You are here
Home > ଅଧିକ ଖବର > ଜାଫର, ସୁଖରାମ ପାଇଁ ବିଶ୍ୱକପ ସୁଯୋଗ

ଜାଫର, ସୁଖରାମ ପାଇଁ ବିଶ୍ୱକପ ସୁଯୋଗ

ଦୃଷ୍ଟିହୀନ କ୍ରିକେଟରେ ଦୁଇ ଓଡ଼ିଆ ତାରକା ମହମ୍ମଦ ଜାଫର ଇକବାଲ ଓ ସୁଖରାମ ମାଝିଙ୍କ ଚମକ ଦେଖିବାକୁ ମିଳିଛି । ୨୦୦୩ରୁ କ୍ରିକେଟ ପଡିଆକୁ ଓହ୍ଲାଇଥିବା ଜାଫର ୨୦୧୧ ପରଠାରୁ ଭାରତୀୟ ଦଳରେ ନିୟମିତ ସଦସ୍ୟ ଭାବେ ଖେଳିଆସୁଛନ୍ତି । ଏକାଧିକବାର ବିଶ୍ୱକପ୍ ବିଜେତା ବନିଥିବା ଭାରତୀୟ ଦଳରେ ଜାଫର ସାମିଲ ରହି ଅଭିଜ୍ଞତା ସାଉଁଟିଛନ୍ତି । ଚଳିତ ବର୍ଷ ଟି-୨୦ ବିଶ୍ୱକପର ଏକ ମ୍ୟାଚ୍ ଭୁବନେଶ୍ୱର କିଟ୍ ଷ୍ଟାଡିୟମରେ ଖେଳାଯାଇଥିଲା । ଏଥିରେ ଦୁଇ ଓଡ଼ିଆ ତାରକା ଜାଫର ଇକବାଲ ଓ ସୁଖରାମ ମାଝି ଖେଳିବାର ସୌଭାଗ୍ୟ ଅର୍ଜନ କରିଥିଲେ । ଅଳ୍ପ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ସୁଖରାମ ୨୦୧୨ ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳି ଚର୍ଚ୍ଚାକୁ ଆସିଥିଲେ । ଫାଇନାଲରେ ୩ ୱିକେଟ୍ ସାଙ୍ଗକୁ ୩୭ରନ୍ର ମହତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ଭାରତ ବିଶ୍ୱ ବିଜେତା ହୋଇପାରି ଥିଲା । ଉଭୟ ଜାଫର ଓ ସୁଖରାମ ଅନେକ ବାର ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏବେ ପୁଣି ଥରେ ବିଶ୍ୱକପ ଖେଳିବାର ସୁଯୋଗ ସେମାନଙ୍କ ନିକଟରେ ଉପନୀତ ହୋଇଛି । କାରଣ ଆସନ୍ତା ବର୍ଷ ଜାନୁଆରୀ ୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଦୁବାଇରେ ଖେଳାଯିବାକୁ ଥିବା ବିଶ୍ୱକପ ନିମନ୍ତେ ଦୁହେଁ ଭାରତୀୟ ଦଳରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ନିକଟରେ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ବିଶ୍ୱକପ୍ କ୍ରିକେଟ୍ ପାଇଁ ଭାରତୀୟ ଦଳ ଚୟନ ଶିବିର ପାଇଁ ୪୪ଜଣିଆ ଖେଳାଳି ତାଲିକା ଘୋଷଣା ହୋଇଥିଲା । ଏହି ୪୪ଜଣିଆ ତାଲିକାରେ ଓଡ଼ିଶାର ୫ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଓଡ଼ିଶା ଦଳ ଅଧିନାୟକ ମହମ୍ମଦ ଜାଫର୍ ଇକ୍ବାଲ୍, ପଙ୍କଜ ଭୁଇ, ସୁଖରାମ ମାଝୀ, ନକୁଳ ବଡ଼ନାୟକ ଓ ଲିଙ୍ଗରାଜ ରାଉତରା । ବିଶ୍ୱକପ ପାଇଁ ଭାରତୀୟ ଦଳର ଚୟନ ଶିବିର ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପୁଣେଠାରେ ଅନୁଷ୍ଠିତ ହେବ । ୪୪ଜଣ ଖେଳାଳିଙ୍କୁ ଇଣ୍ଡିଆ ରେଡ୍, ଇଣ୍ଡିଆ ଗ୍ରୀନ୍, ଇଣ୍ଡିଆ ୟେଲୋ ଓ ଇଣ୍ଡିଆ ବ୍ଲୁ ଦଳରେ ସାମିଲ କରାଯିବ । ଏମାନଙ୍କୁ ନେଇ ମ୍ୟାଚ୍ ଅନୁଷ୍ଠିତ ହେବ ଓ ଏହାପରେ ୧୬ଜଣିଆ ଭାରତୀୟ ଦଳ ଚୟନ କରାଯିବ । ପୁନଶ୍ଚ ଜାଫର ଓ ସୁଖରାମ ଭଲ ପ୍ରଦର୍ଶନ ପାଇଁ ଜାତୀୟ ଦଳରେ ସ୍ଥାନ ପାଇବାକୁ ଢ଼େର ଆଶାବାଦୀ ଅଛନ୍ତି ।

ONA

Leave a Reply

Top