You are here
Home > ଅଧିକ ଖବର > କଟକ : ଦୁଷ୍କର୍ମ ଶିକାର ସପ୍ତମ ଶ୍ରେଣୀ ନାବାଳିକା ଢେଙ୍କାନାଳରେ ସନ୍ତାନ ପ୍ରସବ

କଟକ : ଦୁଷ୍କର୍ମ ଶିକାର ସପ୍ତମ ଶ୍ରେଣୀ ନାବାଳିକା ଢେଙ୍କାନାଳରେ ସନ୍ତାନ ପ୍ରସବ

କଟକ : ସପ୍ତମ ଶ୍ରେଣୀରେ ପଢୁଥିବା ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକା ସନ୍ତାନ ପ୍ରସବ କରିଛି। ଏହି ନାବାଳିକା ଜଣକ ଗତକାଲି ଢେଙ୍କାନାଳରେ ଏକ କନ୍ୟା ସନ୍ତାନ ପ୍ରସବ କରିବା ପରେ ତାକୁ ଗୁରୁତର ଅବସ୍ଥାରେ କଟକ ବଡମେଡିକାଲ୍‌କୁ ଅଣାଯାଇଥିଲା। କିନ୍ତୁ ମେଡିକାଲ୍‌ କର୍ତ୍ତୃପକ୍ଷ ଉଭୟ ମା’ ଓ ଶିଶୁକନ୍ୟାଙ୍କୁ ଶିଶୁଭବନକୁ ପଠାଇଦେଇଥିଲେ। କିନ୍ତୁ ଶିଶୁ ଭବନରେ ଶିଶୁକୁ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିବା ବେଳେ ନାବାଳିକା ମା’ ବାରଣ୍ଡାରେ ସାରା ରାତି ଯନ୍ତ୍ରଣାରେ ଛଟ୍‌ପଟ୍‌ ହୋଇଥିଲା । ଆଜି ଦିନ ୧ଟା ପାଖାପାଖି ସମୟରେ ନାବାଳିକା ମା’କୁ କଟକର ବଡ ମେଡିକାଲ୍‌ ନିଆଯାଇ ଗାଇନିକ୍‌ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିବା ବେଳେ ଶିଶୁଟି ଶିଶୁ ଭବନରେ ଚିକିତ୍ସିତ ହେଉଛି। ନାବାଳିକାର ଜଣେ ସାଙ୍ଗର ବାପା ତା’ ସହିତ ଏଭଳି ଦୁଷ୍କର୍ମ କରିଥିବା ଜଣା ପଡିଛି।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଗଁଁଦିଆ ଥାନା ଅନ୍ତର୍ଗତ ଏକ ସେବାଶ୍ରମରେ ଏହି ନାବାଳିକା ସପ୍ତମ ଶ୍ରେଣୀରେ ପଢୁଥିଲା। ଅଭିଯୋଗ ଅନୁଯାୟୀ ନାବାଳିକାର ଘର ପାଖରେ ରହୁଥିବା ତା’ର ଜଣେ ସାଙ୍ଗର ବାପା (ଖଗେଶ୍ୱର ମଲ୍ଲିକ) ଗଲା ପ୍ରାୟ ଏକ ବର୍ଷ ହେବ ତା’ ସହିତ ଦୁଷ୍କର୍ମ କରି ଆସୁଥିଲା। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଗର୍ଭବତୀ ହୋଇଥିଲେ ସୁଦ୍ଧା ପରିବାର ଲୋକଙ୍କୁ ଭୟରେ କିଛି କହିନଥିଲା। ଗଲା ୬ ତାରିଖରେ ସେ ଯନ୍ତ୍ରଣା ଅନୁଭବ କରିଥିଲା। ତାକୁ ଗତକାଲି ଢେଙ୍କାନାଳ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁକନ୍ୟା ଜନ୍ମ ଦେବା ପରେ ଘଟଣା ସଂପର୍କରେ ଗଁଦିଆ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ରାତି ପ୍ରାୟ ୮ଟା ବେଳେ ଉଭୟ ମା’ ଏବଂ ଝିଅକୁ ଗୁରୁତର ଅବସ୍ଥାରେ ପ୍ରଥମେ କଟକ ବଡମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ଶିଶୁଭବନ ପଠାଇଦେଇଥିଲେ। ଗତକାଲି ରାତିରେ ଝିଅକୁ ଶିଶୁଭବନର ନ୍ୟୁବର୍ଣ୍ଣ ଆଇସିୟୁର ବେଡ୍‌ ନମ୍ବର ୨୪୦ରେ ଭର୍ତ୍ତି କରାଯାଇଥିଲା। ମାତ୍ର ମା’ ହସ୍‌ପିଟାଲ୍‌ ବାରଣ୍ଡାରେ ଛଟପଟ ହେଉଥିଲେ ମଧ୍ୟ କାହାର ବି ସାମାନ୍ୟତମ ଦରଦ ନଥିଲା । ଆଜି ଦିନ ପ୍ରାୟ ଗୋଟାଏ ବେଳେ ମା’କୁ ବଡମେଡିକାଲ୍‌ର ଗାଇନିଂ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଗଁନ୍ଦିଆ ଥାନା ଅଧିକାରୀ ହାଡିବନ୍ଧୁ ସ୍ୱାଇଁଙ୍କ କହିବା ଅନୁଯାୟୀ, ଖଗେଶ୍ୱର ଏଭଳି ଘଟଣାରେ ସମ୍ପୃକ୍ତ ଥିବାରୁ ତାକୁ ଗିରଫ କରାଯାଇଛି । ଅନ୍ୟପଟେ ମା’ ଓ ଝିଅଙ୍କୁ ଗତକାଲି ଏସ୍‌ସିବି ମେଡିକାକୁ ପଠାଯାଇଥିଲେ ସୁଦ୍ଧା ଡାକ୍ତର ଉଭୟଙ୍କୁ ଫେରାଇଦେଇଥିଲେ। ନାବାଳିକା ଜଣକ ବାନ୍ତି କରିବା ସହିତ ଚାଲିପାରୁନଥିବା ସତ୍ତ୍ୱେ ତାଙ୍କୁ ଶିଶୁଭବନ ପଠାଇବା ଘଟଣା ନିହାତି ଦୁଖଃଦାୟକ ବୋଲି ଥାନା ଅଧିକାରୀ କହିଛନ୍ତି ।

