You are here
Home > ଅଧିକ ଖବର > କିଏ ରଖିବ ଭଣ୍ଡାର ଚାବି

କିଏ ରଖିବ ଭଣ୍ଡାର ଚାବି

ଭଣ୍ଡାର ଘର ହିସାବକୁ ନେଇ ଚିନ୍ତାରେ ପଡ଼ିଛି ବିଜେଡି । ଦଳ ମୁଖିଆଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା କଥା ଅଦାଲତରେ ପହଞ୍ଚିଲାଣି । ବିରୋଧୀ ଏହି ପ୍ରସଙ୍ଗକୁ ଗଣ୍ଠି କରି ଦଳ ଓ ସରକାରଙ୍କୁ ଘେରୁଛନ୍ତି । ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଚାଲିଛି ତମ୍ବି ତୋଫାନ । ରାଜ୍ୟ ରାଜନୀତିରେ ନିର୍ବାଚନ ଲାଗି ପାଗଭିଡ଼ା ଚାଲିଥିବା ବେଳେ ଏହି ପ୍ରସଙ୍ଗ ବିଜେଡିକୁ ଅଡୁଆରେ ପକାଇଛି । ଏତିକି ବେଳକୁ ତୃତୀୟ ମହଲାର ଜଣେ ଅଧିକାରୀଙ୍କ ଦେହାନ୍ତ ଦଳ ଓ ସରକାରଙ୍କୁ ଚିନ୍ତା ବଢ଼ାଇଛି । କୁହାଯାଉଛି ଏହି ଅଧିକାରୀଙ୍କ ହାତରେ କାଳେ ବିଜେଡିର ବୁକ୍ସ ଅଫ୍ ଆକାଉଣ୍ଟ ଥିଲା । ସେ ହିଁ ଧରିଥିଲେ ଭଣ୍ଡାର ଘରର ଚାବି କାଠି । ତେବେ ତାଙ୍କ ସ୍ୱର୍ଗବାସ ପରେ କିଏ ଧରିବେ ଭଣ୍ଡାର ଘରର ଚାବି…
ଭୁବନେଶ୍ୱର,(ସମ୍ବ୍ରିତା ମହାନ୍ତି): “ନା ଖାତା ନା ବହି, ଯୋ କେଶରୀ ବୋଲେ ୱହି ସହି” । ଏ ଥିଲା କଂଗ୍ରେସ ପ୍ରତି ବିରୋଧୀ ଦଳଗୁଡିକର କଟ୍ଟାକ୍ଷ । କାରଣ କଂଗ୍ରେସ ପାଣ୍ଠିର ହିସାବ ବାବଦରେ ବୁକସ୍ ଅଫ ଆକାଉଣ୍ଟ ଅପେକ୍ଷା ତକ୍ରାଳୀନ ଏଆଇସିସି କୋଷାଧ୍ୟକ୍ଷ ସୀତାରାମ କେଶରୀଙ୍କ ଉପରେ କଂଗ୍ରେସ ଦଳ ଭରସା କରୁଥିଲା । ଇନ୍ଦିରା ଗାନ୍ଧିଙ୍କ ଠାରୁ ନରସିଂହ ରାଓ ସମସ୍ତେ କଂଗ୍ରେସ ପାଣ୍ଠି ବାବଦରେ ଚାଚା କେଶରୀଙ୍କ ମୌଖିକ ମତାମତକୁ ଭରସା କରୁଥିଲେ । କେବଳ କଂଗ୍ରେସ ନୁହେଁ, ସବୁ ରାଜନୈତିକ ଦଳରେ ଏପରି ଫଣ୍ଡ ମ୍ୟାନେଜର ଅଛନ୍ତି । ଏଥିରୁ ଆଞ୍ଚଳିକ ଦଳ ବିଜେଡି ମଧ୍ୟ ବାଦ ପଡି ନାହିଁ । ଅବଶ୍ୟ ବିଜୁ ଜନତା ଦଳର ସବୁ କାମ ସରକାରୀ ବାବୁମାନେ ବୁଝୁ ଥିବାରୁ, ଦଳୀୟ ପାଣ୍ଠିର ହିସାବନିକାସ ମଧ୍ୟ ଅଫିସରମାନେ ରଖୁଛନ୍ତି । ବିଜେଡିର ବରିଷ୍ଠ ନେତାଙ୍କ କହିବା କଥା ଯୁଗ୍ମ ସଚିବ ସୁରଞ୍ଜନ ଶତପଥୀଙ୍କ ପରଲୋକ ପରେ ଏବେ ଦଳୀୟ ପାଣ୍ଠିର ଦାୟିତ୍ୱ ନେବେ କିଏ?
