You are here
Home > ଅଧିକ ଖବର > ଗସିପ୍ ଟାଇମ୍ସ

ଗସିପ୍ ଟାଇମ୍ସ

ଭୀରୁ ସମୀର
ବିଜେଡିର ପ୍ରତିଷ୍ଠା ଦିବସର ପ୍ରସ୍ତୁତି ପାଇଁ ଗତ ଗୁରୁବାର ଦଳର ହେଭିୱେଟ୍ ନେତାମାନଙ୍କୁ ନେଇ ଚୂଡ଼ାନ୍ତ ବୈଠକ ବସିଥିଲା । ପୁରୀର ତାଳବଣିଆରେ ପ୍ରତିଷ୍ଠା ଦିବସକୁ ଧୂମ୍ଧାମରେ ପାଳନ ପାଇଁ କେବଳ ପୁରୀ ଜିଲ୍ଲାର ବିଧାୟକଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । କିନ୍ତୁ ବୈଠକରେ ଉପସ୍ଥିତ ଥାଇ ମଧ୍ୟ ଦଳର ଆଗଚଲା ମୁଖପାତ୍ର ବାବୁ ସମୀର ଦାଶଙ୍କୁ କୁଆଡ଼େ କିଛି ଦାୟିତ୍ୱ ମିଳିନି । ବୈଠକରେ ପୁରୀ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ବିଧାୟକ ଥିବା ବେଳେ କେବଳ କାକଟପୁରର ବାବୁ ସୁରେନ୍ଦ୍ର ସେଠୀଙ୍କୁ ବୈଠକକୁ ଡକାଯାଇନଥିଲା । ପୁରୀରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନର ପ୍ରସ୍ତୁତି ବୈଠକରେ ଦଳର ହେଭିୱେଟ୍ ବାବୁ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଦେବୀପ୍ରସାଦ ମିଶ୍ର, ଦେବାଶିଷ ସାମନ୍ତରାୟ ଓ ପ୍ରଣବ ବଳବନ୍ତରାୟ ମଧ୍ୟ ଉପସ୍ଥିତ ରହି ସମାବେଶକୁ ସଫଳ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ବୈଠକରେ ଲୋକ କେଉଁଠୁ ଆସିବେ, କିଏ-କେତେ ଲୋକଙ୍କୁ ଆଣିବେ, ରହିବା ପାଇଁ ଅସ୍ଥାୟୀ ଟେଣ୍ଟ, ପାର୍କିଂ, କ୍ୟାଟରିଂ ଓ ଖାଇବା ମେନ୍ୟୁ, ହୋଟେଲ୍ ବୁକିଂ, ଷ୍ଟେଜ୍ ଓ ଅନ୍ୟ ଆନୁସଙ୍ଗିକ ଦାୟିତ୍ୱ ମୁଖ୍ୟତଃ ମହେଶ୍ୱର, ମହାରଥୀ ଓ ସଞ୍ଜୟ ନିଜ ନିଜ ଭିତରେ ବାଣ୍ଟି ନେଇଥିଲେ । ବାବୁ ସମୀର ବୈଠକରେ ଥିଲେ ମଧ୍ୟ ତାଙ୍କୁ କୌଣସି ଦାୟିତ୍ୱ ମିଳିନଥିଲା । ବୈଠକସ୍ଥଳରୁ ଏହି ଯୁବନେତାମାନେ ପ୍ରସ୍ତୁତି ସମ୍ପର୍କରେ କ୍ଷମତାକେନ୍ଦ୍ରକୁ ଅବଗତ କରିବା ତୃତୀୟ ମହଲାକୁ ଗଲେ । ଆଉ ବୈଠକ ସ୍ଥଳରୁ ଉଠି ବାହାରକୁ ଯିବାମାତ୍ରେ ବାବୁ ସମୀର ସେହି ରୁମ୍ରେ ଥିବା ମହେଶ୍ୱର ଓ ମହାରଥୀଙ୍କ ସାମ୍ନାରେ କୁଆଡ଼େ ଭୀମ ରଡ଼ି ଦେଇଥିଲେ । ପୁରୀ ଜିଲ୍ଲାରେ ସମାବେଶ ହେବ, କିନ୍ତୁ ତାଙ୍କୁ କୌଣସି ଦାୟିତ୍ୱ ମିଳିବନି । ଏଠି ମନଇଚ୍ଛା କାମ ଚାଲିଛି, ସମସ୍ତଙ୍କ କଥା ସେ ଜାଣନ୍ତି, ଠିକଣା ସମୟରେ ସମସ୍ତଙ୍କ ମୁଖା ଖୋଲିଦେବେ ବୋଲି ଚିକ୍ରାର କଲେ । କିନ୍ତୁ ବାବୁ ସମୀର କାହିଁକି ବୈଠକ ବେଳେ ଚୁପ୍ ବସିଥିଲେ ବୋଲି କୁଆଡ଼େ ସେମାନେ ପ୍ରଶ୍ନ କରିଥିଲେ । ଚର୍ଚ୍ଚା ହେଉଛି ଯେହେତୁ ପ୍ରତିଷ୍ଠା ଦିବସ ପ୍ରସ୍ତୁତିର ନିଜେ ସଞ୍ଜୟ ନେତୃତ୍ୱ ନେଉଛନ୍ତି ସେଇଥିପାଇଁ ସମୀର ଚୁପ୍ ରହିଥିଲେ ।

ବିଜେପୁରରେ ସୁଶାନ୍ତ ଅଡ଼ୁଆ
ବିଜେପୁର ଉପନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହେବ । କିନ୍ତୁ ବିଜେପୁରରେ ବିଜେଡିର ସଂଗଠନ ଦାୟିତ୍ୱରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ କୁଆଡ଼େ ଅଧିକାଂଶ ଦଳୀୟ କର୍ମୀ କ୍ଷୁବ୍ଧ । ସେଥିପାଇଁ ନିର୍ବାଚନ ସମୟରେ ବିଜେଡିର ଆଉ ଏକ ବୃହତ୍ ଗୋଷ୍ଠୀ ବିଜେପିରେ ମିିଶିବା ଲାଗି ଯୋଜନା କରୁଛି । ଚର୍ଚ୍ଚା ହେଉଛି, ବିଜେପିର ପ୍ରଭାବ ବୃଦ୍ଧି ପାଉଥିବାରୁ ବିଜେପୁର ଉପନିର୍ବାଚନ ଦାୟିତ୍ୱ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ କରିବା ପାଇଁ କୁଆଡ଼େ ଖୋଦ୍ ବିଜେଡି ସୁପ୍ରିମୋ ଚାହୁଁଛନ୍ତି । କିନ୍ତୁ ବିଜେପୁର ନିର୍ବାଚନରେ ପ୍ରସନ୍ନଙ୍କୁ ଦାୟିତ୍ୱ ଦିଆଗଲେ ତାହା ତୃତୀୟ ମହଲା ପାଇଁ ଅଡ଼ୁଆ ହେବ ବୋଲି କ୍ଷମତାକେନ୍ଦ୍ର ଆଶଙ୍କା କରୁଛନ୍ତି । ସେଥିପାଇଁ ତୃତୀୟ ମହଲା କୁଆଡ଼େ ମନ୍ତ୍ରୀ ସୁଶାନ୍ତଙ୍କ ମାଧ୍ୟମରେ ବିଜେପୁର ସଂଗଠନ ଉପରେ କର୍ତ୍ତୃତ୍ୱ ରଖିବାକୁ ଚାହୁଁଛନ୍ତି । ଆଉ ସେହି ସୁଯୋଗରେ ବାବୁ ସୁଶାନ୍ତ କୁଆଡ଼େ ବିଜେପୁର ନିର୍ବାଚନମଣ୍ଡଳୀର ଦୁଇ ମୁଖ୍ୟ ବ୍ଲକ୍ ବିଜେପୁର