You are here
Home > ସ୍ପୋର୍ଟସ୍ > ଡରିଗଲେ ଶଶାଙ୍କ

ଡରିଗଲେ ଶଶାଙ୍କ

ଭୁବନେଶ୍ୱର: ବିସିସିଆଇକୁ ସର୍ବାଧିକ ସଫଳ କରାଇଥିବା ଶଶାଙ୍କ ମନୋହର ବିଫଳତାକୁ ନେଇ ଡରିଗଲେ । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ସାମ୍ବିଧାନିକ ଓ ଆର୍ଥିକ ସଂସ୍କାର ଆଣିବା ଲାଗି ସ୍ୱାଧିନ ଅଧ୍ୟକ୍ଷ ଶଶାଙ୍କ ପ୍ରାଣମୂଚ୍ଛା ଉଦ୍ୟମ କରିଥିଲେ । କିନ୍ତୁ ସବୁ କିଛି ଫସର ଫଟିଗଲା । ଆସନ୍ତା ଏପ୍ରିଲରେ ଆଇସିସି ବୋର୍ଡ ବୈଠକରେ ସାମ୍ବିଧାନିକ ଓ ଆର୍ଥିକ ସଂସ୍କାର ନୀତି ପାରିତ ହୋଇଥାନ୍ତା । କିନ୍ତୁ ପଥ ଓଗାଳିବା ପାଇଁ ବିସିସିଆଇ ଯଥେଷ୍ଟ କ୍ଷମତା ହାସଲ କରିଛି ବୋଲି ମନୋହର ହୃଦୟଙ୍ଗମ କରିବା ପରେ ବିଫଳତାକୁ ଡରି ଆଇସିସି ଅଧ୍ୟକ୍ଷ ପଦ ଛାଡିଦେଲେ । ଶଶାଙ୍କ ପଦ ଛାଡିବାକୁ ନେଇ ବେଶି ଖୁସି ହୋଇଛନ୍ତି ଏକଦା ତାଙ୍କ ଅନୁଗତ ଥାଇ ପରେ ବିରୋଧୀ ପାଲଟିଥିବା ଅନୁରାଗ ଠାକୁର । ନିକଟରେ ଲୋଧା କମିଟି ଓ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ଅନୁରାଗ ଓ ତାଙ୍କ ଅନୁଗତ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ପଦପଦବିରୁ ତଡା ଖାଇଥିଲେ । ଏବେ ଶଶାଙ୍କ ଅଧ୍ୟକ୍ଷ ପଦରୁ ହଟିଯିବା ଫଳରେ ବିିସିସିଆଇ ସବୁଠୁ ବେଶି ଫାଇଦାରେ ରହିବ । କାରଣ ଶଶାଙ୍କଙ୍କ ଯୋଗୁ ଆଇସିସିର ସମ୍ବିଧାନରେ ବଡ ଧରଣର ସଂସ୍କାର ହେବାକୁ ଯାଉଥିଲା । ଏଥିରେ ଏବେ ସାମୟୀକ ଭାବେ ରୋକ ଲାଗି ପାରିବ ବୋଲି କୁହାଯାଇପାରେ । ସ୍ୱାଧୀନ ଭାବେ ଶଶାଙ୍କ ଯେଉଁ ପରିବର୍ତ୍ତନ ପାଇଁ ଚେଷ୍ଟା କରିଥିଲେ, ତାକୁ ମୂଳରୁ ହିଁ ଅନୁରାଗ ଆଣ୍ଡ କୋ ତୀବ୍ର ବିରୋଧ କରିଆସୁଥିଲେ ।  ଆଇସିସି ସମ୍ବିଧାନ ପରିବର୍ତ୍ତନ ହେଲେ ବିସିସିଆଇ ସର୍ବାଧିକ କ୍ଷତିଗ୍ରସ୍ତ ହେବ । କାରଣ ଆଇସିସିରେ ୧୦ଟି ରାଷ୍ଟ୍ର ସ୍ଥାୟୀ ସଦସ୍ୟ ଅଛନ୍ତି । ଏମାନଙ୍କ ମଧ୍ୟରୁ ୩ ପ୍ରମୁଖ କ୍ରିକେଟ ବୋର୍ଡ- ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ଯେଉଁ ଅଧିକ କ୍ଷମତା ମିଳିଥିଲା; ତାହା ହଟାଇ ସମାନ ଭାବେ କ୍ଷମତା ବାଣ୍ଟିବା ଉପରେ ମନୋହର ଜୋର ଦେଇଥିଲେ ।  ଏହାକୁ ନେଇ ସମ୍ବିଧାନ ପରିବର୍ତ୍ତନ ଦିଗରେ ଅଗ୍ରସର ହେଉଥିଲେ । ଆଇସିସିରେ କୌଣସି ସଂସ୍କାର ପାରିତ ହେବା ପାଇଁ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆବଶ୍ୟକ ପଡିଥାଏ । ମନୋହର ଜାଣି ପାରିଥିଲେ ଯେ ଶ୍ରୀଲଙ୍କା, ଜିମ୍ବାୱେ ଓ ବାଂଲାଦେଶର ସମର୍ଥନ ବିସିସିଆଇ ହାସଲ କରିସାରିଛି । ସଂସ୍କାର ପାସ ହେବା ପାଇଁ ୧୦ଟିରୁ ୭ଟି ବୋର୍ଡଙ୍କ ସମର୍ଥନ ଆବଶ୍ୟକ । କିନ୍ତୁ ଭାରତ ସମେତ ଶ୍ରୀଲଙ୍କା, ଜିମ୍ବାୱେ ଓ ବାଂଲାଦେଶ ଏହା ବିପକ୍ଷରେ ମତଦାନ କରିବେ । ଯେହେଦୁ ନିଜ କ୍ରିକେଟ୍ ବୋର୍ଡ ଏହାକୁ  ବିରୋଧ କରୁଛି, ସେ ଦୃଷ୍ଟିରୁ ଶଶାଙ୍କଙ୍କ ପ୍ରତିଆରା ଆଇସିସିରେ କ୍ଷୁନ୍ନ ହେଉଛି ।  