You are here
Home > ଏକ୍ସକ୍ଲୁସିଭ୍ > ଗାଁରେ ହେବେ ମୁହାଁ ମୁହିଁ

ଗାଁରେ ହେବେ ମୁହାଁ ମୁହିଁ

ପ୍ରସ୍ତୁତ ହୋଇ ସାରିଛି ରଣନୀତି । ହତିୟାର ବି ତୟାର ।
ରଣକ୍ଷେତ୍ର ପାଲଟିବ ଗାଁ । ଜନତାଙ୍କ ଦରବାରରେ ସାମ୍ନା ସାମ୍ନି ହେବେ
ପରସ୍ପର ଦୁଇ
ବିରୋଧୀ ଦଳର ନେତା । ମୋଦି ସେନାକୁ ଟକ୍କର ଦେବେ ନବୀନ ବାହିନୀ ।
ଭୁବନେଶ୍ୱର: ୨୦୧୯ ଆହୁରି ଦେଢ ବର୍ଷ ବାକି । ହେଲେ ଏବେଠୁ ରାଜ୍ୟରେ ଆରମ୍ଭ ହେଲାଣି ରାଜନୈତିକ ଯୁଦ୍ଧ ପ୍ରସ୍ତୁତି । ସମର ସଜ୍ଜା ବି ଚାଲିଲାଣି । ନିଜ ନିଜ ସେନାପତିଙ୍କୁ ଦାୟିତ୍ୱ ଦେଇ ପ୍ରସ୍ତୁତ କଲେଣି ଦଳପତି । ଏଥର ରାଜଧାନୀ ନୁହେଁ ଯୁଦ୍ଧ କ୍ଷେତ୍ର ପାଲଟିବି ଗାଁ । ଏମିତି ରଣନୀତି ଆପଣାଇଛନ୍ତି ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ । ସେଥିପାଇଁ ଗାଁ ମୁହାଁ ହୋଇଛନ୍ତି ନେତାମାନେ । କିଏ ବୁଥକୁ ଯିବେ ତ ଆଉ କିଏ ଯିବେ ଗାଁକୁ । ପଞ୍ଚାୟତ ନିର୍ବାଚନ ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟ ବଦଳାଇ ଦେବାପରେ ରାଜ୍ୟରେ ବଢିଛି ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା । ନେତାଙ୍କୁ ବାଧ୍ୟ କରିଛି ଗାଁ ମୁହାଁ ହେବା ପାଇଁ । ରାଜ୍ୟରେ ଏକ ନମ୍ବର ଦଳ ବୋଲି ଦାବି କରୁଥିବା ୧୭ ବର୍ଷ ଧରି ଶାସନ ଗାଦିରେ ବସିଥିବା ବିଜେଡି ଛାତିରେ ଛନକା ପସିଛି । ରାଜ୍ୟ ବିଜେପିର ସଫଳତା ନବୀନଙ୍କ ହାଟ୍ବଟ୍ଟ୍ ବଢାଇ ଦେଇଛି । ସେଥିଲାଗି ବିଜେପିକୁ ମୁକାବିଲା କରିବାକୁ  ଢେର ଦିନ ପୂର୍ବରୁ ଗୋଡ କାଢିଲେଣି ନବୀନ । କାହିଁକି ନା ବିଜେଡି ବୁଝିସାରିଲାଣି ଗାଁକୁ ନଗେଲେ ସ୍ଥିତି ସୁଧୁରିବନି । ବିଜେପିକୁ ଟକ୍କର ଦେବ ବିଜେଡି ଆମ ଗାଁ-ଆମ ବିକାଶ’ । ଏଭଳି ଫଣ୍ଡା ଆପଣେଇଛି ନବୀନ । ପଞ୍ଚାୟତ ନିର୍ବାଚନରେ ବିଜେପି ରାଜ୍ୟରେ ନିଜ ଶକ୍ତି ପ୍ରଦର୍ଶନ କରିଥିଲା । ଆଉ ଶଙ୍ଖ ଗଡରେ ଫୁଟିଥିଲା ପଦ୍ମ । ଏଥିରେ ଭୟଭିତ ଅଛନ୍ତି ବିଜେଡି ସୁପ୍ରିମୋ ନବୀନ । ଏଭଳି ସ୍ଥିତିରେ ସଗଠନ ସଜାଡିବା ଓ ବିଜେପିର ବୁଥ୍ ଚାଲ ଅଭିଯାନକୁ ଭଣ୍ଡୁର କରିବା ପାଇଁ ଅଣ୍ଟା ଭିଡିଛି ବିଜେଡି ।
