You are here
Home > ଲାଟେଷ୍ଟ > କମଲନାଥଙ୍କ ଚାଲ ଦୋସ୍ତି କି ଖାତିର

କମଲନାଥଙ୍କ ଚାଲ ଦୋସ୍ତି କି ଖାତିର

ଭୁବନେଶ୍ୱର: ଅଲ୍ ଇଜ୍ ନଟ୍ ୱୟଲ୍ ଇନ୍ ଓଡିଶା କଂଗ୍ରେସ । ଗୋଷ୍ଠୀ କନ୍ଦଳ ଭୁଲି ଏକାଠି ହୋଇ କାମ କରିବାର କଳା ଯେମିତି କଂଗ୍ରେସ ନେତାଏ ଶିଖି ନାହାଁନ୍ତି । ନହେଲେ ପିସିସି ସଭାପତିଙ୍କୁ ହଟାଇବାକୁ କଂଗ୍ରେସ ନେତାଏ ଦିଲ୍ଲୀରେ ଡେରା ପକାଇ ନଥାନ୍ତେ । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଘେରିବା ପାଇଁ ନିରଞ୍ଜନ ପଟ୍ଟନାୟକ ଏଥର ଭକ୍ତ ଦାସଙ୍କ କ୍ୟାମ୍ପକୁ ମଧ୍ୟ ସାଙ୍ଗରେ ନେଇଛନ୍ତି । ଭକ୍ତଙ୍କ ଦୃଢ ସମର୍ଥକ ପ୍ରଦୀପ ମାଝିଙ୍କ ସହ ୨ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ଓ ନବ ଦାସଙ୍କୁ ଧରି ନିରଞ୍ଜନ ଦିଲ୍ଲୀ ଦରବାରରେ । ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦରବାରକୁ ଯିବା ଆଗରୁ କମଳନାଥଙ୍କୁ ହାତ କରିଛନ୍ତି ଏହି ଗ୍ୟାଙ୍ଗ ଅଫ ଫୋର୍ । ପୂର୍ବରୁ ଓଡିଶା ଦାୟିତ୍ୱରେ ଥିବା ବରିଷ୍ଠ କଂଗ୍ରେସ ନେତା କମଳନାଥଙ୍କ ସହ ନିରଞ୍ଜନଙ୍କର ସମ୍ପର୍କ ଭଲ । ବିଚକ୍ଷଣ ନିରଞ୍ଜନ କମଲନାଥଙ୍କୁ ଭେଟି ପ୍ରସାଦ ହଟାଅ ଅଭିଯାନର ନିଅଁ ପକାଇ ଦେଇ, ରାହୁଲଙ୍କୁ ଓଡିଶା ବାବଦରେ ଚିନ୍ତା କରିବାକୁ ବାଧ୍ୟ କରି ଦେଇଛନ୍ତି । କମଳନାଥ ମଧ୍ୟ ନିରଞ୍ଜନଙ୍କ ସପକ୍ଷରେ ରାହୁଲଙ୍କ ଆଗରେ ଓକିଲାତି କରିଥିବା ଶୁଣିବାକୁ ମିଳୁଛି । ତେବେ ଓଡିଶା ସଂଗଠନ ବାବଦରେ ଆଲୋଚନା ବେଳେ ରାହୁଲଙ୍କୁ ଇମ୍ପ୍ରେସ କରିବାକୁ ଚେଷ୍ଟା କରିଛନ୍ତି ନବ-ପ୍ରଦୀପ-ଚିରଞ୍ଜିବୀ । କିନ୍ତୁ ଅସଜଡା କଂଗ୍ରେସକୁ ନିରଞ୍ଜନ ସଜାଡି ପାରିବେ ବୋଲି କହିବା ବଦଳରେ ନିଜର ପାରିବା ପଣିଆକୁ ରାହୁଲଙ୍କ ଆଗରେ କହିବାକୁ ପଛାଇ ନାହାଁନ୍ତି ଏହି ତ୍ରିମୁତ୍ତି । ଆଉ ଫୁରସତରେ ଥିବା ରାହୁଲ ଗାନ୍ଧି ମଧ୍ୟ ନିରଞ୍ଜନଙ୍କ ଅନୁପସ୍ଥିତିରେ ଓଡିଶା କଂଗ୍ରେସକୁ ସଜାଡିବା ଲାଗି