବା ନିମନ୍ତେ ବିଜେଡି ପାଖରେ କୌଣସି ପର୍ଯ୍ୟାପ୍ତ ତଥ୍ୟ ବି ନାହିଁ । ସୂଚନା ଅନୁସାରେ ଶ୍ରୀ ପଣ୍ଡା ଏବେ ବିଜେପି ଇସାରାରେ ରାଜ୍ୟରେ ବିଜେଡିକୁ କ୍ଷତି କଲା ଭଳି ଆଭିମୁଖ୍ୟ ଆପଣାଇଛନ୍ତି । ବିଜେଡିର ‘କ୍ଷମତାକେନ୍ଦ୍ର’କୁ ଟାର୍ଗେଟ୍ କରି ତାଙ୍କୁ ମାନସିକସ୍ତରରେ ଦୁର୍ବଳ କରାଗଲେ ତା’ର ପ୍ରତିକୂଳ ପ୍ରଭାବ ବିଜେଡି ଉପରେ ପଡ଼ିବ ଓ ବିଜେପିକୁ ଏହାର ପରୋକ୍ଷ ଫାଇଦା ମିଳିବ । ଶ୍ରୀ ପଣ୍ଡା ବିଜେଡିରେ ରହି ହିଁ ଦଳ ଭିତରେ ନିଜ ପାଇଁ ସହାନୁଭୂତି ସଂଗ୍ରହର ରଣନୀତିକୁ ବାସ୍ତବ ରୂପ ଦେବାରେ ଲାଗିଛନ୍ତି । ବିଜେଡି ଏସବୁ ଅନୁଭବ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ ହୋଇପାରୁନି । ଏବେ ଦଳର କୋର୍ ଟିମ୍ରେ ଥିବା ସଦସ୍ୟମାନେ ଶ୍ରୀ ପଣ୍ଡାଙ୍କ ବିରୋଧରେ ଜନମତ ସୃଷ୍ଟି ପାଇଁ ଆବଶ୍ୟକ ପ୍ରୟାସରେ ଲାଗିପଡ଼ିଛନ୍ତି । ଅନ୍ୟପକ୍ଷରେ ସାଂସଦ ଶ୍ରୀ ପଣ୍ଡା ମଧ୍ୟ ଦଳ ଭିତରେ ଅଣଦେଖା ହୋଇ ରହିଥିବା ରାଜ୍ୟର ବିଭିନ୍ନ ଭାଗରେ ଥିବା ଆଗଧାଡ଼ିର କର୍ମୀ ଓ ନେତାମାନଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି । ଏପରିକି କିଛି ବରିଷ୍ଠ ନେତାଙ୍କ ସହ ମଧ୍ୟ ଶ୍ରୀ ପଣ୍ଡା ଯୋଗସୂତ୍ରରେ ରହିଛନ୍ତି । ଯାହାର ଖବର ବିଜେଡି ସୁପ୍ରିମୋଙ୍କୁ ମିଳିବା ପରେ ଦଳରେ ବଡ଼ଧରଣର ଫାଟ ଆଶଙ୍କା କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ବାଚନ ହେବା ପର୍ଯ୍ୟନ୍ତ ସମୟ ଗଡ଼ାଇବାକୁ ଚାହୁଁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । କିନ୍ତୁ କୋର୍ ଟିମ୍ର ସଦସ୍ୟମାନେ ଶ୍ରୀ ପଣ୍ଡାଙ୍କ ବିରୋଧରେ ଜାନୁୟାରୀ ୨୭ତାରିଖ ପରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କର୍ମୀମାନଙ୍କ ନୈତିକ ଉତ୍ସାହକୁ ବୃଦ୍ଧି ନିମନ୍ତେ ଚାପ ପକାଉଛନ୍ତି । ଏସବୁ ଭିତରେ ବିଜେଡି ସୁପ୍ରିମୋଙ୍କ ପରବର୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।

ONA

Leave a Reply

Top