You are here
Home > ଅଧିକ ଖବର > ଝୁଟ ବୋଲ କୱା କଟେ

ଝୁଟ ବୋଲ କୱା କଟେ

ଭୁବନେଶ୍ୱର,(ସମ୍ବ୍ରିତା ମହାନ୍ତି): ହିନ୍ଦୀରେ ଏକ ବହୁ ପ୍ରଚଳିତ ଲୋକକଥା ଅଛି, “ଝୁଟ୍ ବୋଲେ କୱା କାଟେ ।” ଅର୍ଥାତ୍ ଯିଏ ମିଛ କହିବ, ତାକୁ କାଉ ଖୁମ୍ପିବ । ଏପରି ଅବସ୍ଥା ଦେଇ ବିଜେଡିରେ ଏବେ ଗତି କରୁଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଏବେକାର ମୁଖପାତ୍ର ରବି ନାରାୟଣ ନନ୍ଦ । ୨୦୧୨ରେ ଗଣଶିକ୍ଷା ମନ୍ତ୍ରୀ ହୋଇଥିବା ରବି ବାବୁ କେବେ ବି ଭାବି ନଥିଲେ ଯେ ସେ ୨୦୧୪ ନିର୍ବାଚନରେ ୮ ହଜାର ୩୬୭ ଭୋଟ ବ୍ୟବଧାନରେ ପରାଜିତ ହେବେ । କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଓରଫ ଭାଲୁ ଭାଇନାଙ୍କ ଠାରୁ ପରାସ୍ତ ହେବା ପରେ ବୋଧେ ରବିଙ୍କ ମତିଗତି ହଜି ଯାଇଛି । କାରଣ ୨୦୧୪ ନିର୍ବାଚନ ଫଳାଫଳ ଘୋଷଣା ହୋଇନ ଥିବାବେଳେ ହୁଏତ ପରାଜୟର ପୂର୍ବାଭାସ ପାଇ ସାରିଥିଲେ ରବି । ତାଙ୍କ ପୁଅ ଆଦିତ୍ୟ ପ୍ରତିଶୋଧ ପରାୟଣ ହୋଇ ଭାଲୁଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ସିସିଟିଭି କ୍ୟାମେରାରେ କଏଦ ସେହି ମରଣାନ୍ତକ ଆକ୍ରମଣ ଦୃଶ୍ୟକୁ କିନ୍ତୁ ଫାଙ୍କି ଦେଲେ ରବି । ଆଉ ଏହିଠାରୁ ରବି ନନ୍ଦଙ୍କର ମିଛ ଯାତ୍ରର ପର୍ଦ୍ଦାଫାସ ଆରମ୍ଭ ହେଲା ।
ଭାଲୁଙ୍କୁ ବିଜେଡିରେ ମିଶାଇବା ପାଇଁ ନବୀନ ପଟ୍ଟନାୟକ ଆଗ୍ରହୀ ବୋଲି ରବି କେଉଁଠୁ ଖବର ପାଇଛନ୍ତି । ଯେଉଁଥିପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଅଣ-ସଂରକ୍ଷିତ ଜୟପୁର ଆସନ ବଞ୍ଚାଇବାକୁ ଭାଲୁ ବିରୋଧୀ ଅଭିଯାନ ଚଲାଇଛନ୍ତି ରବି । ଭାଲୁ ଭାଇନା ବର୍ତ୍ତମାନ ବିରୋଧୀ ଦଳ ମୁଖ୍ୟ-ସଚେତକ ଅଛନ୍ତି । ଯାହା ଜୟପୁରବାସୀଙ୍କ ପାଇଁ ବଡ କଥା । ହେଲେ ବିଜେଡି ମୁଖପାତ୍ର ବ୍ୟତୀତ ଅନ୍ୟ କୌଣସି ବଡ ପଦ ପାଇ ନାହାନ୍ତି ରବି ନନ୍ଦ । ଯେଉଁଥିପାଇଁ ବିଜେଡିରେ ତାଙ୍କ ପତିଆରାକୁ ସନେ୍ଦହ ଦୃଷ୍ଟରେ ଜୟପୁରବାସୀ ଦେଖୁଥିବା ସୂଚନା ମିଳିଛି । ୨୦୧୬ ଓଡିଶାରୁ ଖାଲି ପଡିଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା, ସେତେବେଳେ ରବିଙ୍କ ଆଶା ଥିଲା ଯେ ଦକ୍ଷିଣ ଓଡିଶା କୋଟାରେ ସେ ଦିଲ୍ଲୀ ଯିବେ । ହେଲେ ତାଙ୍କ ସ୍ଥାନରେ ରାୟଗଡାର ଏନ୍.