You are here
Home > ଏଣ୍ଟରଟେନମେଣ୍ଟ > କଣ୍ଠକୁ କରନ୍ତୁ ସୁମଧୁର

କଣ୍ଠକୁ କରନ୍ତୁ ସୁମଧୁର

ମଧୁର କଣ୍ଟ ବିଧାତାଙ୍କର ଉପହାର ଅଟେ । ସୁମଧୁର କଣ୍ଠ ଆକର୍ଷଣୀୟ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ । ମଧୁର କଣ୍ଠର ଆକର୍ଷଣ ସୁନ୍ଦରତାର ଆକର୍ଷଣଠାରୁ ମଧ୍ୟ ଅଧିକ ଅଟେ । ସୁମଧୁର ସ୍ୱର ଯେକୌଣସି ବ୍ୟକ୍ତିଙ୍କୁ ସୁନ୍ଦର କରିଦିଏ । ତେବେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଅବହେଳା ଯୋଗୁଁ ସୁନ୍ଦର କଣ୍ଠକୁ ନଷ୍ଟ କରିବା ସହ କଣ୍ଠ ଜନିତ ବିଭିନ୍ନ ସମସ୍ୟାକୁ ଡାକି ଆଣନ୍ତି । ନିଜ କଣ୍ଠକୁ ସୁମଧୁର କରିବା ପାଇଁ ଏମିତି କିଛି ଘରୋଇ ଉପଚାର ଅଛି ଯାହାଦ୍ୱାରା ଆପଣ ମଧୁର କଣ୍ଠ ପାଇବା ସହ ନିଜର ବ୍ୟକ୍ତିତ୍ୱକୁ ମଧ୍ୟ ବଢାଇ ପାରିବେ…
♦  ପ୍ରତିଦିନ ସକାଳେ ଦାନ୍ତ ବ୍ରଷ କରିବା ପରେ ଅଳ୍ପ ଉଷୁମ ପାଣିରେ ଗାର୍ଗଲ କରନ୍ତୁ । ଏହାଦ୍ୱାରା କଣ୍ଠ ସଫା ହୋଇଥାଏ ।
♦  ଥଣ୍ଡା କାଶ ହୋଇଥିଲେ ଅଳ୍ପ ଉଷୁମ ପାଣିରେ ଅଲ୍ପ ଲୁଣ ପକାଇ ଗାର୍ଗଲ କରିପାରିବେ । ଏହାସହ ଉଷୁମ ପାଣିରେ ଅଳ୍ପ ପରିମାଣର ହଳଦୀ ପକାଇ ବ୍ୟବହାର କଲେ ମଧ୍ୟ ଉପଶମ ମିଳିବ ।
♦  ଶୁଷ୍କତା କଣ୍ଠକୁ କର୍କସ କରିଥାଏ । ତେଣୁ ପ୍ରତିଦିନ ଯଥା ସମ୍ଭବ ପାଣି ପିଅନ୍ତୁ । ଅତି କମରେ ୮-୧୦ ଗ୍ଲାସ ପାଣି ପିଅନ୍ତୁ । କଣ୍ଠକୁ କେବେ ଶୁକିଲା ରହିବାକୁ ଦିଅନ୍ତୁ ନାହିଁ ।
♦  ସବୁବେଳେ ଅଯଥା ଗପନ୍ତୁ ନାହିଁ । ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବିନା କାରଣରେ ଅଧିକ କଥା କହିଥାନ୍ତି । ତେଣୁ ବେଶୀ କଥା ନହୋଇ ଯେତିକି ଆବଶ୍ୟକ ସେତିକି କଥା ହୁଅନ୍ତୁ । ଯଥାସମ୍ଭବ ନିଜ କଣ୍ଠକୁ ଆରାମ ଦିଅନ୍ତୁ । ଅଧିକ ଚିଲାଇ ଚିଲାଇ ମଧ୍ୟ କଥା କୁହନ୍ତୁ ନାହିଁ । ଏହାଦ୍ୱାରା କଣ୍ଠ ଉପରେ କୁପ୍ରଭାବ ପଡିଥାଏ ।
♦  କଣ୍ଠକୁ ମଧୁର କରିବାରେ ଲବଙ୍ଗ ଏକ ଘରୋଇ ଔଷଧ ଅଟେ । ଖାଇବା ପରେ ନିୟମିତ ୧-୨ଟା ଲବଙ୍ଗ ଖାଇବା ଦ୍ୱାରା କଣ୍ଠ ସଫା ଏବଂ ମଧୁର ହୋଇଥାଏ ।
♦  ମଧୁର ସ୍ୱର ପାଇଁ ଅଳେଇଚ ମଧ୍ୟ ବେଶ ଉପକାରୀ । ଅଳେଇଚ, ଶୁଦ୍ଧ କସ୍ତୁରୀ ଓ ଲବଙ୍ଗୁ ସମାନ ମାତ୍ରାରେ ନେଇ ତାକୁ ଗୁଣ୍ଡ କରନ୍ତୁ । ଏହି ଗୁଣ୍ଡକୁ ଦିନକୁ ୩ଥର ମହୁରେ ମିଶାଇ ଖାଆନ୍ତୁ । ନିୟମତି ଏହାର ସେବନ ଦ୍ୱାରା କଣ୍ଠ ମଧୁର ହୋଇଥାଏ ।
