You are here
Home > ଲାଟେଷ୍ଟ > ଗୃହରେ ଟମାଟୋ ତାତି, ଅଚଳାବସ୍ଥା ପରେ ମୁଲତବି

ଗୃହରେ ଟମାଟୋ ତାତି, ଅଚଳାବସ୍ଥା ପରେ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଆଜି ବି ଅଚଳାବସ୍ଥା ଜାରି ରହିଛି । ଆଜି ଶୂନ୍ୟକାଳ ଆରମ୍ଭ ହେବା ମାତ୍ରକେ ବିରୋଧୀଦଳର ସଦସ୍ୟମାନେ ଗତକାଲି କେନ୍ଦୁଝରରେ ଟମାଟୋ ଅଭାବି ବିକ୍ରିକୁ ନେଇ ଚାଷୀଙ୍କ ଆନେ୍ଦାଳନ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରିଥିଲେ  । ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢ଼ିବାକୁ ବିରୋଧୀ ସଦସ୍ୟ  ଉଦ୍ୟମ କରିଥିଲେ । ଏନେଇ ବାଚସ୍ପତି ପ୍ରଥମେ ଗୃହକୁ ୧୫ ମିନିଟ୍ ଓ ପରେ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ପୂର୍ବରୁ ବରଗଡ ଓ ରାୟଗଡାରେ ବି ଚାଷୀମାନେ ଟମାଟୋ ଅଭାବୀ ବିକ୍ରୀ ନେଇ ସମସ୍ୟାର ସମ୍ମୁଖୀନ ହୋଇଥିବା କଂଗ୍ରେସ ସଦସ୍ୟ କହିଥିଲେ । କେବଳ ଚାଷୀମାନେ ଟମାଟୋ ନୁହେଁ ଅନ୍ୟ ପନିପରିବା ଅଭାବୀ ବିକ୍ରୀକୁ ସାମ୍ନା କରୁଛି ବୋଲି ବିରୋଧୀ ଉଲ୍ଲେଖ କରିଥିଲେ । ବିମୁଦ୍ରାକରଣ ଯୋଗୁଁ ଚାଷୀମାନେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ସହ ଏ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବାକୁ ବିରୋଧୀ ସଦସ୍ୟ ଦାବି କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀ ପତି କହିଛନ୍ତି, ବିମୁଦ୍ରାକରଣର ପ୍ରଭାବ ଚାଷୀଙ୍କ ଉପରେ ପଡିଛି । ଚାଷୀମାନେ ପନିପରିବାକୁ ବିକ୍ରି ନ କରିପାରି ଫିଙ୍ଗି ଦେଉଛନ୍ତି । ବରଗଡରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି । କେନ୍ଦୁଝରରେ ଚାଷୀମାନେ ଟ୍ରକ ଟ୍ରକ ଟମାଟୋ ଫିଙ୍ଗିଥିଲେ । ଚାଷୀଙ୍କ ଦୁଃଖ ବୁଝିବାକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରସ୍ତୁତ ନାହାନ୍ତି । ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ କଂଗ୍ରେସ ଦାବି କରିଛି । ବିଜେଡି ବିଧାୟକ ସୁଶାନ୍ତ ସିଂହ କହିଛନ୍ତି, ବିମୁଦ୍ରାକରଣ ଚାଷୀମାନଙ୍କ ଉପରେ ପ୍ରଭାବ ପକାଇଛି । ବଜାରରେ ବେପାରୀମାନେ ପଇସା ଅଭାବରୁ ଜିନିଷ କିଣି ପାରୁନାହାନ୍ତି । ଚଳିତ ବର୍ଷ ଅଧିକ ପନିପରିବା ଉତ୍ପାଦନ ହୋଇଛି । ପନିପରିବା ଅଭାବୀ ବିକ୍ରୀ ନେଇ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ONA

Leave a Reply

Top