You are here
Home > ଅଧିକ ଖବର > କ୍ୟାବିନେଟ୍ରେ ନବକଳେବର

କ୍ୟାବିନେଟ୍ରେ ନବକଳେବର

ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ହେଲା ପୋଷ୍ଟମର୍ଟମ । ବିଜେପି ଦ୍ୱିତୀୟ ନମ୍ବରରେ ଥିବାରୁ ନବୀନ ବିଚଳିତ । ବିଶେଷକରି ଯେଉ ଁ୬ ମନ୍ତ୍ରୀଙ୍କ ଇଲାକାରେ ବିଜେଡି ଚିତ୍ପଟାଙ୍ଗ ମାରିଛି ସେମାନଙ୍କ ଉପରେ ସେ ଭୀଷଣ କ୍ଷୁବ୍ଧ । ନବୀନଙ୍କ ଚତୁର୍ଥ ପାଳି ମନ୍ତ୍ରିମଣ୍ଡଳର ଖୁବଶୀଘ୍ର ହେବ ପ୍ରଥମ ଅଦଳବଦଳ । ବିଦା ହୋଇପାରନ୍ତି ୪ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୬ ମନ୍ତ୍ରୀ । ଦିଲ୍ଲୀ ଗସ୍ତରୁ ଫେରିବା ପରେ ଏଭଳି ଇଶାରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ): ଏଥର ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡିକୁ ଲାଗିଛି ଶକ୍ତ ଝଟକା । ପଶ୍ଚିମରୁ ଉପକୂଳ, ମାଲକାନଗିରିରୁ ନୀଳଗିରିରେ ଫୁଟିଛି ପଦ୍ମ । ବଞ୍ଚେଇ ପାରିଲେନି ବିଜେଡିର ଅଘୋଷିତ ଜିଲ୍ଲା ସଭାପତି ତଥା ଜିଲ୍ଲାପାଳମାନେ । ମନ୍ତ୍ରୀ ଓ ଜିଲ୍ଲା ସଭାପତିଙ୍କ ଉପରେ ଭରସା କରି ଏଥର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇନଥିଲେ ନବୀନ ପଟ୍ଟନାୟକ । ମନ୍ତ୍ରୀଙ୍କ ଉପରେ ସେ ଅଧିକ ଭରସା କରିଥିବା ବେଳେ ୬ ମନ୍ତ୍ରୀଙ୍କ ଅଞ୍ଚଳରେ ବିଜେଡିର ବିପର୍ଯ୍ୟୟ ଘଟିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, କ୍ରୀଡା ମନ୍ତ୍ରୀ ସୁଦାମ ମାରାଣ୍ଡି, ବୟନ ଶିଳ୍ପମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅନୁସୂଚିତ ଜାତି-ଜନଜାତି ମନ୍ତ୍ରୀ ଲାଲ ବିହାରୀ ହିମିରିକା ଓ ଏମଏସଏମଇ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ନିଜ ନିଜ ଗଡରେ ବିଫଳ ହୋଇଛନ୍ତି । ସାଧାରଣ ନିର୍ବାଚନକୁ ଅଢ଼େଇ ବର୍ଷ ବିତି ନଥିବାବେଳେ ଏହି ମନ୍ତ୍ରୀଙ୍କ ଅଞ୍ଚଳରେ ବିଜେଡି ଠାରୁ ମୁହଁ ଫେରାଇ ନେଲେଭୋଟର । ସେଥିପାଇଁ ନବୀନ ଏହି ମନ୍ତ୍ରୀମାନଙ୍କୁ ବିଦା କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଯାହା ମଧ୍ୟରୁ ୪ ଜଣ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି ।
ଅସୁସ୍ଥ ନବୀନଙ୍କ ପାଇଁ ପଞ୍ଚାୟତ ବିପର୍ଯ୍ୟୟ ଯନ୍ତ୍ରଣା ବଢିବାରେ ଲାଗିଛି । ତେଣୁ ଏବେ ହେବାକୁ ଥିବା ମନ୍ତ୍ରିମଣ୍ଡଳ ଅଦଳବଦଳରେ ସେ ବଡ ଧରଣର ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏଥର ନିର୍ବାଚନରେ ଉପକୂଳ ଓଡିଶାରେ ବିଜେଡି ପାଇଁ ସବୁଠୁ ବଡ ବିପର୍ଯ୍ୟୟ ଆଣିଛନ୍ତି ଗଣଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର  । ତାଙ୍କ ବଡମ୍ବା ନିର୍ବାଚନମଣ୍ଡଳୀରେ ୭ଟି ଜିଲ୍ଲାପରିଷଦ ଆସନରୁ ୬ଟିରେ ବିଜେପି ଜିତିଛିି । ସେହିପରି ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ କଳାହାଣ୍ଡି ଜିଲ୍ଲାରେ ୩୬ଟି ଜିଲ୍ଲା ପରିଷଦ ଜୋନରୁ ବିଜେପି ୩୩ଟି ଆସନ ଜିତିଥିବା ବେଳେ ଶାସକ ଦଳ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଛି । କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ପୁଷ୍ପେନ୍ଦ୍ର ଏହାର ଫଳ ଭୋଗିବେ ବୋଲି ଶୁଣିବାକୁ ମିଳୁଛି । ମନ୍ତ୍ରୀ ପଦ, ଜିଲ୍ଲା ସଭାପତି ନୂଆପଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଅଛନ୍ତି ପୁଷ୍ପେନ୍ଦ୍ର । ଏହାସହ ତାଙ୍କ ଭାଇ ଭବାନୀପାଟଣା ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି । ଏତେ  କ୍ଷମତା ଥାଇ ମଧ୍ୟ ବିଜେଡିକୁ କଳାହାଣ୍ଡିରେ ପରାଜୟର ପରିଣାମ ପୁଷ୍ପେନ୍ଦ୍ରଙ୍କୁ ଭୋଗିବାକୁ ପଡିବ ବୋଲି ଆଭାସ ମିଳିଛି । ସେହିପରି ପଶ୍ଚିମ ଓଡିଶାର ଆଉ ୨ ମନ୍ତ୍ରୀଙ୍କୁ ବାହାରର ରାସ୍ତା ଦେଖାଇବାକୁ ନବୀନ ମାନସିକ ସ୍ତରରେ ପ୍ରସ୍ତୁତ ହେଉଛନ୍ତି ବୋଲି ଶୁଣିବାକୁ ମିଳୁଛି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ସଂରକ୍ଷିତ ଆସନରୁ ପ୍ରତିନିଧିତ୍ୱ କରୁଥିବା ଯୋଗେନ୍ଦ୍ର ବେହେରା ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡିର ଦବ୍ଦବା ରଖିପାରିଲେନି । ସେହିପରି ବରଗଡ ଜିଲ୍ଲାର ସଂରକ୍ଷିତ ଆସନ ଅତାବିରାରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବି ଫେଲ୍୍ ମାରିଛନ୍ତି । ମହିଳା ଓ ଦଳିତ  ଫେସ୍ ଭାବେ ପଶ୍ଚିମ ଓଡିଶାରୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ କରୁଥିବା ସ୍ନେହାଙ୍ଗିନୀଙ୍କୁ ବିଦା କରିବାକୁ ନବୀନଙ୍କ ଲାଗି ଅଡୁଆ ହେଉଛି । ତଥାପି ସ୍ନେହାଙ୍ଗିନୀ ମନ୍ତ୍ରିମଣ୍ଡଳରୁ ବିଦା ହେବା ନିଶ୍ଚିତ ବୋଲି ସୂତ୍ରରୁ ଜଣାପଡିଛି ।
ଏପଟେ ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁରରେ ବିଜେଡି ଜିଲ୍ଲା ପରିଷଦ ଗଠନ କରିଛି । କିନ୍ତୁ ମାଲକାନଗିରି ଓ ରାୟଗଡାରେ ଶାସକ ଦଳ ଚିତପଟାଙ୍ଗ ମାରିଛି ।  ଯଦିଓ ରାୟଗଡା ଉପଖଣ୍ଡରେ ବିଜେଡିର ପ୍ରଦର୍ଶନ ଭଲ ରହିଛି ତଥାପି ଜିଲ୍ଲାର  ଗୁଣୁପୁର ଉପଖଣ୍ଡରେ ଦଳ ଗୋଟିଏ ମାତ୍ର ଜିଲ୍ଲା ପରିଷଦ ଜୋନ୍୍ ଅକ୍ତିଆର କରିଛି । ଯାହାକୁ ନେଇ କ୍ୟାବିନେଟ ମନ୍ତ୍ରୀ ଲାଲ ବିହାରୀ ହିମିରିକାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଅଛନ୍ତି ।  ଆଦିବାସୀ ବହୁଳ ଓଡିଶାରେ ଅନୁସୂଚିତ ଜାତି-ଜନଜାତି କଲ୍ୟାଣ ମନ୍ତ୍ରୀ ହିମିରିକାଙ୍କ ପ୍ରଦର୍ଶନ ଭଲ ନଥିବାରୁ ତାଙ୍କୁ ବିଦା କରିବାକୁ ନବୀନ ମନସ୍ଥ କରିଥିବା କୁହାଯାଉଛି । ହିମିରାକଙ୍କ ସ୍ଥାନରେ ମଙ୍ଗଳା କିଷାନଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି । ସୁନ୍ଦରଗଡ ଜିଲ୍ଲାରୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ନଥାଇ ମଧ୍ୟ ଜିଲ୍ଲା ପରିଷଦ ଅକ୍ତିଆର କରିଛି ବିଜେଡି । ଏଥିପାଇଁ ବରିଷ୍ଠ ନେତା ତଥା ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନଙ୍କୁ ମନ୍ତ୍ରୀ ପଦ ମିଳିପାରେ । ବିଜୁ ପଟ୍ଟନାୟକଙ୍କ ପାଖଲୋକ ଭାବେ ଜଣାଶୁଣା ମଙ୍ଗଳା କିଷାନ ପୂର୍ବରୁ ମଧ୍ୟ ମନ୍ତ୍ରୀ ପଦ ସଫଳତାର ସହ ତୁଲାଇଥିଲେ । ମଙ୍ଗଳାଙ୍କୁ ମନ୍ତ୍ରୀ କରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଚେକ୍୍ ଦେବା ପାଇଁ ବିଜେଡି ସୁପ୍ରିମୋ ସ୍ଥିର କରିଥିବା ଆଭାସ ମିଳିଛି ।
