You are here
Home > ସ୍ପୋର୍ଟସ୍ > ଟ୍ରାକ୍ରେ ଅମିୟ, ଶ୍ରାବଣୀ ଓ ଦୂତୀ

ଟ୍ରାକ୍ରେ ଅମିୟ, ଶ୍ରାବଣୀ ଓ ଦୂତୀ

୨୦୧୬ ରିଓ ଅଲିମ୍ପିକ୍ସ ପରେ ଦୌଡ଼ ରାଣୀ ଶ୍ରାବଣୀ ନନ୍ଦ ଓ ଦୂତୀ ଚାନ୍ଦ ଏବଂ  ଓଡ଼ିଆ ସ୍ପିଡ୍ ଷ୍ଟାର ଅମିୟ ମଲ୍ଲିକ ବଡ ଇଭେଣ୍ଟରେ ଅଂଶଗ୍ରହଣ କରି ନାହାନ୍ତି । କିନ୍ତୁ ଆଗାମୀ ଏସିଆନ ଆଥଲେଟିକ ଚାମ୍ପିଅନସିପରେ ଏହି ୩ ଷ୍ଟାର  ଅଂଶଗ୍ରହଣ କରିବା ପାଇଁ ମନ ବଳାଇଛନ୍ତି । କାରଣ ଆସନ୍ତା ଜୁଲାଇ୧ରୁ ୪ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏସିଆନ୍ ଆଥଲେଟିକ୍ ମିଟ୍ ଆୟୋଜିତ ହେବାର ଅଛି । ବିଶେଷ କରି ଭୁବନେଶ୍ୱରରେ ଏହି ପ୍ରତିଯୋଗିତା ହେବାକୁ ଯାଉଥିବାରୁ ଓଡିଶା ପ୍ରତିଯୋଗୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି । କାରଣ କଳିଙ୍ଗ ଷ୍ଟାଡିୟମରେ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ ଓ ଅମିୟ ମଲ୍ଲିକ ପ୍ରଶିକ୍ଷଣ ନେଇ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ଗୌରବକୁ ବଢ଼ାଇଛନ୍ତି । ତେଣୁ ନିଜ ଅଭ୍ୟାସ ପଡିଆରେ ଏତେ ବଡ ଇଭେଣ୍ଟର ଆୟୋଜନ ହେଉଥିବାରୁ ଏହାକୁ ଆଦୌ ମିସ୍ କରିବେ ନାହିଁ ଅମିୟ, ଦୂତୀ ଓ ଶ୍ରାବଣୀ । ଏବେ ଅମିୟ ଓ ଦୂତୀ ରାଜ୍ୟ ବାହାରେ ପ୍ରଶିକ୍ଷଣ ଜାରି ରଖିଥିବାବେଳେ ଶ୍ରାବଣୀ ବିଦେଶରେ ପ୍ରଶିକ୍ଷଣ ନେଉଛନ୍ତି ।
ଏସିଆନ ଆଥଲେଟିକ ଚାମ୍ପିଅନସିପ ଯୋଗ୍ୟତା ଲାଗି ଇଣ୍ଡିଆନ ଗ୍ରାଁ ପ୍ରି-୧, ଇଣ୍ଡିଆନ ଗ୍ରାଁ ପ୍ରି-୨, ଫେଡରେଶନ କପ ଆଥଲେଟିକ ଚାମ୍ପିଅନସିପ ଓ ଏସିଆନ ଗ୍ରାଁ-ଫି ଚାମ୍ପିଅନସିପରେ ପ୍ରତିଦ୍ୱନ୍ଦ୍ୱିତା କରି ସଫଳ ହେବାକୁ ପଡିବ । ତେବେ ଯାଇ ଏସିଆନ ଆଥଲେଟିକ ଚାମ୍ପିଅନସିପ ଲାଗି ଯୋଗ୍ୟତା ହାସଲ କରିହେବ । ଇଣ୍ଡିଆନ ଗ୍ରାଁ ପ୍ରି-୧ ଆସନ୍ତା ଏପ୍ରିଲ୧୧ରୁ ୧୪ ପର୍ଯ୍ୟନ୍ତ ଦିଲ୍ଲୀରେ, ଇଣ୍ଡିଆନ ଗ୍ରାଁ ପ୍ରି-୨ ପଟିଆଲାରେ ଏପ୍ରିଲ୧୮ରୁ ୨୧ ପର୍ଯ୍ୟନ୍ତ, ଫେଡରେଶନ କପ ଆଥଲେଟିକ ଚାମ୍ପିଅନସିପ ମେ’ ପ୍ରଥମ ସପ୍ତାହରେ ଓ ଏସିଆନ ଗ୍ରାଁ ପ୍ରି ଜୁନରେ ତାଇପେଇରେ ଖେଳାଯିବ । ଉକ୍ତ ପ୍ରତିଯୋଗିତାରୁ ଏସିଆନ ଆଥଲେଟିକ୍ ଚାମ୍ପିଅନସିପ ଲାଗି ଖେଳାଳି ଯୋଗ୍ୟତା ହାସଲ କରିବେ । ଅଲିମ୍ପିଆନ ଦୂତୀ ଚାନ୍ଦ ଏସିଆନ ଆଥଲେଟିକ୍ ଚାମ୍ପିଅନସିପ ଯୋଗ୍ୟତା ନିମନ୍ତେ ହାଇଦ୍ରାବାଦର ପୁଲେଲା ଗୋପିଚାନ୍ଦ ଏକାଡେମୀରେ ଅଭ୍ୟାସ ଜାରି ରଖିଛନ୍ତି । ସେହିପରି ଶ୍ରାବଣୀ ନନ୍ଦ ଜାମାଇକାରେ ପ୍ରଶିକ୍ଷଣ ନେଉଛନ୍ତି । ଧାବକ ଅମିୟ ମଲ୍ଲିକ କଳିଙ୍ଗ ଷ୍ଟାଡିୟମ ସିନ୍ଥେଟିକ ଆଥଲେଟିକ ଟ୍ରାକ ନବୀକରଣ କାର୍ଯ୍ୟ ହେଉଥିବାରୁ କୋଲକାତା ସାଇ କେନ୍ଦ୍ରରେ ଅଭ୍ୟାସ କରୁଛନ୍ତି ।

ONA

Leave a Reply

Top