You are here
Home > ଅଧିକ ଖବର > କ୍ୟାପଟେନଙ୍କ ଡେ ଡ୍ରିମ୍!

କ୍ୟାପଟେନଙ୍କ ଡେ ଡ୍ରିମ୍!

ଭୁବନେଶ୍ୱର : ୨୦୧୪ ନିର୍ବାଚନରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ମୁଣ୍ଡରେ ସତେ ଯେମିତି ହାତୀ ସୁନା କଳସ ଢାଳିଥିଲା । ଯେଉଁଥିପାଇଁ କ୍ୟାପଟେନ ସାହେବ ଜୁନାଗଡରୁ ବିଜେଡି ଟିକେଟରେ ବିଧାନସଭା ଯାଇଥିଲେ । ଆଉ ଭାରତୀୟ ବାୟୁସେନାର ଅବସରପ୍ରାପ୍ତ କ୍ୟାପଟେନ ଦିବ୍ୟଶଙ୍କର ଯେ ନବୀନଙ୍କ ଗୁଡବୁକରେ ସ୍ଥାନ ପାଇବେ, ସେକଥା ଜାଣି ନଥିଲେ । ହେଲେ ବହୁ କମ୍ ଲୋକ ଜାଣନ୍ତି ଯେ ବିଜେଡିରୁ ବିଧାୟକ ହୋଇଥିବା କ୍ୟାପଟେନ୍ ମିଶ୍ର ହେଉଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ସବୁଠାରୁ ବିଶ୍ୱସ୍ତ ତଥା ପ୍ରିୟପାତ୍ର । କାରଣ ମିଶ୍ର ବାବୁ କମ୍ ଦିନ ପାଇଁ ନବୀନଙ୍କ ବିମାନର ପାଇଲଟ୍ ଥିବେ, ହେଲେ ଏକ ଦଶନ୍ଧିି ଧରି ସେ ରମଣଙ୍କ ବିମାନ ଉଡାଉଥିଲେ । ଏପରିକି ଛତିଶଗଡରେ ଘର ଓ ସମ୍ପତ୍ତି କରିବା ସହ ରମଣ ମନ୍ତ୍ରିିମଣ୍ଡଳରେ ବି ପ୍ରଭାବ ବିସ୍ତାର କରିଥଲେ ବୋଲି ଶୁଣାଯାଏ । କୁହାଯାଉଛି, ବିଜେଡି ପାୱାର କରିଡରର ମୁଖ୍ୟ କାର୍ପଟଦାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡ୍ୟାନଙ୍କ ବି ଆର୍ଶୀବାଦ ରହିଥିଲା କ୍ୟାପଟେନଙ୍କ ସହ । କାଳେ ରମଣଙ୍କ ବିରୋଧରେ କିଛି କହିବାକୁ ପଡିବ, ସେଥିପାଇଁ ଲବି କରି ବିଜେଡି ମହାନଦୀ କମିଟରୁ ନିଜକୁ ଦୂରେଇ ରଖିଥିଲେ କ୍ୟାପଟେନ୍ । ଏବେ ସେହି କଥା ହାଟରେ ପଡି ଦାଣ୍ଡରେ ଗଡୁଛି ।
ଏହାରି ଭିତରେ ପଞ୍ଚାୟତ ନିର୍ବାଚନରେ ଭୋଟ ପ୍ରତିଶତ କମିବା ପରେ ନବୀନଙ୍କ ନିଦ ଉଡି ଯାଇଛି । ନିଜ କାର୍ଯ୍ୟଶୈଳୀ ତଥା ବ୍ୟବହାରରେ ପରିବର୍ତ୍ତନ ଆଣିଛନ୍ତି ନବୀନ ବାବୁ । ଗଣମାଧ୍ୟମ ଠାରୁ ଆରମ୍ଭ କରି ନିଜ ଦଳର ନେତାଙ୍କ ସହ ସିଧା କଥା ହେଉଛନ୍ତି । ହେଲେ କେଉଁଠି ନା କେଉଁଠି ଏହି ଶକ୍ତିଶାଳୀ ଆଞ୍ଚଳିକ ଦଳର ମୁଖିଆଙ୍କୁ ଘାରିଛି ଆଗାମୀ ନିର୍ବାଚନରେ ପରାଜୟର ଭୟ । ଯେଉଁଥିପାଇଁ ପୁରୁଣା ବିଜେପି-ବିଜେଡି ମେଣ୍ଟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଭୁବନେଶ୍ୱର ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମେଣ୍ଟ ସମ୍ଭାବନା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି । ହେଲେ କ୍ୟାପଟେନ ମିଶ୍ର କୁଆଡେ ମେଣ୍ଟ ପାଇଁ ମଧ୍ୟସ୍ଥି ହେବା ଲକ୍ଷ୍ୟରେ ଥିଲେ ବୋଲି ଶୁଣିବାକୁ ମିଳିଛି । ଯାହା ତାଙ୍କ ପାଇଁ କାଳ ହୋଇଛି । ଏହା ହିଁ ବିଜେଡି ପାୱାର କରିଡରରୁ କ୍ୟାପଟେନଙ୍କ ଆଉଟ କରିବାର ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି ।
