You are here
Home > ଅଧିକ ଖବର > କଭି ଗରମ କଭି ନରମ

କଭି ଗରମ କଭି ନରମ

ବ୍ରାହ୍ମଣୀ ନଦୀ ପାଣି ଯେତିକି ଗୋଳିଆ ତାଠୁ ବେଶୀ ଗୋଳିଆ ରାଉରକେଲା ରାଜନୀତି । ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଆଚରଣ ଦଳୀୟ ରାଜନୀତିକୁ ଗୋଳିଆ କରିଛି । ବ୍ରାହ୍ମଣୀ ନଦୀକୁ ନେଇ ରାଜନୀତି ଚଳାଇଥିବା ବିଧାୟକ ଦିଲ୍ଲୀପଙ୍କୁ ଆକଳନ କରିବା କାଠିକର ପାଠ ବୋଲି ରାଉରକେଲାରୁ ରାଜଧାନୀ ଯାଏ ଚାଲିଛି ଚର୍ଚ୍ଚା….

ଭୁବନେଶ୍ୱର: ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ସବୁବେଳେ ଚର୍ଚ୍ଚାରେ । ବ୍ରାହ୍ମଣୀ ନଦୀକୁ ନେଇ ବିଧାୟକ ଦିଲ୍ଲୀପ ରାୟ ରାଜନୈତିକ ଗୋଟି ଚାଳନା କରୁଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ହେଲା ସେ କେତେବେଳେ ବିଜେପି ନେତାଙ୍କ ପ୍ରତି ନରମ ତ ପୁଣି କେତେବେଳେ ଗରମ ମନଭାବ ଦେଖାଉଛନ୍ତି । ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ଓ ତାଙ୍କ ମଧ୍ୟରେ ତିକ୍ତତା ଖବର ହାଟରେ ପଡି ଦାଣ୍ଡରେ ଗଡୁଛି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ କଥା କହି ଦିଲ୍ଲୀପ କୁଆଡେ କେନ୍ଦ୍ରୀୟ ନେତାଙ୍କୁ ବାରମ୍ବାର ବ୍ଲାକମେଲ କରୁଥିବା ଚର୍ଚ୍ଚା ହେଉଛି । କୁହାଯାଉଛି ଲୋକଙ୍କ ସ୍ୱାର୍ଥ କମ ବରଂ ନିଜର ରାଜନୈତିକ ଉଦ୍ଦେଶ୍ୟ ସାଧନ କରିବାକୁ ଦିଲ୍ଲୀପ କୁଆଡେ ଏପରି ପନ୍ଥା ଆପଣାଉଛନ୍ତି । ଏହି ପ୍ରସଙ୍ଗରେ ଦିଲ୍ଲୀପ ପ୍ରଥମେ କେନ୍ଦ୍ରକୁ ଚିଠି ଲେଖିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତେ୍ୱ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନହେବାରୁ କେନ୍ଦ୍ରୀୟ ନେତାଙ୍କ ଉପରେ ବର୍ଷିଥିଲେ । ହେଲେ ପୁଣି ନରମ ମନୋଭାବ ଦେଖାଇଲେ । ଆଉ ପରବର୍ତ୍ତୀ ସମୟରେ ସେତୁ ପାଇଁ ଟେଣ୍ଡର ନେଇ ଘୋଷଣା କରିଥିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଶୁଭ ଦେଲେ । ଏହା ପରେ ବି ଦିଲ୍ଲୀପ ବିଜେପିକୁ ଭିନ୍ନ ଭିନ୍ନ ସମୟରେ ସମାଲୋଚନା ବନ୍ଦ କରି ନଥିଲେ । ଏହାକୁ ନେଇ ଦିଲ୍ଲୀପ ବିଜେପି ଛାଡୁଛନ୍ତି ବୋଲି ଚର୍ଚ୍ଚା ବି ଜୋର ଧରିଲା । ଆଉ ସେତେବେଳେ ରାଉରକେଲାରେ କେତେକ ଦଳୀୟ କାର୍ଯ୍ୟକ୍ରମ କରି ବିଜେପିର ଗୋଟାପଣେ ବୋଲି ଦେଖାଇବାକୁ ଚେଷ୍ଟା କରିଥିଲେ ଦିଲ୍ଲୀପ । କିଛି ଦିନ ଚୁପ ରହିବା ପରେ ଏବେ ପୁଣି ଥରେ ମୁହଁ ଖୋଲିଛନ୍ତି ବିଧାୟକ ଦିଲ୍ଲୀପ ରାୟ । ବ୍ରାହ୍ମଣୀ ଗୋଟିକୁ ଆଉ ପାଦେ ଆଗକୁ ଗଡାଇଛନ୍ତି । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କୁ ଦିଲ୍ଲୀପ ଟାର୍ଗେଟ୍ କରିଛନ୍ତି । ସବୁଠୁ ବଡ କଥା ହେଲା ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି ଦିଲ୍ଲୀପ । ମୋଦିଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ‘ସବ୍କା ସାଥ୍ ସବ୍କା ବିକାଶ’ ଏବେ ‘ମଜାକ୍’ ପାଲଟିଯାଇଛି । ଏହା ସହିତ କାର୍ଯ୍ୟରେ ବିଳମ୍ବ ପାଇଁ ସେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କୁ କଡ଼ା ଭାଷାରେ ଚିଠି ଲେଖି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମୃତ୍ତିକା ପରୀକ୍ଷଣ ନାଁରେ ସେତୁ ନିର୍ମାଣ କାର୍ଯ୍ୟରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଥିବା ଚିଠିରେ ଲେଖିଛନ୍ତି ଦିଲ୍ଲୀପ । ଏହି ପ୍ରସଂଗରେ ନିଜେ କୁଆଡେ ପଛରେ ରହି କେନ୍ଦ୍ରୀୟ ନେତାଙ୍କ ବିରୋଧରେ ରାଉରକେଲା ଜାଗରଣ ମଞ୍ଚକୁ ରାସ୍ତାକୁ ପଠାଇ ଦେଇଛନ୍ତି ବୋଲି ଚର୍ଚ୍ଚା ।
ବିଜେପିରୁ ବିଧାୟକ ଥାଇ ଦିଲ୍ଲୀପଙ୍କ ଏପରି କଡା ଆଭିମୁଖ୍ୟ ଓ ଖୋଲିଖୋଲିି ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବା ଓ ତାଙ୍କ ବିରୋଧରେ ଜନମତ ସୃଷ୍ଟି କରିବା କଥା କୁଆଡେ କେନ୍ଦ୍ରୀୟ ନେତାଙ୍କ ପାଖରେ ପହଁଚିଛି । କେନ୍ଦ୍ରୀୟ ନେତା ବି ଏନେଇ ଅସନ୍ତୋଷ ଥିବା ଜାଣିବା ପରେ ଦିଲ୍ଲୀପ କୁଆଡେ ନିଜ ଆଭିମୁଖ୍ୟ ବଦଳାଇ ବିଜେପିର ବୋଲି ଦେଖେଇ ହେବାକୁ ଚେଷ୍ଟା କରିଛନ୍ତି ବୋଲି ଆଲୋଚନା ହେଉଛି । ସେଥିଲାଗି ଦିଲ୍ଲୀପ ରାୟ ରାଉରକେଲାରେ ତରବରିଆ ଭାବେ ପ୍ରଧାନ ମନ୍ତ୍ରୀଙ୍କ ପ୍ରିୟ ସ୍ୱଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଆଉ ଏଥିରେ ବି କାଳେ ସେ ଲୋକହସା ହୋଇଛନ୍ତି । ଝାଡୁ ଧରି ଯେଉଁ ରାସ୍ତା ସଫା କରିବାକୁ ଯାଇଥିଲେ ସେଠାରେ କାଳେ ଅଳିଆ ନଥିଲା, ସେଥିଲାଗି ଅଳିଆ ପକାଇ ପୁଣି ଝାଡୁରେ ବିଧାୟକ ସଫା କରି ଲୋକହସା ହୋଇଥିବା କୁହାଯାଉଛି ।
