You are here
Home > ଅଧିକ ଖବର > ଗଡ ବଞ୍ଚାଇପାରିଲେନି

ଗଡ ବଞ୍ଚାଇପାରିଲେନି

ଘଟଗାଁ: ଦୀର୍ଘ ଦିନର ହଟଚମଟ ପରେ ସାରା ରାଜ୍ୟରେ ସରିଲା ପଂଚାୟତ ନିର୍ବାଚନ  । ବେସରକାରୀ ଫଳାଫଳ ଅନୁସାରେ ବିଜେଡି ଏକ ନମ୍ବର ସ୍ଥାନ ଅକ୍ତିଆର କରିଥିବା ବେଳେ ତିନି ନମ୍ବରରୁ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି ବିଜେପି । କଂଗ୍ରେସ ଏକ ପ୍ରକାର ତଳିତଳାନ୍ତ ହୋଇଯାଇଛି । ରାଜ୍ୟ ଭଳି ସମାନ ଦଶା କେନ୍ଦୁଝର ଜିଲ୍ଲାରେ । ୧୩ଟି ବ୍ଲକ ଓ ୩୭ଜିଲ୍ଲା ପରିଷଦ ଆସନ ବିଶିଷ୍ଟ କେନ୍ଦୁଝର ଜିଲ୍ଲାରେ ଚଳିତ ନିର୍ବାଚନ ବିଭିନ୍ନ ଦଳର ମୁଣ୍ଡିଆଳଙ୍କ ପାରିବା ପଣିଆକୁ ସାମ୍ନାକୁ ଆଣିଛି  । ୩୭ଟି ଜିଲ୍ଲା ପରିଷଦ ଆସନରୁ ୬ଟିରେ ସନାତନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ, ୭ଟିରେ ବିଜେପି ଜିତିଥିବା ବେଳେ ୨୪ଟି ଆସନରେ ବିଜୟୀ ହୋଇ ବିଜେଡି ଜିଲ୍ଲା ପରିଷଦକୁ ଅକ୍ତିଆର କରିଛି । କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇ ପାରିଲା ନାହିଁ । ଚଳିତ ପଞ୍ଚାୟ ନିର୍ବାଚନରେ ଜିଲ୍ଲାର ୫ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର, ମାୟାଧର ଜେନା, ହୃଷିକେଶ ନାଏକ, ବେଦବ୍ୟାସ ନାଏକ, ଅଭିରାମ ନାଏକ ଓ ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କ ସହ କଂଗ୍ରେସର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ଜୟଦେବ ଜେନା, ପୂର୍ବତନ ବିଜେପି ସାଂସଦ ଅନନ୍ତ ନାଏକ , ପୂର୍ବତନ ବିଜେପି ବିଧାୟକ ମୋହନ ମାଝୀଙ୍କ ପରି ନେତା ଅଗ୍ନି ପରୀକ୍ଷା ଦେଇଥିଲେ । କିଛି ପାସ କରିଥିବା ବେଳେ ଆଉ କିଛି ନେତାଙ୍କୁ ଭୋଟର ସିଧାସଳଖ ପ୍ରତ୍ୟାଖାନ କରିଛନ୍ତି  । ନିର୍ବାଚନୀ ପରୀକ୍ଷାରେ ଜିଲ୍ଲାର ଏକମାତ୍ର ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ତେଲକୋଇ ବିଧାୟକ ବେଦବ୍ୟାସ ନାଏକ କେବଳ ଶତ ପ୍ରତିଶତ ମାର୍କ ରଖିଥିବା ବେଳେ ଅନ୍ୟ ସବୁ ନେତାଙ୍କର ଅଳ୍ପ ବହୁତ ମାର୍କ କମିଛି  । ବଦ୍ରି ପାତ୍ର ନିଜ ନିର୍ବାଚନ ମଣ୍ଡଳୀ ଘଷିପୁରା ଓ ଘଟଗାଁ ବ୍ଲକର ୬ଟି ଯାକ ଜିଲ୍ଲା ପରିଷଦ ଜୋନ୍୍ରେ ବିଜେଡିକୁ ଜିତାଇ ଥିବା ବେଳେ ଉଭୟ ସମିତିର ଚେୟାରମ୍ୟାନ ମଧ୍ୟ ବିଜେଡି ହାତକୁ ଦେଇଛନ୍ତି । ତାସହିତ ତେଲକୋଇ ନିର୍ବାଚନ ମଣ୍ଡଳୀରେ ବିଜେଡିର ସଫଳତାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବଦ୍ରି ପାତ୍ର  । ଘଷିପୁରା ନିର୍ବାଚନ ମଣ୍ଡଳୀରେ ଭୋଟର୍୍ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେପିର ପୂର୍ବତନ ସାଂସଦ ଅନନ୍ତ ନାଏକଙ୍କୁ ସିଧାସଳଖ ପ୍ରତ୍ୟାଖାନ କରିଛନ୍ତି  । ସାରା ରାଜ୍ୟରେ ବିଜେପି ଭଲ ପ୍ରର୍ଦଶନ କରିଥିବା ବେଳେ ନିଜ ପଞ୍ଚାୟତରେ ମଧ୍ୟ ଅନନ୍ତ ନାଏକ ନିଜ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଜିତାଇ ପାରି ନାହାଁନ୍ତି । ବଜ୍ରି ପାତ୍ରଙ୍କୁ ଛାଡିଦେଲେ ଜିଲ୍ଲାର ଅନ୍ୟ ବିଜେଡି ବିଧାୟକ ମାନେ ନିଜ ଗଡ ବଞ୍ଚାଇବାରେ ଅସମର୍ଥ ହୋଇଛନ୍ତି  । ବିଧାୟକ ମାୟାଧର ଜେନା ନିଜ ନିର୍ବାଚନ ମଣ୍ଡଳୀ ଆନନ୍ଦପୁର ଓ ହାଟଡିହ ବ୍ଲକର ୭ଜିଲ୍ଲା ପରିଷଦ ଜୋନ୍୍ରୁ ୫ଟି ବିଜେଡି ଖାତାକୁ ଦେଇଥିବା ବେଳେ ଗୋଟିଏ ବିଜେପି ଓ ଆଉ ଗୋଟିଏ ସନାତନଙ୍କ ସ୍ୱାଧୀନ ହାତକୁ ଯାଇଛି  । ଏହା ମଧ୍ୟ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନିର୍ବାଚନ ମଣ୍ଡଳୀ । କିନ୍ତୁ ସେ ଫେଲ୍ ମାରିଥିବାରୁ ତାଙ୍କ ଦୁର୍ବଳ ସଂଗଠନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଜିଲ୍ଲାରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିରଞ୍ଜନନ ଓ ଜୟଦେବଙ୍କ ମଧ୍ୟରେ ଲାଗି ରହିଥିବା କନ୍ଦଳ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି । ସେହିପରି ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଶ ନାଏକ ସଂପୂର୍ଣ୍ଣ ଭାବରେ ଫେଲ୍ ହୋଇଛନ୍ତି  । ପାଟଣା ଓ ସାହାରପଡା ବ୍ଲକର ୫ଟି ଜିଲ୍ଲା ପରିଷଦ ଜୋନ୍୍ରୁ ଏଠାରେ ବିଜେଡିକୁ ମିଳିଛି ମାତ୍ର ଗୋଟିଏ ଆସନ  । ବିଜେପି ୩ଟିରେ ବିଜୟୀ ହୋଇ ଏକ ନମ୍ବରରେ ରହିଥିବା ସନାତନଙ୍କ ସ୍ୱାଧିନ ହାତକୁ ଯାଇଛି ଗୋଟିଏ ଆସନ  । ତେବେ ଚୁଟିଆପଶି ଗାଁର ସହିଦ ସଞ୍ଜୟ ଦାସଙ୍କୁ ହୃଷିକେଶ ନାୟକଙ୍କ ଅବମାନନା କାରଣରୁ ଏଠାରେ ବିଜେଡିର ଏପରି ହାଲ ହୋଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି  । ଅନ୍ୟପଟେ ସାରା ରାଜ୍ୟରେ ବିଜେପି ହାୱା ବହୁଥିବାରୁ ଜିଲ୍ଲାର ଏକ ମାତ୍ର ନେତା ତଥା କେନ୍ଦୁଝର ସଦରର ପୂର୍ବତନ ବିଧାୟକ ମୋହନ ମାଝୀ କିଛି ମାତ୍ରାରେ ସଫଳତା ପାଇଛନ୍ତି  । ସେ ନିଜ ନିର୍ବାଚନ ମଣ୍ଡଳୀରୁ ୩ଟି ଜିଲ୍ଲା ପରିଷଦ ଜୋନ୍ ଅକ୍ତିଆର କରି ପରାକାଷ୍ଠା ଦେଖାଇଛନ୍ତି  । ତେବେ ବହୁ ଚର୍ଚ୍ଚିତ ବାହୁବଳୀ ସ୍ୱାଧୀନ ବିଧାୟକ ସନାତନ ମହାକୁଡ ଜିଲ୍ଲାରେ ନିଜ ସମର୍ଥିତ ପା୍ରର୍ଥୀ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବି ଆଶାନୁରୂପ ସଫଳତା ପାଇ ପାରି ନାହାଁନ୍ତି  । ସନାତନ ନିଜ ନିର୍ବାଚନ ମଣ୍ଡଳୀରୁ ୪ଟି, ପାଟଣାରୁ ଗୋଟିଏ ଓ ଆନନ୍ଦପୁରରୁ ଗୋଟିଏ ଜିଲ୍ଲା ପରିଷଦ ଆସନ ହାତେଇ ଜିଲ୍ଲାରେ ତିନି ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି । ତେବେ ଭିତିରିଆ ଖବର ଅନୁସାରେ ସନା ଜିତିଥିବା ଆସନରେ କଂଗ୍ରେସର ହାତ ଥିବା ଓ କଂଗ୍ରେସ ଜାଣିଶୁଣି ନିଜ ଆସନ ହରାଇଛି ବୋଲି ଚର୍ଚ୍ଚା ହେଉଛି  । ତେବେ ନିର୍ବାଚନର ସେମିଫାଇନାଲ୍ରେ କେନ୍ଦୁଝର ଜିଲ୍ଲାର ଏହି ହେଭିୱେଟ ନେତା ମାନେ ନିଜ ପତିଆରା ଦେଖାଇଥିବା ବେଳେ ଆଗାମୀ ଦିନରେ ସଂଗଠନ ପ୍ରତି ଧ୍ୟାନ ନଦେଲେ ଭବିଷ୍ୟତରେ ହଟହଟା ହେବା ସୁନିଶ୍ଚିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ONA

Leave a Reply

Top