You are here
Home > ଏକ୍ସକ୍ଲୁସିଭ୍ > ଗୀତା ପରେ ରୀତା ଭରଷା

ଗୀତା ପରେ ରୀତା ଭରଷା

ଉଭଣୀ ଗୀତାଙ୍କ ଉପରେ ସବୁଠୁ ଅଧିକ ବିଶ୍ୱାସ କରନ୍ତି ନବୀନ । ଜଟିଳ ପରିସ୍ଥିତିରେ ତାଙ୍କର ପରାମର୍ଶ ନିଅନ୍ତି । ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାରରେ ଭଉଣୀ ଗୀତା ମୁଣ୍ଡ ନ ଖେଳାଇଲେ ଭାଇ ନବୀନଙ୍କ ମୁଣ୍ଡ ଗୋଳମାଳ ହୋଇଯାଏ । ରାଜନୀତିର ପ୍ରଚ୍ଛଦପଟରେ ରହି ସେ ନବୀନଙ୍କୁ ଗାଦିରେ ବସାଉଛନ୍ତି । ହେଲେ ବିଜେପୁର ଉପନିର୍ବାଚନ ଲାଗି ନବୀନ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତାଙ୍କ ଉପରେ ଭରସା କରିଛନ୍ତି ।
ବରଗଡ: ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ଦେଖିବ ଉପନିର୍ବାଚନ । ଆଗାମୀ ସାଧାରଣ ନିର୍ବାଚନ ବର୍ଷକ ପୂର୍ବରୁ ବିଜେପୁର ଉପନିର୍ବାଚନର ଫଳାଫଳ ନିଶ୍ଚିତ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ । ସେପଟେ ପଞ୍ଚାୟତ ନିର୍ବାଚନରେ ଆଣ୍ଠେଇ ପଡିଥିବା ବିଜେଡିକୁ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଗିରଫ ବ୍ୟାକଫୁଟ୍କୁ ନେଇ ଯାଇଛି । ସେଥିପାଇଁ ବିଜେପୁର ଉପନିର୍ବାଚନକୁ ଅତି ଗୁରୁତ୍ୱର ସହ ନେଉଛି ବିଜେଡି । ଜିତିବା ଏତେ ଜରୁରୀ ହୋଇପଡିଛି ଯେ ନବୀନ ଦିବଂଗତ ସୁବଳ ସାହୁଙ୍କ ପରିବାରକୁ ଭରସିଛନ୍ତି । ଅବଶ୍ୟ ନବୀନ ପଟ୍ଟନାୟକ ଏକଦା ସ୍ୱାର୍ଥ ଲାଗି ତାଙ୍କ ମାର୍ଗଦର୍ଶକ ପ୍ୟାରୀ ମହାପାତ୍ରଙ୍କୁ ମଧ୍ୟ ବଳି ପକାଇଛନ୍ତି । ତେଣୁ କଂଗ୍ରେସରୁ ତିନି ତିନି ଥରର ବିଧାୟକ ସୁବଳଙ୍କ ପରିବାର ସହ ବୁଝାମଣା କରିବାରେ ହେଳା କରୁନାହାନ୍ତି । ଆଦର୍ଶ କିମ୍ବା ନୈତିକତାକୁ ବନ୍ଧା ପକାଇ ସୁବଳଙ୍କ ସ୍ତ୍ରୀଙ୍କ ରୀତାଙ୍କୁ ବିଜେଡିର ପ୍ରାର୍ଥୀ କରିବାକୁ ଯାଉଛନ୍ତି । କାରଣ ଓଡ଼ିଶାର ଭୋଟର ସାଧାରଣତଃ ଉପନିର୍ବାଚନରେ ଦିବଙ୍ଗତ ନେତାଙ୍କ ପରିବାର ପ୍ରତି ଆସ୍ଥା ପ୍ରକଟ କରିଥାନ୍ତି । ଲକ୍ଷ୍ମୀପୁରର ପୂର୍ଣ୍ଣଚନ୍ଦ୍ର ମାଝି, ତଲସରାରେ ପ୍ରଫୁଲ୍ଲ ମାଝି, ସୁନ୍ଦରଗଡ ସୁଷମା ପଟେଲ ଏବଂ ନୟାଗଡରେ ମନ୍ଦାକିନୀ ବେହେରାଙ୍କ ଜିତିବା ଏକଥାକୁ ସ୍ପଷ୍ଟ କରିଛି । ଇତିହାସର ପୁନରାବୃତ୍ତି ଆଶାରେ ବିଜେଡି ସୁପ୍ରିମୋ ଚାହୁଁଛନ୍ତି ସୁବଳ ସାହୁଙ୍କ ସ୍ତ୍ରୀ, ରୀତାଙ୍କୁ ନିଜ ଦଳରୁ ପ୍ରାର୍ଥୀ କରିବାକୁ ।
ତେବେ ବିଜେପୁର-ବରପାଲି, ଗାଇସିଲଟ ବ୍ଲକ ଏବଂ ବରପାଲି ଏନଏସିକୁ ନେଇ ଗଠିତ ବିଜେପୁର ବିଧାନସଭା ରାଜନୈତିକ ସ୍ଥିତି ବଡ ରୋଚକ । ସୁବଳ ସାହୁ ଲଗାତର ଜିତିବା ପଛରେ ବିଜେଡିର ବିଭୀଷଣଙ୍କ ଢେର ଭୂମିକା ରହିଥିଲା । ୨୦୦୪ରେ ବିଜେଡି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ହାରିବା ପଛରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ହାତ ରହିଛି; ସେହିପରି ୨୦୦୯ରେ ବିଜେଡି ପ୍ରାର୍ଥୀ ପ୍ରଭାତ ଆଦିତ୍ୟ ମିଶ୍ର ହାରିବା ଲାଗି ଅଶୋକ ପାଣିଗ୍ରାହୀ ଓ ଆଚାର୍ଯ୍ୟ ପରିବାର ଦାୟୀ ବୋଲି କୁହାଯାଏ । ଆଉ ୨୦୧୪ରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ହାରିବା ପଛରେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର ଓ ଅନଙ୍ଗ ଉଦୟ ସିଂହ ଦେଓଙ୍କ ଭୂମିକା ରହିଛି ବୋଲି ଆଲୋଚନା ହୁଏ । ତେବେ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ବିଜେପୁର ଭୋଟର ବାହାରିଆ ନେତା ଭାବେ ଦେଖିଛନ୍ତି । କିନ୍ତୁ ରୀତାଙ୍କ କ୍ଷେତ୍ରରେ ସେଭଳି ହେବ ନାହିଁ ବୋଲି ନବୀନଙ୍କ ଅଙ୍କକଷା କହୁଛି । ଆଉ ରୀତା ବିଜୟୀ ହେଲେ ମଧ୍ୟ ବରଗଡ ଜିଲ୍ଲା ରାଜନୀତିରେ ପାୱାର ସେଣ୍ଟର ହେବାର ନାହିଁ, ତେଣୁ ତାଙ୍କୁ ହରାଇବା ଲାଗି କୌଣସି ଗୋଷ୍ଠୀ ଚାହିଁବେ ନାହିଁ । ବରଂ ପ୍ରସନ୍ନ ଆଚାର୍ଯ୍ୟ, ସୁଶାନ୍ତ ସିଂ, ସାଂସଦ ପ୍ରଭାସ ସିଂ ଓ ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ପରି ନେତା ରୀତାଙ୍କୁ ଜିତାଇବା ଲାଗି ଲାଗି ପଡିବେ । ଆଉ ରାଜନୀତିରେ ନୂଆ ରୀତାଙ୍କ ଜରିଆରେ, ବିଜେପୁରକୁ ନିୟନ୍ତ୍ରଣ ସେମାନେ କରିବାକୁ ଚେଷ୍ଟା କରିବେ । ଅବଶ୍ୟ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ତାଙ୍କ ବଡ ଭାଇ ସମ୍ବିତ ଚାହୁଁଥିଲେ କାକା ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଜେପୁରରୁ ଲଢନ୍ତୁ । କାରଣ ପ୍ରସନ୍ନ ଜିତିଲେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି । ହେଲେ ବିଜେଡି ସୁପ୍ରିମୋ ନବୀନ, ପ୍ରସନ୍ନଙ୍କୁ ଲଢାଇ ଆଉ ରିସ୍କ ନେବାକୁ ଚାହୁଁ ନାହାନ୍ତି । ଏଥିଲାଗି ନବୀନ ଦିବଂଗତ ବିଧାୟକ ସୁବଳଙ୍କ ପରିବାର କିପରି ବିଜେଡିରେ ମିଶିବେ ସେହି ଦାୟିତ୍ୱ ଭଟଲି ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଦେଇଥିଲେ ।
