You are here
Home > ଅଧିକ ଖବର > କଂଗ୍ରେସ୍ ରାଲିରେ ବିଜେଡି କର୍ମୀ

କଂଗ୍ରେସ୍ ରାଲିରେ ବିଜେଡି କର୍ମୀ

ଭୁବନେଶ୍ୱର,(ସମ୍ବ୍ରିତା ମହାନ୍ତି): ନଭେମ୍ବର ୮, ୨୦୧୭ । ୧୮ଟି ବିରୋଧୀ ଦଳ ଦେଶବ୍ୟାପୀ ପାଳିଲେ କଳା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାକରଣକୁ ବଫଳ ଅଭିଯୋଗ କରି ଏହାର ବର୍ଷ ପୂର୍ତ୍ତିକୁ କଳା ଦିବସ ଭାବେ ବିରୋଧ କରାଗଲା । କଂଗ୍ରେସ ଧରିଲା ଏହାର ମଙ୍ଗ । ଓଡିଶାରେ ବିଜେଡି ବିମୁଦ୍ରାକରଣକୁ ବିଫଳ କହିଲା ସତ, ହେଲେ କଳା ଦିବସ ପାଳିବାରେ ସାମିଲ ହେଲା ନାହିଁ । ତେବେ ପ୍ରକୃତ କଥା ଭିନ୍ନ । ଭୁବନେଶ୍ୱରରେ କଂଗ୍ରେସର ହୋଇଥିବା କଳା ଦିବସ ରାଲି ପଛରେ ବିଜେଡିର ପରୋକ୍ଷ ସମର୍ଥନ ମିଳିଥିବା ଖବର ମିଳିଛି । କାରଣ କଂଗ୍ରେସ ଭବନରୁ ରିଜର୍ଭ ବ୍ୟାଙ୍କ ଛକ ଯାଏ କଂଗ୍ରେସର ର୍ୟାଲିରେ ସାମିଲ ଥିଲେ ହଜାର ହଜାର ଲୋକ । ଦଳୀୟ କନ୍ଦଳରେ ଉବୁଟୁବୁ କଂଗ୍ରେସ ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ର୍ୟାଲିରେ ଯେ ଏତେ ସଂଖ୍ୟାରେ ଲୋକ ଆସିବେ ତାହା କେହି କେବେ ଆକଳନ କରି ନଥିଲେ । ଶୁଣିବାକୁ ମିଳିଛି, ର୍ୟାଲିରେ ସାମିଲ ଥିବା କର୍ମୀ ମୁଖ୍ୟତଃ ବସ୍ତିବାସିନ୍ଦା । ଯେଉଁମାନେ ବିଜେଡି ର୍ୟାଲିର ସ୍ଥାୟୀ ସଦସ୍ୟ ଭାବେ ବେଶ ଜଣାଶୁଣା ।
ଭୁବନେଶ୍ୱର ମେୟର ଅନନ୍ତନାରାୟଣ ଜେନା ଓ ମଧ୍ୟ ଭୁବନେଶ୍ୱର ବିଧାୟକ ବିଜୟ କୁମାର ମହାନ୍ତିଙ୍କର ରାଜଧାନୀର ବସ୍ତି ଗୁଡିକରେ ରହିଛି ଢେର ପ୍ରଭାବ । ଏମାନଙ୍କ ଗୋଟାଏ ଡାକରାରେ ଯେକୌଣସି ମୁହୂର୍ତ୍ତରେ ଶହ ଶହ ବସ୍ତିବାସିନ୍ଦା ର୍ୟାଲି ପାଇଁ ଏକାଠି ହୁଅନ୍ତି । ବିଜୟ କି ଅନନ୍ତ ଯଦି ମନା କରିବେ, ସେମାନେ ଘରୁ ବାହାରନ୍ତି ନାହିଁ । ଏପରି ସ୍ଥିତିରେ ଭୁବନେଶ୍ୱରରେ କର୍ପୋରେଟର ନଥିବା କଂଗ୍ରେସ ଏତେ କର୍ମୀ ଆଣିଲା କେଉଁଠୁ? ଏ ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କଲା । ବିଜେପିର ଅଭିଯୋଗ, ଏ ସବୁ କର୍ମୀଙ୍କୁ କଂଗ୍ରେସ ର୍ୟାଲିରେ ଯୋଗ ଦେବାକୁ ବିଜେଡି କର୍ପୋରେଟରମାନେ ହିଁ କହିଛନ୍ତି । କାରଣ ବିଜେଡି ମୋଦିଙ୍କ ଏହି ବିମୁଦ୍ରିରଣକୁ ବିରୋଧ କରୁଛି । ହେଲେ ଏହା ବିରୋଧରେ ଖୋଲା ଖୋଲି ଭାବେ ଆନ୍ଦୋଳନକୁ ଓହ୍ଲାଇବାକୁ ଡରୁଛି । ଦଳ ମୁଖିଆଙ୍କ ଠୁ ଆରମ୍ଭ କରି ବିଭିନ୍ନ ନେତାଙ୍କ ମୁଣ୍ଡରେ ରହିଛି ସିବିଆଇର ଖଣ୍ଡା । ହେଲେ ବିଜେପି ବିରୋଧରେ ପୁଞ୍ଜିଭୁତ ଅସନ୍ତୋଷର ପ୍ରତିଶୋଧ ନେବା ପାଇଁ ଶଙ୍ଖୁଆ କୁଆଡେ କଂଗ୍ରେସକୁ ବଳ ଦେଇଛନ୍ତି ।
କଂଗ୍ରେସ ଭବନ ଦିନକୁ ଦିନ ଖାଲି ଖାଲି ଲାଗୁଛି । କାଁ ଭାଁ ଲୋକେ ଏଠାକୁ ଆସୁଛନ୍ତି । ସମସ୍ତେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ କାର୍ଯ୍ୟଶୈଳୀରେ ଅସନ୍ତୋଷ ହୋଇ ଦଳ ଛାଡୁଥିବା ଚର୍ଚ୍ଚା ହେଉଛି । ପ୍ରସାଦଙ୍କ ସହ ଅନେକ ନେତାଙ୍କ ପଟୁନି । ବିଧାୟକମାନେ ତ ଖୋଲାଖୋଲି ଭାବେ ତାଙ୍କୁ ବିରୋଧ କରୁଛନ୍ତି । ଅନେକ ବରିଷ୍ଠ ନେତା ଦଳରେ ଥାଇ ବି କଂଗ୍ରେସ ଭବନ ମାଡୁ ନାହାନ୍ତି । ଏପରି ସ୍ଥିତିରେ କିଏ କାହିଁକି ଭାବିବ ଯେ ପ୍ରସାଦଙ୍କ ନେତୃତ୍ୱରେ କଂଗ୍ରେସର କଳା ଦିବସ ର୍ୟାଲିରେ ହଜାରରୁ ଅଧିକ କର୍ମୀ ସାମିଲ ହେବେ । ଯେଉଁଥି ପାଇଁ ସାଢେ ତିନି ଘଣ୍ଟା ଲାଗି ଭୁବନେଶ୍ୱରର ସବୁ ମୁଖ୍ୟ ରାସ୍ତା ସିଲ୍ ହୋଇଗଲା । ଏତେ କର୍ମୀ ଆସିଲେ କେଉଁଠୁ? ଖବର ଆସିଲା ବିଜେଡି ଶିବିରରୁ । ର୍ୟାଲିି ପୂର୍ବ ରାତିରେ କିଛି କଂଗ୍ରେସ ନେତା ଲୋକ ଯୋଗାଡ କରିବାକୁ ବସ୍ତି ବୁଲି ବୁଲି ଯେଉଁ ଲୋକ ମାନଙ୍କୁ ଏକଜୁଟ କରିବାକୁ ଟଙ୍କା ବାଣ୍ଟିଲେ, ସେମାନେ ଯିବା ପୂର୍ବରୁ ପ୍ରଥମେ ବିଜେଡି କର୍ପୋରେଟରମାନଙ୍କୁ ପଚାରିଥିଲେ । କୁଆଡେ କର୍ପୋରେଟରମାନେ ନିଜ ମୁଖିଆଙ୍କୁ ପଚାରିଥିଲେ,ଆଉ ମୁଖିଆ ବି ବିଜେଡିର ପାୱାର କରିଡରକୁ ପଚାରିବାରୁ କଂଗ୍ରେସ ର୍ୟାଲିରେ ବସ୍ତି ଲୋକଙ୍କୁ ପଠାଇବା ପାଇଁ ସବୁଜ ସଙ୍କେତ ଦେଇଥିବା ଆଲୋଚନା ହେଉଛି ।
