You are here
Home > ଏକ୍ସକ୍ଲୁସିଭ୍ > ଜୟ ଦହନ

ଜୟ ଦହନ

ବିଜେଡି ଭାଙ୍ଗିବ ନା ଗୋଟା ରହିବ ! ଏମିତି ଚର୍ଚ୍ଚା କିଛି ଦିନ ହେଲା ଆରମ୍ଭ ହୋଇଛି; ତଥାଗତ-ବୈଜୟନ୍ତଙ୍କ ଟ୍ୱିଟ ଓ ଆର୍ଟିକଲ ତୀର ପରେ । ପଞ୍ଚାୟତ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପାଇଁ ଅମଲାତନ୍ତ୍ର ଆଡକୁ ଆଙ୍ଗୁଳି ଉଠାଇଛନ୍ତି ବୈଜୟନ୍ତ ଓରଫ ଜୟ ପଣ୍ଡା । ସୁପ୍ରିମୋ ନବୀନଙ୍କୁ ନିଜ ଗଣମାଧ୍ୟମ ଜରିଆରେ ସେ ଚ୍ୟାଲେଞ୍ଜ ଦେଲେଣି । ଏଥିପାଇଁ ତାଙ୍କୁ ସାବାଡ କରିବାକୁ ବିଜେଡିରେ ଜୟ ଦହନ ଯୋଜନା ଆରମ୍ଭ ହେଉଥିବା ଭିତରିଆ ସୂତ୍ରରୁ ଖବର ମିଳିଛି ।
ଭୁବନେଶ୍ୱର, (ଅ ବିଜୟ): ବିଜୁ ଜନତା ଦଳରେ ଟ୍ୱିଟ-ଆର୍ଟିକଲ ଝଡ  ପରେ କୁହୁଳିଥିବା ଅସନ୍ତୋଷ ଫୁଟୁଛି । ଆଉ ଦଳର ଭବିଷ୍ୟତକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ୧୭ ବର୍ଷର ଶାସନରେ ପ୍ରଥମ ଥର ପାଇଁ ଦଳର ତୃଣମୂଳ ସଂଗଠନକୁ ନେଇ ପ୍ରଶ୍ନ ଉଠିଛି । ଗତ ପଞ୍ଚାୟତ ନିର୍ବାଚନରେ ହୁଏତ ଦଳ ପ୍ରଥମ ସ୍ଥାନରେ ରହିଛି, ହେଲେ ଭୋଟ ବ୍ୟାଙ୍କରେ କ୍ଷତି ଆସିଛି । ନହେଲେ କଂଗ୍ରେସ ଠାରୁ ଯଥେଷ୍ଟ ପଛରେ ଥିବା ଭାରତୀୟ ଜନତା ପାର୍ଟି ଦ୍ୱିତୀୟ ସ୍ଥାନରେ ରହି ନଥାନ୍ତା! ଅନେକ ଜିଲ୍ଲା ପରିଷଦ  ଜୋନ୍ ଓ ବ୍ଲକ ବିଜେଡି ଅଧ୍ୟକ୍ଷ ଆସନ ବିଜେଡି ହାତରୁ ଖସି ଯାଇଛି । ସୁପ୍ରିମୋ ନବୀନ ପଟ୍ଟନାୟକ ସଚିବାଳୟ ଜଗି ନିଜ ଦଳୀୟ ସିପାହୀଙ୍କୁ ପଞ୍ଚାୟତ ଜଗିବାର ଦାୟିତ୍ୱ ଦେଇଥିଲେ, ହେଲେ ସେସବୁ ଇଲାକାରେ ଏବେ ପଦ୍ମ ଫୁଟୁଛି । ଯେଉଁଥିପାଇଁ ପଞ୍ଚାୟତ ନିର୍ବାଚନର ସମୀକ୍ଷା କରିବେ ବୋଲି ବିଜେଡି ସୁପ୍ରିମୋ ନବୀନ କହିଛନ୍ତିି । ଏପରିକି ନିଜ ମନ୍ତ୍ରିମଣ୍ଡଳରେ ଆମୂଳଚୁଳ ପରିବର୍ତ୍ତନର ଆଭାସ ଦେଇଛନ୍ତି । ଏଣେ କିନ୍ତୁ ପରାଜୟ ପାଇଁ ଅମଲାତନ୍ତ୍ରକୁ ଦାୟୀ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ଖୋଦ ନବୀନଙ୍କୁ ସମୀକ୍ଷା ପାଇଁ ପ୍ରସ୍ତାବ ନଦେଇ ଗଣମାଧ୍ୟମ ଜରିଆରେ ଚ୍ୟାଲେଞ୍ଜ ଦେଲେଣି ବୈଜୟନ୍ତ । ଯଦିଓ ବୈଜୟନ୍ତଙ୍କ ଏପରି ଆଚରଣ ନୂଆ ନୁହେଁ, ତେବେ ନବୀନ ନିବାସରୁ ବଳ ପାଇ ବୈଜୟନ୍ତଙ୍କ ବିରୋଧରେ ଦଳୀୟ ନେତା କହିବାକୁ ଆରମ୍ଭ କଲେଣି । ସ୍ଥିତି ଏପରି ଉପୁଜିଛି ଯେ ମନ୍ତ୍ରିମଣ୍ଡଳ ସହ ଦଳର ସାଂଗଠନିକ ଚେହେରା ବି ବଦଳିବା ସ୍ଥିତିରେ ପହଞ୍ଚିଲାଣି ।