ଭାସ୍କର ରାଓ ଗଲେ ରାଜ୍ୟସଭା । ରବିଙ୍କ ମୁହଁ ଫିକା ପଡିଗଲା । କିଛି ବଡ ପଦ ନ ପାଇଥିବାରୁ ନିର୍ବାଚନମଣ୍ଡଳୀରେ ପତିଆରା ଖସିବାକୁ ଲାଗୁଥିବା ଅନୁଭବ କଲେଣି ରବି । ଯେଉଁଥିପାଇଁ ସେ ନବୀନଙ୍କୁ ଗୁଗଲି ପକାଇଛନ୍ତି ।
ରାଜ୍ୟସଭା ଉପ-ନିର୍ବାଚନରେ ତକ୍ରାଳୀନ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରତାପ କେଶରୀ ଦେବଙ୍କୁ ମନୋନିତ କଲେ ନବୀନ । ହାଉସିଂ ବୋର୍ଡ ପଦ ଖାଲି ପଡିଲା । ଏବେ ହାଉସିଂ ବୋର୍ଡ ଅଧ୍ୟକ୍ଷ ପଦ ହାତେଇବା ପାଇଁ ରବି ଭତିରିଆ ଲବି କରିଥିବା ଶୁଣିବାକୁ ମିଳିଛି । ଯେଉଁଥିପାଇଁ ଏକ ଦୈନିକ ଓଡିଆ ଖବରକାଗଜର ଜୟପୁର ସଂସ୍କରଣରେ ହାଉସିଂ ବୋର୍ଡ ଅଧ୍ୟକ୍ଷ ରବି ନନ୍ଦ ହୋଇଥିବା ଖବର ପ୍ରକାଶ ପାଇଥିଲା । ଯଦିଓ ସେହି ଓଡିଆ ଖବରକାଗଜ ଆଗ ଧାଡିର ଦୈନିକ ନୁ୍ୟଜ୍ ପେପର ନୁହେଁ । କିନ୍ତୁ ନବୀନ ନିବାସ ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ସେହି ଖବର କାଗଜ ମାଲିକଙ୍କର ପ୍ରଭାବ ରହିଛି । ତେଣୁ ସେହି ଓଡିଆ ଖବର କାଗଜରେ ହାଉସିଂ ବୋର୍ଡ ଅଧ୍ୟକ୍ଷ ପଦକୁ ନେଇ ଖବର ପ୍ରକାଶନ ପଛରେ ରବି ନନ୍ଦଙ୍କ ହାତ ରହିଥିବା ଚର୍ଚ୍ଚା ହେଉଛି । ଏ ବାବଦରେ କାଳେ ବିଜେଡି ପାୱାର କରିଡର ରବିଙ୍କୁ ପ୍ରଶ୍ନ କରିଥିବା ସୂଚନା ରହିଛି । ହେଲେ ଚପଳତାର ସହ କିଛି ଜାଣି ନଥିବା କହି ଖସିବାକୁ ଚେଷ୍ଟା କଲେ ରବି । ପୁଣି କହିଲେ ହାଉସିଂ ବୋର୍ଡ ଅଧ୍ୟକ୍ଷ ହେଲେ ଭୁବନେଶ୍ୱରରେ ରହିବାକୁ ପଡିବ । ଯାହା ୫୦୦ କିଲୋମିଟର ଦୂରରେ ଥିବା ତାଙ୍କ ନିର୍ବାଚନମଣ୍ଡଳୀ ଜୟପୁରରେ ବିଜେଡି ସଂଗଠନକୁ ପ୍ରଭାବିତ କରିପାରେ । ନବୀନ ଭଲ ଭାବେ ଜାଣି ପାରିଲେ ଯେ ରବି ନିଜ ସ୍ଥିତି ଜାହିର କରିବା ପାଇଁ ମିଛିର ସୌଦାଗର ପାଲଟିଲେଣି ।
ସେହିପରି ଜୟପୁର ଉପଖଣ୍ଡ ଡାକ୍ତରଖାନାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାନ୍ୟତା ମିଳିବାର ସବୁ ଶ୍ରେୟ ରବି ହାତେଇବା ପାଇଁ ଚେଷ୍ଟା କଲେ । ଯେବେ ଭିତିରିଆ ଖବର ପାଇଲେ ଯେ ନବୀନ ଜୟପୁର ଉପଖଣ୍ଡ ଡାକ୍ତରଖାନାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବୋଲି ଘୋଷଣା କରିବେ, ତା ପୂର୍ବ ଦିନରୁ ଜୟପୁରରୁ ବସ୍ରେ ଲୋକ ଭରି ଭୁବନେଶ୍ୱର ପହଞ୍ଚିଗଲେ ରବି । ୨୧ଅଗଷ୍ଟରେ ୨୦୧୭ରେ ମୁଖ୍ୟମନ୍ତ୍ରୀ ସେହି ଘୋଷଣା କରିବା ଆଗରୁ ବଡ ପଟୁଆରରେ ନବୀନ ନିବାସରେ ପହଞ୍ଚି ଗଲେ ରବି । ରବିଙ୍କୁ ଦେଖି ନବୀନ ସାମାନ୍ୟ ବିରକ୍ତ ହୋଇଥିବା ଖବର ମିଳିଛି । କାରଣ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ଯେ ଜୟପୁର ଉପଖଣ୍ଡ ଡାକ୍ତରଖାନାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମାନ୍ୟତା ମିଳିବା ପଛରେ ଜୟପୁର ବିଧାୟକ ଭାଲୁ ଭାଇନା ‘ବାର ଘର ତେର ପିଣ୍ଡା’ ହୋଇଛନ୍ତି । ଏନେଇ ସେ କେବେ କାହାକୁ ଚିଠି ଲେଖିଛନ୍ତି, ତାହାର ତାଲିକା ଧରି ବୁଲୁଛନ୍ତି କଂଗ୍ରେସ ବିଧାୟକ ଭାଲୁ ଭାଇନା ।
ରବିଙ୍କ ଏପରି ଆଚରଣରେ ନବୀନ କ୍ଷୁବ୍୍ଧ ଥିବା ଖବର ମିଳିଛି । ହେଲେ ଦଳୀୟ କନ୍ଦଳ ରୋକିବା ପାଇଁ ପ୍ରୟାସ ଚାଲିଥିବାରୁ ବର୍ତ୍ତି ଯାଉଛନ୍ତି ରବି । କିନ୍ତୁ କେଉଁଠି ନା କେଉଁଠି ନନ୍ଦ ବାବୁ ଜାଣି ପାରିଛନ୍ତି ଯେ, ନବୀନ ତାଙ୍କୁ ମିଛୁଆ ତାଲିକାଭୁକ୍ତ କରିଛନ୍ତି । ପୁଣି ଥରେ ନବୀନଙ୍କ ଗୁଡବୁକ୍ରେ ଏଣ୍ଟ୍ରି କରିବା ପାଇଁ ରବି ଭୁବନେଶ୍ୱରରେ ହିଁ ଡେରା ପକାଇଥିବା ଶୁଣିବାକୁ ମିଳିଛି । ଯେପରି ମହାଦେବ ଦର୍ଶନ ନହେବା ଯାଏଁ ମାର୍କଣ୍ଡେୟ ଶିବ ଲିଙ୍ଗ ଧରି କାନ୍ଦୁଥିଲେ, ସେହିପରି ନବୀନଙ୍କ ଆସ୍ଥା ପାଇବା ପାଇଁ ନବୀନ ନିବାସରୁ ସଚିବାଳୟ ଯାଏଁ ଚକ୍କର କାଟୁଛନ୍ତି ରବି ବାବୁ ।

ONA

Leave a Reply

Top