୨୦୧୯ ବିଧାନସଭା ନିର୍ବାଚନକୁ ନଜରରେ ରଖି ଏବେଠୁ ଅଭିଯାନ ଆରମ୍ଭ କରିଛି ବିଜେଡି । ସେପ୍ଟମ୍ବର ଶେଷ ସୁଦ୍ଧା ବିଜୁ ଜନତା ଦଳ ଓ ସରକାରର ବିଭିନ୍ନ କାର୍ଯ୍ୟକ୍ରମ ତଥା ସଫଳତାରେ ଅଧିକରୁ ଅଧିକ ଜନସାଧାରଣଙ୍କ ସମ୍ପୃକ୍ତି ସହିତ ସାଗଠନିକ କାର୍ଯ୍ୟକ୍ରମକୁ ୱାର୍ଡ ସ୍ତରରେ ଶାଣିତ କରିବା ପାଇଁ ‘ଆମ ଗାଁ-ଆମ ବିକାଶ’ ଅଭିଯାନ ଆରମ୍ଭ କରିଛି । ଲୋକଙ୍କ ପାଖକୁ ଯିବ ବିଜେଡି । ବିଜୁ ଜନତା ଦଳର ଅଙ୍ଗୀକାରବଦ୍ଧତା ଏବଂ ଦଳ ବିରୋଧରେ ବିଜେପି କରୁଥିବା ଅପପ୍ରଚାରକୁ ପଣ୍ଡ କରିବା ପାଇଁ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ରୋଡ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି ନବୀନ । କିଭଳି, ଗାଁ ଲୋକଙ୍କୁ ମନାଇବେ? ପୁଣି ବିଜେଡି ଉପରେ ଭୋଟରଙ୍କ ଭରସା ଫେରିବ । ପଞ୍ଚାୟତ ଫଳାଫଳ ଯେପରି ରିପିଟ୍ ନହୁଏ ସେଥିପାଇଁ ଆଗୁଆ ସତର୍କ ହୋଇଛି  ବିଜେଡି । ନବୀନ ସରକାରଙ୍କ ସଫଳତାର ବାର୍ତ୍ତାକୁ ଜିଲ୍ଲା ପର୍ଯ୍ୟବେକ୍ଷକ, ମନ୍ତ୍ରୀ, ବିଧାୟକ, ବିଧାୟିକା, ଜିଲ୍ଲା ସଭାପତି ଏବଂ ଦଳର ଛାମୁଆଁ  ସଂଗଠନମାନଙ୍କର ସଭାପତି ଲୋକଙ୍କ ନିକଟରେ ପହଞ୍ଚାଇବେ ।
  ଆଗାମୀ ଜୁଲାଇରୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁ ଜନତା ଦଳର ୱାର୍ଡ କମିଟି ଗଠନ ହେବ  । ପଞ୍ଚାୟତରେ ସରକାର ଓ  ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ସଭା ଓ ସମ୍ମିଳନୀ ମାଧ୍ୟମରେ ଗ୍ରାମବାସୀଙ୍କୁ ଅବଗତ କରାଯିବ । ଆଉ ସଂଗ୍ରହ ହେବେ ‘ବିଜୁ ସାଥୀ’ । ଏମାନେ ଗାଁ ସ୍ତରରୁ ସଂଗଠନକୁୁ ମଜଭୁତ କରିବାରେ ସହାୟକ ହେବେ । ଘର ଘର ବୁଲି ଲୋକଙ୍କୁ ନବୀନ ସରକାରର ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇବେ । ଏହାକୁ ସଫଳ ରୂପାୟନ କରିବା ପାଇଁ  ବିଜେଡି ରୋଡ ମ୍ୟାପ୍ ପ୍ରସ୍ତୁତ କରିଛି । ଗ୍ରାମାଞ୍ଚାଳ ସ୍ତରର ସମସ୍ତ କାର୍ଯ୍ୟକ୍ରମକୁ ମନ୍ତ୍ରୀ, ଜିଲ୍ଲା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି, ବିଧାୟକ/ବିଧାୟିକା, ବ୍ଲକ ସଭାପତି ତଦାରଖ କରିବେ । ପ୍ରତ୍ୟେକ ମାସ ଶେଷ ସୁଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀମାନେ  କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସଭାପତିଙ୍କ ନିକଟରେ ତଥ୍ୟ ରଖିବେ । ସେଥିଲାଗି ଦଳୀୟ କର୍ମୀମାନଙ୍କୁ ଲିଖିତ ନିଦେ୍ର୍ଦଶ ଦେଇସାରିଛନ୍ତି ଶଙ୍ଖପତି ନବୀନ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଦଳର ଉପସଭାପତିି ଦେବୀ ମିଶ୍ର, ସାଧାରଣ ସଂପାଦକ ଦେବାଶିଷ ସାମନ୍ତରାୟ ଓ ସଦସ୍ୟ ଭୂପିନ୍ଦର ସିଂହଙ୍କୁ ସଂଯୋଜକ ଦାୟିତ୍ୱ ଦେଇଛନ୍ତି ।