ଓ ଗାଏସିଲେଟ୍ରେ ନିଜର ହାକିମାତି ଜାହିର କରିବାରେ ଲାଗିଛନ୍ତି । ବାବୁ ଏବେ ବ୍ଲକ୍ ପ୍ରଶାସନକୁ ତାଙ୍କ ବିନା ଅନୁମତିରେ କୌଣସି ଠିକା କାମ ରିଲିଜ୍ ନ କରିବାକୁ କୁଆଡ଼େ ତାଗିଦ୍ କରିଛନ୍ତି । ବାବୁଙ୍କ ଏଭଳି ହସ୍ତକ୍ଷେପ ଯୋଗୁ ସ୍ଥାନୀୟ ବିଜେଡି ନେତାମାନଙ୍କ କଥା ବି ପ୍ରଶାସନ ଶୁଣୁନାହିଁ । ମନ୍ତ୍ରୀ କୁଆଡ଼େ କଂଗ୍ରେସର କିଛି ଲୋକଙ୍କୁ ଦଳରେ ମିଶାଇ ସେମାନଙ୍କୁ ଅଧିକ ଗୁରୁତ୍ୱ ଦେଉଥିବାରୁ ପୁରୁଣା ବିଜେଡି କର୍ମୀମାନେ କ୍ଷୁବ୍ଧ ହୋଇପଡ଼ିଛନ୍ତି । ବାବୁଙ୍କର ଏଭଳି ଗତିବିଧି ସମ୍ପର୍କରେ ସେମାନେ ଦଳର ବରିଷ୍ଠ ନେତାଙ୍କ ନିକଟରେ ଅଭିଯୋଗ କଲେ ବି କୁଆଡ଼େ କୌଣସି ସୁଫଳ ମିଳୁନାହିଁ । ଖାସ୍ ଏହି କାରଣରୁ ଏହି ଦୁଇ ବ୍ଲକ୍ର କିଛି ପୁରୁଣା ସରପଞ୍ଚ ଓ ସମିତି ସଭ୍ୟ ଚଳିତମାସ ଶେଷଭାଗରେ ବିଜେପିରେ ମିଶିବା ପାଇଁ ଖୋଲାଖୋଲି ଘୋଷଣା କରିଛନ୍ତି ।

କ୍ୟାବିନେଟ୍ ମନ୍ତ୍ରୀ ହଟହଟା
ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ କୁଆଡ଼େ ତୃତୀୟ ମହଲାରେ ହଟହଟା ହୋଇଥିବା ନେଇ ପାୱାର କରିଡର୍ରେ ଚର୍ଚ୍ଚା । ଏଥର ସମ୍ପ୍ରସାରଣରେ ବାବୁଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି । ବାବୁ ସିନା କ୍ୟାବିନେଟ୍ ମନ୍ତ୍ରୀ କିନ୍ତୁ ତାଙ୍କ ଦାୟିତ୍ୱରେ ଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର କଥା କୁଆଡ଼େ ସିଧା ତୃତୀୟ ମହଲା ବୁଝେ । ବିଭାଗୀୟ ସଚିବଙ୍କୁ ନପଚାରିବା ପର୍ଯ୍ୟନ୍ତ ମିଡିଆରେ ସାମ୍ନାରେ ବି ବାବୁ ମୁହଁ ଖୋଲନ୍ତି ନାହିଁ । ଅତ୍ୟନ୍ତ ଭଦ୍ର ଓ ନମ୍ର ହୋଇଥିଲେ ମଧ୍ୟ ତାଙ୍କୁ କୁଆଡ଼େ ତୃତୀୟ ମହଲା ତାଙ୍କର ଔକାତ୍ ଦେଖାଇଛି । ଚର୍ଚ୍ଚା ହେଉଛି ବାବୁ କୁଆଡ଼େ ନିଜ ଅଂଚଳର ଜଣେ ବ୍ୟକ୍ତିଙ୍କୁ ଧରି ତୃତୀୟ ମହଲାର ସର୍ବେସର୍ବାଙ୍କୁ ଭେଟିବାକୁ ଯାଇଥିଲେ । ହେଲେ ଏହା ପୂର୍ବରୁ ଅନୁମତି ନେଇ ନଥିଲେ । ସେତେବେଳେ କ୍ଷମତାକେନ୍ଦ୍ର ନିଜ ଚ୍ୟାମ୍ବରରେ ଏକାଥିଲେ ମଧ୍ୟ ଅନୁମତି ନନେଇ ଆସିଥିବାରୁ କୁଆଡ଼େ ମନ୍ତ୍ରୀଙ୍କ ଉପରେ ମନଇଚ୍ଛା ବର୍ଷି ଥିଲେ । ଏପରିକି ସିଏ କେମିତି ମନ୍ତ୍ରୀ ହେଲେ ତା’ର ଇତିହାସ ବି ତାଙ୍କୁ ମନେ ପକାଇ ଦେଇଥିଲେ । ତାଙ୍କ ଦୟାରେ ହିଁ ସେ ମନ୍ତ୍ରୀ ହୋଇଛନ୍ତି ବୋଲି କୁଆଡ଼େ ଉକ୍ତ ବ୍ୟକ୍ତିଙ୍କ ସମ୍ମୁଖରେ ରୋକ୍ଠୋକ୍ ଭାବେ ଜଣାଇଥିଲେ । ଆଉ କ୍ଷମତାକେନ୍ଦ୍ରଙ୍କ ଏଭଳି ବିଶ୍ୱରୂପ ଦେଖି ମନ୍ତ୍ରୀ ମହାଶୟ ଅସହାୟ ଭଳି ଛିଡ଼ା ହୋଇ ରହିଥିଲେ । ଆଉ ସବୁ ଶୁଣିବା ପରେ ଚୁପ୍ଚାପ୍ ନିଜ ଚାମ୍ବରକୁ କୁଆଡ଼େ ଫେରିଥିଲେ । ମନ୍ତ୍ରୀଙ୍କର ଏଭଳି ଅବସ୍ଥା ଜାଣିବା ପରେ ତାଙ୍କର ଅନ୍ୟ ସହଯୋଗୀମାନେ କୁଆଡ଼େ ଭୟରେ ଆଉ କ୍ଷମତାକେନ୍ଦ୍ରଙ୍କ ଦ୍ୱାର ମାଡ଼ୁନାହାନ୍ତି । ଯଦି କିଛି କାମ ରହୁଛି ତା’ହେଲେ କ୍ଷମତାକେନ୍ଦ୍ରଙ୍କ ନୂଆ ଦକ୍ଷିଣହସ୍ତଙ୍କୁ ଭେଟି ଫେରୁଥିବା ଚର୍ଚ୍ଚା ।

ଗତି କୁଆଡ଼େ?
ବିଜେଡିର ୨୦ତମ ପ୍ରତିଷ୍ଠା ଦିବସ ଯେତିକି ପାଖେଇ ଆସୁଛି ବିଜେପିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଭିନ୍ନ ପ୍ରସଙ୍ଗକୁ ଆଳ କରି ବିଜେଡିକୁ ସୁହାଇବା ଭଳି ରାଜନୀତିକୁ ଜୋର୍ଦାର କରୁଛନ୍ତି ବୋଲି ଚର୍ଚ୍ଚା । ଏହି ଦୁଇ ନେତା ବିଜେଡିର ପ୍ରତିଷ୍ଠାତା ସଦସ୍ୟ ଥିବାରୁ ସେମାନେ ଏବେ କୁଆଡ଼େ ବିଜେଡିକୁ ବାହୁଡ଼ିବା ପାଇଁ ଗୋଡ଼ ଟେକି ବସିଛନ୍ତି । ବିଜେଡିର କିଛି ବରିଷ୍ଠ ନେତାଙ୍କ ସହ ଏହି ଦୁଇ ନେତା ଯୋଗସୂତ୍ରରେ ରହିଥିଲେ ମଧ୍ୟ ଖୋଦ୍ ବିଜେଡି ସୁପ୍ରିମୋ କାଳେ ସେମାନଙ୍କ ଘରବାହୁଡ଼ା ପାଇଁ ସବୁଜ ସଙ୍କେତ ଦେଇନାହାନ୍ତି । ବରିଷ୍ଠ ନେତା ଦାମୋଦର ରାଉତ, ପ୍ରଭାତ ତ୍ରିପାଠୀ ଓ ଦେବୀପ୍ରସାଦ ମିଶ୍ର ଏବେ ବିଜୟଙ୍କୁ ଦଳକୁ ଫେରାଇ ଆଣିବା ପାଇଁ ପ୍ରୟାସ ଚଳାଇଥିବା କୁହାଯାଉଛି । ଆଉ ମହାନଦୀକୁ ଆଳ କରି ବିଜୟ ମଧ୍ୟ ବିଜେଡିକୁ ସୁହାଇବା ଭଳି ରାଜନୀତିକୁ ଜୋର୍ଦାର କରୁଛନ୍ତି । ନିଜର ଦଳ ବିଜେପିକୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି । ସେହିପରି ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣରେ ବିଳମ୍ବକୁ ପ୍ରସଙ୍ଗ କରି ଦିଲ୍ଲୀପ ମଧ୍ୟ ସିଧା ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି । ଦିଲ୍ଲୀପଙ୍କ ବୟାନକୁ ରାଜନୈତିକ ଅସ୍ତ୍ର କରି ବିଜେଡି ବି କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରିବାର କୌଣସି ସୁଯୋଗକୁ ହାତଛଡ଼ା କରିନଥିଲା । ଚର୍ଚ୍ଚା ହେଉଛି ବିଜୟ ଓ ଦିଲ୍ଲୀପ କୁଆଡ଼େ ଏବେ ବିଜେଡିକୁ ବାହୁଡ଼ିବା ପାଇଁ ନିଜ ଦଳକୁ ଏଭଳି ସମାଲୋଚନା କରିବାରେ ଲାଗିଛନ୍ତି । ଉଭୟ ନେତା କୁଆଡ଼େ ଦଳ ଓ ସଂଗଠନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ବିସ୍ତାରକୁ ନେଇ ନିଜକୁ ଆଶଙ୍କିତ ମନେ କରୁଛନ୍ତି । ଆଉ ସେଇଥିପାଇଁ ସେମାନେ ବିଜେପିକୁ ବାଏ ବାଏ କରି ବିଜେଡିରେ ନିଜର ରାଜନୈତିକ ଭବିଷ୍ୟତକୁ ଗଢ଼ିବାକୁ ଚାହୁଁଚନ୍ତି । ସୂତ୍ର ଅନୁସାରେ ଉଭୟ ନେତାଙ୍କୁ କୁଆଡ଼େ ରାଜ୍ୟସଭାକୁ ପଠାଯିବା ପାଇଁ ବିଜେଡିର ଏକ ପ୍ରଭାବଶାଳୀ ଗୋଷ୍ଠୀ ପ୍ରସ୍ତାବ ଦେଇଛି । ବ୍ରାହ୍ମଣୀ ସେତୁ ନିର୍ମାଣର ବିଳମ୍ବକୁ ଆଳ ଦେଖାଇ ଦିଲ୍ଲୀପ କୁଆଡ଼େ ବିଜେପି ବିଧାୟକ ପଦ ଛାଡ଼ିବେ ଓ ତାଙ୍କୁ ଆସନ୍ତାବର୍ଷ ପ୍ରଥମାର୍ଦ୍ଧରେ ଖାଲି ପଡ଼ୁଥିବା ରାଜ୍ୟସଭା ଆସନରୁ ପ୍ରାର୍ଥୀ କରାଯିବ । ବିଜୟଙ୍କୁ ମଧ୍ୟ ଦିଲ୍ଲୀପଙ୍କ ସହ ଥଇଥାନ କରାଯିବ । ଉଭୟଙ୍କ ଘରବାହୁଡ଼ା ପାଇଁ ବିଜେଡିର ଗୋଟିଏ ଗୋଷ୍ଠୀ ଉଦ୍ୟମ କରୁଥିଲେ ମଧ୍ୟ ସୁପ୍ରିମୋ ଏପର୍ଯ୍ୟନ୍ତ ସବୁଜ ସଙ୍କେତ ନଦେଇ ଝୁଲାଇ ରଖିଥିବା ଚର୍ଚ୍ଚା ।

ONA

Leave a Reply

Top