ବିଜେପୁରରେ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ତର୍ଜମା କଲେ ଲାଗୁଛି ଆଗାମୀ ବିଧାନସଭା ଉପନିର୍ବାଚନରେ ବିଜେପି ହାରିବା କଥା ନୁହେଁ । ପଞ୍ଚାୟତ ନିର୍ବାଚନରେ ବିଜେପୁର ବିଧାନସଭା କ୍ଷେତ୍ରରୁ ବିଜେପିକୁ ୯୧ ହଜାର ୬୮୮ଟି ଭୋଟ, ବିଜେଡିକୁ ୪୪ ହଜାର ୧୧୦ ଏବଂ କଂଗ୍ରେସକୁ ୨୭ ହଜାର ୯୬୪ଟି ଭୋଟ ମିଳିଥିଲା । ତେଣୁ ହିସାବକିତାବ କହୁଛି ବିଜେପୁର ହେଉଛି ବିଜେପି ଲାଗି ଏସିଡ୍ ଟେଷ୍ଟ । ଯାହା ଖବର ଆସୁଛି ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିପାରେ । କାରଣ ୨୦୦୦ରେ ବିଧାୟକ ହୋଇଥିବା ଅଶୋକ ପାଣିଗ୍ରାହୀଙ୍କର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ଏପରିକି ଗତ ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ପ୍ରାୟ ୨୦ହଜାର ଭୋଟ ପାଇଥିଲେ ଅଶୋକ । ତେବେ ଅଶୋକ ବିଜେପିରୁ ପ୍ରାର୍ଥୀ ହେଲେ ଦଳର ପୁରୁଣା କର୍ମୀ ମୁହଁ ମୋଡି ଦେବେ । ତେଣୁ ପ୍ରଥମେ ବିଜେପି ନେତୃତ୍ୱଙ୍କୁ ନିଜ ଦଳର କର୍ମୀଙ୍କ ମାନଭଞ୍ଜନ କରିବାକୁ ପଡିବ । ଆଉ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ ବିଜେପୁରରେ କ୍ୟାମ୍ପ କରିବାକୁ ପଡିବ । ନହେଲେ ପଞ୍ଚାୟତ ନିର୍ବାଚନର ଫଳାଫଳ ପୁନରାବୃତ୍ତି ହେବାର ସମ୍ଭାବନା କମ ହେବ ।
ସେପଟେ ୧୦ ଜନପଥ ସହ ସମ୍ପର୍କ ରଖିଥିବା ରିପୁନାଥ ସେଠ୍ ଲଢିବା ମୁଡରେ ଥିଲା ପରି ଲାଗୁନାହିଁ । ଖବର ରହିଛି ଦଳ ବାଧ୍ୟ କଲେ ରିପୁନାଥ ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇ ପାରନ୍ତି । କିନ୍ତୁ ୧୯୯୫ରେ ବିଜେପୁରରୁ ବିଜୟୀ ହୋଇଥିବା ରିପୁନାଥ ସେଠ୍ ସଂରକ୍ଷିତ ଆସନ ଅତାବିରାକୁ ନେଇ ଆଗ୍ରହୀ । ଆଗାମୀ ନିର୍ବାଚନରେ ଅତାବିରାରୁ ଲଢିବା ଯୋଜନାରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ପ୍ରିୟ ରିପୁନାଥ ସେଠ୍ । ତେବେ ମୋଟ ଉପରେ କହିବାକୁ ଗଲେ ଗାଇସିଲଟ ବ୍ଲକରେ ବିଜେପିର ସ୍ଥିତି ଦୃଢ ଥିଲାବେଳେ, ବିଜେପୁର ବ୍ଲକରେ ବିଜେଡି ସ୍ଥିତି ମଜଭୁତ ରହିଛି । ଆଉ ବରପାଲି ବ୍ଲକ ଓ ଏନଏସିରେ ଉଭୟ ଦଳର ସ୍ଥିତି ବରାବର ରହିଛି । କିନ୍ତୁ ବିଜେପୁର ଭୋଟର ପ୍ରଥମ ଥର ଉପନିର୍ବାଚନ ଦେଖୁ ନାହାନ୍ତି । ୧୯୯୧ରେ ଜନତା ଦଳ ବିଧାୟକ ନିକୁଞ୍ଜ ବିହାରୀ ସିଂଙ୍କ ଅକାଳ ବିୟୋଗ ପରେ ବିଜେପୁରରେ ହୋଇଥିଲା ଉପନିର୍ବାଚନ । ଆଉ ସେତେବେଳେ ନିକୁଞ୍ଜ ସିଂଙ୍କର ସ୍ତ୍ରୀ କିଶୋରମଣି ସିଂ ଜନତା ଦଳରୁ ଲଢ଼ି ବିଜୟୀ ହୋଇଥିଲେ । ସମବେଦନା ସ୍ରୋତ ବୋହିଥିଲା କିଶୋରମଣିଙ୍କ ସପକ୍ଷରେ । ଏବେର ସ୍ଥିତ ମଧ୍ୟ ସେହିପରି । ତେଣୁ ରୀତାଙ୍କ ଜରିଆରେ ବିଜେପୁର ଅକ୍ତିଆର କରିବା ମୁଡ୍୍ରେ ନବୀନ । ଦଳୀୟ ବ୍ୟାପାରରେ ଭଉଣୀ ଗୀତାଙ୍କ ପରେ ବିଜେପୁର ଉପନିର୍ବାଚନ ପାଇଁ ନବୀନ ରୀତାଙ୍କ ଉପରେ ଭରସିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ONA

Leave a Reply

Top