You are here
Home > ଗସିପ ଖବର > କୋହଲି-କୁମ୍ବଲେ ବିବାଦ: କିଏ ହେବ ଟିମ୍ ଇଣ୍ଡିଆ କୋଚ?

କୋହଲି-କୁମ୍ବଲେ ବିବାଦ: କିଏ ହେବ ଟିମ୍ ଇଣ୍ଡିଆ କୋଚ?

  ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ପଦରୁ ଓହରି ଗଲେ କୁମ୍ବଲେ । ପଦ ଛାଡିବା ପଛରେ ଅଧିନାୟକ କୋହଲିଙ୍କ ସହ ମନାନ୍ତର ମୁଖ୍ୟ ପ୍ରସଙ୍ଗ ବୋଲି କୁହାଯାଉଛି । ଯାହାଙ୍କ ତତ୍ତ୍ୱାବଧାନରେ ଟିମ୍ ଇଣ୍ଡିଆ ଘରୋଇ ସିଜିନ୍ କ୍ଲିନ୍ ସୁଇପ୍ କରିଥିଲା, ଶେଷରେ  ତାଙ୍କୁ ହିଁ ବିଦାଦର ସମ୍ମୁଖୀନ ହେବାକୁ ପଡିଲା । ଅନୁଶାସନକୁ ଜୋର ଦେଉଥିବା କୁମ୍ବଲେ ଓ ସ୍ୱେଚ୍ଛଚାରୀ ମନୋଭାବର କୋହଲିଙ୍କ ମଧ୍ୟରେ ମନାନ୍ତର ଘଟିଲା । ଏପରିକି ୬ ମାସ ହେବ କୁମ୍ବଲେଙ୍କ ସହ କଥା ବାର୍ତ୍ତା ବି ବନ୍ଦ କରି ଦେଇଥିଲେ କୋହଲି । ତେବେ ଚାମ୍ପିଅନ୍ସ ଟ୍ରଫିର ଅବ୍ୟବହିତ ପୂର୍ବରୁ ଟିମ୍ ଚୟନକୁ ନେଇ କୁମ୍ବଲେଙ୍କ ପ୍ରସ୍ତାବକୁ କୋହଲିଙ୍କ ଅଗ୍ରାହ୍ୟ କରିବା ଏବଂ ଟାଇଟଲ ମୁକାବିଲାରେ ପାକିସ୍ତାନ ନିକଟରୁ ୧୮୦ରନ୍ର ବୃହତ ବ୍ୟବଧାନରେ ଭାରତ ପରାଜିତ ହେବା ଘଟଣା ନିଆଁରେ ଘିଅ ଢ଼ାଳିବା ପରି ହୋଇଥିଲା । ବାଧ୍ୟ ହୋଇ ସ୍ୱାଭିମାନୀ କୁମ୍ବଲେ ମୁଖ୍ୟ କୋଚ୍ ପଦ ଛାଡିବାକୁ ଚରମ ନିଷ୍ପତ୍ତି ନେଲେ । ଫଳରେ ମୁଖ୍ୟ କୋଚଙ୍କ ବିନା କୋହଲି ସେନା ଇଣ୍ଡିଜ୍ ଗସ୍ତ କଲା ।
  କୋହଲି ଜଣେ ସଫଳ ଅଧିନାୟକ, ଏହା ନିସନେ୍ଦହ । କିନ୍ତୁ ତାଙ୍କ ଅହଙ୍କାରୀ ମନୋଭାବ ଗୁରୁଶିଶ୍ୟ ପରାମ୍ପରାରେ ଦାଗ ଲଗାଇଛି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ କଟୁ ସମାଲୋଚନାର ସରବ୍ୟ ହେବାକୁ ପଡିଛି । ତଥାପି ନିଜ ଆଣ୍ଟରୁ କାଣିଚାଏ ପଛଘୁଞ୍ଚା ଦେବାକୁ ସେ ପ୍ରସ୍ତୁତ ନୁହଁନ୍ତି । ଫଳରେ ଏଠି କୁମ୍ବଲେ ନୁହେଁ ବରଂ ବିସିସିଆଇର ହାର ହୋଇଛି ବୋଲି କୁହାଯାଇପାରେ ।
କୋହଲି-କୁମ୍ବଲେ ବିବାଦ ପଛର କାରଣ:
-କୁମ୍ବଲେ ଅନୁଶାସନରେ ଶକ୍ତ ଥିଲେ । ଏପରିକି ଅଭ୍ୟାସ ସମୟରେ କିଛି ଖେଳାଳିଙ୍କୁ  ଲାତ ମାରିବାକୁ ପଛାଉ ନଥିଲେ । ଏତଦଭିନ୍ନ ଏକାଧିକ ସିରିଜରେ ଖେଳାଳିଙ୍କ ସହ ସେମାନଙ୍କର ଗାର୍ଲଫ୍ରେଣ୍ଡ ଓ ପତ୍ନୀଙ୍କୁ ନେବାକୁ ବିରୋଧ କରୁଥିଲେ କୁମ୍ବଲେ ।
-କୋହଲିଙ୍କ ପ୍ରଥମ ପସନ୍ଦ ରବି ଶାସ୍ତ୍ରୀ । ସେ ଚାହୁଁଥିଲେ ରବି ଶାସ୍ତ୍ରୀ ହିଁ ଟିମ୍ ଇଣ୍ଡିଆର କୋଚ୍ ହୁଅନ୍ତୁ । କୁମ୍ବଲେଙ୍କ ପୂର୍ବରୁ ଶାସ୍ତ୍ରୀ ଟିମ୍ ଇଣ୍ଡିଆର ଡାଇରେକ୍ଟର ଓ କୋଚ୍ ଥିଲେ ।
-ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ହାରିଲା ପରେ କୁମ୍ବଲେ ଓ କୋହଲି ବିବାଦ ବିସ୍ଫୋରକ ସ୍ଥିତିରେ ପହଞ୍ଚି ଯାଇଥିଲା ।  ଏପରିକି ଫାଇନାଲ ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ବିସିସିଆଇର ପରାମର୍ଶଦାତା କମିଟି ସଦସ୍ୟ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ମଣଙ୍କ ଆଗରେ  କୁମ୍ବଲେଙ୍କୁ ନେଇ ଖୋଲାଖୋଲି ଆପତ୍ତି ଉଠାଇଥିଲେ କୋହଲି ।