ବାହୁଡିବେ ପ୍ରତାପ: ଚର୍ଚ୍ଚା ହେଉଛି ପ୍ରତାପ ଜେନା ପୁଣି ଥରେ ହୋଇପାରନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । କେନ୍ଦ୍ରାପଡା ଲୋକସଭା ଆସନ ଅଧୀନରେ ଥିବା ମାହାଙ୍ଗାକୁ ପ୍ରତିନିଧିତ୍ୱ କରୁଛନ୍ତି ବିଧାୟକ ପ୍ରତାପ । ଯେହେତୁ କେନ୍ଦ୍ରାପଡାରେ ବିଜେଡିର ସ୍ଥିତି ସେତେଟା ଭଲ ନୁହେଁ, ଛାତ୍ର ଜନତା ଦଳର ପୂର୍ବତନ ସଭାପତି ପ୍ରତାପଙ୍କ ସାଂଗଠନିକ ଦକ୍ଷତା ଉପରେ ନବୀନ ନିର୍ଭର କରିପାରନ୍ତି । ସେପଟେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ମହାକାଳପଡାରୁ ବିଧାୟକ ଥିବା ଅତନୁ ସବ୍ୟସାଚୀ ନାୟକ ସମ୍୍ ହସ୍ପିଟାଲ ଅଗ୍ନିକାଣ୍ଡ ମାମଲାରେ ଗତ ଅକ୍ଟୋବରରେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଛନ୍ତି । ସେଥିପାଇଁ ବୈଜୟନ୍ତଙ୍କୁ ନିୟନ୍ତ୍ରଣ କରିବାକୁ ପୁଣି ଥରେ ଅତନୁଙ୍କୁ ନାଲିବତି ଗାଡି ନଦେଇ  ପ୍ରତାପ ଜେନାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ।
ଅତନୁ ବ୍ୟାକ୍: ସମ୍୍ ହସ୍ପିଟାଲ ଅଗ୍ନିକାଣ୍ଡରେ ୩୫ ଜଣ ମୃତୁ୍ୟ ଘଟିବାରୁ ଅତନୁ ସବ୍ୟସାଚୀ ନାୟକ ସ୍ୱାସ୍ଥ୍ୟମନ୍ତ୍ରୀ ଚୌକି ହରାଇଥିଲେ । ତେଣୁ ଅତନୁଙ୍କୁ ପୁଣି ଥରେ ମନ୍ତ୍ରୀ କରି ଲୋକଙ୍କ ରୋଷର ଶିକାର ହେବାକୁ ଚାହୁଁନାହାନ୍ତି ନବୀନ । ହେଲେ କେନ୍ଦ୍ରାପଡା ସାଂସଦ ଜୟ ପଣ୍ଡା ଯେପରି ଦଳ ବିରୋଧୀ ମତ ଦେଉଛନ୍ତି ଓ ପରୋକ୍ଷରେ ବିଜେପି ଯିବାର ସଙ୍କେତ ଦେଉଛନ୍ତି, ଅତନୁଙ୍କୁ କ୍ଷମତା ଦେବା ଛଡା ନବୀନଙ୍କ ପାଖରେ ଅନ୍ୟ କିଛି ବାଟ ନାହିଁ । କିଛି ଦିନ ତଳେ ଅତନୁଙ୍କୁ ନବୀନନିବାସ ଡକାଇ ଜୟଙ୍କୁ ଅଟକାଇବା ପାଇଁ ନିଦେ୍ର୍ଦଶ ଦିଆଯାଇଥିବା ସୂଚନା ମିଳିଛି । କାରଣ ଅତନୁଙ୍କୁ କ୍ଷମତା ନଦେଲେ ନବୀନଙ୍କ ଚରମ ଶତ୍ରୁ ବିଜୟ ମହାପାତ୍ରଙ୍କ ସହ ମିଶି ବୈଜୟନ୍ତ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରି ପାରନ୍ତି । ତେଣୁ ଗୁରୁ ପ୍ୟାରୀ ମୋହନ ମହାପାତ୍ରଙ୍କ ଚେର କାଟିଥିବା ଅତନୁ ଜୟଙ୍କୁ ଅଟକାଇ ପାରିବେ ବୋଲି ନବୀନ ନିବାସର ଗଣିତ କହୁଛି ।