ଏ ସମ୍ପର୍କରେ ଖବର ପାଇ ସିଡବ୍ଲୁସିର ସଦସ୍ୟ ପ୍ରଦୀପ ପଟ୍ଟନାୟକ ଶିଶୁଭବନରେ ପହଞ୍ଚି ଦୁଇ ଆଟେଣ୍ଡାଣ୍ଟଙ୍କୁ ନବଜାତ ଶିଶୁ କନ୍ୟାର ରକ୍ଷଣାବେକ୍ଷଣ ଦାୟିତ୍ୱ ଦେଇଛନ୍ତି । ସିଡବ୍ଲୁସି ପକ୍ଷରୁ ଚେୟାରମ୍ୟାନ ବିକାଶ ମହାପାତ୍ରଙ୍କ ନିର୍ଦ୍ଦେଶରେ ଉଭୟ ଶିଶୁଭବନ ଏବଂ କଟକ ବଡମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ମା’ ଓ ଝିଅଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଚିଠି ଲେଖାଯାଇଛି। ଶିଶୁଭବନର ପ୍ରଶାସନିକ ଅଧିକାରୀ ଲିଙ୍ଗରାଜ ବେହେରାଙ୍କ କହିବା ଅନୁଯାୟୀ, ଏସ୍‌ସିବିରେ ଉଭୟ ମା’ ଓ ଝିଅକୁ ଶିଶୁଭବନ ବିଳମ୍ବିତ ରାତିରେ ପଠାଇବା ଆବଶ୍ୟକ ନଥିଲା । ଏଠି ମା’ର ଚିକିତ୍ସା କରିବା ପାଇଁ ବ୍ୟବସ୍ଥା ନଥିବାରୁ ଆଜି ତାକୁ ପୁଣି ଏସ୍‌ସିବିକୁ ପଠାଇ ଦିଆଯାଇଥିବା ଶ୍ରୀ ବେହେରା କହିଛନ୍ତି । ଅନ୍ୟପଟେ ଏସ୍‌ସିବିର ଜରୁରୀକାଳିନ ଅଧିକାରୀ ଭୁବନାନନ୍ଦ ମହାରଣା କହିବା ଅନୁଯାୟୀ କେଉଁ ପରିସ୍ଥିତିରେ ଉଭୟଙ୍କୁ ଶିଶୁଭବନ ସ୍ଥାନାନ୍ତର କରାଗଲା, ସେ ନେଇ ଅନୁଧ୍ୟାନ କରିବା ପରେ ଜଣାପଡିବ ।

ONA

Leave a Reply

Top