You are here
Home > ଅଧିକ ଖବର > ଗସିପ୍ ଟାଇମ୍ସ

ଗସିପ୍ ଟାଇମ୍ସ

କ୍ଷମତା କେନ୍ଦ୍ର ଖପ୍ପା
ଛାତ୍ର ଓ ଯୁବ ସମ୍ପର୍କ ଅଭିଯାନକୁ ନେଇ ଏବେ ବିଜେଡିରେ ଚାଲିଥିବା ଶୀତଳଯୁଦ୍ଧକୁ ନେଇ କୁଆଡେ କ୍ଷମତା କେନ୍ଦ୍ର ଖପ୍ପା । ଚର୍ଚ୍ଚା ହେଉଛି, ଯେଉଁ ଉଦ୍ଦେଶ୍ୟ ନେଇ କ୍ଷମତା କେନ୍ଦ୍ର ଏହି ଅଭିଯାନକୁ ସବୁଜ ସଙ୍କେତ ଦେଇଥିଲା ତାକୁ କୁଆଡ଼େ ଦଳର କିଛି ଯୁବନେତା ନିଜର ପତିଆରା ଲଢ଼େଇରେ ବଳି ପକାଇ ଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଆଉ ଖାସ୍ ସେଇଥିପାଇଁ ନିଜର କିଛି ଅନୁଗତଙ୍କ ମାଧ୍ୟମରେ ସେମାନେ ଦଳ ଭିତରେ ଏବେ ଅସ୍ୱସ୍ତିକର ମାହୋଲ୍ ସୃଷ୍ଟି କରାଉଛନ୍ତି । କୁହାଯାଉଛି, ଛାତ୍ର ଓ ଯୁବ ସମ୍ପର୍କ ଅଭିଯାନ ମାଧ୍ୟମରେ ବିଜେପିକୁ ତୃଣମୂଳସ୍ତରରେ ମାତ୍ ଦେବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଥିଲା । ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତିଙ୍କୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ଦେଇଥିଲା । ତାଙ୍କୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଜମିବ । ଆଉ ସେହି କାର୍ଯ୍ୟକ୍ରମ ମାଧ୍ୟମରେ ନବୀନ ପଟ୍ଟନାୟକ ସରକାରର ଲୋକାଭିମୁଖୀ ଯୋଜନାର ପ୍ରଚାରପ୍ରସାର ସହ ଦଳୀୟ କର୍ମୀଙ୍କ ମଧ୍ୟ ମନୋବଳ ବୃଦ୍ଧି ସମ୍ଭବପର ହୋଇପାରିବ । କିନ୍ତୁ ଛକାପଞ୍ଝା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ୩ଟି ଜିଲ୍ଲାରେ ସରିବା ପରେ ଏବେ ଦଳର ଯୁବ ଓ ଛାତ୍ରନେତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଆଉ ଅସନ୍ତୁଷ୍ଟ ଯୁବ ଓ ଛାତ୍ର ନେତାମାନଙ୍କୁ କୁଆଡ଼େ ଦଳର କିଛି ପ୍ରଭାବଶାଳୀ ଯୁବନେତା ପ୍ରୋତ୍ସାହନ ଯୋଗାଉଛନ୍ତି । ଅନୁଭବଙ୍କୁ ସେସବୁ କାର୍ଯ୍ୟକ୍ରମରେ ଯେଭଳି ଗୁରୁତ୍ୱ ଦେବାକୁ ଉପରୁ ନିର୍ଦ୍ଦେଶ ଯାଉଛି, ତାହା ଏହି ଯୁବନେତା(ସାଧାରଣ ସମ୍ପାଦକ)ମାନଙ୍କର ହଜମ ହେଉନି । କାଳେ ଏହି କାର୍ଯ୍ୟକ୍ରମ ସଫଳ ହୋଇଗଲେ ସାଂଗଠନିକ କାର୍ଯ୍ୟକ୍ରମରେ ସେମାନଙ୍କର ପତିଆରା ହ୍ରାସ ପାଇବ ସେହି ଆଶଙ୍କାରେ ୩ରୁ ୪ଜଣ ଯୁବନେତା ପ୍ରଚ୍ଛଦପଟ୍ଟରେ ରହି ଏହି ଅସନ୍ତୋଷର ବାତାବରଣ ସୃଷ୍ଟି କରାଉଛନ୍ତି । ନିଜେ ଡାହାଣୀ ହୋଇ ଲାଗିବା ପରେ ଗୁଣିଆ ହୋଇ ଝାଡ଼ିବା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । କ୍ଷମତା କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଯଥାସମ୍ଭବ ପ୍ରୟାସ ମଧ୍ୟ କରିଛନ୍ତି । କିନ୍ତୁ କ୍ଷମତା କେନ୍ଦ୍ର ସମ୍ପୃକ୍ତ ନେତାମାନଙ୍କର ଏହି ଚାଲ୍କୁ ବୁଝିବା ପରେ କ୍ଷୁବ୍ଧ ହୋଇଛି । ଅବଶ୍ୟ ଯୁବ ଓ ଛାତ୍ର ସମ୍ପର୍କ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସେଥିରେ କେତେକ ପରିବର୍ତ୍ତର୍ନ କରିବା ପାଇଁ କୁଆଡ଼େ ନିଷ୍ପତ୍ତି ହୋଇଛି ବୋଲି କୁହାଯାଉଛି ।