ବିସ୍ତୃତ ଆଲୋଚନା କରିଥିଲେ । ଓଡିଶା ପର୍ଯ୍ୟବେକ୍ଷକ ଜିତେନ୍ଦ୍ର ସିଂଙ୍କୁ ଡାକି ରାହୁଲ ଆଲୋଚନା କରିଛନ୍ତି । ତେବେ ବର୍ତ୍ତମାନ କୌଣସି ରାଜ୍ୟର ନିର୍ବାଚନ ନଥିବାରୁ ଓଡିଶା କଂଗ୍ରେସକୁ କିପରି ସଜାଡି ହେବ ସେ ନେଇ ରାହୁଲ ପ୍ଲାନ କରିଥିବା ସୂଚନା ମିଳିଛି ।
ତେବେ ଭେଟରାନ୍ ନିରଞ୍ଜନ ଭଲ ଭାବରେ ଜାଣନ୍ତି କମଳନାଥ ହିଁ ଉପଯୁକ୍ତ ବ୍ୟକ୍ତି ଯିଏ ପ୍ରସାଦ ହଟାଅ ଯୋଜନାକୁ ସଫଳ କରିପାରିବେ । କାରଣ ଏଆଇସିସିରେ କମଲନାଥଙ୍କର ଖୁବ୍ ପ୍ରଭାବ ରହିଛି । ଆଉ କମଲନାଥ ମଧ୍ୟ ନିରଞ୍ଜନଙ୍କ ପାଇଁ ଓକିଲାତି କରିବା ଛଳରେ ନିଜର ସ୍କୁଲମେଟ୍ ନବୀନ ପଟ୍ଟନାୟକଙ୍କ ଲାଗି ବାଟ ସୁଗମ କରିବେ । କାରଣ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେଲେ କଂଗ୍ରେସ ଓଡିଶା ନିଶ୍ଚିତ ସୁଦୃଢ ହେବ ଏଥିରେ ସନ୍ଦେହ ନାହିଁ । ଆଉ କଂଗ୍ରେସ ମଜଭୁତ ହେଲେ ବିଜେପିର ଗ୍ରୋଥରେ ବ୍ରେକ୍ ଲାଗିବ । ଆଉ ବିଜେପିକୁ ଚେକମେଟ୍ ଦେଲେ ନବୀନ ପଟ୍ଟନାୟକଙ୍କୁ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାରେ କେହି ଅଟକାଇ ପାରିବେ ନାହିଁ । ତେଣୁ ନିଜ ଡୁନ୍ ସ୍କୁଲ ବନ୍ଧୁ ନବୀନଙ୍କ ପାଇଁ ନିରଞ୍ଜନଙ୍କ ସପକ୍ଷରେ କମଲନାଥ ଓକିଲାତ କରିଥିବା ଶୁଣିବାକୁ ମିଳିଛି । ଏମିତି ତ ରାଜ୍ୟ କଂଗ୍ରେସ ସଭାପତି କିଏ ହେବ ତାହା ନବୀନ ପଟ୍ଟନାୟକ ସ୍ଥିର କରନ୍ତି ବୋଲି ଜୟଦେବ ଯେନା କହି ସାରିଛନ୍ତି । ଯାହା ନିରଞ୍ଜନଙ୍କୁ ମଧ୍ୟ ଭଲ ଭାବରେ ଜଣା । ତେଣୁ ନବୀନଙ୍କୁ ସହଯୋଗ କରିବାକୁ ଯାଇ ପ୍ରସାଦ ହଟାଅ ଅଭିଯାନରେ କମଲନାଥ ସାମିଲି ହେବେ । ତେବେ ନିରଞ୍ଜନ ଜାଣିବା ଉଚିତ ଯେ, ତାଙ୍କ ଲାଗି ଓକିଲାତି କରିବାକୁ ଯାଇଥିବା ନବ କିଶୋର ଦାସଙ୍କୁ ଦେଖିଲେ କମଲନାଥ ବିରକ୍ତ ହୁଅନ୍ତି । ତେବେ ବନ୍ଧୁ ନବୀନଙ୍କ ଲାଗି କମଲନାଥ, ନବଙ୍କ ପରି ଜିଲ୍ଲାସ୍ତରୀୟ ନେତାଙ୍କ ଉପସ୍ଥିତିକୁ ହଜମ କରିପାରନ୍ତି ।

ONA

Leave a Reply

Top