You are here
Home > ଗସିପ ଖବର > କେନ୍ଦ୍ର ସରକାର ଅଛୁଆଁ

କେନ୍ଦ୍ର ସରକାର ଅଛୁଆଁ

ରାଜ୍ୟର କ୍ଷମତାସୀନ ବିଜେଡି ସରକାର ପାଇଁ ଏବେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଅଛୁଆଁ ହୋଇପଡ଼ିଛି । ସଂଘୀୟ ବ୍ୟବସ୍ଥାରେ ରାଜ୍ୟକୁ ଆସୁଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ସଚିବଙ୍କୁ ପ୍ରୋଟୋକଲ୍ ଅନୁସାରେ ଓଡ଼ିଶାରେ ସ୍ୱାଗତ କିମ୍ବା ସହଯୋଗ କରିବାର ପରମ୍ପରାକୁ କୁଆଡ଼େ ଏବେ ଓଡ଼ିଶା ସରକାର ଭୁଲି ଗଲେଣି । ଶୁଣିବାକୁ ମିଳୁଛି, ଭୁବନେଶ୍ୱର ନିକଟସ୍ଥ ଏକ ପ୍ରତିଷ୍ଠିତ ଘରୋଇ ଇଞ୍ଜିନିୟରିଂ କଲେଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଓଡ଼ିଶା ଆସିଥିଲେ । ପ୍ରୋଟୋକଲ୍ ଅନୁସାରେ ତାଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର କୌଣସି ସଚିବ ପାହ୍ୟାର ଅଫିସର୍ ବିମାନ ବନ୍ଦରରେ ସ୍ୱାଗତ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ କେନ୍ଦ୍ର ସରକାରଙ୍କୁ ଅଘୋଷିତ ବାସନ୍ଦ କରିଥିବା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ କୁଆଡ଼େ ପ୍ରଥମେ ଜଣେ ସେକ୍ସନ୍ ଅଫିସର୍ଙ୍କୁ ବିମାନ ବନ୍ଦରରେ ସ୍ୱାଗତର ଦାୟିତ୍ୱ ଦେଇଥିଲେ । ଏଥିାଇଁ ନିର୍ଦ୍ଦେଶନାମା ମଧ୍ୟ ପ୍ରକାଶ ପାଇଥିଲା । କିନ୍ତୁ କାଳେ କିଛି ସମସ୍ୟା ହେବ ଭାବି ପରବର୍ତ୍ତୀ ସମୟରେ ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଫିସର୍ ବିମାନ ବନ୍ଦରକୁ ଯାଇଥିଲେ । ତାଙ୍କୁ ବିମାନ ବନ୍ଦରରୁ ଆଣି ରାଜ୍ୟ ଅତିଥି ଭବନରେ ଛାଡ଼ିବା ପରେ ଆଉ ଉଚ୍ଚଶିକ୍ଷା ସଚିବ କୁଆଡ଼େ ସେଠାରେ ଭେଟିଥିଲେ । ଉକ୍ତ ଇଞ୍ଜିନିୟରିଂ କଲେଜର କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୁଆଡ଼େ ରାଜ୍ୟ ଉଚ୍ଚଶିକ୍ଷା ସଚିବଙ୍କୁ ତାଙ୍କ ସହ ଯିବା ପାଇଁ ସମ୍ପୃକ୍ତ କେନ୍ଦ୍ର ସଚିବ ଅନୁରୋଧ କରିଥିଲେ । ମାତ୍ର ପୂର୍ବ ସ୍ଥିରୀକୃତ କାର୍ଯ୍ୟକ୍ରମ ରହିଥିବା କଥା କହି ଉଚ୍ଚଶିକ୍ଷା ସଚିବ ଏଥିରୁ ଦୂରେଇ ରହିଥିଲେ । କେବଳ ସେତିକି ନୁହେଁ ଉକ୍ତ ଇଞ୍ଜିନିୟରିଂ କଲେଜ କାର୍ଯ୍ୟକ୍ରମର ଉଦ୍ୟାପନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟ ଅତିଥି ଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଏଭଳି ମତିଗତିକୁ ଦେଖି କାଳେ ଭବିଷ୍ୟତରେ କଲେଜରେ ତାଲା ପଡ଼ିଯିବ ସେହି ଭୟରେ କେନ୍ଦ୍ରମନ୍ତ୍ରୀ ଯେଭଳି କାର୍ଯ୍ୟକ୍ରମକୁ ନଆସିବେ ସେଥିାଇଁ ଆୟୋଜକଙ୍କ ପକ୍ଷରୁ ପ୍ରୟାସ ହୋଇଥିଲା । ବିଜେପିର ଦକ୍ଷିଣ ଓଡିଶାର ଜଣେ ଯୁବନେତାଙ୍କ ମାଧ୍ୟମରେ ତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ନହେବା ପାଇଁ ଅନୁରୋଧ କରି ଆୟୋଜକ ସଫଳ ହୋଇଥିଲେ । ଏବେ ଚର୍ଚ୍ଚା ହେଉଛି, କେନ୍ଦ୍ର ସରକାରଙ୍କ ଛାପ ଥିବା ଯେକୌଣସି କାର୍ଯ୍ୟକ୍ରମକୁ ବାସନ୍ଦ କରିବା ନିମନ୍ତେ କୁଆଡ଼େ ରାଜ୍ୟ ସରକାର ନିଜର ଅଫିସର୍ ଓ ମନ୍ତ୍ରୀମାନଙ୍କୁ ଅଲିଖିତ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ରାଜନୈତିକ ଛକାପଞ୍ଝାରେ ସଂଘୀୟ ଗଣତନ୍ତ୍ର ବ୍ୟବସ୍ଥା ଏବେ ବିର୍ଯ୍ୟସ୍ତ ହେବାରେ ଲାଗିଥିବାବେଳେ କ୍ଷମତାସୀନ ବିଜେଡିର ଏଭଳି କାର୍ଯ୍ୟକୁ ମଧ୍ୟ ସବୁ ସ୍ତରରେ ନାପସନ୍ଦ କରାଯାଉଛି ।

ONA

Leave a Reply

Top