ସେହିପରି ଉତ୍ତର ଓଡିଶାର ସବୁଠୁ ବଡ ଜିଲ୍ଲା ମୟୂରଭଞ୍ଜରେ ବିଜେଡି ପ୍ରଦର୍ଶନକୁ ନେଇ ନବୀନ ଭୀଷଣ ଖପ୍ପା । ଉତ୍ତର ଓଡିଶାର ବାଲେଶ୍ୱର ଓ କେନ୍ଦୁଝରରେ ବିଜେଡି ଜବରଦସ୍ତ ସଫଳତା ପାଇଥିବା ବେଳେ ମୟୂରଭଞ୍ଜରେ ମାଟି କାମୁଡିଛି । ଯାହାର ଫଳ ଭୋଗିବାକୁ ଯାଉଛନ୍ତି ଜିଲ୍ଲାର ଏକମାତ୍ର ମନ୍ତ୍ରୀ ସୁଦାମ ମାରାଣ୍ଡି ।
ଏମାନଙ୍କ ବ୍ୟତୀତ ଚିଟ୍ଫଣ୍ଡ ଦୁର୍ନୀତିରେ ଛନ୍ଦି ହୋଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ ଦାସବର୍ମା, ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବି ଡେମୋକ୍ଲିସ ଖଣ୍ଡା ଝୁଲୁଛି । ତେବେ ମନ୍ତ୍ରିମଣ୍ଡଳର ନବକଳେବର ଜାଣି ଅନେକ ଆଶାୟୀ ଏବେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏବଂ ନବୀନନିବାସର ଆଡଭାଇଜରମାନଙ୍କ ପାଖରେ ଚକ୍କର କାଟୁଛନ୍ତି । ଏହି ତାଲିକାରେ ସବୁଠୁ ଆଗରେ ଅଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । କ୍ୟାପଟେନଙ୍କ ଅଙ୍କକଷା କହୁଛି ଅବିଭକ୍ତ କଳାହାଣ୍ଡି ଜିଲ୍ଲା କୋଟାରେ ପୁଷ୍ପେନ୍ଦ୍ରଙ୍କୁ ହଟାଇ ତାଙ୍କୁ କ୍ୟାବିନେଟରେ ସ୍ଥାନ ଦିଆଯିବ । ସେହିପରି ଯୋଗେନ୍ଦ୍ର ବେହେରା ହଟିଲେ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ ମନ୍ତ୍ରୀ ହେବେ ବୋଲି ସ୍ୱପ୍ନ ଦେଖୁଛନ୍ତି । ପଶ୍ଚିମ ଓଡିଶା ତଥା ସଂଖ୍ୟାଲଘୁ ଫେସ୍୍ ଭାବେ ଆୟୁବ ଖାଁଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି ତାଙ୍କ ପାଖ ଲୋକ କହି ବୁଲୁଛନ୍ତି । ଏପଟେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦରୁ ହଟାଯାଇ ତାଙ୍କ ସ୍ଥାନରେ ଉପମୁଖ୍ୟ ସଚେତକ ଥିବା ରୋହିତ ପୂଜାରୀଙ୍କୁ ପ୍ରମୋସନ ଦିଆଯାଇପାରେ । ନିଜ ନିର୍ବାଚନମଣ୍ଡଳୀର ସାତୋଟି ଜିଲ୍ଲା ପରିଷଦ ଜୋନରୁ ୪ଟିରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇଥିବା ରୋହିତଙ୍କୁ ଅବିଭକ୍ତ ସମ୍ବଲପୁର ଜିଲ୍ଲା କୋଟାରେ ମନ୍ତ୍ରୀ ପଦ ମିଳିପାରେ । ସେହିପରି ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ବିଦା କଲା ପରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କିମ୍ବା ପ୍ରତାପ ଜେନା ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦିଓ ବରିଷ୍ଠତା ଦୃଷ୍ଟିରୁ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ପଛରେ ନାହାନ୍ତି ତଥାପି ଚିଟ୍ଫଣ୍ଡ ଠକେଇ ମାମଲାରେ ଫଶି ସେ ଜେଲ ଯାଇଥିବାରୁ ତାଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ବହୁତ କମ୍ । ସେହିପରି କ୍ରୀଡା ମନ୍ତ୍ରୀ ସୁଦାମ ମାରାଣ୍ଡି ବିଦା ହେବା ପରେ ସରକାରରେ ଉତ୍ତର ଓଡିଶାର ପ୍ରତିନିଧିତ୍ୱ ବଜାୟ ରଖିବା ପାଇଁ ମୁଖ୍ୟ ସଚେତକ ଅନନ୍ତ ଦାସଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଆଲୋଚନା ହେଉଛି ।

ONA

Leave a Reply

Top