କ୍ୟାପଟେନ ମିଶ୍ର କୁଆଡେ ନିଜ ପ୍ରିୟଜନଙ୍କୁ ଅନେକ ଦିନରୁ ବିଜେପି ସହ ମେଣ୍ଟ ନେଇ ସବୁଜ ସଙ୍କେତ ଦେଇଥିଲେ ବୋଲି ସୂଚନା ମିଳିଛି । ଏପରି ହେଲେ ମିଶ୍ର ବାବୁ ମନ୍ତ୍ରୀ ପଦ ପାଇବା ଥିଲା ପକ୍କା! ଯାହା କିଛି ଗଣମାଧ୍ୟମ ବନ୍ଧୁଙ୍କୁ ସହ ବ୍ୟକ୍ତିଗତ ଆଲୋଚନା ସମୟରେ କ୍ୟାପଟେନ କହିଥିବା ସୂଚନା ମିଳିଛି । କାରଣ କ୍ୟାପଟେନଙ୍କ ଭାବନା ଏପରି ଯେ, ମେଣ୍ଟ ହେଲେ ବିଜେଡି ତାଙ୍କୁ ଟିକେଟ ଦେବ ଏବଂ ଛତିଶଗଡ ବିଜେପି ତାଙ୍କ ମନ୍ତ୍ରୀ ପଦ ପାଇଁ ଲବି କରିବ । କାରଣ ପାଣ୍ଡ୍ୟାନଙ୍କ ପରି ରମଣ ବି କୁଆଡେ ୨୦୧୪ ନିର୍ବାଚନରେ ଜୁନାଗଡ ପାଇଁ କ୍ୟାପଟେନଙ୍କ ନାମ ନବୀନଙ୍କ ଆଗରେ ରଖିଥିଲେ ବୋଲି ଶୁଣିବାକୁ ମିଳିଛି । କ୍ୟାପଟେନଙ୍କ ଏପରି ଯୋଜନା ସଂପର୍କରେ ନବୀନ ଜାଣିବା ପରେ ତାଙ୍କୁ ନେଇ କଡା ଆଭିମୁଖ୍ୟ ନେଇଛନ୍ତି । ବିଜେଡି ମୁଖପାତ୍ର ପଦରୁ କ୍ୟାପଟେନ ମିଶ୍ରଙ୍କୁ ବିଦା କରିଛନ୍ତି । କାରଣ ଟିଭିରେ ମୁହଁ ଦେଖାଇବାର ମିଶ୍ର ବାବୁଙ୍କ ସଉକ ଉପରେ ରୋକ ଲଗାଇ ତାଙ୍କ ଗାଲରେ ଶକ୍ତ ଚାପୁଡା ମାରିଛନ୍ତି ନବୀନ ।
ସେପଟେ ବିଜେପି କଳାହାଣ୍ଡି ଯୁବରାଜା ଅନନ୍ତ ପ୍ରତାପ ଦେଓଙ୍କ ଉପରେ ଆଖି ପକାଇଛି । ମାତ୍ର ୨୯ବର୍ଷ ବୟସରେ ଅନନ୍ତଙ୍କ ବାପା ତଥା କଳାହାଣ୍ଡି ରାଜା ଉଦିତ ପ୍ରତାପ ଦେଓ ୧୯୭୪ ମସିହାରେ ଜୁନାଗଡରୁ ବିଧାୟକ ହୋଇଥିଲେ । ଏପରିକି ମେଣ୍ଟ ସରକାର ସମୟରେ ମଧ୍ୟ ଉଦିତ ଦେଓଙ୍କର ସାନ ଭାଇ ବିକ୍ରମ ଦେଓ ଉଭୟ ଜୁନାଗଡ ଓ କଳାହାଣ୍ଡି ଲୋକସଭାକୁ ପ୍ରଭାବିତ କରିଥିଲେ । ଯେଉଁଥିପାଇଁ ଅନନ୍ତ ପ୍ରତାପ ବିଧାନସଭା ପ୍ରବେଶ କରିବାର ସୁଯୋଗ ପାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ କଳାହାଣ୍ଡି ରାଜପରିବାର ତ ଅସଲ ଆବିର୍ଭାବ ବି ଜୁନାଗଡରୁ । ସେଠାରୁ ସ୍ୱାଧୀନ ଭାବେ ମଧ୍ୟ ରାଜୁତି କରି ପାରନ୍ତି ରାଜା ସାହେବ । ଅପରପକ୍ଷରେ କ୍ୟାପଟେନଙ୍କ ପଞ୍ଚାୟତ ଟ୍ରାକ ରେକର୍ଡ ପୂରା ଖରାପ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜୁନାଗଡରେ ବିଜେଡି ଠାରୁ ବିଜେପିକୁ ୪୫ ହଜାର ୮୯୯ ଖଣ୍ଡ ଅଧିକ ଭୋଟ ମିଳିଛି । ସେପଟେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ କ୍ୟାପଟେନଙ୍କର ସଂପର୍କ ମଧ୍ୟ ତିକ୍ତ । ତେଣୁ ଦେଖାଯାଉ, ଆଗାମୀ ନିର୍ବାଚନରେ କ୍ୟାପଟେନ ପୁଣି ବିଜେଡି ଟିକେଟ ପାଉଛନ୍ତି କି ନାହିଁ? ନା ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ବିଜୟ ମହାପାତ୍ରଙ୍କ ପରି ଟିକେଟ ଶେଷ ମୁହୂର୍ତ୍ତରେ କଟିଲା ପରି କ୍ୟାପଟେନଙ୍କ ଟିକେଟ ଆଉ କାହାକୁ ନବୀନ ଦେଉଛନ୍ତି !

ONA

Leave a Reply

Top