ଫାଇଲ୍ ଛାଡୁନାହାନ୍ତି ମନ୍ତ୍ରୀ
ରାଜ୍ୟର ଦୁଇଜଣ କ୍ୟାବିନେଟ୍ ପାହ୍ୟାର ମନ୍ତ୍ରୀ କୁଆଡ଼େ ଏବେ ଓସ୍ୱାସ୍ରେ ଆସୁଥିବା ଫାଇଲ୍କୁ କ୍ଲିଅରାନ୍ସ ନଦେଇ ଦୀର୍ଘଦିନ ଧରି ପକାଉ ରଖୁଥିବା ଚର୍ଚ୍ଚା । ପାୱାର କରିଡର୍ରେ ଆଲୋଚନା ହେଉଛି ଯେ, ଗଞ୍ଜାମ ଜିଲ୍ଲାର ଜଣେ ମନ୍ତ୍ରୀ ଓ ପଶ୍ଚିମ ଓଡ଼ିଶାର ଜଣେ ମନ୍ତ୍ରୀ କୁଆଡ଼େ ଓସ୍ୱାସ୍ରେ ଆସୁଥିବା ଗୁରୁତ୍ୱପୂର୍ଣ୍ଣ ଫାଇଲ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଲିଅରାନ୍ସ ନଦେଇ ମାସମାସ ଧରି ପକାଇ ରଖୁଛନ୍ତି । ଯେଉଁଥିପାଇଁ ଏହି ଦୁଇ ମନ୍ତ୍ରୀଙ୍କ ବିରୋଧରେ ବିଭାଗୀୟ ସଚିବମାନେ କୁଆଡ଼େ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ଏହି ଫାଇଲ୍ଗୁଡ଼ିକର ଗୁରୁତ୍ୱ ରହିଥିବାରୁ ତାକୁ ଓସ୍ୱାସ୍ରେ ମନ୍ତ୍ରୀଙ୍କ ନିକଟକୁ ପଠାଯାଇ ସେଥିରେ ଦିନେ ଦୁଇଦିନ ମଧ୍ୟରେ ମତାମତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ଥିଲେ ମଧ୍ୟ କୁଆଡ଼େ ଏହି ଦୁଇ ମନ୍ତ୍ରୀ ସେଥିପ୍ରତି ଭ୍ରୁୃକ୍ଷେପ କରୁନାହାନ୍ତି । ଯେଉଁ କାରଣରୁ ରାଜ୍ୟର ନିଜସ୍ୱ ଯୋଜନା ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଓ ଅଫିସର୍ମାନଙ୍କ ଚାକିରି ସଂକ୍ରାନ୍ତ ଫାଇଲ୍ଗୁଡ଼ିକ ଉପରେ ସରକାର କିଛି ନିଷ୍ପତ୍ତି ନେଇପାରୁନାହାନ୍ତି । ମନ୍ତ୍ରୀଙ୍କ ଏଭଳି ମତିଗତିକୁ ଦେଖିବା ପରେ ସମ୍ପୃକ୍ତ ବିଭାଗର ସଚିବମାନଙ୍କୁ କୁଆଡ଼େ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କଠାରୁ ଫାଇଲ୍ ଅନୁମୋଦନ କରାଇ ନେବାକୁ ପରାମର୍ଶ ଦିଆଯାଇଛି । ଆଉ ସେହି ମନ୍ତ୍ରୀଦ୍ୱୟ ଓସ୍ୱାସରେ ଯେଉଁ ଫାଇଲ୍କୁ ଗୁଡ଼ିକୁ ପକାଇ ରଖିଛନ୍ତି ତା’ର ବିସ୍ତୃତ ତାଲିକା ଦେବା ନିମନ୍ତେ କୁଆଡ଼େ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସମ୍ପୃକ୍ତ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି ।

