You are here
Home > Breaking News > କଂଗ୍ରେସର ଚକାଜାମ ଡାକରା: ଯାନବାହାନ ଚଳାଚଳ ବାଧାପ୍ରାପ୍ତ

କଂଗ୍ରେସର ଚକାଜାମ ଡାକରା: ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର, ୪.୬.୨୦୧୮: ଓଡ଼ିଶା କଂଗ୍ରେସ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସୋମବାର ୬ଘଣ୍ଟିଆ ଚକା ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରା କେବଳ କଟକ, ଭୁବନେଶ୍ୱରରେ ମହାନଗର ନିଗମ ଅଞ୍ଚଳ ପାଇଁ ଦିଆଯାଇଥିଲା । ଏହି ୬ ଘଣ୍ଟିଆ ଚକାଜାମ ଡାକରାରେ ଦ୍ୱୈତନଗରୀରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଥିଲା । କଂଗ୍ରେସର ବରିଷ୍ଠ ନେତା ଓ କର୍ମୀମାନେ ଉଭୟ ସହରରେ ବିଭିନ୍ନ ଛକରେ ଉପସ୍ଥିତ ରହି ଯାନବାହାନ ରୋକିବା ପାଇଁ ଅନୁରୋଧ କରିଥିଲେ । ଏହାଦ୍ୱାରା ସାଧାରଣ ଲୋକଙ୍କ ଯାତାୟତରେ ଘୋର ବାଧା ସୃଷ୍ଟି ହୋଇଥିଲା ।

 

ପିକେଟିଂ କରିବା ସହ ତୈଳ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ଉପରେ ନେତାମାନେ ବର୍ଷିଥିଲେ । ଲଗାତାର ତୈଳ ଦର ବୃଦ୍ଧି ସାଧାରଣ ଖାଉଟି ଓ ମଧ୍ୟବିତ ଶ୍ରେଣୀର ଲୋକମାନଙ୍କୁ ବେଶ ବାଧୁଥିବା କଥା ସେମାନେ ଅଭିଯୋଗ କରିଛନ୍ତି । ତୈଳ ଦର ବୃଦ୍ଧି ହ୍ରାସ ନହେଲେ ଆଗକୁ ଆନ୍ଦୋଳନ ପଲ୍ଲୀ ଓ ଦିଲ୍ଲୀକୁ ଯିବ ବୋଲି ନେତାମାନେ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି । ଏହି ଚକାଜାମ ଯୋଗୁଁ ବିଭିନ୍ନ ସ୍ଥାନରେ ଗାଡ଼ି ମଟର ଅଟକି ରହିଥିଲା । ଭୁବନେଶ୍ୱର-କଟକ ଦେଇ ଯାଉଥିବା ମାଲବାହୀ ଓ ଯାତ୍ରୀବାହି ଯାନ ଗୁଡ଼ିକ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଅଟକି ରହିଥିବା ଦେଖାଦେଇଥିଲା । ବସ୍ ଗୁଡ଼ିକର ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଥିଲା । ଦୂରଦୂରନ୍ତାକୁ ଯିବାକୁ ଥିବା ଯାତ୍ରୀମାନେ ବହୁ ହଇରାଣ ହୋଇଥିଲେ । ପିଲାଛୁଆ ଧରି ବସ୍ ଷ୍ଟାଣ୍ଡରେ ଅଟକି ରହିଥିଲେ । ଟ୍ରେନ୍ରେ ଆସୁଥିବା ଯାତ୍ରୀମାନେ ଭୁବନେଶ୍ୱରରେ ଉହ୍ଲାଇବା ପରେ ଷ୍ଟେସନରେ ବସି ରହିଥିଲେ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ବିଧାୟକ ଚିରଞ୍ଜିବୀ ବିଶ୍ୱାଳ, ସାଂସଦ ରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା ସଭାପତି ମନୋରଞ୍ଜନ ଦାସ ଏବଂ ଅନ୍ୟନେତାମାନେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପିକେଟିଂର ନେତୃତ୍ୱ ନେଇଥିଲେ । କଟକରୁ ଜିଲ୍ଲା ସଭାପତି ମହମ୍ମଦ ମୋକିମ୍, ବରିଷ୍ଠ ନେତ୍ରୀ ବିଜୟ ଲକ୍ଷ୍ମୀ ସାହୁ ଓ ଅନ୍ୟମାନଙ୍କ ନେତୃତ୍ୱରେ ଏହି ଚକାଜାମ କାର୍ଯ୍ୟକ୍ରମ ହୋଇଥିଲା । ମୋଟାମୋଟି ଭାବେ ଏହା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଥିଲା । କଟକରେ ଜଣେ ଆଇଟିଆ ଛାତ୍ର ବନ୍ଦକାରୀଙ୍କ ଆକ୍ରମଣରେ ଆହତ ହୋଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଛାତ୍ର ଥାନାରେ ଏତଲା ଦେଇଛନ୍ତି । ପ୍ରକୃତରେ ସେ କାହାର ଆକ୍ରମଣରେ ଶିକାର ହୋଇଛନ୍ତି ପୋଲିସ ଏଯାଏଁ ସ୍ପଷ୍ଟ କରିନାହିଁ । କିନ୍ତୁ ଛାତ୍ର ଜଣଙ୍କ ଆନ୍ଦୋଳନକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏହି ଗୋଟିଏ ଘଟଣା ଛଡ଼ା କଟକରେ ଆଉ କୌଣସି ଘଟଣା ଘଟିନାହିଁ ବୋଲି କୁହାଯାଉଛି । ଭୁବନେଶ୍ୱରରେ କୌଣସି ଅପ୍ରିତିକର ଘଟଣା ଖବର ମିଳିନାହିଁ ।

More from my site

ONA

Leave a Reply

Top