You are here
Home > ଅଧିକ ଖବର > ଜଳ ଜଳ ଫାଟ

ଜଳ ଜଳ ଫାଟ

ଫଟା କାନ୍ଥରେ କାଦୁଅ ଲେସା ହୋଇଥିଲା । ଉପରକୁ ଗୋଟାପଣେ ଚିକ୍କଣ ଦେଖାଗଲା । ହେଲେ କିଛି କାମ ଦେଲାନି । ଦିନ କେଇଟା ନ ଯାଉଣୁ କାନ୍ଥ ଫାଟି ପୁଣି ଆଁ କଲାଣି । ଏମିତି ସ୍ଥିତି ଏବେ ରାଜ୍ୟ କଂଗ୍ରେସରେ । ସଭାପତି ଚୌକିକୁ ନେଇ ପିସିସି ଓ ସିଏଲପି ଭିତରେ ବିବାଦ ଢେର କିଛି ଦିନ ଲାଗି ରହିଥିଲା । ଆଉ ଏସବୁକୁ ପଛରେ ପକାଇ ବିଜେପୁର ବିଧାନସଭା ଉପ ନିର୍ବାଚନ ପାଇଁ ଏକାଠି ହୋଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ବାର୍ତ୍ତା ଦେଇଥିଲେ ମଇଁଶି ଶିଙ୍ଗ ଫଟା, କିନ୍ତୁ ଜୁଝିଲା ବେଳକୁ ଗୋଟା । ପ୍ରସାଦ ବି ଡୁଆଲ ଗେମ ଖେଳିଥିଲେ । ହେଲେ ଦୁଇ ନେତାଙ୍କ ଭିତରେ ପ୍ୟାଚ ବେଶୀ ଦିନ ଗଲାନି । ଦୁହେଁ ଏବେ ଅଲଗା ରାସ୍ତାରେ । ଆଉ ଆଗକୁ ଯଦି ଏମିତି ଚାଲେ ତେବେ ବିଜେପୁରରେ କ’ଣ ହେବ କଂଗ୍ରେସର ଦଶା?