ପୁଣି ମନ୍ତ୍ରୀ ଲୋଭ!
ମନ୍ତ୍ରୀ ପଦ ହରାଇଥିବା କିଛି ଯୁବନେତା ଏବେ କୁଆଡ଼େ ପୁଣି ମନ୍ତ୍ରିମଣ୍ଡଳକୁ ଫେରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିବାରେ ଲାଗିଛନ୍ତି । ସେମାନେ ନଫେରିଲେ ଦଳର ସଂଗଠନକୁ ସୁଦୃଢ଼ ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ହାତକୁ ନେବା ସମ୍ଭବପର ହେଉନାହିଁ ବୋଲି ପରୋକ୍ଷରେ ସନ୍ଦେଶ ଦେବାକୁ ଚାହୁଁଛନ୍ତି । ଏବେ ମନ୍ତ୍ରିମଣ୍ଡଳରେ ରହିଥିବା ନେତାମାନେ ଉଭୟ ସରକାର ଓ ଦଳ ଉପରେ ବୋଝ ତଥା ଏମାନଙ୍କ ରଖି କୌଣସି ଫାଇଦା ମିଳୁନି କିମ୍ବା ଆଗାମୀ ନିର୍ବାଚନରେ ମିଳିବାର ସମ୍ଭାବନା ନାହିଁ ବୋଲି କାଳେ ସମ୍ପୃକ୍ତ ଯୁବନେତାମାନେ ତୃତୀୟ ମହଲାକୁ ବୁଝାଇବାକୁ ପ୍ରୟାସ କରିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଦଳ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ହେଲେ ସେମାନଙ୍କୁ କ୍ଷମତା ମିଳିବା ଦରକାର । ମନ୍ତ୍ରୀ ପଦ ମିଳିଲେ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ସେମାନଙ୍କ କଥାକୁ ଗୁରୁତ୍ୱ ଦେବେ, ଯାହାକି ଉଭୟ ସରକାର ଓ ଦଳ ପାଇଁ ଫାଇଦା ଆଣିବ ବୋଲି ଏହି ନେତାମାନେ ଯୁକ୍ତି ବାଢ଼ିଛନ୍ତି । ଏହି ନେତାଙ୍କ ମଧ୍ୟରେ ୫ଜଣ ପୂର୍ବତନ ମନ୍ତ୍ରୀ ଥିବାବେଳେ ଅନ୍ୟ ଦୁଇଜଣ ଏପର୍ଯ୍ୟନ୍ତ ମନ୍ତ୍ରୀ ପଦର ସ୍ୱାଦ ଚାଖିନାହାନ୍ତି । ତେଣୁ ସେମାନେ ନିଜସ୍ୱ ପତିଆରା ବୃଦ୍ଧି ପାଇଁ ଗଣମାଧ୍ୟମ ସମେତ ବିଭିନ୍ନ ମାଧ୍ୟମରେ ଏହି ଚର୍ଚ୍ଚାକୁ ଦଳୀୟ ମହଲରେ ଜୋରଦାର କରିବା ନିମନ୍ତେ ଗୋଟି ଚଳାଉଛନ୍ତି ବୋଲି ଆଲୋଚନା ହେଉଛି ।

