You are here
Home > Breaking News > ଟିଟୋର ଅପରାଧିକ ସାମ୍ରାଜ୍ୟ ଭାଙ୍ଗିବା ପାଇଁ ଏସ୍ଟିଏଫ୍ର ଲକ୍ଷ୍ୟ

ଟିଟୋର ଅପରାଧିକ ସାମ୍ରାଜ୍ୟ ଭାଙ୍ଗିବା ପାଇଁ ଏସ୍ଟିଏଫ୍ର ଲକ୍ଷ୍ୟ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ମାର କରିବା ପାଇଁ ସରକାର ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଏଥିପାଇଁ କ୍ରାଇମ୍ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସ୍ଟିଏଫ୍) ଏବେ ଜୋରଦାର ଲାଗିପଡ଼ିଛି ଟିଟୋଙ୍କ ପଛରେ । ତାଙ୍କୁ ବାରମ୍ବାର ରିମାଣ୍ଡରେ ନେଇ ତାଠାରୁ ରାଜ୍ୟ ଓ ରାଜ୍ୟ ବାହାରେ ବିସ୍ତାର କରିଥିବା ସାମ୍ରାଜ୍ୟର ତଥ୍ୟ ଓଗାଳିବା ପାଇଁ ଅହରହ ଉଦ୍ୟମ ଚଳାଇଛି । ଏଥିସହ ଏହି ସାମ୍ରାଜ୍ୟ ବଢ଼ାଇବା ପାଇଁ କେଉଁ ରାଜନେତା ଓ ଅଫିସରମାନେ ସହାୟତା କରିଛନ୍ତି ସେ ବିଷୟରେ ମଧ୍ୟ ଖୋଳତାଡ଼ କରୁଛି ଏସ୍ଟିଏଫ । ଏବେ ଏସ୍ଟିଏଫ୍ ପକ୍ଷରୁ ତା’ର ସମ୍ପତ୍ତି ଏବଂ କାରବାର ସଂପର୍କରେ ତଥ୍ୟ ଯୋଗାଡ଼ କରିବା ପାଇଁ ୭ ଜଣ ତହସିଲଦାରଙ୍କୁ ନୋଟିସ ହୋଇଛି । ଏଥିରେ ଅଛନ୍ତି କେନ୍ଦ୍ରପଡ଼ା, ଧର୍ମଶାଳା, ବାଲିଚନ୍ଦ୍ରପୁର, ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ଗରଦପୁର ଓ ମାର୍ଶାଘାଇ ତହସିଲଦାର । ଏଥିସହ ଓଲିଉଡରେ ଟିଟୋର ଅର୍ଥ ଲାଗିଥିବାରୁ ତା’ର ଖୋଳତାଡ଼ ମଧ୍ୟ ଚାଲିଛି । ସୁଟିଂ ଚାଲିଥିବା ଚଳଚ୍ଚିତ୍ର ‘ବିଶ୍ୱନାଥ’ରେ ଟିଟୋ ତାର ସଂପର୍କୀୟ ଭାଇ ମାଧ୍ୟମରେ ଅର୍ଥ ଖଟାଇଛି । ଏଣୁ ଚଳଚ୍ଚିତ୍ରର ପ୍ରଯୋଜକଙ୍କୁ ଏସ୍ଟିଏଫ୍ ଜେରା ପାଇଁ ଡାକିଛି । ଜଣେ ପୋଲିସ ଅଫିସରଙ୍କ ପୁଅଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଅଭିନୟ ପାଇଁ ସୁଯୋଗ ଦିଆଯାଇଛି । ଏ ବିଷୟରେ ମଧ୍ୟ ଯାଞ୍ଚ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ତହସିଲ ଅଞ୍ଚଳରେ ଗତ ୭ ବର୍ଷ ମଧ୍ୟରେ ଯେତେସବୁ ବାଲିଘାଟ, ମୋରମ କ୍ୱାରି ନିଲାମ କରାଯାଇଛି ତାହାର ତଥ୍ୟ ଓ କାଗଜପତ୍ର ଦେବା ପାଇଁ ତହସିଲଦାରମାନଙ୍କୁ କୁହାଯାଇଛି । ଏସବୁ ତହସିଲରେ ଟିଟୋ ଓ ତା କମ୍ପାନୀ କୋଟି କୋଟି ଟଙ୍କାର କାରବାର କରିଥିବା ନେଇ ତଦନ୍ତ ବେଳେ ଜଣାପଡ଼ିବା ପରେ ଏସ୍ଟିଏଫ୍ ଏଭଳି ପଦକ୍ଷେପ ନେଇଛି । ଟିଟୋ ସ୍ଥାନୀୟ ଅଞ୍ଚଳର ରାଜନେତାଙ୍କ ଛତ୍ରଛାୟା ତଳେ ରହି ତାର ସାମ୍ରାଜ୍ୟ ବିସ୍ତାର କରିଥିବା କୁହାଯାଉଛି । ବିଗତ ଦିନମାନଙ୍କରେ ଏସବୁ ଅଞ୍ଚଳରେ ଘଟିଥିବା ବିଭିନ୍ନ ଅପରାଧ ଘଟଣା ପଛର ପ୍ରମୁଖ କାରଣ ବାଲିଘାଟ ଓ ମୋରମ କ୍ୱାରି ନିଲାମ ଥିଲାବୋଲି ଜଣାପଡ଼ିଛି । କିଛି କ୍ଷେତ୍ରରେ ଟିଟୋ ରାଜନେତାଙ୍କୁ ଆୟୁଧ କରି କାମ ନେଇଥିବା ତଦନ୍ତ ବେଳେ ଏସ୍ଟିଏଫ୍ ଜାଣିବାକୁ ପାଇଛି । ଟିଟୋର ଅପରାଧ ସାମ୍ରାଜ୍ୟର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ସହିତ ଯେ କୌଣସି ବ୍ୟକ୍ତି ସଂପୃକ୍ତ ଅଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସରକାରୀ ସବୁଜ ସଂକେତ ଦେଇଥିବା କୁହାଯାଉଛି । ଇତିମଧ୍ୟରେ ଏସ୍ଟିଏଫ୍ ଟିଟୋର ଅତ୍ୟନ୍ତ ଘନିଷ୍ଠ ସଂପର୍କୀୟ ଓ ସହଯୋଗୀଙ୍କର ଏକ ତାଲିକା କରିଛି । ଆଖିଦୃଶିଆ ରୋଜଗାର ନଥାଇ କିଭଳି ସେମାନେ କୋଟି କୋଟି ଟଙ୍କାର ମାଲିକ ହୋଇଛନ୍ତି, ସେ ନେଇ ବି ଖୋଳତାଡ଼ କରାଯାଉଛି । ଟିଟୋ ଏହି ସଂପର୍କୀୟମାନଙ୍କୁ ଆୟୁଧ କରି ତାର ଅର୍ଥନୈତିକ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିବା ପୁଲିସ ସନ୍ଦେହ କରୁଛି । ଏହି କ୍ରମରେ କଟକସ୍ଥିତ ଆଇଜି ରେଜିଷ୍ଟ୍ରେସନ ଓଡ଼ିଶା ଓ ଗଭର୍ଣ୍ଣାନସ ସର୍ଭିସ ଲିମିଟେଡର ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି ଓ ଟିଟୋ ସମେତ ତାର ସଂପର୍କୀୟ ଏବଂ ସହଯୋଗୀଙ୍କ ନାମରେ ଓଡ଼ିଶାର କେଉଁ ତହସିଲର କେଉଁ ମୌଜାରେ କେତେ ଜମି ରହିଛି, ଏସବୁ କେବେ କିଣାଯାଇଥିଲା, ଏହାର ବିକ୍ରେତା କିଏ ସଂପର୍କରେ ତଥ୍ୟ ଦେବାକୁ କୁହାଯାଇଛି ।
ଟିଟୋକୁ ଜେରା କଲାବେଳେ ଆହୁରି ଜଣାପଡ଼ିଛି କେନ୍ଦ୍ରାପଡ଼ା ମେଡିକାଲରେ ମଦର ଚାଇଲଡ କେୟାର ହସ୍ପିଟାଲ ନିର୍ମାଣ ପାଇଁ ଗ୍ଲୋବାଲ ଟେଣ୍ଡର କରାଯାଇଛି । ୧୧୦ କୋଟି ଟଙ୍କା ବିନିଯୋଗ କରି ୭୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବେ ରାଜ୍ୟ ସରକାର । ଏଥିରେ ଟିଟୋର ଭୂମିକା ନିର୍ଣ୍ଣୟ କରିବା ଲାଗି ଏସ୍ଟିଏଫ୍ କଡ଼ା ପଦକ୍ଷେପ ନେଇଛି । ଇପିଆଇ ଲିମିଟେଡର ଉପ ମହାପ୍ରବନ୍ଧକ ଅର୍ଥାତ ଡିଜିଏମ୍ ଦେବୀଦତ୍ତ ଦାଶଙ୍କୁ ହାଜର ହେବା ପାଇଁ ସମନ କରାଯାଇଛି । ଏସଂପର୍କରେ ତାଙ୍କୁ ଜେରା କରାଯିବ ଓ ତଥ୍ୟ ମିଳିବା ପରେ ତଦନ୍ତ ଆଗକୁ ବଢ଼ିବ । ସମାନ୍ତରାଳ ଭାବେ ଟିଟୋର କୋଲକାତାରେ ୧ କୋଟି ୧୦ ଲକ୍ଷ ଟଙ୍କାରେ ଜମି କାରବାର ଘଟଣାରେ ଏସ୍ଟିଏଫ୍ ବନ୍ଦନା ରାୟ ନାମ୍ନୀ ଜଣେ ମହିଳାଙ୍କୁ ସମନ କରିଛି । କୁହାଯାଉଛି, ଗୋଟିଏ କି ଦୁଇଟି ନୁହେଁ, ଟିଟୋ, ତା ପତ୍ନୀ ବେନଜୀର ଓ ଅନ୍ୟ ସଂପର୍କୀୟ ଏହିପରି ମୋଟ ୧୮ ଜଣଙ୍କର ୫୦ଟି ଆକାଉଣ୍ଟକୁ ଅଚଳ କରିବା ଲାଗି ଏସ୍ଟିଏଫ୍ ସଂପୃକ୍ତ ବ୍ୟାଙ୍କ ଅଧିକାରୀଙ୍କୁ ଚିଠି ଲେଖିଛି । ପାଖାପାଖି ୩୪ଟି ବ୍ୟାଙ୍କରେ ଏସବୁ ବ୍ୟକ୍ତିମାନେ କାରବାର କରିଛନ୍ତି । ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଦୁଇଜଣ ଉଚ୍ଚସ୍ତରୀୟ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଏବେ ଟିଟୋ ଓ ତାଙ୍କ ସଂପର୍କୀୟଙ୍କ କାଗଜପତ୍ର ଯାଞ୍ଚ କରାଯାଉଛି ।

ONA

Leave a Reply

Top