You are here
Home > Breaking News > କେନ୍ଦ୍ର ଓ ରାଜ୍ୟ ଚାଷୀଙ୍କୁ ତଳିତଳାନ୍ତ କରିଛନ୍ତି: କଂଗ୍ରେସ

କେନ୍ଦ୍ର ଓ ରାଜ୍ୟ ଚାଷୀଙ୍କୁ ତଳିତଳାନ୍ତ କରିଛନ୍ତି: କଂଗ୍ରେସ

ଭୁବନେଶ୍ୱର: ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । ପିସିସି ପକ୍ଷରୁ ଗଣଧାରଣା ଦିଆଯିବା ସହ ପ୍ରତିବାଦ କରାଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କୁ ଠକି ଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଏହି ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେବା ସହ ଚାଷୀ ସମସ୍ୟାକୁ ନିର୍ବାଚନ ସମୟରେ ପ୍ରସଙ୍ଗ କରାଯିବ ବୋଲି କୁହାଯାଉଛି । ଦଳର ବହୁ ବରିଷ୍ଠ ନେତା ଏକାଠି ହୋଇ ଧାରଣା ଦେଇଛନ୍ତି । ଧାରଣାସ୍ଥଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଚାଷୀର ଏହି ଦୁର୍ଦ୍ଦୀନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କେନ୍ଦ୍ରରେ ସରକାର ଓ ରାଜ୍ୟ ସରକାରଙ୍କ ବିଫଳତା ଚାଷୀର ଏହି ଦୁର୍ଦ୍ଦଶା ପାଇଁ ଦାୟୀ । ଚାଷୀମାନେ ବହୁ ଦିନରୁ ଦାବି କରୁଛନ୍ତି ତାଙ୍କର ଋଣ ଛାଡ଼ କରାଯାଉ । ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଦେଢ଼ ଗୁଣ କରିବା ପାଇଁ ତାହା ଦେଢ଼ଗୁଣ କରାଯାଉ । ଦେଢ଼ଗୁଣ ହିସାବରେ ଓଡ଼ିଶାରେ ହେବ କ୍ୱିଣ୍ଟାଲ ପିଛା ୩ହଜାର ୫୧୬ ଟଙ୍କା । ଚାଷୀମାନଙ୍କୁ ପେନ୍ସନ୍ ଦିଆଯାଉ । କଂଗ୍ରେସର ଦାବି ମାସକୁ ୫ ହଜାର ଟଙ୍କା ଦେବା ପାଇଁ । ଜଣେ ଚାଷୀ ୬୦ ବର୍ଷରୁ ଊଦ୍ଧ୍ୱର୍ ହେଲେ ତାକୁ ଏହି ପେନ୍ସନ୍ ମିଳୁ । ଚାଷୀମାନଙ୍କର ବିଭିନ୍ନ ସମସ୍ୟା ରହିଛି ତାକୁ ନେଇ ଏହି ଆନ୍ଦୋଳନ କରାଯାଉଛି । ଆଗାମୀ ଦିନରେ ମଧ୍ୟ ବିଭିନ୍ନ ରୂପରେ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି ।
ବିରୋଧୀ ଦଳ ଉପନେତା ବିଧାୟକ ଚିରଞ୍ଜିବୀ ବିଶ୍ୱାଳ କହିଛନ୍ତି, ଆମେ ଅନୁଭବ କରୁଛୁ ଏହି ଧାରଣାର ପ୍ରଭାବ ସାଧାରଣ ଲୋକ ଓ ପ୍ରଶାସନ ଉପରେ ପଡ଼ିବ । ଚାଷୀମାନଙ୍କ ମୁଖ୍ୟ ସମସ୍ୟା ନେଇ ଏହି ଧାରଣା ଦିଆଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଚାଷୀମାନେ ହତାଶ ଅବସ୍ଥାରେ ଅଛନ୍ତି । କେନ୍ଦ୍ରର ବିଜେପିର ୪ ବର୍ଷର ଶାସନ ଓ ରାଜ୍ୟର ବିଜେଡିର ୧୮ ବର୍ଷ ଶାସନ ସମୟରେ ଚାଷୀମାନଙ୍କ ପାଇଁ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରାଯିବା କଥା ତାହା କରାଯାଇନାହିଁ । ଚାଷୀମାନଙ୍କର ନାର୍ଯ୍ୟ ଦାବି ପାଇଁ ଏହି ଧାରଣା ଦିଆଯାଇଛି । ଚାଷୀମାନଙ୍କର ସମସ୍ୟା ନେଇ କଂଗ୍ରେସ ନିଷ୍ପତ୍ତି ନେଇଛି ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରି ରାସ୍ତାକୁ ଓହ୍ଲାଇବ । ନିର୍ବାଚନରେ ଚାଷୀ ସମସ୍ୟା ଆମର ମୁଖ୍ୟ ପ୍ରସଙ୍ଗ ହୋଇ ରହିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଏହି ସମାବେଶ ପ୍ରତ୍ୟେକ୍ଷ ଭାବରେ ପ୍ରମାଣିତ କରିଛି ଯେଉଁଭଳି ଭାବରେ ବିଜେଡି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କ ଦ୍ୱାରା ଅବହେଳିତ ହୋଇଛନ୍ତି । ସରକାରଙ୍କ ୧୮ ବର୍ଷ ଶାସନ ଭିତରେ ଚାଷୀ ସମସ୍ୟା ସମାଧାନ ହୋଇନଥିବାରୁ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି ।
ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି, କଂଗ୍ରେସ ଦୀର୍ଘକାଳ ଧରି ଚାଷୀମାନଙ୍କ ସମସ୍ୟାକୁ ନେଇ ଲଢ଼େଇ କରି ଆସୁଛି । କଂଗ୍ରେସ କହିଥିଲା ଧାନର ସହାୟକ ମୂଲ୍ୟ ବୃଦ୍ଧି କର । ଉପା ସରକାର ସମୟରେ ଧାନର ମୂଲ୍ୟ ୨ଗୁଣ ବଢ଼ିଥିଲା । ବର୍ତ୍ତମାନ ୪ ବର୍ଷ ଭିତରେ ମାତ୍ର ୨୨ ପ୍ରତିଶତ ବଢ଼ିଛି ବୋଲି କୁହାଯାଉଛି । କିନ୍ତୁ କୁହାଯାଉଛି ଆମେ ଦେଢ଼ଗୁଣ କରିବୁ । ଏହାଠାରୁ ବଡ଼ ମିଥ୍ୟା ଆଉ କିଛି ନାହିଁ । କଂଗ୍ରେସ ଲୋକଦେଖାଣିଆ କାର୍ଯ୍ୟ କରେନାହିଁ ଯାହା କରେ ନିଷ୍ଠାର ସହ କରେ ବୋଲି ଶ୍ରୀ ବେହେରା କହିଛନ୍ତି ।
କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରତିକ୍ରିୟା ରଖି କହିଛନ୍ତି, ଚାଷୀଙ୍କ ଦରଦ ପ୍ରତି ଆମେ ଅବଗତ ଅଛୁ । ଚାଷୀଙ୍କ ଦରକୁ ବିଧାନସଭାକୁ ମୁଲତବି କରି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ଆମେ ଧାରଣା ଦେଇଥିଲୁ । ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ଏକ ଗୃହ କମିଟି ହୋଇଥିଲା । ଗୃହ କମିଟି ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାବି ଜଣାଇବା ପାଇଁ ସମୟ ମଗା ଯାଇଥିଲା । ସେ ବାରମ୍ବାର ସମୟ ଦେଇନଥିଲେ ବୋଲି ଶ୍ରୀ ମହାରଥୀ କହିଛନ୍ତି ।

ONA

Leave a Reply

Top