You are here
Home > ଅଧିକ ଖବର > ଚାଲ କରିବା ଠିଆ ପାଲା

ଚାଲ କରିବା ଠିଆ ପାଲା

  ଏବେ ଟକମକ ଫୁଟୁଛି ରାଜ୍ୟ ରାଜନୀତି । ଟେମ୍ପରେଚର ୧୦୦ ପରେ । ନିର୍ବାଚନ ଢେର ଦିନ ବାକି ଥିବା ବେଳେ ଚାଲିଛି ଅଙ୍କକଷା । ବିଜେପି, ବିଜେଡି, କଂଗ୍ରେସ ସଂଖ୍ୟାକୁ ନେଇ କେହି ପଛରେ ନାହାନ୍ତି । ଆଉ ଓଡିଶା ପଦ୍ମ ପୋଖରୀରେ ଶାହ ସାହେବ ସଞ୍ଜିବନୀ ସିଞ୍ଚିବା ବେଳେ ଶଙ୍ଖପତିଙ୍କୁ ଆଟାକ କରିବାକୁ ପଛାଇ ନାହାନ୍ତି । ବାସ୍୍, ଏହାପରେ ଦୁଇ ଦଳର ନେତାଙ୍କ ମଧ୍ୟରେ ଯେଉଁ ପ୍ରକାର ଆରୋପ-ପ୍ରତ୍ୟାରୋପ ଲାଗି ରହିଛି, ତାକୁ ଦେଖିଲେ ଲାଗୁଛି ଅପେରା ପାର୍ଟିର ନାଟକ-ଚାଲ୍୍ କରିବା ଠିଆପାଲା ଚାଲିଛି
ଭୁବନେଶ୍ୱର :  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପଞ୍ଚମ ଥର ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ଅମିତ ଶାହ । ୧୨୦ ପ୍ଲସ ଷ୍ଟ୍ରାଟେଜିକୁ ଧରି । ଆଗାମୀ ବିଧାନସଭା ନିର୍ବାଚନରେ ସାରା ରାଇଜରେ ପଦ୍ମ ଫୁଲ କିପରି ଫୁଟିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଦଳୀୟ ନେତାଙ୍କୁ ଟୁ୍ୟସନ କରିବା ସହ ହାର୍ଡଟାସ୍କ ଦେଇଛନ୍ତି । ମିଶନ ୧୨୦ ନୁହେଁ ୧୨୦ ପ୍ଲସ୍ ପାଇଁ କାର୍ଯ୍ୟ କରିବାକୁ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଶାହ । ତାଙ୍କର ୩ ଦିନିଆ ଓଡ଼ିଶା ଗସ୍ତ ଏବଂ ରାଜ୍ୟ ସରକାରଙ୍କୁ ଘନଘନ କଡା ସମାଲୋଚନା ଯୋଗୁ ବିଜେଡି ଶିବିରରେ ଛାନିଆ ଖେଳିଯାଇଛି । ଶାହା କହିଛନ୍ତି, ରାଜ୍ୟରେ ବିଜେପି ଏକାକୀ ଲଢିବ । ମେଣ୍ଟ କରାଯିବନି । ସେହିପରି ପରିବାରବାଦ ରାଜନୀତି କଥା ଉଠାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି କହିଛନ୍ତି, କୌଣସି ପତ୍ରିକାରୁ ପୁରସ୍କାର ମିଳିଲେ ରାଜ୍ୟର ବିକାଶ ହୁଏ ନାହିଁ । ଓଡ଼ିଶାକୁ କେନ୍ଦ୍ରରୁ ବହୁ ଆର୍ଥôକ ଅନୁଦାନ ମିଳୁଛି । କିନ୍ତୁ ଏଠି ବିକାଶର ଗତି କଚ୍ଛପ । ଦାନ ମାଝି ଓ ନଗଡା ଘଟଣା ଓଡ଼ିଶା ସରକାରଙ୍କ ଚରମ ଅବହେଳାକୁ ଦର୍ଶାଉଛି । ଆଉ ଶାହଙ୍କ ତୀର ସିଧା ବାଜିଛି ନବୀନଙ୍କ ଦେହରେ । ବିଜେଡିକୁ ବି ଘାଇଲା କରିଛି ।
ବିଜେପିର ୧୨୦ ମିଶନକୁ ନେଇ ନବୀନ ମଧ୍ୟ ବିଚଳିତ ହୋଇପଡିଛନ୍ତି । ନହେଲେ ସେ ଏହା ଉପରେ ପ୍ରତିକ୍ରିୟା ରଖିନଥାନ୍ତେ । ବିଜେପିର ୧୨୦ ଆସନ ହାତେଇବା ନେଇ ଦୃଢୋକ୍ତି ଉପରେ ସନେ୍ଦହ ପ୍ରକାଶ କରି ନବୀନ ବିବୃତି ଦେଇନଥାନ୍ତେ । ତେବେ ବିଜେଡିକୁ ଶାହଙ୍କ ଆଟାକ ପରେ ତାଙ୍କୁ କାଉଣ୍ଟର କରିବା ପାଇଁ ବିଜେଡି ଭରପୂର ପ୍ରୟାସ କରିଛି । ମୁଖପାତ୍ର ପ୍ରତାପ ଦେବ, ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ ତୁରନ୍ତ ସାମ୍ବାଦିକ ସମ୍ମିଳନୀ ଡାକି ଶାହଙ୍କ ଆରୋପକୁ ଭୁଲ ପ୍ରମାଣିତ କରିବା ପାଇଁ ଉଦ୍ୟମ କରିଥିଲେ । ଏପରିକି ମୋଦି ସରକାର ଏବଂ ଉଜ୍ଜ୍ୱଳା ଯୋଜନା ନାଁରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ଆଙ୍ଗୁଳି ଉଠାଇଥିଲେ । ଏହାସହ ସାମ୍ବାଦିକ ସମ୍ମିଳନୀ ପରେ ବିନା ପ୍ରସ୍ତୁତିରେ ଯୁବ ନେତୃତ୍ୱ ତଥା ପୂର୍ବତନ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ଯୁବ ଓ ମହିଳା ବିଜେଡି ପକ୍ଷରୁ ରାଲି ଓ ବିକ୍ଷୋଭ  କରାଯାଇଥିଲା । ରାଲିରେ କର୍ମୀ କମ୍ ଭଡାଟିଆ ସଂଖ୍ୟା ଅଧିକ ଥିବା ଦେଖିବାକୁ ମିଳିଥିଲା । ଆଉ ବିଜେଡିର ପ୍ରେସମିଟ ପରେ ତୁରନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ମୋଦିଙ୍କ ୩ ବର୍ଷ ସ୍ୱଚ୍ଛ ଶାସନର ହିସାବ ଦେଇଥିଲେ । ଉଜ୍ଜଳା ଯୋଜନାର ସଫଳତା ବଖାଣି ଥିଲେ । ଧୂଆଁ ଯନ୍ତ୍ରଣାରୁ ମହିଳାଙ୍କୁ ନିସ୍ତାର ମିଳିଥିବା କହିଥିଲେ ।
କେବଳ ଏତିକିରେ ସୀମିତ ରହିନାହିଁ ବିଜେପି-ବିଜେଡି ଆରୋପ-ପ୍ରତ୍ୟାରୋପ । ବରିଷ୍ଠ ବିଜେଡି ନେତା ତଥା କୃଷିମନ୍ତ୍ରୀ ଦାମୋଦର ରାଉତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସଟ୍ଟା ବେପାରୀ କହି କଟୁ ସମାଲୋଚନା କରିଥିଲେ । ଅମିତଙ୍କ ଉଚ୍ଚାରଣ ଓ ଆଚରଣ ଭାରତୀୟ ଗଣତନ୍ତ୍ର ସହ ସମ୍ପର୍କ ରଖୁନି । ଓଡିଶା ବାବଦରେ ତାଙ୍କର ଧାରଣା ନାହିଁ । ବିଜୁ ମୟ ଓଡ଼ିଶାକୁ ମୋଦି ମୟ କରିବା ପାଇଁ ଶାହ ଦିବାସ୍ୱପ୍ନ ଦେଖୁଛନ୍ତି ବୋଲି ଦାମ ବାବୁ କହିଛନ୍ତି । ସେହିପରି ପରିବାରବାଦ ରାଜନୀତି ନେଇ ବିଜେପିକୁ ପାଲଟା ତୀର ମାରିଛନ୍ତି । ବିଜେପିରେ ରାଜା ପୁଅ ରାଜା ହେବାର ବହୁ ଉଦାହରଣ ରହିଛି ବୋଲି ଦାମ ଆକ୍ଷେପ କରିଥିଲେ ।   
ଏଭିତରେ ନିର୍ବାଚନ ଆହୁରି ଢେର ଦିନ ବାକି ରହିଲାଣି । ତେବେ ଏହା ପୂର୍ବରୁ ବିଜେପି, ବିଜେଡି ଓ କଂଗ୍ରେସ କେତେ ଆସନ ପାଇବେ ଅଙ୍କ କଷୁଛନ୍ତି । ବିଜେପିର  ମିଶନ ୧୨୦ ପ୍ଲସ ଥିବା ବେଳେ ବିଜେଡି କହିଲାଣି ୧୨୩ ନୁହେଁ ପୂରା ୧୪୭ ବିଧାନସଭା ଆସନରେ ଦଳ ଜିତିବ ।  ଆଉ ପଛରେ ପଡିନି କଂଗ୍ରେସ । ଦଳର ବରିଷ୍ଠ ନେତା ସୁର ରାଉତରାୟ କହି ବୁଲୁଛନ୍ତି ଆଗାମୀ ନିର୍ବାଚନରେ କଂଗ୍ରେସ ୮୫ ଆସନରେ ଆସିବ । ସଂଖ୍ୟା ଖେଳରେ ତିନି ପ୍ରମୁଖ ରାଜନୈତିକ ଦଳ ମାତିଥିବା ବେଳେ ଏବେ ବିଜେପି-ବିଜେଡି ମଧ୍ୟରେ କିନ୍ତୁ ଆକ୍ଷେପ ଓ ପ୍ରତିଆକ୍ଷେପ ଜୋର ଧରୁଛି । ବିଭିନ୍ନ ପ୍ରସଙ୍ଗରେ ଉଭୟ ଦଳ ଆଟାକ-କାଉଣ୍ଟର ଷ୍ଟ୍ରାଟେଜି ଆପଣେଇଛନ୍ତି । ଗୋଟିଏ ଦଳ ମୁହଁ ଖୋଲିଲେ ଅନ୍ୟପଟୁ ମିଳୁଛି ମୁହଁତୋଡ ଜବାବ । ରାଜ୍ୟ ରାଜନୀତିରେ ଏବେ ବାଦୀ ପାଲା ଚାଲିଥିବା ବେଳେ ଜନତା ଜନାର୍ଦ୍ଦନ କାହାକୁ କେଉଁଠି ରଖିବେ କାହା ମିଶନକୁ ପୂରା କରିବେ, କାହକୁ ଛାଡିଦେବେ ତାହା ଏବେଠୁଁ କହିବା ମୁସ୍କିଲ ।

ONA

Leave a Reply

Top