You are here
Home > ଏକ୍ସକ୍ଲୁସିଭ୍ > ଜିତେନ୍ଦ୍ର ରିମୋର୍ଟ

ଜିତେନ୍ଦ୍ର ରିମୋର୍ଟ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ରିମୋର୍ଟ କୁଆଡେ ବିଜେଡି ହାତରେ ଏମିତି ଚର୍ଚ୍ଚା ରାଜ୍ୟ ରାଜନୀତିରେ ନୂଆ ନୁହେଁ । ପିସିସି ସଭାପତି ପଦରୁ ବିଦା ହୋଇଥିବା ନେତାଏ ବିଭିନ୍ନ ସମୟରେ ଏକଥା ଖୋଲାଖୋଲି କହି ସାରିଛନ୍ତି । ଏମିତିକି ରାଜ୍ୟ କଂଗ୍ରେସର ପ୍ରଭାରୀ କିଏ ହେବେ, ପିସିସି ସଭାପତି ବଦଳିବେ ନା ନାହିଁ ତାହା କାଳେ ବିଜେଡି ଇଶାରାରେ ଚାଲେ ବୋଲି ଚର୍ଚ୍ଚା ହୁଏ । ନିକଟରେ ଓଡିଶା କଂଗ୍ରେସ ପ୍ରଭାରୀ ବଦଳିଛନ୍ତି । ବି.କେ ହର୍ରିସାଦଙ୍କ ସ୍ଥାନରେ ପ୍ରଭାରୀ ଭାବେ ଦାୟିତ୍ୱ ନେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ୨୦୧୯ ନିର୍ବାଚନ ଆଗକୁ ଆସୁଥିବା ବେଳେ ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଭାବେ ଜିତେନ୍ଦ୍ର ସିଂହଙ୍କ ଦାୟିତ୍ୱ ଗ୍ରହଣ ପରେ ସେଇ ଚର୍ଚ୍ଚା ପୁଣି ଦାନା ବାନ୍ଧିଛି । ବିଜେଡି ଇଶାରାରେ କୁଆଡେ କଂଗ୍ରେସ ପ୍ରଭାରୀ ଭାବେ ଜିତେନ୍ଦ୍ରଙ୍କୁ ନିଯୁକ୍ତି କରାଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଜିତେନ୍ଦ୍ର ସିଂହଙ୍କର ରାଜ୍ୟରେ ଶାସକ ଦଳର ଜଣେ ବରିଷ୍ଠ ନେତାଙ୍କ ସହ ସଂପର୍କ ଭଲ ରହିଛି । ଜିତେନ୍ଦ୍ରଙ୍କ ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହ ଦେଓଙ୍କ ସହ ଖାସ ବନ୍ଧୁତା ରହିଛି । ରାଜସ୍ଥାନର ଜୟପୁର ରାଜପରିବାର ସଦସ୍ୟ ଜିତେନ୍ଦ୍ର ସିଂହଙ୍କର ବଲାଙ୍ଗିର ପାଟଣାଗଡର ରାଜପରିବାର ଅନଙ୍ଗଉଦୟଙ୍କ ସହ ଘନିଷ୍ଠ ସଂପର୍କ ରହିଛି ।

ବି.କେ ହର୍ରିସାଦଙ୍କ ସ୍ଥାନରେ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ନେଇଛନ୍ତି ଜିତେନ୍ଦ୍ର ସିଂ । ରାଜସ୍ଥାନ ରାଜପରିବାରର ଜିତେନ୍ଦ୍ରଙ୍କ ସହ ପାଟଣାଗଡ ରାଜପରିବାରର ଏ.ୟୁ ସିଂଦେଓଙ୍କ ସଂପର୍କ ଅତି ଘନିଷ୍ଠ ।
ତେଣୁ ବିଜେଡି ଏ.ୟୁଙ୍କୁ ମାଧ୍ୟମ କରି ଜିତେନ୍ଦ୍ରଙ୍କୁ ହାତ କରିବ । ଆଉ ନିଜ ଇଚ୍ଛା ଅନୁସାରେ କଂଗ୍ରେସରେ ଗୋଟି ଚଳାଇବେ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି

ଏମିତିକି ଅନେକ ସମୟରେ ଦିଲ୍ଲୀ ଠାରୁ ଭୁବନେଶ୍ୱର ଯାଏ ଜିତେନ୍ଦ୍ର ସିଂଙ୍କୁ ଏ.ୟୁଙ୍କ ପାରିବାରିକ ଉତ୍ସବରେ ଦେଖିବାକୁ ମିଳିଛି । ଏମିତିବି ବିଜେଡି ମୁଖିଆ ଆଉ ଏ.ୟୁଙ୍କ ସଂପର୍କ କାହାକୁ ଅଛପା ନାହିଁ । ନବୀନଙ୍କ ଡୁନ ସ୍କୁଲ ମେଟ ଏ.ୟୁଙ୍କ ମାଧ୍ୟମରେ ବିଜେଡି ଜିତେନ୍ଦ୍ରଙ୍କୁ ହାତ କରି ଏଆଇସିସିରେ ଚାପ ପକାଇବେ । ଆଗାମୀ ଦିନରେ ବିଜେଡିକୁ ସୁହାଇବା ଭଳି ନିଷ୍ପତ୍ତି ବି ନିଆଯିବ ବୋଲି କୁହାଯାଉଛି । ଏଆଇସିସି ଓ କଂଗ୍ରେସ ନେତାଙ୍କୁ ମ୍ୟାନେଜ କରି କାମ ହାସଲ କରିବାରେ ଏ.ୟୁ ପ୍ରଥମ ମଧ୍ୟସ୍ଥି ହେବେ ନାହିଁ । ପୂର୍ବରୁ ୟୁିଏ ସରକାର ଅମଳରେ କମଲନାଥ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଏ.ୟୁ ତାଙ୍କୁ ହାତବାରିସି କରୁଥିଲେ । ୟୁିଏ ସରକାରରେ ବିଜେଡିର ବିଭିନ୍ନ କାମ ହାସଲ କରୁଥିଲେ । କାହିଁକି ନା କମଲନାଥ ଓ ଏୟୁଙ୍କ ଭିତରେ ଥିଲା ବନ୍ଧୁତା । ସେଥିଲାଗି ଏୟୁଙ୍କୁ ବି ସେତେବେଳେ ବିଜେଡିରେ ବେଶ ଗୁରୁତ୍ୱ ଦିଆଯାଉଥିଲା । ଏବେ ପୁଣି ଥରେ କୁଆଡେ ସେଇ ସମାନ ସ୍ଥିତି ହେବାକୁ ଯାଉଛି ବୋଲି ଆଲୋଚନା ହେଉଛି । ଓଡିଶା ପ୍ରଭାରୀ ଦାୟିତ୍ୱ ନେଇଥିବା ଜିତେନ୍ଦ୍ର ସିଂ ପୂର୍ବରୁ ପିସିସି ପରିବର୍ତ୍ତନ ନେଇ ମତ ନେବାକୁ ରାହୁଲ ଗାନ୍ଧି ପଠାଇଥିବା ତିନିଜଣିଆ ପର୍ଯ୍ୟବେକ୍ଷକ ଟିମର ମୁଖିଆ ଥିଲେ । ସେ ହିଁ ରାହୁଲଙ୍କୁ ତାଙ୍କ ରିପୋର୍ଟ ଦେଇଛନ୍ତି । ତେବେ କ’ଣ ଜିତେନ୍ଦ୍ର ପ୍ରସାଦଙ୍କ ବିରୋଧରେ ରିପୋର୍ଟ ଦେଇଛନ୍ତି ନା ସପକ୍ଷରେ ଲେଖିଛନ୍ତି ତାକୁ ନେଇ ପ୍ରଶ୍ନ ଉଠୁଛି । ଯଦି ସେ ପ୍ରସାଦଙ୍କ ବିରୋଧରେ ରିପୋର୍ଟ ଦେଇଛନ୍ତି ତେବେ ପ୍ରଭାରୀ ପରିବର୍ତ୍ତନ ସହ ପିସିସି ସଭାପତି ବଦଳିଲେନି କାହିଁକି ? ଯଦି ନଦେଇଛନ୍ତି ତେବେ ପୁଣି ସେ କେମିତି ପ୍ରସାଦଙ୍କ ବିରୋଧରେ ଲେଖିବେ? ନା କିଛି ଦିନ ପରେ ନିର୍ବାଚନ ଆସୁଛି କହି ଟାଳିଦେବେ । ଏତିକି ବେଳକୁ ରାଜ୍ୟ କଂଗ୍ରେସର ଜଣଙ୍କ ପରେ ଜଣେ ବଡ ନେତା ଦଳ ଛାଡୁଛନ୍ତି । ପିସିସି ଓ ସିଏଲପି ଭିତରେ ଅପଡ । କେହି କାହାର ମୁହଁ ଦେଖିବାକୁ ଯେମିତି ରାଜି ନୁହନ୍ତି । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ପରିବର୍ତ୍ତନ ଜିଦରେ ଏବେବି ବିଧାୟକ ଦଳ । ପ୍ରସାଦ ନ ହଟିଲେ କଂଗ୍ରେସ ଉଧେଇ ପାରିବନି ବୋଲି ଖୋଲାଖୋଲି ଚର୍ଚ୍ଚା ହେଉଛି । ଏପରିସ୍ଥିତିରେ ପ୍ରଭାରୀ ବଦଳିଲେ କଂଗ୍ରେସ କନ୍ଦଳ ତୁଟିଯିବ ନା ଏହା ପଛରେ ଆଉ କିଛି ଚାଲ ରହିଛି ତାକୁ ନେଇ କଂଗ୍ରେସରେ ଚାଲିଛି ଚର୍ଚ୍ଚା । ଜିତେନ୍ଦ୍ର ସିଂଙ୍କ ଆଗରେ ଅନେକ ଗୁଡିଏ ଚ୍ୟାଲେଞ୍ଜ ବି ରହିଛିା ପ୍ରଥମେ ଦଳର ସବୁ ନେତାଙ୍କୁ ଏକାଠି କରିବା ଜିତେନ୍ଦ୍ରଙ୍କ ପାଇଁ ସବୁଠୁ ବଡ କଠିନ କାମ ହେବ । ଦଳ ଛାଡିବା ଲାଗି ଗୋଡ କାଢି ସାରିଥିବା ନେତାଙ୍କୁ ବୁଝାଇ ଅଟକାଇ ରଖିବାରେ ଜିତେନ୍ଦ୍ର କେତେଦୂର ସଫଳ ହେବେ ତାହା ମଧ୍ୟ ଏକ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି । ସେହିିରି ପ୍ରସାଦ ହଟାଅ ଜିଦରେ ଅଡି ବସିଥିବା ବିଧାୟକମାନଙ୍କୁ ନୂଆ ପ୍ରଭାରୀ ଜିତେନ୍ଦ୍ର ସିଂହ ବୁଝାଇପାରିବେ ନା ପ୍ରସାଦଙ୍କୁ ହଟାଇବା ଲାଗି ରାହୁଲଙ୍କୁ ସୁାରିସ କରିବେ? ଏସବୁ ଉପରେ ହିଁ ନିର୍ଭର କରିବ ରାଜ୍ୟ କଂଗ୍ରେସର ଭାଗ୍ୟ ଆଉ ଭବିଷ୍ୟତ । ତେବେ ଜିତେନ୍ଦ୍ର କ’ଣ ଏସବୁକୁ ସମାଧାନ କରି କଂଗ୍ରେସକୁ ଆଗକୁ ନେବେ ନା ନିଜ ବନ୍ଧୁ ଏ.ୟୁଙ୍କ କଥାରେ ମ୍ୟାନେଜ ହୋଇ ବିଜେଡି ଲାଗି କାମ କରିବେ ତାହା ଉପରେ ନିର୍ଭର କରିବ କଂଗ୍ରେସ ଭବିଷ୍ୟତ ।

ONA

Leave a Reply

Top