ଲାଞ୍ଚ ବାଧ୍ୟତାମୂଳକ
ସରକାରଙ୍କ ପ୍ରଚାରପ୍ରସାର ଦାୟିତ୍ୱରେ ଥିବା ଗୋଟିଏ ବିଭାଗର ଜଣେ ବରିଷ୍ଠ ଅଧିକାରୀ କୁଆଡ଼େ ଖୁଲମ୍ଖୁଲା ହାତଗୁଞ୍ଜା ଦାବି କରୁଛନ୍ତି ବୋଲି କୁହାଯାଉଛି । ସମ୍ପୃକ୍ତ ବିଭାଗକୁ ସେ ନୂଆ କରି ଆସିଥିଲେ ମଧ୍ୟ ହାତଗୁଞ୍ଜା ମାଗିବା ଖବର କୁଆଡ଼େ ଅନ୍ୟମାନଙ୍କୁ ଅତିଷ୍ଠ କରି ପକାଇଲାଣି । ଏହି ଖବର ମିଳିବା ପରେ ଅବଶ୍ୟ ତାଙ୍କଠାରୁ ପ୍ରମୁଖ ଦାୟିତ୍ୱକୁ କାଢ଼ି ନିଆଯାଇଛି ତଥାପି ତାଙ୍କ ପାଖକୁ ଯେକୌଣସି ଫାଇଲ୍ ଯାଉଛି, ତାକୁ ସିଏ ଛାଡ଼ିବା ପୂର୍ବରୁ ନିଜର ପାଉଣା ଖୋଜୁଛନ୍ତି । ଏହି ବାବୁଙ୍କର ଏଭଳି ମତିଗତି କୁଆଡ଼େ ବିଭାଗୀୟ ସଚିବଙ୍କ କାନରେ ପଡ଼ିବା ପରେ ତାଙ୍କୁ ସେହି ବିଭାଗରୁ ହଟାଇବା ପାଇଁ ନିଷ୍ପତ୍ତି ହୋଇଛି । ଏବେ ବିଧାନସଭା ଶୀତ ଅଧିବେଶନ ଚାଲିଥିବାରୁ ତା’ପରେ ସମ୍ପୃକ୍ତ ବାବୁଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ଆଭାସ ମିଳିଛି । ପୂର୍ବରୁ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଏହି ବାବୁ କୁଆଡ଼େ ଏଭଳି ଲୋକଙ୍କ ପାଖରେ ହାତଗୁଞ୍ଜା ଦାବି କରୁଛନ୍ତି ଯେଉଁମାନଙ୍କୁ ଖୋଦ୍ ରାଜ୍ୟ ସରକାର ଗେହ୍ଲାପୁଅ କରି ରଖିଛନ୍ତି । ସବୁକିଛି ଜାଣି ସୁଦ୍ଧା ଏହି ବାବୁ କିଭଳି ହାତଗୁଞ୍ଜାକୁ ବାଧ୍ୟତାମୂଳକ କରୁଛନ୍ତି ତାକୁ ନେଇ ଚର୍ଚ୍ଚା । ନିକଟରେ ଏକ ପ୍ରତିଷ୍ଠିତ ସଂସ୍ଥାର କର୍ମଚାରୀଙ୍କୁ ସମ୍ପୃକ୍ତ ବାବୁ ହାତଗୁଞ୍ଜା ମାଗିଥିବା ଖବର ଏବେ କୁଆଡ଼େ କ୍ଷମତା କେନ୍ଦ୍ର ପାଖରେ ପହଁଚିଛି । ଯାହାକୁ ନେଇ ସରକାରୀସ୍ତରରେ ଖୋଳତାଡ଼ ମଧ୍ୟ ଆରମ୍ଭ ହୋଇଥିବା ସମ୍ପୃକ୍ତ ବିଭାଗରେ ଶୁଣିବାକୁ ମିଳୁଛି ।

ବରଗଡ ହାତରୁ ଖସୁଛି କି?
ବିଜେପି ଲାଗି କୁଆଡେ ବରଗଡ ରଣନୀତିରେ ସବୁ ଗଡ ବଡ ହୋଇଯାଉଥିବା ଆଲୋଚନା ଚାଲିଛି । ଜିଲ୍ଲା ସଭାପତି ନାରାୟଣ ସାହୁ ଦଳ ଛାଡିଥିଲେ । ଏବେ ଜିଲ୍ଲାର ଆଉ ୭ଜଣ କର୍ମକର୍ତ୍ତା ଦଳ ଛାଡିବା ଜିଲ୍ଲାରେ ବିଜେପିକୁ ଅଡୁଆରେ ପକାଇଛି ବୋଲି ଖୋଦ କର୍ମୀମାନଙ୍କ ଭିତରେ ଚର୍ଚ୍ଚା ହେଉଛି । ବରଗଡରେ ଉଭୟ ବିଜେଡି ଓ ବିଜେପିରେ କନ୍ଦଳ ଥିଲା । ହେଲେ ବିଜେଡି ଜିଲ୍ଲା ସଭାପତି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ବୁଝାଇବାରେ ସଫଳ ହେଲା । କିନ୍ତୁ ବିଜେପିର ନେତାମାନେ ନାରାୟଣଙ୍କୁ ବୁଝାଇବାରେ ସଫଳ ହେଲେନି । ବରଂ ବିଜେଡି ନେତା ଅଶୋକ ପାଣିଗ୍ରାହୀଙ୍କୁ ନିଜ ଦଳରେ ମିଶାଇ କେବଳ ବାଃ ବାଃ ନେଲେ । ଖୁସିରେ ମାତିଲେ । ହେଲେ ଭିତରେ ଭିତରେ ବିଜେଡି ତାର ରଣନୀତି ବଦଳାଇ ନାରାୟଣଙ୍କୁ ନିଜ ପଟକୁ ଟାଣିନେଲା । ଏବେ କୁହାଯାଉଛି ବିଜେଡି ପଲ୍ଲା ବିଜେପୁରରେ ଭାରି ହେବାରେ ଲାଗିଛି । ଏବେଠୁ ଯଦି ବିଜେପି ନେତାଏ କେବଳ ଆତ୍ମପ୍ରଚାରରେ ନମାତି ଠିକଣା କାମ କରନ୍ତି ତେବେ ବରଗଡରେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବ ବୋଲି କୁହାଯାଉଛି ।

ONA

Leave a Reply

Top