ତୃତୀୟ ଚାଣକ୍ୟ: ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଏକାଦଶାହ ପାଇଁ ଆସିଥିବା ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ଡାକରା ଦେଲେ ବିଜେଡିର ମୁଖ୍ୟ ମୁଖପାତ୍ର ବିଧାୟକ ପ୍ରତାପ ଦେବଙ୍କୁ । ଓଡିଶା ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପ୍ରତାପ ଦେବଙ୍କୁ ମାସକ ଭିତରେ ହାଉସିଂ ବୋର୍ଡ ଫାଇଲ୍ କ୍ଲିୟର କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ବିଷ୍ଣୁ ଦାସଙ୍କ ସ୍ଥାନରେ ରାଜ୍ୟସଭା ଯାଇ ପାରନ୍ତି ପ୍ରତାପ ଓ ଦିଲ୍ଲୀରୁ ରହି ଦଳର ଚାଣକ୍ୟ ସାଜିବେ । ଦଳରୁ ପ୍ୟାରୀ ବାବୁଙ୍କୁ ତଡାଯିବା ପରେ ଚାଣକ୍ୟଙ୍କ ଦାୟିତ୍ୱ ବହନ କରୁଥିବା କଳ୍ପତରୁ ଦାସଙ୍କର ମଧ୍ୟ ଦେହାନ୍ତ ହୋଇଛି । ତେଣୁ ଯେଉଁ ସାଂସଦଙ୍କ ଯାହା କ୍ଷୋଭ, ସେମାନେ ତୃତୀୟ ଚାଣକ୍ୟ ପ୍ରତାପ ଦେବଙ୍କୁ ଜଣାଇବେ! ପ୍ରତାପଙ୍କୁ ଅଖଣ୍ଡ କ୍ଷମତା ଦେଇ ସଂସଦୀୟ ଦଳ ଭାଙ୍ଗିବା ଯୋଜନାରେ ଥିବା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଚେକମେଟ୍ ଦେବାକୁ ନବୀନଙ୍କ ଏହା ଚାଲ ହୋଇପାରେ ।
ବିଜେଡି ପାଇଁ ୨୦୧୯ରେ କ୍ଷମତାକୁ ଆସିବା ହୁଏତ କାଠିକର ପାଠ ହେବନି । ହେଲେ ୧୭ ବର୍ଷରୁ ଯେଉଁ ସଂଖ୍ୟାରେ ଦଳର ବିଧାୟକ ଓ ସାଂସଦ ଜିତୁଥିଲେ, ତାହା ନ ହୋଇ ପାରେ । ଏବେବି ସମୟ ଅଛି, ଦୁଇ ବର୍ଷ ମଧ୍ୟରେ ତ୍ରୁଟି ସଜାଡି ଦଳୀୟ କନ୍ଦଳ ଉପରେ ଅଙ୍କୁଶ ପକାଇବାରେ ସକ୍ଷମ ହେଲେ, ପୁଣି ଥରେ ସଫଳତାର ଶୀର୍ଷ ଅତିକ୍ରମ କରିପାରନ୍ତି ନବୀନ ବାବୁ । ତେବେ ବିଜେଡିରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଏସବୁ ଗଣିତ ‘ଜୟ ଦହନ’ ଯୋଜନାର ବ୍ଲୁ ପ୍ରିଣ୍ଟ ବୋଲି କୁହାଯାଉଛି ।

ONA

Leave a Reply

Top