You are here
Home > ବଡ଼ଖବର > କ୍ରାଇସିସ୍ ମ୍ୟାନେଜର ହେମାନନ୍ଦ

କ୍ରାଇସିସ୍ ମ୍ୟାନେଜର ହେମାନନ୍ଦ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସୁନ୍ଦରଗଡର ପୂର୍ବତନ ସାଂସଦଙ୍କୁ ହେମାନନ୍ଦ ବିଶ୍ୱାଳଙ୍କୁ ନେଇ ଏବେ ରାଜନୀତି ପୁଣି ଜୋର ଧରିଛି । କୁଆଡେ ରାଜ୍ୟ କଂଗ୍ରେସରେ ହେମା ବାବୁ ହେଉଛନ୍ତି କ୍ରାଇସିସ ମ୍ୟାନେଜର! ପଟ୍ଟନାୟକ ପରିବାରକୁ ମନାଇବା ସହ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବେ ହେମାନନ୍ଦ । ଏମିତି ତ ହେମା ବାବୁ ଏବେ ପ୍ରସାଦଙ୍କ ପ୍ରଶଂସାରେ ଶତମୁଖ । କାରଣ ତାଙ୍କର ଦେହ ଖରାପ ସମୟରେ ହସ୍ପିଟାଲରେ ହେମାନନ୍ଦଙ୍କୁ ଭେଟିଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ସେବେ ଠାରୁ ପ୍ରସାଦଙ୍କ ପ୍ରତି ହେମାନନ୍ଦଙ୍କର ଭଲ ପାଇବା  ବଢିଯାଇଛି । ସେପଟେ ଦିନ କେଇଟା ପୂର୍ବରୁ ରାଜ୍ୟ କଂଗ୍ରେସରେ ଚାଲିିଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ହୁକୁମ ଦେଇଛନ୍ତି ହାଇକମାଣ୍ଡ । ଫଳରେ କଂଗ୍ରେସରୁ ଗୋଷ୍ଠୀ କନ୍ଦଳ ହଟିବ ବୋଲି ରାଜନୈତିକ ମହଲରେ ବେଶ ଚର୍ଚ୍ଚା । ହେଲେ ସତରେ କ’ଣ ଏହା ସମ୍ଭବ! ତେବେ ହେମା ବାବୁ କ୍ରାଇସିସ ମ୍ୟାନେଜର ହେବେ ନା ନିଜ ସ୍ୱାର୍ଥ ପାଇଁ ଲବି କରିବେ – ତାହା ଏକ ବଡ ପ୍ରଶ୍ନ ।
ହେମାନନ୍ଦ ବିଶ୍ୱାଳ ଉପରକୁ ଯାହା ଦେଖା ଯାଆନ୍ତି, ଭିତରେ କିନ୍ତୁ ତାହା ନୁହନ୍ତି । ବେଶ ସାଦାସିଧା ଏହି ଆଦିବାସୀ ନେତା ସବୁବେଳେ କ୍ଷମତା ସହ ରହିବାକୁ ଭଲ ପାଅନ୍ତି । ଖାସ୍ ସେଇଥିପାଇଁ ତ ୨୦୧୪ରେ ନିର୍ବାଚନରେ ଚିତପଟାଙ୍ଗ ମାରିବା ପରେ ପୁଣି ଥରେ ସଜବାଜ ହୋଇଗଲେ କ୍ଷମତା ଅକ୍ତିଆର ପାଇଁ । ତେଣୁ ବାହାନା କରି ସଚିବାଳୟ ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ଭେଟି ଡିଲ୍ କରୁଥିବାର ଆଲୋଚନା ହେଲା । ମାତ୍ର ଏଥିରେ ବିଫଳ ହେବା ପରେ ରାଗ ଜର୍ଜରିତ ହେମାନନ୍ଦ ଦିଲ୍ଲୀର କନଷ୍ଟିଚୁଏଣ୍ଟ କ୍ଲବରେ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ବିଜେପି ନେତାଙ୍କ ସହ ସେ ମନ୍ତ୍ରଣା କଲେ । କେନ୍ଦ୍ରୀୟ ବିଜେପି ନେତା ଚନ୍ଦନ ମିତ୍ର, କେନ୍ଦ୍ର ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ଦିଲ୍ଲୀପ ରାୟଙ୍କ ସହ ଏକାଠି ବସି ଓଡିଶାରୁ କଂଗ୍ରେସ ମୂଳପୋଛ ପାଇଁ ପ୍ରସ୍ତୁତ କଲେ ନୀଳ ନକ୍ସା । ଆଉ ଏହାର ବଦଳରେ ରାଜ୍ୟପାଳ ଭଳି ବଡ ପଦ ଦାବି କଲେ ହେମାନନ୍ଦ । ମାତ୍ର କୌଣସି କାରଣରୁ ସେଥିରେ ସଫଳତା ମିଳିପାରିଲାନି । ତେବେ ଏହା ହିଁ ସ୍ପଷ୍ଟ କରୁଛି କି ନିୟମିତ ଭାବେ ବିଜେଡି ଓ ବିଜେପି ସହ ଲିଙ୍କ୍ରେ ଅଛନ୍ତି ଶ୍ରୀଯୁକ୍ତ ବିଶ୍ୱାଳ । ତେଣୁ ଉପରେ ଯାହା ଖାଲି କଂଗ୍ରେସର ଖୋଳପା ପିନ୍ଧା ଚେହେରା ରହିଛି ମାତ୍ର ମନ ଭିତରେ ଭିତରେ ରହିଛି ବିଜେପି-ବିଜେଡି ପ୍ରୀତି ।
ସେପଟେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଓଡିଶା ଆସି ଯିବା ପରେ ପୁଣି ଥରେ ବିଜେପି ପ୍ରତି ଆଶା ବାନ୍ଧିଛନ୍ତି ହେମାନନ୍ଦ । କାରଣ ଓଡିଶା ଗସ୍ତ ସମୟରେ ଆଦିବାସୀ ଯୁବକ ତଥା ଏଭରେଷ୍ଟ ଆହୋରଣକାରୀ ଯୋଗବ୍ୟାସ ଭୋଇ ଓ ବଲାଙ୍ଗିରୀ ଜିଲ୍ଲା ଆଦିବାସୀ ସଂଘ ସଭାପତି ବ୍ରଜ କିଶୋର ସିଂ ଭୋଇଙ୍କୁ ସମ୍ବର୍ଦ୍ଧିତ କଲା ଆରଏସଏସ । ଆଉ ଏତିକିବେଳେ ହେମା ବାବୁ ଗୋଟି ଚଳାଇବା ବି ସ୍ୱାଭାବିକ । କାରଣ ଓଡିଶାରେ ହେମାନନ୍ଦଙ୍କ ପରି ଷ୍ଟଲୱାଟ ଆଦିବାସୀ ନେତା ନାହାନ୍ତି । ଗିରିଧର ଗମାଙ୍ଗ ତ ବହୂ ପୂର୍ବରୁ ବିଜେପି ହାତ ଧରି ସାରିଛନ୍ତି । ତେଣୁ ଗମାଙ୍ଗଙ୍କ ରାସ୍ତାରେ ଯିବା ପାଇଁ ହେମାନନ୍ଦ ଆଶା ବାନ୍ଧିଛନ୍ତି । କାରଣ ସେ ଜାଣନ୍ତି କି ଦିନକୁ ଦିନ ବାର୍ଦ୍ଧକ୍ୟ ତାଙ୍କୁ କୋଳେଇ ନେଲାଣି । ପୁଣି କଂଗ୍ରେସରେ ମଧ୍ୟ ତାଙ୍କ ରେଟିଂ (ଟିଆରପି) କମିଗଲାଣି । ଅନ୍ୟପଟେ ଦେଶରେ ନରେନ୍ଦ୍ର ମୋଦିଙ୍କ ହାୱା, ସେପଟେ ରାହୁଲ ଗାନ୍ଧି ବୟସ୍କ କଂଗ୍ରେସ ନେତାଙ୍କୁ ଦୂରେଇ ଦେଉଥିବାରୁ ବିଜେପି ପ୍ରତି ଆଗ୍ରହ ଦେଖାଉଛନ୍ତି ହେମାବାବୁ । ଏତିକିବେଳେ ୨୦୧୮ ଏପ୍ରିଲ ମାସରେ ରାଜ୍ୟସଭା ସାଂସଦ ଭାବେ ଦିଲ୍ଲୀପ ତିର୍କିଙ୍କର ଶେଷ ହେଉଛି କାର୍ଯ୍ୟକାଳ । ତେଣୁ ସୁନ୍ଦରଗଡରେ ହେମାନନ୍ଦଙ୍କ ବେଶ ପତିଆରା ଓ ଦବଦବା ଥିବାରୁ ବିଜେଡି ମଧ୍ୟ ତାଙ୍କୁ ଖୁସିରେ ଆପଣେଇ ନେଇପାରେ ।
ତେଣୁ ସବୁଆଡୁ ଦେଖି ଚାହିଁ ଗୋଟି ଚାଳନା କରିଛନ୍ତି ହେମାନନ୍ଦ । ଯେଉଁଠି ତାଙ୍କୁ ଭଲ ସହଯୋଗ ମିଳିବ, ସେଠାକୁ ଡେଇଁ ପଡିବାକୁ ଅନେଇ ବସିଛନ୍ତି ସେ । ଖାଲି ସେଇଥିପାଇଁ କଂଗ୍ରେସର କ୍ରାଇସିସ ମ୍ୟାନେଜର ହେବା କଥାକୁ ବାହାରେ ପ୍ରଚାର କରୁଛନ୍ତି ହେମାନନ୍ଦ । ଆଉ ଏହି ବାହାନାରେ ବିଜେପିଠାରୁ ନିଜ ପାଇଁ ରାଜ୍ୟପାଳ ପଦ ହେଉ କି ନିଜ ଝିଅକୁ ଥଇଥାନ ପାଇଁ ଡିମାଣ୍ଡ ରଖିଥିବା ଚର୍ଚ୍ଚା । ତେଣୁ ବରିଷ୍ଠ କଂଗ୍ରେସ ନେତାଙ୍କ ସୁନେଲୀ ସ୍ୱପ ବାସ୍ତବତାର ରୂପ ନେବ ନା ଧୂଆଁ ହୋଇ ଉଡିଯିବା ତା ସମୟ କହିବ ।

ONA

Leave a Reply

Top