ଭୁବନେଶ୍ୱର: ପିସିସି ସଭାପତି ଚୌକିକୁ ନେଇ କଂଗ୍ରେସରେ କନ୍ଦଳ ଢେର ଦିନ ହେଲା ରହିଛି । ହେଲେ ବିଜେପୁର ବିଧାନସଭା ଉପ ନିର୍ବାଚନ ଲଢିବା ଆଳରେ କଂଗ୍ରେସ କନ୍ଦଳରେ ତାଳି ପଡିଥିବା ବାର୍ତ୍ତର୍ା ଦେଇଥିଲା ଦଳ । ଏକାଠି ହୋଇଥିଲେ ସିଏଲପି ଲିଡର ଓ ପିସିସି ସଭାପତି । ସବୁ କଥା ପଛରେ ରଖି ଦଳୀୟ ପ୍ରାର୍ଥୀ ସ୍ଥିର କରି ବିଜେପୁର ଗଡ ବଞ୍ଚାଇବାକୁ ଚେଷ୍ଟା କରିବେ ବୋଲି ଏକାଠି ବସିଥିଲେ ନେତାଏ । ଏକ କମିଟି ବି ଗଢା ହୋଇଥିଲା । କଂଗ୍ରେସ ବିଧାୟକ ଦଳ-ସିଏଲପି ଓ ପିସିସି ଭିତରେ ଥିବା ବିବାଦ ଦୂର କରି ଏକାଠି ନିର୍ବାଚନ ଲଢିବାକୁ ପଦାକୁ ବାହାରିବେ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବାର୍ତ୍ତା ଦେଇଥିଲେ । ଅକ୍ଟୋବର ୨୬, ୨୦୧୭ରେ ପିସିସି ଅଫିସରେ ଏକାଠି ହୋଇଥିଲେ ପ୍ରସାଦ ବିରୋଧୀ ଓ ସମର୍ଥକ । ଦଳର ସବୁ ବରିଷ୍ଠ ନେତା ବି କହିଥିଲେ ଯାହା ହେଲା ଛାଡ ଏବେ ଆମେ ସବୁ ଏକ । ଏକାଠି ହୋଇ ବିଜେପୁର ଉପନିର୍ବାଚନ ଲଢିବୁ । ହେଲେ କିଛି କାମ ଦେଲାନି । ବିଜେପୁର ଉପ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇନି କି ଦଳୀୟ ପ୍ରାର୍ଥୀ ଘୋଷଣା ହୋଇନି ହେଲେ ପୁଣି କଂଗ୍ରେସ ଭିତର ଥିବା ଫାଟ ପଦାକୁ ଆସିଛି । ଏବେ ପିସିସି ସଭାପତି କୁଆଡେ ସମସ୍ତଙ୍କୁ କର ଛଡା ଦେଉଛନ୍ତି ବୋଲି ଚାଲିଛି ଚର୍ଚ୍ଚା । ଖାସ କରି ବିଜେପୁର ଉପ ନିର୍ବାଚନ ଲାଗି ଯେଉଁ ଦଳୀୟ କମିଟି ଗଠନ ହୋଇଛି ସେଇ କମିଟିର ବରିଷ୍ଠ ନେତାଙ୍କୁ ସାଙ୍ଗରେ ନ ନେଇ ପ୍ରସାଦ ବରଗଡ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । କଥା ଥିଲା କମିଟି ସବୁ କରିବ ଦୂରରେ ରହି ଅନୁଧ୍ୟାନ କରିବେ ପ୍ରସାଦ । ହେଲେ ଏବେ ଓଲଟା ଦେଖିବାକୁ ମିଳୁଛି । ଶୁଣାଯାଉଛି କମିଟିରେ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ ଓ କାହ୍ନୁ ଚରଣ ଲେଙ୍କାଙ୍କୁ ଦୂରେଇ ଦେଇ କେବଳ ହେମାନନ୍ଦ ବିଶ୍ୱାଳଙ୍କୁ ସାଙ୍ଗରେ ନେଇ କାର୍ଯ୍ୟକ୍ରମ କରିଛନ୍ତି ପ୍ରସାଦ । ଯେତେବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ନିରଜଂନ ପଟ୍ଟନାୟକ ପ୍ରମୁଖ ନବରଙ୍ଗପୁରର ଏକ କାର୍ଯ୍ୟକ୍ରମରେ ଥିଲେ ଠିକ ସେତିକିବେଳେ ପ୍ରସାଦ ଭୁବନେଶ୍ୱରରେ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧ ସଭା କରିଥିଲେ । ହେଲେ ସେମାନଙ୍କୁ ଡାକି ନଥିଲେ । ଏମିତିକି ଏହି ନେତାମାନଙ୍କୁ ସାଙ୍ଗରେ ନନେଇ ପଦଯାତ୍ରା କରିବା ସହ ଗାଈସିଲଟ ବ୍ଲକରେ ଚାଷୀ ସମାବେଶ ଆୟୋଜନ କଲେ । କେବଳ ସେତିକି ନୁହେଁ ଆତ୍ମହତ୍ୟା କରିଥିବା ବରଗଡ ଜିଲ୍ଲା କଳାପାଣିର ଭାଗଚାଷୀ ବୃନ୍ଦାବନଙ୍କ ପରିବାରକୁ ଭେଟିଲେ । ଏହା ସହ ୭ ତାରିଖରେ ଦଳ ବରଗଡ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବ ବୋଲି ଘୋଷଣା କଲେ । ହେଲେ ଏଥିଲାଗି ପ୍ରସାଦ କୁଆଡେ ବିରୋଧୀ ଦଳ ନେତା କି ବିଜେପୁର ନିର୍ବାଚନ ଲାଗି ଗଠନ ହୋଇଥିବା କମିଟିର କୌଣସି ନେତାଙ୍କ ମତାମତ ନେଇ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି ।