  କୁମ୍ବଲେ ଓହରି ଯିବା ପରେ ବିସିସିଆଇ ନୂଆ କୋଚ୍ ଚୟନ ଧାରାକୁ ତେଜ୍ କରିଛି । ଏକାଧିକ ଦେଶୀବିଦେଶୀ ଆଶାୟୀ ଟିମ୍ ଇଣ୍ଡିଆ କୋଚ ହେବା ଲାଗି ଆଶାୟୀ ଅଛନ୍ତି । ଏହି ଧାରାରେ ୪ଜଣ ସବୁଠୁ ଆଗରେ ଅଛନ୍ତି ।
ବୀରେନ୍ଦ୍ର ସେହ୍ୱାଗ: ଭାରତୀୟ ଦଳର ଏହି ପୂର୍ବତନ ବିସ୍ପୋରକ ଓପନରଙ୍କ ନାମ କୋଚ୍ ନିମନ୍ତେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି । ଆଇପିଏଲ୍ରେ କିଙ୍ଗସ୍ ଏକାଦଶ ପଞ୍ଜାବର  ମେଣ୍ଟର ଦାୟିତ୍ୱ ତୁଲାଇଥିଲେ । ଏତଦଭିନ୍ନ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ସହ ତାଙ୍କର ଘନିଷ୍ଠତା ରହିଛି । ଫଳରେ ବୀରୁ କୋଚ୍ ରେସ୍ରେ ସବୁଠୁ ଆଗରେ ରହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଅନେକ ମ୍ୟାଚ୍ରେ ନିଜର ବିସ୍ଫୋରକ ଇନିଂସ ବଳରେ ଦଳକୁ ଜିତାଇଥିବା ସେହ୍ୱାଗଙ୍କ ଉପରେ ବିସିସିଆଇ କେତେ ଭରସା ଦେଖାଇବ ।
ଟମ୍ ମୁଡି: କ୍ରିକେଟ ଦୁନିଆରେ ଜଣେ ଦକ୍ଷ ଖେଳାଳି ଅପେକ୍ଷା ସଫଳ କୋଚ୍ ଭାବେ  ନିଜକୁ ପରିଚିତ କରିପାରିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଟମ୍ ମୁଡି । ଆଇପିଏଲ୍ରେ ହାଇଦ୍ରାବାଦକୁ ଏକ ଶକ୍ତିଶାାଳୀ ଦଳର ମାନ୍ୟତା ଦେଇ ପାରିଛନ୍ତି । ଭାରତୀୟ ଦଳର ମୁଖ୍ୟ କୋଚ ପଦ ନିମନ୍ତେ ସେ ଆବେଦନ କରିଥିବା ବେଳେ କୋଚି କ୍ଷେତ୍ରରେ ଅଭିଜ୍ଞତା ତାଙ୍କୁ କୋଚ ଦୌଡରେ ଆଗରେ ରଖିଛି ।
ଲାଲଚାନ୍ଦ ରାଜପୁତ: ଆଫଗାନିସ୍ତାନ କ୍ରିକେଟ ଦଳର ମୁଖ୍ୟ କୋଚ୍ ଥିବା ଲାଲଚାନ୍ଦ ରାଜପୁତ ମୁଖ୍ୟ ଦୌଡରେ ଦାବିଦାର ଅଛନ୍ତି । ୨୦୦୭ରେ ଧୋନି ଆଣ୍ଡ କୋ  ଟି-୨୦ ବିଶ୍ୱକପ ବିଜୟୀ ଦଳର ସେ ମ୍ୟାନେଜର ଥିଲେ ।  ବହୁ ପାଖରୁ ଭାରତୀୟ ଦଳକୁ ଅନୁଶୀଳନ କରିଥିବା ଲାଲଚାନ୍ଦ ଭାରତୀୟ ଦଳର କୋଚ୍ ହେବା ନିମନ୍ତେ ଯୋଗ୍ୟତା ରଖନ୍ତି ।