ଅଯଥା ଅପଦସ୍ତ ହେବା ପୂର୍ବରୁ ସସମ୍ମାନେ ଅଧ୍ୟକ୍ଷ ପଦ ଛାଡିବାକୁ ଶଶାଙ୍କ ଉଚିତ ମଣିଛନ୍ତି । ତେବେ ମନୋହର ହଠାତ୍ ଏତେବଡ଼ ନିଷ୍ପତ୍ତି ନେବା ପଛରେ ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣରୁ ପଦତ୍ୟାଗ କରିଥିବା ସେ ଦର୍ଶାଇଥିଲେ ।
  ୨୦୧୬ ମେ’ରେ ଆଇସିସିର ପ୍ରଥମ ସ୍ୱାଧୀନ ଅଧ୍ୟକ୍ଷ ଭାବେ ଶଶାଙ୍କ ମନୋହର ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିଲେ । ୨ ବର୍ଷ କାର୍ଯ୍ୟକାଳର ମାତ୍ର ୧୦ ମାସ ପୂରଣ କରିପାରିଛନ୍ତି ଶଶାଙ୍କ । ପେଶାରେ ସେ ଜଣେ  ଓକିଲ । ବିଦର୍ଭ କ୍ରିକେଟ ଆସୋସିଏସନର ସଭାପତି ଭାବେ ସେ ବିସିସିଆଇରେ ପ୍ରବେଶ କରିଥିଲେ । ପ୍ରଥମ ଦଫାରେ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ୩ ବର୍ଷ ଲାଗି ବିସିସିଆଇ ସଭାପତି ଦାୟିତ୍ୱ ତୁଲାଇ ଥିଲେ ଶଶାଙ୍କ । ୨୦୧୫ରେ ବିସିସିଆଇ ସଭାପତି ଜଗମୋହନ ଡାଲମିୟାଙ୍କ ମୃତୁ୍ୟ ହୋଇଥିଲା । ଏ ଦୃଷ୍ଟିରୁ ଶଶାଙ୍କ ୨ୟ ଥର ପାଇଁ ବିସିସିଆଇ ସଭାପତି ପଦ ଅଳଙ୍କୃତ କରିଥିଲେ । ସେହିପରି ୨୦୧୫ରେ ଆଇସିସି ଅଧ୍ୟକ୍ଷ ଏନ. ଶ୍ରୀନିବାସନଙ୍କୁ ହଟାଇବାର ନିଷ୍ପତ୍ତି ବିସିସିଆଇ ନେଇଥିଲା । ବିସିସିଆଇର ପ୍ରତିନିଧି ଭାବେ ଶ୍ରୀନିବାସନ ଆଇସିସି ମୁଖ୍ୟ ଥିଲେ । ତାଙ୍କ ସ୍ଥାନରେ ଶଶାଙ୍କ ମନୋହରଙ୍କୁ ଆଇସିସି ଅଧ୍ୟକ୍ଷ ଭାବେ ବିସିସିଆଇ ପଠାଇଥିଲା । ୨୦୧୬ରେ ବିସିସିଆଇ ଓ ଆଇସିସିର ମୁଖିଆ ଭାବେ ଦ୍ୱୈତ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସମୟରେ ହିଁ ଶଶାଙ୍କ ଆଇସିସିରେ ସଂସ୍କାର ପାଇଁ ପ୍ରୟାସ କରିଥିଲେ । ଲୋଧା କମିିଟିର ସୁପାରିସ ଅନୁସାରେ ବିସିସିଆଇରେ ପ୍ରଶାସନିକ ପରିବର୍ତ୍ତନ ହେବା ସୁନିଶ୍ଚିତ ହୋଇ ପଡ଼ିଥିଲା । ଏନେଇ ସେ ୨୦୧୬ ମେ’ ୧୦ରେ ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏହାର ୨ ଦିନ ପରେ ୨ ବର୍ଷ ଲାଗି ଆଇସିସିର ପ୍ରଥମ ସ୍ୱାଧୀନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ହଠାତ ଶଶାଙ୍କ ଅଧ୍ୟକ୍ଷ ପଦ ଛାଡିବା ପରେ ଆଇସିସିରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଜଣେ କାମଚଳା ଅଧ୍ୟକ୍ଷ ନିଯୁକ୍ତ କରିବ ଆଇସିସି । ଏପି୍ରଲରେ ହେବାକୁ ଥିବା ବୋର୍ଡ ବୈଠକରେ କିମ୍ବା ଏହା ପୂର୍ବରୁ ଆଇସିସି ଅଧ୍ୟକ୍ଷ ନିର୍ବାଚନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ONA

Leave a Reply

Top