♦  ଯଦି ଗଳା ବସିଯାଇଛି, କଣ୍ଠ ଖସଖସ ହେଉଛି ତେବେ ଗୁଣ୍ଡ ମିଶ୍ରିକୁ ପାଟିରେ ରଖି ଚୁଷନ୍ତୁ । ଏହାଦ୍ୱାରା ଆପଣଙ୍କ ବନ୍ଦ କଣ୍ଠ ତୁରନ୍ତ ଖୋଲିଯିବା ସହ ଗଳା ସଫା ହୋଇଯିବ ।
♦  କଣ୍ଠକୁ ସୁମଧୁର କରିବା ପାଇଁ ଗୋଲମରିଚ ଅତ୍ୟନ୍ତ ଉପଯୋଗୀ । ଖାଇ ସାରିବା ପରେ ଗୋଲମରିଚ ଗୁଣ୍ଡ ଓ ଚିନ ଘିଅରେ ମିଶାଇ ଚାଟନ୍ତୁ । ଏହାଦ୍ୱାରା ଲାଭ ମିଳେ । ଚିନି ବଦଳରେ ଆପଣ ମିଶ୍ରି ମଧ୍ୟ ବ୍ୟବହାର କରିପାରିବେ ।
♦  ଅଦା ଖଣ୍ଡ ନେଇ ତାର ଚୋପା ଛଡାଇ ଦିଅନ୍ତୁ । ଏହାପରେ ତାକୁ କିଛି ହେଙ୍ଗୁ ଏବଂ କଳା ଲୁଣ ସହିତ ଗରମ କରନ୍ତୁ । ଶୁଖିଲା ପରେ ତାକୁ ଗୁଣ୍ଡ କରି ରଖି ଦିଅନ୍ତୁ । ପ୍ରତିଦିନ ଖାଇ ସାରିବା ପରେ ଏହାକୁ ଖାଇଲେ କଫ, ଥଣ୍ଡା ପୁରା ଭଲ ହୋଇଥାଏ । କଣ୍ଠ ମଧ୍ୟ ସଫା ହୋଇଥାଏ ।
♦  କାଜୁ, କିସମିସ, ଆଲମଣ୍ଡ ଖାଇବା ଦ୍ୱାରା ମଧ୍ୟ କଣ୍ଠ ଭଲ ରହେ । ତେଣୁ ପ୍ରତିଦିନ ସକାଳେ ଏହାକୁ ଖାଇବା ଅଭ୍ୟାସ କରନ୍ତୁ ।
♦  ସବୁ ସମୟରେ ଅଧିକ ଖଟା ଓ ରାଗ ଖାଇବାରୁ ନିଜକୁ ଦୂରେଇ ରଖନ୍ତୁୁ । ଅଧିକ ଖଟା ଓ ରାଗ ଖାଇବା ଦ୍ୱାରା କଣ୍ଠ ଉପରେ ପ୍ରଭାବ ପଡିଥାଏ । କେତେକ ସମୟରେ କଣ୍ଠ କର୍କସ ମଧ୍ୟ ଶୁଭିଥାଏ ।
♦  ପ୍ରତିଦିନ ଖାଇବାରେ ବିଭିନ୍ନ ପ୍ରକାର ତାଜା ପନିପରିବା, ଫଳମୂଳ ଖାଆନ୍ତୁ । ପାନୀୟ ଜାତୀୟ ଫଳ ବେଶ ଭଲ ।
♦  କୌଣସି ପ୍ରକାର ଇନଫେକସନ ହୋଇଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଆନ୍ତୁ ।
ଏପରି କରିବା ଦ୍ୱାରା ଆପଣ ଏକ ସୁମଧୁର କଣ୍ଠର ଅଧିକାରୀ ହେବା ସହ ନିଜ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିବେ । ସୁମଧୁର କଣ୍ଟ ଯେ, କେବଳ ଆପଣଙ୍କ ବ୍ୟକ୍ତିତ୍ୱର ପରିଚୟ ଦିଏ, ତାନୁହେଁ ଏହା ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମଧ୍ୟ କରାଇଥାଏ । ଟିଭିରେ ନ୍୍ୟୁଜ ପଢିବା, ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥାପନା, ବିଭିନ୍ନ କାର୍ଯ୍ୟକ୍ରମରେ କଣ୍ଠଦାନ କରିବା ପାଇଁ ସୁମଧୁର କଣ୍ଠର ଆବଶ୍ୟକତା ରହିଛି । ତେଣୁ କଣ୍ଠକୁ ସୁମଧୁର କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ।

ONA

Leave a Reply

Top