ଡୋଡା ଗଣେଶ: ଡୋଡା ଗଣେଶଙ୍କୁ ଖୁବ କମ ଲୋକ ଜାଣନ୍ତି । କିନ୍ତୁ କୋଚ ପଦ ପାଇଁ ସେ ଜଣେ ଉତ୍ତମ ବ୍ୟକ୍ତିତ୍ୱ । ମାତ୍ର ୪ଟି ଟେଷ୍ଟ ଓ ଗୋଟିଏ ଦିନିକିଆ  ଖେଳିଥିବା ଗଣେଶ ଜଣେ ମିଷ୍ଟଭାଷି । ଖେଳାଳିଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଓ  ରଣନୀତି ପ୍ରସ୍ତୁତରେ ସେ ମାହିର ବୋଲି କୁହାଯାଉଛି ।
  ୧୯୯୨ରୁ ଆରମ୍ଭ ହୋଇଥିବା କୋଚ୍ ଧାରାରେ ଅଦ୍ୟାବଧି ୧୧ଜଣ ଟିମ ଇଣ୍ଡିଆର ଲଗାମ ଧରିଛନ୍ତି । କିଛି ସିଫଳ ହୋଇଥିବା ବେଳେ ଆଉ କେତେକଙ୍କ ମନ୍ଦ ଉଦେଶ୍ୟ ଭାରତୀୟ କ୍ରିକେଟକୁ ରସାତଳଗାମୀ କରିଛି । ୧୯୯୨ରେ ଅଜିତ ୱାଡେକର, ୧୯୯୬ରେ ସନ୍ଦୀପ ପାଟିଲ, ୧୯୯୬ରେ ମଦନ ଲାଲ, ୧୯୯୭ରେ ଅଂଶୁମାନ ଗାଏକ୍ୱାଡ ଓ ୧୯୯୯ରେ କପିଳ ଦେବ ଜାତୀୟ ଦଳକୁ ଦିଗଦର୍ଶନ ଦେଇଥିଲେ । କିନ୍ତୁ ଦଳୀୟ ପ୍ରଦର୍ଶନ ନୈରାଶ୍ୟଜନକ ସାଙ୍ଗକୁ କଳଙ୍କିତ ମ୍ୟାଚ ଫିକ୍ସିଂ ଭାରତୀୟ କ୍ରିକେଟର ରୂପରେଖ ବଦଳାଇ ଦେଇଥିଲା । ଏଇଠୁ ହିଁ ଟିମ ଇଣ୍ଡିଆର ନବକଳେବର ହୋଇଥିଲା । ବିତାଡିତ ହୋଇଥିଲେ ଟିମର କିଛି ଖେଳାଳି ଓ କୋଚ । ଦେଶୀ କୋଚ୍ଙ୍କ ଧାରାରେ ଯବନିକା ପଡିଥିବା ବେଳେ ବିଦେଶୀଙ୍କ ମୋହରେ ପଡିଥିଲା ବିସିିସିଆଇ । ୨୦୦୦ରୁ ୨୦୧୫ ମଧ୍ୟରେ ୪ଜଣ ବିଦେଶୀ କୋଚ (୨୦୦୦ରୁ ଏପର୍ଯ୍ୟନ୍ତ ଜନ ରାଇଟ ନୁ୍ୟଜିଲାଣ୍ଡ, ଗ୍ରେଗ ଚାପେଲ ଅଷ୍ଟ୍ରେଲିଆ, ଗ୍ୟାରୀ କ୍ରିର୍ଷ୍ଟନ ଦକ୍ଷିଣ ଆଫ୍ରିକା ଓ ଡନକାନ ଫ୍ଲେଚର-ଜିମ୍ବାୱେ) ଭାବେ ଦାୟିତ୍ୱରେ ରହିଆସୁଥିଲେ ।

ONA

Leave a Reply

Top