ସେପଟେ ବିଜେଡି ମାଗଣାରେ ଏହି ଡିଲିଂ କରିନି । ଡିଲ୍ ଥିଲା କିଛି ଏପରି । କଂଗ୍ରେସ ଭବନରୁ ଯେଉଁ ର୍ୟାଲିି ଲୋୟର ପିଏମଜି ଦେଇ ରିଜର୍ଭ ବ୍ୟାଙ୍କ ଯାଇଥାନ୍ତା, ତାହା ବିପରିତ ଦିଗରେ ଯିବ । ଅର୍ଥାତ୍ କଂଗ୍ରେସ ଭବନରୁ ମାଷ୍ଟର କ୍ୟାଂଟିନ୍ ଛକ ଦେଇ ବିଜେପି ଅଫିସ ସାମ୍ନା ଦେଇ ଯିବ । ଲୋୟର ପିଏମଜିର ଏକ କିଲୋମିଟର ରାସ୍ତା ଛାଡି ପାଞ୍ଚ କିଲୋମିଟର ବାଟ ଦେଇ ଯିବାର ଅର୍ଥ ଥିଲା ବିଜେପି ଅଫିିସ୍ ଆଗରେ କଟାକ୍ଷ କରିବେ । ର୍ୟାଲିରେ କର୍ମୀଙ୍କ ଶଦ୍ଦ ବି ବିଜେପି ଅଫିସ୍ ଆଗରେ ଜୋର ଧରିଲା । ଆଇନଶୃଂଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜେପି ଅଫିସ ବାହାରେ କଡା ପୋଲିସ ପହରା ଥିଲା । କଂଗ୍ରେସର ଏହି ର୍ୟାଲିକୁ ସେପଟେ ବିଜେପି ଗେଟ୍ ବାହାରେ ଠିଆ ହୋଇଥିବା ବିଜେପି ନେତା ଦିଲ୍ଲୀପ ମହାନ୍ତି ଓ ମେୟରଙ୍କ ରାଜନୈତିକ ଶତୃ କୁହାଯାଉଥିବା ପୃଥ୍ୱୀରାଜ ହରିଚନ୍ଦନ ପ୍ରମ୍ମୁଖ ଦେଖି ହସୁଥିବା ଦେଖିବାକୁ ମିଳିଥିଲା ।
ସେପ୍ଟେମ୍ବର ୬, ୨୦୧୭ର ପରିବର୍ତ୍ତନ ସମାବେଶ ପରେ କାଁ ଭାଁ ଏପରି ର୍ୟାଲି ହୋଇଛି ଯେଉଁଠି ହଜାର ହଜାର କଂଗ୍ରେସ କର୍ମୀଙ୍କୁ ଦେଖିବାକୁ ମିଳିଛି । ଆଉ ପ୍ରସାଦଙ୍କ ସମୟରେ ଏହାର ସଂଖ୍ୟା ପୂର୍ବରୁ ଅତି ନଗନ୍ୟ ହୋଇଯାଇଥିଲା । ଏପରି ସ୍ଥିତିରେ କଳା ଦିବସରେ ଅସଂଗଠିତ କଂଗ୍ରେସିଆଙ୍କ ରଣହୁଙ୍କାର ବିନା ବିଜେଡି ସମର୍ଥନ ଅସମ୍ଭବ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି । ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଅନେକ କଂଗ୍ରେସ ର୍ୟାଲି ପଛରେ ବିଜେଡିରେ ସମର୍ଥନ ରହିଥିବା ଖବର ମଳିଛି । ପୂର୍ବରୁ ବିଜେଡିର ଛାୟା ସୁପ୍ରିମୋ ପ୍ୟାରୀମୋହନ ମହାପାତ୍ର କୁଆଡେ ହେଭିୱେଟ୍ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ର୍ୟାଲିକୁ ପରୋକ୍ଷ ମସର୍ଥନ ଦେଇ ବିଜେପିକୁ ଟାର୍ଗେଟ କରୁଥିବା ନେଇ ବିଜେଡି ମହଲରୁ ସୂଚନା ରହିଛି । ହେଲେ ଏବେ ଏହି ଦୁଇ ଜଣ ଆଉ ନାହାନ୍ତି । ହୁଏତ ଏମାନଙ୍କ ରାସ୍ତାକୁ ପୁଣି ଆପଣେଇବା ଲକ୍ଷ୍ୟର ଦୁଇ ଦଳ । ସେପଟେ ବିଜେଡି ଉପ-ସଭାପତି ଡାକ୍ତର ଦାମୋଦର ରାଉତ ଓ ସାଂସଦ ଭତ୍ତୃହରୀ ମହତାବ ବି କଂଗ୍ରେସ ସହ ମେଣ୍ଟ କଥା କହି ସାରିଛନ୍ତି । ଏପରି ସ୍ଥିତି କଂଗ୍ରେସ ର୍ୟାଲିରେ ବିଜେଡି କର୍ମୀ ଯିବାରେ କ୍ଷତି ବା କଣ?

ONA

Leave a Reply

Top