ଆରପାରିରେ ସୁରଞ୍ଜନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନ୍ୟତମ ବିଶ୍ୱସ୍ତ ପ୍ରାଶାସନିକ ଅଧିକାରୀ ସୁରଞ୍ଜନ ଶତପଥୀ ଆଉ ନାହାନ୍ତି । ହୃଦ ରୋଗରେ ପୀଡିତ ସୁରଞ୍ଜନ ବାବୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମସଚିବ ସୁରଞ୍ଜନ ଶତପଥୀ ବିଜେଡିର ରାଜନୈତିକ ବ୍ୟାପାର କଥା ବି ବୁଝୁଥିଲେ । ନବୀନ ନିବାସରେ ଯେଉଁ ସ୍ୱତନ୍ତ୍ର ଗୃହ କେବଳ ବିଜେଡି କାର୍ଯ୍ୟକ୍ରମ ପାଇଁ ରହିଛି, ତାହାର ପରିଚାଳନା ଦାୟିତ୍ୱ ମଧ୍ୟ ସୁରଞ୍ଜନଙ୍କ ଥିଲା । କେଉଁଠୁ ପାର୍ଟି ଫଣ୍ଡକୁ ଟଙ୍କା ଆସୁଥାଏ ଏବଂ କାହାକୁ କେତେ ଟଙ୍କା ଦିଆଯାଉଥାଏ, ସେ ସବୁର ହିସାବ ସୁରଞ୍ଜନ ବାବୁ ରଖୁଥିଲେ ବୋଲି କୁହାଯାଉଛି । ଅବଶ୍ୟ ଦଳୀୟ ଚାନ୍ଦା ପରିଚାଳନାରେ ସୁରଞ୍ଜନ ବାବୁଙ୍କୁ ସାହଯ୍ୟ କରୁଥିଲେ ଚିଟଫଣ୍ଡ ଠକେଇରେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା ନବୀନଙ୍କ ସ୍ୱୀକୃତିପା୍ରପ୍ତ ସ୍ୱାକ୍ଷରକାରୀ ସରୋଜ ସାହୁ ।
ଖୋର୍ଦ୍ଧା ଜିଲ୍ଲାର ମୂଳ ବାସିନ୍ଦା ଓଏଏସ ଅଫିସର ସୁରଞ୍ଜନ ବାବୁ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ସେ ଭୁବନେଶ୍ୱର ତଥା ଓଡିଶା ରାଜନୀତିକୁ ଅତି ପାଖରୁ ଦେଖିଥିଲେ । ଯେଉଁଥିପାଇଁ ନବୀନଙ୍କ ବିଶ୍ୱସ୍ତ ପ୍ରାଶାସନିକ ସିପାହୀର ଆଖ୍ୟା ପାଇଥିଲେ । ଯେଉଁଠି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କ୍ଷମତାସଂପନ୍ନ ଅଣ-ଓଡିଆ ପ୍ରାଶାସନିକ ଅଧିକାରୀ କାହାକୁ ପାଖକୁ ପୂରାନ୍ତି ନାହିଁ, ସେଠି ସୁରଞ୍ଜନ ବାବୁ ଏମାନଙ୍କୁ କୋଳାନ୍ତି । ଶୁଣିବାକୁ ମିଳିଛି, ନବୀନଙ୍କ ଦେଖା ପାଉ ନଥିବା ନେତା ସୁରଞ୍ଜନ ବାବୁଙ୍କୁ ଗୁହାରି ଜଣାନ୍ତି । ଏସବୁ ଯୋଗୁ ବିଜେଡିର ଛାୟା ସୁପ୍ରିମୋ ପାଲଟି ଯାଇଥିଲେ ସୁରଞ୍ଜନ । ହେଲେ ତାଙ୍କ ଦେହାନ୍ତ ପରେ ଅଡୁଆରେ ନବୀନ । କାରଣ ସୁରଞ୍ଜନ ବାବୁ ସୁସ୍ଥ ଥିଲେ ନିର୍ବାଚନୀ ପାଣ୍ଠିର ଅନିୟମିତତା ପ୍ରସଙ୍ଗରେ “ଟାଇମ୍ସ ନାଓ”ନବୀନଙ୍କୁ ଟାର୍ଗେଟ କରି ପାରିନଥାନ୍ତା । ଯେଉଁଥିପାଇଁ ଦଳ ନବୀନଙ୍କୁ ବିଜେଡିର କୁହାଳିଆମାନେ ଡିଫେଣ୍ଡ କରି ପାରିଲେ ନାହିଁ । କେବଳ ଭୂଆଁ ବୁଲାଇବା ପାଇଁ ମୁଖପାତ୍ର ପ୍ରତାପ ଦେବ ନବୀନଙ୍କ ଲାଗି ସଫେଇ ଦେବା ବେଳେ ମିଡିଆ ଆଗରେ କ୍ରୋଧାନ୍ୱିତ ହୋଇ ପଡୁଥିଲେ ।
ସୁରଞ୍ଜନ ବାବୁ ଯିବା ପରେ ନବୀନଙ୍କ ମୁହଁରୁ ହସ ଚାଲି ଯାଇଛି । କାରଣ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତିରୁ ଆରମ୍ଭ କରି ଆର୍ଥିକ କାରବାର ସବୁକିଛି କାଳେ ସୁରଞ୍ଜନ ବାବୁ ବୁଝୁଥିଲେ । ଗୋଟାଏ ବାକ୍ୟରେ କହିଲେ, ସୁବାସ ସିଂ ନାମକୁ ମାତ୍ର କୋଷାଧ୍ୟକ୍ଷ ପଦରେ ଅଛନ୍ତି, ହେଲେ ବିଜେଡି ପାଣ୍ଠିର ଅସଲ ପରିଚାଳକ ଥିଲେ କୁଆଡେ ସୁରଞ୍ଜନ ବାବୁ । ଏବେ ଦଳୀୟ ପାଣ୍ଠିର ହିସାବ ଦେଉ ଦେଉ ନାକେଦମ୍ ହେଉଛନ୍ତି ନବୀନଙ୍କ ସିପାହୀ । କାରଣ ୩ ବର୍ଷ ତଳେ ଯେବେ ଚିଟଫଣ୍ଡ ଲିଙ୍କରେ ସରୋଜଙ୍କୁ ସିବିଆଇ ଜେରା କଲା, ପ୍ରଚ୍ଛଦପଟ୍ଟରେ ରହି ହିସାବ ନିକାସର ତଥ୍ୟ ଦେଉଥିଲେ ସୁରଞ୍ଜନ । ହେଲେ ବିଜେଡି ଅଫିସର କୋଟିପତି ପିଅନ ପୂର୍ଣ୍ଣ ପାଢୀଙ୍କ ଉପରେ କଳା ବାଦଲ ଆସିବା ବେଳକୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେହି ପ୍ରାଶାସନିକ ଅଧିକାରୀ ।
ଅଫିସରମାନଙ୍କୁ ଦଳୀୟ ବ୍ୟାପାର ହସ୍ତାନ୍ତର କରି ନବୀନ ଶାନ୍ତିରେ ନିଶ୍ୱାସ ନେଉଥିଲେ! ଏହି କ୍ରମରେ ମାତ୍ର ୫୦ବର୍ଷ ବୟସ୍କ ସୁରଞ୍ଜନଙ୍କ ଅକାଳ ବିୟୋଗ ହେବ, ସେ କଥା କେବେ ପରିକଳ୍ପନା କରି ନଥିଲେ ନବୀନ ବାବୁ । ଯେଉଁଥିପାଇଁ ପ୍ରତି ରାତି ବ୍ୟତିବ୍ୟସ୍ତ ହୋଇ ନବୀନ ନିବାସରେ ଗୁପ୍ତ ବୈଠକ ବସୁଥିବା ସୂଚନା ମିଳିଛି । ସେପଟେ ଖୋର୍ଦ୍ଧା ଜିଲ୍ଲାପାଳ ରୂପା ରୋଶନ ସାହୁଙ୍କୁ ସୁରଂଜନଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି । ରୂପାଙ୍କ ପାଇଁ ଏବେ ବଡ ଚ୍ୟାଲେଞ୍ଜ, ସୁରଞ୍ଜନ ବାବୁ କରିଥିବା ଦଳୀୟ କୁବେର ଭଣ୍ଡାର ଖୋଜି ହିସାବର ଖାତା ବାହାର କରିବା! ନହେଲେ, ଅନ୍ୟ ମହିଳା ଆଇଏଏସ୍ ଅଫିସରଙ୍କ ପରି ହୁଏତ ରୂପାରୋଶନଙ୍କୁ ୨୦୧୯ ନିର୍ବାଚନ ପରେ ବାଧ୍ୟତାମୂଳକ କେନ୍ଦ୍ରୀୟ ଡେପୁଟେସନ୍ରେ ଯିବାକୁ ପଡିବ!

ONA

Leave a Reply

Top