  ସେପଟେ ଗଲା ୨୦ରୁ ବିଜେପି ଯୁଦ୍ଧ ଦେହି ଡାକରା ଦେଇ ସାରିଛି । ଗାଁ କି ସହର ନୁହେଁ, ଆରମ୍ଭ ହୋଇଛି ବୁଥ ଚାଲ ଅଭିଯାନ । ରାଜ୍ୟରେ ଦଳର ସ୍ଥିତି ଓ ସଂଗଠନକୁ ମଜଭୁତ କରିବାକୁ ଏମିତି ଯୋଜନା ଆରମ୍ଭ କରିଛି ବିଜେପି । ବିଜେପିର ଅଭିଯାନ ଆରମ୍ଭ ହେବ ନବୀନଙ୍କ ଗଡ କୁହାଯାଉଥିବା ଗଞ୍ଜାମରୁ । ଗତ ୨୦ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଜୁନ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।  ରାଜ୍ୟର ସବୁ ବୁଥ୍ରେ ପହଞ୍ଚିବେ ବିଜେପିର ୨୦ ହଜାର କର୍ମକର୍ତ୍ତା  । ଖାସ ଏଥି ପାଇଁ ୧୫ ଦିନରେ ୩୦୦ ନେତା ପ୍ରଶିକ୍ଷଣ ଦେଉଛନ୍ତି ୨୦ ହଜାର କର୍ମକର୍ତ୍ତାଙ୍କୁ ।  ହକ୍ ପାଇଁ ଲଢ଼େଇ ସହ ମୋ ବୁଥ୍ ସବୁଠୁ ମଜଭୁତ’ ଅଭିଯାନରେ ବାହାରିଛି ବିଜେପି ।  ଏହି କର୍ଯ୍ୟକ୍ରମକୁ ବୁଥ ସ୍ତରକୁ ଯାଇ ଅନୁଧ୍ୟାନ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।
  ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ଗ୍ରହଣ କରି ଦଳ ସପକ୍ଷରେ ଜନମତ ସୃଷ୍ଟି କରିବା ଲାଗି ପଦକ୍ଷେପ ନିଆଯାଉଛି । କୌଣସି ପରିସ୍ଥିତିରେ, ନିର୍ବାଚନ ଲଢ଼ିବା ପର୍ଯ୍ୟନ୍ତ, କେହି ଆଉ ନିରବରେ ବସିବେ ନାହିଁ । ଲଢ଼େଇ ପାଇଁ ପୂରା ସଂଗଠନକୁ ମଜଭୁତ୍ କରି ରଖିବେ । ସାଧାରଣ ଲୋକଙ୍କୁ ଯେପରି ସାମିଲ କରାଯିବ, ସେଥିନେଇ ଯୋଜନା ପ୍ରସ୍ତୁତ ହୋଇଛି । କେନ୍ଦ୍ରୀୟ ଯୋଜନା ସଂପର୍କରେ ଲୋକଙ୍କୁ କହିବା ସହ ରାଜ୍ୟ ସରକାରଙ୍କର ତୃଟିକୁ ସାମ୍ମନାକୁ ଆଣିବାକୁ ଅସ୍ତ କରିଛି ବିଜେପି । ନିଜ ସରକାର ସଂପର୍କରେ ହିସାବ ଦେବାକୁ ଯାଇ ସଫଳତା କଥା କହି ଲୋକଙ୍କ ମନ ନେବାକୁ ତାଲିମ ଦେଇଛି କର୍ମୀଙ୍କୁ । ଯେଉଁ ମାନେ ବୁଥକୁ ଯାଇ ଲୋକଙ୍କୁ ବୁଝାଇବେ । ଉଭୟ ଦଳର ଏହି କାର୍ଯ୍ୟକ୍ରମକୁ ଦେଖିଲେ ଲାଗୁଛି ଯେମିତି ୨୦୧୯ ଲାଗି ବିଗୁଲ ବାଜି ସାରିଛି । ଯୁଦ୍ଧ ଲଢିବାକୁ ଦଳ ବଳ ନେଇ ମୌଦାନ ମୁହାଁ ହୋଇଛନ୍ତି ସୈନିକ । କାହିଁକି ନା ଉଭୟଙ୍କ ପାଇଁ ମାପଦଣ୍ଡ ହେଉଛି ଜନତାଙ୍କ ବିଚାର । ସେଥିଲାଗି ଗାଁ ମୁହାଁ ହୋଇ ଗାଁରେ ଡେରାପକାଇବାକୁ ବାହିଛନ୍ତି ନେତା, ଯେଉଁମାନଙ୍କ ଭିତରୁ ଅନେକ ଭୋଟ ପାଇବା ପରେ ବୁଲିଯାଇଥିଲେ ନିଜ ନିର୍ବାଚନୀ ମଣ୍ଡଳର ସେଇ ଅପହଁଚ ଗାଁ କଥା । ଯେଉଁଠି କି ଦିନେ ସେ ଭୋଟ ମାଗିବାକୁ ଯାଇଥିଲେ ଆଉ ଏବେ ଡେରା ପକାଇବାକୁ ବାହାରିଛନ୍ତି ।

ONA

Leave a Reply

Top