କୁହାଯାଉଛି ପ୍ରସାଦ ବାବୁ କୁଆଡେ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଗୋଷ୍ଠୀଙ୍କୁ ସାଙ୍ଗରେ ନେବାକୁ ଚାହୁଁ ନାହାନ୍ତି । କେବଳ ସେତିକି ନୁହେଁ, ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ କଂଗ୍ରେସ ରାଜଭବନ ଆଗରେ ଧାରଣା ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ହେଲେ ତାକୁ ଆଭଏଡ କରି ପ୍ରସାଦ ବାବୁ ଭୁବନେଶ୍ୱର ଛାଡି ବରଗଡ ଗଲେ । ଏହା ପଛରେ କୁଆଡେ ତାଙ୍କର ଏକ ପ୍ଲାନ ଅଛି ବୋଲି ଦଳର ଗୋଟିଏ ଗୋଷ୍ଠୀଠୁ ଶୁଣିବାକୁ ମିଳୁଛି । କାହିଁକିନା ଏହି ଘଟଣାରେ ପ୍ରଦୀପ ମାଝୀ ଓ କୃଷ୍ଣଚନ୍ଦ୍ର ଶଗରିଆ ଆଗକୁ ଆସିଥିଲେ । ସେମାନଙ୍କୁ ଭକ୍ତ ଦାସ ଓ ଜୟଦେବ ଜେନା ବି ସମର୍ଥନ କରି ସେଥିରେ ଯୋଗ ଦେଇଥିଲେ । ଏହି ଆୟୋଜନ ଯଦି ସଫଳ ହୁଏ ତେବେ ସବୁ ଶ୍ରେୟ ଏହି ନେତାଙ୍କ ପାଖକୁ ଯିବ ବୋଲି ପ୍ରସାଦ ସେଠାକୁ ଆସିଲେନି । କେବଳ ନିଜ ଶ୍ୱଶୂରଙ୍କୁ ସେଠାକୁ ପଠାଇ ଦେଇ ବରଗଡରେ ରହିଗଲେ । ପୂର୍ବରୁ କୁନ୍ଦୁଲି ପ୍ରସଂଗରେ କଂଗ୍ରେସ ବିଧାୟକ ତଥା ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି ଓ ପ୍ରସାଦ ହରିଚନ୍ଦନଙ୍କ ଭିତରେ ବିବାଦ ପଦାକୁ ଆସିସାରିଛି । ପ୍ରସାଦ ପଦଯାତ୍ରାକୁ ତାରାଙ୍କୁ ନ ଡାକିବାକୁ ନେଇ ତାରା ଗଣମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିସାରିଛନ୍ତି ।
ରାଜ୍ୟ ରାଜନୀତିରେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ପାଇଛି ସତ । ହେଲେ ପଞ୍ଚାୟତ ନିର୍ବାଚନ ପରଠୁ ଦଳ ତଳକୁ ଖସିଯାଇଥିବା ବେଳେ ୨ ନମ୍ବର ସ୍ଥାନକୁ ଆସିଲାଣି ବିଜେପି । ଏଭଳି ସ୍ଥିତିରେ ଏକାଠି ହୋଇ ଲଢିଲେ କଂଗ୍ରେସ ସପକ୍ଷରେ ଭଲ ବାର୍ତ୍ତା ଯିବ । ତେଣୁ ସବୁ କାର୍ଯ୍ୟକ୍ରମ ଦଳର ସବୁ ନେତାଙ୍କୁ ଏକାଠି ନେଇ ଆୟୋଜନ ହେବା କଥା, ହେଲେ ତାହା ହେଉନି । ଯେଉଁଥିପାଇଁ କଂଗ୍ରେସ ଯେଉଁ ଗୋଠ ଖଣ୍ଡିଆକୁ ସେଇ ଗୋଠ ଖଣ୍ଡିଆ ବୋଲି ବାର୍ତ୍ତା କର୍ମୀଙ୍କ ପାଖକୁ ଯାଉଛି । ତେଣୁ କର୍ମୀଙ୍କ ମନବଳ ଭାଙ୍ଗୁଛି ।
ତେବେ ବିଜେପୁର ଉପ ନିର୍ବାଚନ ଲାଗି ପ୍ରସାଦ ଟିମ ଗଢିବା ବାହାନାରେ ଯେଉଁ ଡୁଆଲ ଗେମ ଖେଳିଥିଲେ ତାହା ଏବେ ପଦାରେ ପଡିଛି । ପ୍ରସାଦଙ୍କ ଲୁଚିଛି ନା ଗୋଡ ଦି’ଟା ଦିଶୁଛି ନ୍ୟାୟରେ ସବୁ କିଛି ପଦାରେ ପଡିଛି । ଯାହାକୁ ନେଇ ଏବେ ଜୋର ଧରିଛି କଂଗ୍ରେସ ରାଜନୀତି ।

ONA

Leave a Reply

Top