You are here
Home > ଅଧିକ ଖବର > ଗୋଷ୍ଠୀ ବିବାଦରୁ ଦି’ ଫାଳ

ଗୋଷ୍ଠୀ ବିବାଦରୁ ଦି’ ଫାଳ

ଭୁବନେଶ୍ୱର: ରାୟଗଡା ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଚିତପଟାଙ୍ଗ ମାରିଛି ।  ୫ଟି ବ୍ଲକର ୮ ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ କେବଳ ଚନ୍ଦ୍ରପୁର ବ୍ଲକର ଗୋଟିଏ ଜିଲ୍ଲା ପରିଷଦ ଆସନ ବିଜେଡି ହାତେଇଛି । ସେହିପରି ବିଜେପି ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଓ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିଏ ଆସନ ହାତେଇ ଜିଲ୍ଲାରେ ଖାତା ଖୋଲିବାରେ ସକ୍ଷମ ହୋଇଛି । ବଳକା ୫ଟି ଆସନରେ କଂଗ୍ରେସ ଦଳ ବିଜୟ ହୋଇ ନିଜର ପୂର୍ବ ଗଡ଼କୁ ଫେରିପାଇଛି । ଆଉ ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଏହାର ପ୍ରଭାବ ପଡ଼ିବା ବି ପଡିଛି  ।  ତୃତୀୟ ପର୍ଯ୍ୟାୟରେ ଗୁଣପୁର ଓ ରାମନାଗୁଡ଼ା ବ୍ଲକର ୨ ଟି ଲେଖାଏଁ ଏବଂ କୋଲନରା ବ୍ଳକର ଯେଉଁ ଗୋଟିଏ ଆସନରେ ନିର୍ବାଚନ ହୋଇଥିବା ବେଳେ ସବୁ ଆସନରେ ବିଜେପି ବାତିମାତ କରିପାରିନାହିଁ । ଜିଲ୍ଲାରେ ଦଳୀୟ କନ୍ଦଳର ପ୍ରଭାବ ଏଥିପାଇଁ ଦାୟୀ ବୋଲି ବିଜେଡିର ଜଣେ ବରିଷ୍ଠ ନେତା ନିଜର ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି  । ବିଜେଡିର ଏହି ବିପର୍ଯ୍ୟୟ ପାଇଁ ଗୋଷ୍ଠୀ ବିବାଦ ହିଁ କାଳ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି  । ବର୍ଷ ବର୍ଷ ଧରି ଲାଗି ରହିଥିବା ଗୋଷ୍ଠୀ ବିବାଦ ପାଉଁଶ ତଳର ନିଆଁ ଭଳି କୁହୁଳି ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଛି । ଦଳର ମୂଳ ନୀତି ଓ ଆଦର୍ଶକୁ ପଛରେ ପକାଇ କିଛି ଆଗ ଧାଡ଼ିର ନେତା ନିଜସ୍ୱ ଏଜେଣ୍ଡାରେ ଦଳକୁ ପରିଚାଳନା କରିବା ଯୋଗୁଁ ଏଭଳି ଘଟିଥିବା ମଧ୍ୟ ଅନୁମାନ କରାଯାଉଛି  । ମୁଖ୍ୟତଃ ବିଷମକଟକ ଓ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ପରସ୍ପର ଗୋଡ଼ ଟଣାଟଣି ଯୋଗୁଁ ବିଜେଡି ମାତ୍ର ଗୋଟିଏ ଆସନରେ ସୀମିତ ରହିଗଲା । ପୂର୍ବରୁ ବିଜେଡି ଜିଲ୍ଲା ସଭାପତି ସୁଧୀର ଦାସଙ୍କୁ ନେଇ ଅନେକ ବିବାଦ ନଜରକୁ ଆସଛି  । ଦ୍ୱିତୀୟ ଥର ପାଇଁ ସେ ଜିଲ୍ଲା ସଭାପତି ହେବା ପରେ ନୂଆ ନୂଆ ବିବାଦ ଜନ୍ମ ନେଇଥିବା ବେଳେ କୋ÷ଣସି ଗୋଟିଏରେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ  । ଏହାକୁ ନେଇ ଦଳର ଜିଲ୍ଲା ସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସବୁଠି ଅସନ୍ତୋଷର ବାତାବରଣ ଲାଗିରହିଛି  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୧୨ ପଞ୍ଚାୟତ ନିର୍ବାଚନରେ ଚନ୍ଦ୍ରପୁର ବ୍ଲକର ଏକମାତ୍ର ଜିଲ୍ଲା ପରିଷଦ ଆସନରେ ବିଜେଡିି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ଚଳିତଥର ହାତଗଣତି ଭୋଟ ବ୍ୟବଧାନରେ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି  । ସେହିଭଳି ମୁନିଗୁଡ଼ା ବ୍ଲକରୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରହିଥିବା ବେଳେ ଚଳିତ ଥର ସେଠାକାର ୨ ଆସନ ଏବଂ ଜିଲ୍ଲା ସଭାପତି ସୁଧୀର ଦାସଙ୍କ ନିଜସ୍ୱ ବ୍ଲକ ବିଷମକଟକର ୨ ଆସନରେ ଦଳ ଖାତା ଖୋଲି ପାରିଲା ନାହିଁ  । ମୁନିଗୁଡ଼ା ଠାରେ ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ରତନଲାଲ ଜୈନଙ୍କୁ ଦଳ ଭିତରେ ଓ ବାହାରେ ବିରୋଧ ମଧ୍ୟ ପରାଜୟର ଅନ୍ୟ ଏକ କାରଣ ବୋଲି ଆଲୋଚନା ହେଉଛି  । ବିରୋଧ ଥିବା ସତ୍ତ୍ୱେ ଜିଲ୍ଲା ସଭାପତି ତାଙ୍କୁ ହିଁ ଦାୟିତ୍ୱ ଦେବା ଓ ମୁନିଗୁଡ଼ାକୁ ଏନଏସି ମାନ୍ୟତା ପ୍ରଦାନରୁ ବଞ୍ଚିତ କରାଯିବା ମଧ୍ୟ ପରାଜୟର ଏକ ବିରାଟ କାରଣ । ବିଷମକଟକରେ ୨୦୧୨ରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଥାଇ ମଧ୍ୟ ଏକଚ୍ଛତ୍ରବାଦୀ କାର୍ଯ୍ୟ ଯୋଗୁଁ ପଞ୍ଚାୟତ ସମିତି ଗଠନରୁ ଦଳ ଶେଷ ମୂହୁର୍ତ୍ତରେ ବଞ୍ଚିତ ହେଲା ଓ କଂଗ୍ରେସ ବାଜି ମାରିନେଲା । ସେହିବର୍ଷ ଦଳୀୟ ଟିକେଟରେ ଅସନ୍ତୋଷ ବ୍ୟକ୍ତ କରି ବିଜେଡିି ଛାଡ଼ିଥିବା ନନ୍ଦ କିଶୋର ଚୋ÷ଧୁରୀ କଂଗ୍ରେସରେ ଯୋଗଦେବା ପରେ ବିଷମକଟକ ‘ଖ’ ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୟୀ ହୋଇଛନ୍ତି । ଯାହାକି ଜିଲ୍ଲା ସଭାପତିଙ୍କ ପାଇଁ ଏକ ଶକ୍ତ ଧକ୍କା କହିଲେ ଅତୁ୍ୟକ୍ତି ହେବନାହିଁ । ଚଳିତ ଥର ସେହି ଆସନରେ ଜ୍ୟୋତି ପ୍ରକାଶ ସାହୁ ଓ ପୃଥ୍ୱୀରାଜ ସାହୁଙ୍କ ଭଳି ଅଭିଜ୍ଞ ଯୁବ ନେତାଙ୍କୁ ଚୟନ କରାନଯାଇ ଜଣେ ମଦ ବ୍ୟବସାୟୀଙ୍କ କର୍ମଚାରୀ ଡି.ଶିବା ପ୍ରସାଦଙ୍କୁ ଚୟନ କରିବା ମଧ୍ୟ ପରାଜୟର ଅନ୍ୟ ଏକ କାରଣ ବୋଲି କୁହାଯାଉଛି  । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜନୈତିକ ପାଣିପାଗରେ ଅନେକ ପରିବର୍ତ୍ତନ ହୋଇଥିବାରୁ ୫ଟି ଯାକ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିବା ସୂଚନା ମିଳିଛି  ।

ONA

Leave a Reply

Top