ଦିଲ୍ଲୀପ ବାରମ୍ବାର ବିଜେପିର ବଡ ବଡ କାର୍ଯ୍ୟକ୍ରମରେ ଯୋଗ ନ ଦେବାରୁ ଦଳୀୟ ନେତା ଗୋଟାଏ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ନବୀନଙ୍କୁ ଖୁସି କରିବା ଯୋଜନାରେ ଅଛନ୍ତି ଏହି ବିଜନେସ ଟାଇକୁନ୍ । ଦିଲ୍ଲୀପ ବି ବିଜେଡିର ଥିଲେ ଜଣେ ପ୍ରତିଷ୍ଠାତା ସଦସ୍ୟ । ସେପଟେ ନିଜକୁ ସବୁ ସମୟରେ ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଦାୟାଦ ବୋଲି କହନ୍ତି ଦିଲ୍ଲୀପ । ଆଉ ଏବେ ନବୀନ ଧୀରେ ଧୀରେ ପତିଆରା ଶୂନ୍ୟ ହେବାକୁ ଲାଗିଲେଣି । ତାଙ୍କ ପରେ ବିଜେଡିର ଗତି ବି ଅସ୍ପଷ୍ଟ । ଏପରି ସ୍ଥିତିରେ ବିଜୁଙ୍କ ନାଁରେ ଚାଲିଥିବା ବିଜେଡିର ଉତ୍ତରାଧିକାରୀ ହେବା ପାଇଁ ନିଜକୁ ହୁଏତ ଦିଲ୍ଲୀପ ଯୋଗ୍ୟ ଭାବି ଥାଇପାରନ୍ତି । କାରଣ ଲୋକବଳ କି ଅର୍ଥ ବଳର ଅଭାବ ନାହିଁ ଦିଲ୍ଲୀପଙ୍କ ପାଖରେ । ହେଲେ ସେ ଅପେକ୍ଷା କରିଛନ୍ତି କେବେ ବିଜେପି ତାଙ୍କୁ ବିଦା କରିବ! ସେଥିଲାଗି ସେ ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଟାଗେର୍ଟ କରୁଥିବା କୁହାଯାଉଛି । ସେପଟେ ବେଶୀ କହିଦେଲେ କାଳେ କିଛି ଅଡୁଆ ହେବ ସେଥିଲାଗି ପୁଣି ସେ ବିଜେପିର ଗୋଟାପଣେ ବୋଲି କାଳେ ଦେଖେଇ ହେବାକୁ ଚେଷ୍ଟା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଦିଲ୍ଲୀପଙ୍କ ବେକରେ ବି ଝୁଲୁଛି କୋଇଲା ଦୁର୍ନୀତିର ସିବିଆଇର ଖଣ୍ଡା । ସେ ଭଲ ଭାବେ ଜାଣନ୍ତି ଯେ ମୋଦି ଓ ଅମିତ ଶାହା ଯେପରି ବିଚକ୍ଷଣ ରାଜନୈତିଜ୍ଞ, ଯେ କୌଣସି ମୁହୂର୍ତ୍ତରେ ତାଙ୍କ ପଛରେ ସିବିଆଇକୁ ଲଗାଇପାରନ୍ତି । ତେଣୁ ସବୁକିଛି ମାପିଚୁପି କାମ କରୁଛନ୍ତି ଦିଲ୍ଲୀପ । ଆଉ ବ୍ରାହ୍ଣଣୀ ସେତୁକୁ ଗୋଟି କରି ବ୍ରାହ୍ଣଣୀ ନଦୀ ପାଣି ପରି ରାଜନୀତିକୁ ଗୋଳିଆ କରି ଚାଲିଛନ୍ତି ବୋଲି କୁହାଯାଉଛି ।

ONA

Leave a Reply

Top